Advertisment

Succession Puzzle Deepens: ନବୀନଙ୍କ ନୀରବତା, ଚାଲିଛି ‘ସୁଜାତା’ ବନ୍ଦନା, ମହିଳା ପରେ ଯୁବ-ଛାତ୍ର ମୁଖିଆ କଲେ ଓକିଲାତି

ଦଳର ସର୍ବୋଚ୍ଚ ନୀତିନିର୍ଦ୍ଧାରଣ କମିଟି ‘ପିଏସି’ ସମେତ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱାଧୀନ ୧୭ଜଣିଆ ପରାମର୍ଶଦାତା କମିଟି ଓ ଦେବୀ ମିଶ୍ର କମିଟିକୁ ପଙ୍ଗୁ କରି ନବୀନଙ୍କ ରହସ୍ୟମୟ ନିରବତାର ସୁଯୋଗ ନେଇ ସୁଚିନ୍ତିତ ଢଙ୍ଗରେ ଦଳର ମହିଳା, ଯୁବ ଓ ଛାତ୍ର ଶାଖାର ମୁଖ୍ୟମାନଙ୍କୁ ଆଗକୁ ଅଣାଯାଇଛି ।

author-image
Prakaash Sethi
SUJATA-001

ଦୀର୍ଘ କିଛିମାସ ଧରି ବିଜେଡିରେ ଉତ୍ତରାଧିକାରୀ ଚୟନ ବା ‘ସେକେଣ୍ଡ ଇନ୍ କମାଣ୍ଡ’କୁ ନେଇ ଚାଲିଥିବା ଛକାପଞ୍ଝା,ତୀବ୍ର ଗୋଷ୍ଠୀକନ୍ଦଳ ଓ ଅସ୍ଥିରତା ପୁଣି ଅଧିକ ଉଗ୍ରରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି । ଦଳର ୨୯ତମ ପ୍ରତିଷ୍ଠା ଦିବସ ମଂଚରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ କର୍ମୀ-ନେତାଙ୍କ ମନୋବଳ ବୃଦ୍ଧି, ସଂଗଠନକୁ ସୁଦୃଢ଼ କରିବା ଓ ଉତ୍ତରାଧିକାରୀ ଚୟନ ପ୍ରସଙ୍ଗରେ କିଛି ‘ଗୁରୁମନ୍ତ୍ର’ ମଧ୍ୟ ଦେବାକୁ ଉଚିତ୍ ମଣିନାହାନ୍ତି । ଓଲଟା ଦଳ ଭାଙ୍ଗିବ ନାହିଁ ଓ ଶହେବର୍ଷ ପର୍ଯ୍ୟନ୍ତ ରହିବ କହି ସସପେନ୍ସ ବଢ଼ାଇଛନ୍ତି ନବୀନ । 

Advertisment

ଆଉ ନବୀନଙ୍କ ଏହି ରହସ୍ୟମୟ ନିରବତା ଭିତରେ ଦଳର ମହିଳା ଶାଖା ମୁଖିଆଙ୍କ ପରେ ଆଜି ଯୁବ ଓ ଛାତ୍ର ଶାଖା ମୁଖିଆ ଖୋଲାଖୋଲି ଭାବେ ‘ବିଜେଡି ବିପର୍ଯ୍ୟୟ’ର ମୁଖ୍ୟ କାର୍ପେଟଦାର ଭିକେ ପାଣ୍ଡିଆନଙ୍କ ପତ୍ନୀ ‘ସୁଜାତା’ଙ୍କୁ ନେତୃତ୍ୱ ଟେକିଦେବା ସପକ୍ଷରେ ଓକିଲାତି କରିଛନ୍ତି । ଦଳର ଏହି ତିନି ଛାମୁଆ ସଂଗଠନର ମୁଖ୍ୟମାନେ ଅଚାନକ ‘ସୁଜାତା’ ବନ୍ଦନା କରିବା ପଛରେ କାହାର ପ୍ରାୟୋଜିତ ଡ୍ରାମା ଓ ନିର୍ଦ୍ଦେଶ କାର୍ଯ୍ୟ କରୁଛି ତାକୁ ନେଇ ଦଳୀୟ ମହଲରେ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ କଟକରେ ପ୍ରଭାତ ବିଶ୍ୱାଳ ସିଧାସଳଖ ପାଣ୍ଡିଆନ ଦମ୍ପତିଙ୍କ ପାଇଁ ଓକିଲାତି କରିବା ସହ ସାଂଗଠନିକ ବ୍ୟାପାର ବୁଝୁଥିବା ଦେବୀ ମିଶ୍ରଙ୍କ ନେତୃତ୍ୱାଧୀନ କୋରଟିମକୁ ଚେତାବନୀ ଦେବା ମଧ୍ୟ ଦଳରେ ସବୁକିଛି ଠିକ୍ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି ।

ସସପେନ୍ସ ବଢ଼ାଇଲେ ନବୀନ, ଖୋଲିଲେନି ‘ଉତ୍ତରାଧିକାରୀ’କାର୍ଡ

ଦଳରେ ଚାଲିଥିବା ଅସ୍ଥିରତା,ଛକାପଞ୍ଝା ଓ କ୍ଷମତା ଦଖଲ କନ୍ଦଳ ମଧ୍ୟରେ ଆଜି ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିଛି ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶଙ୍ଖଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ସରକାରକୁ ସମାଲୋଚନା କରିବା ସହ ନିଜ ସରକାର ୨୪ବର୍ଷକୁ ସୁବର୍ଣ୍ଣ ଯୁଗ ବୋଲି କହିଛନ୍ତି । 
ଆଉ ବିଜେଡି ବିଭାଜନ ହେବା ନେଇ ଚାଲିଥିବା ଚର୍ଚ୍ଚାକୁ ଖଣ୍ଡନ କରି କହିଛନ୍ତି ଯେ, “ଗଣତନ୍ତ୍ରରେ ହାର-ଜିତ୍ ଲାଗି ରହିଛି । ଏଥିପାଇଁ ଦଳ ଭାଙ୍ଗିଯିବ ବୋଲି ଭାବିବା ଭୁଲ । ଆପଣମାନେ ଯେଉଁ ଚର୍ଚ୍ଚା କରୁଛନ୍ତି କି ବିଜୁ ଜନତା ଦଳ ଭାଙ୍ଗିଯିବ, ଏହା ଏକ ବଡ଼ ଚକ୍ରାନ୍ତ । ବିଜୁ ଜନତା ଦଳ କେବଳ ଜଣେ କିମ୍ବା ଦୁଇ ଜଣ ନେତାଙ୍କୁ ନେଇ ଗଢ଼ା ହୋଇନାହିଁ। ଏହା ଏକ ଜନ ଆନ୍ଦୋଳନ, ଯାହା ଓଡ଼ିଆଙ୍କ ଆଶା, ଆକାଂକ୍ଷା ଓ ସ୍ୱାଭିମାନ ସହ ଜଡ଼ିତ । ବିଜେଡି ରହିବ ଓ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା ଜାରି ରଖିବ । ରାଜନୀତିରେ ଧୈର୍ଯ୍ୟ ରଖିବା ଅତ୍ୟନ୍ତ ଜରୁରୀ । ଆମେ କାମ କରିବା ଓ ଆମେ ନିଶ୍ଚୟ ପରିବର୍ତ୍ତନ ଆଣିବା । ଆମର ଲକ୍ଷ୍ୟ ଓ ବିଚାରକୁ ଲୋକଙ୍କ ପାଖରେ ପ୍ରଭାବଶାଳୀ ଢଙ୍ଗରେ ପହଂଚାଇବା ପାଇଁ ଯୁବସମାଜ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହେବାକୁ ନବୀନ ଆହ୍ୱାନ ଦେଇଛନ୍ତି ।”

Advertisment

ଅବଶ୍ୟ ବିଜେଡି ଶହେବର୍ଷ ପର୍ଯ୍ୟନ୍ତ ସେବା କରିବ ବୋଲି ନବୀନ ପ୍ରଥମଥର ପାଇଁ କହିନାହାନ୍ତି । ୨୦୨୨ ମସିହାରେ ୨୫ତମ ପ୍ରତିