Advertisment

ମୁଖ୍ୟମନ୍ତ୍ରୀଙ୍କ ସଭା କହି ପିଲାଙ୍କୁ ଆଣିଲେ: ବର୍ଷାରେ ଭିଜିଲେ, ଅସନ୍ତୋଷ ଝାଡ଼ିଲେ, ସଚିବଙ୍କ ଭାଷଣ ଶୁଣି ଫେରିଲେ

ପ୍ରବଳ ବର୍ଷରେ ପିଲାମାନେ ଭିଜି ଭିଜି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ମଧ୍ୟ ସେମାନଙ୍କ ସମସ୍ୟା ଶୁଣିବା କିମ୍ବା ତା’ର ସମାଧାନ ପାଇଁ କୌଣସି ସରକାରୀ ଅଫିସର ଆନ୍ତରିକତା ଦେଖାଇ ନଥିବା ଜଣାପଡ଼ିଛି ।

Pandian

Pandian

Advertisment

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଛାତ୍ରଛାତ୍ରୀମାନଙ୍କୁ ଆଜି ଭୁବନେଶ୍ୱରର ଜନତା ମଇଦାନଠାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଭେଟିଛନ୍ତି । ତେବେ ଜିଲ୍ଲାତମାମ ସମସ୍ତ କଲେଜର ଛାତ୍ରଛାତ୍ରୀମାନଙ୍କୁ ବସରେ ଆଣିବା ଓ ସଭାସ୍ଥଳରେ ସ୍ଥାନାଭାବରୁ ପିଲାମାନେ ବର୍ଷାରେ ଭିଜି ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି । ଏପରିକି କିଛି କଲେଜ କର୍ତ୍ତୃପକ୍ଷ ମଧ୍ୟ ଆଜିର କାର୍ଯ୍ୟକ୍ରମ ‘ମୁଖ୍ୟମନ୍ତ୍ରୀଙ୍କ ସହ ଭାବବିନିମୟ’ ବୋଲି କହି ଛାତ୍ରଛାତ୍ରୀମାନଙ୍କୁ ଆଣିଥିବା ଜଣାପଡ଼ିଛି । ପ୍ରବଳ ବର୍ଷରେ ପିଲାମାନେ ଭିଜି ଭିଜି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ମଧ୍ୟ ସେମାନଙ୍କ ସମସ୍ୟା ଶୁଣିବା କିମ୍ବା ତା’ର ସମାଧାନ ପାଇଁ କୌଣସି ସରକାରୀ ଅଫିସର ଆନ୍ତରିକତା ଦେଖାଇ ନଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲାର ୭୦ଟି ଯୁକ୍ତ ଦୁଇ ଓ ୩୮ଟି ଡିଗ୍ରୀ କଲେଜକୁ ଫାଇଭ-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିବା ଓ ଏଥିପାଇଁ ୬୬.୭୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ସମସ୍ତ କଲେକର ଛାତ୍ରଛାତ୍ରୀମାନଙ୍କୁ ଜନତା ମଇଦାନରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ଫାଇଭ-ଟି ସଚିବ ଶ୍ରୀ ପାଣ୍ଡିଆନ ଭେଟିଥିଲେ । ପ୍ରବଳ ବର୍ଷା ମଧ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ପିଲାମାନେ ବସରେ ଆସିଥିଲେ ମଧ୍ୟ ଜନତା ମଇଦାନରେ ଆବଶ୍ୟକ ପରିମାଣର ବସିବା ବ୍ୟବସ୍ଥା ନଥିବାରୁ ବହୁ ସଂଖ୍ୟାରେ ପିଲା ସେଠାରେ ବର୍ଷାରେ ଭିଜି ରହିବାକୁ ବାଧ୍ୟ ହୋଇଥିଲେ । ଏତେସଂଖ୍ୟକ ପିଲା ଆସିଥିଲେ ମଧ୍ୟ କାହିଁକି ସେଠାରେ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇନଥିଲା ତାକୁ ନେଇ ପ୍ରଶ୍ନ ଉଠିଛି । ଗଣମାଧ୍ୟମ ସମ୍ମୁଖରେ କିଛି ପିଲା ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ସେମାନଙ୍କୁ କାହିଁକି ବର୍ଷାରେ ଏଠାକୁ ଅଣାଯାଇଛି ବୋଲି ପ୍ରଶ୍ନ କରିଥିଲେ । ସେମାନେ ନା ଫାଇଭ-ଟି ସଚିବଙ୍କୁ ଭେଟିପାରିଲେ, ନା ନିଜ କଲେଜ ସମ୍ପର୍କରେ କିଛି କହିବାର ସୁଯୋଗ ପାଇଲେ ତା’ହେଲେ କାହିଁକି ଅଣାଗଲା ବୋଲି ପ୍ରଶ୍ନ କରିବା ସହ ଅବ୍ୟବସ୍ଥା ପାଇଁ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ହଳଦିଆ କଲେଜର ଜଣେ ଛାତ୍ରୀ ସଭାସ୍ଥଳରେ ବସିବାକୁ ନପାଇ ଖୋଲାଖୋଲି ଭାବେ ଫାଇଭ-ଟି ସଚିବଙ୍କ ନାଁ ନେଇ ନିଜର ଅସନ୍ତୋଷ ଝାଡ଼ିଥିଲେ । ଏପରିକି ତାଙ୍କ କଲେଜର ଦୁଇଜଣ ଛାତ୍ରୀ ଚେତାଶୂନ୍ୟ ହୋଇପଡ଼ିଥିବା କ୍ୟାମେରା ଆଗରେ କହିବାକୁ ପଛାଇ ନଥିଲେ ।

ଭୁବନେଶ୍ୱରସ୍ଥିତ ମହର୍ଷି କଲେଜ ପ୍ରନ୍ସିପାଲଙ୍କ ଦ୍ୱାରା ପିଲାମାନଙ୍କୁ ଦିଆଯାଇଥିବା ଲିଖିତ ସୂଚନାରେ ଆଜି ଜନତା ମଇଦାନରେ ମୁଖ୍ୟମନ୍ତ୍ରୀଙ୍କ ଭାବବିନିମୟ କାର୍ଯ୍ୟକ୍ରମ ରହିଛି ବୋଲି ଉଲ୍ଲେଖ କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜ ୟୁନିଫର୍ମରେ ନିଜର କଲେଜ ପରିଚୟ ପତ୍ର ସହ କଲେଜ କ୍ୟାମ୍ପସରୁ ହିଁ ବସ୍ ମାଧ୍ୟମରେ ଜନତା ମଇଦାନକୁ ଯିବାକୁ କହିଥିଲେ । ସେଠାରେ ସଭା ଶେଷ ହେବାପରେ ମଧ୍ୟାହ୍ନଭୋଜନର ବ୍ୟବସ୍ଥା ଥିବା ଓ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ଶୃଙ୍ଖଳିତ ଆଚରଣ ନିମନ୍ତେ ପରାମର୍ଶ ଦେଇଥିଲେ । ଅବଶ୍ୟ ଏହି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କର ନୁହେଁ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ପାଇଁ ଅନୁଷ୍ଠିତ ହେଉଥିବା ନେଇ ଅନ୍ୟ କଲେଜ କର୍ତ୍ତୃପକ୍ଷମାନେ ଅବଗତ ଥିଲେ ।

Advertisment

ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ଖୋର୍ଦ୍ଧା ଜିଲ୍ଲାର ମୋଟ ୭୦ଟି ଯୁକ୍ତ ଦୁଇ(ଏକାଦଶ-ଦ୍ୱାଦଶ) କଲେଜ ଓ ୩୮ଟି ଡିଗ୍ରୀ କଲେଜକୁ ଫାଇଭ-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ଓ ଏଥିରେ ୬୬.୭୫କୋଟି ଟଙ୍କା ବ୍ୟୟ କରାଯିବ ତଥା ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା ଉଲ୍ଲେଖ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭିକେ ପାଣ୍ଡିଆନ ଆଜି ଭୁବନେଶ୍ୱର ଜନତା ମଇଦାନରେ କଲେଜ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ବୋଲି ଦର୍ଶାଯାଇଛି ।

ତେବେ ଫାଇଭ-ଟି ସଚିବଙ୍କ ପାଇଁ ଜନତା ମଇଦାନରେ କଲେଜ ଛାତ୍ରଛାତ୍ରୀମାନଙ୍କୁ ଏକଜୁଟ କରାଇବା ଘଟଣାକୁ ବିରୋଧୀ ଦଳ ଓ ବିଭିନ୍ନ ବର୍ଗର ଲୋକେ ନାପସନ୍ଦ କରିବା ସହ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ।

Naveen Patnaik Cmo Of Odisha Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe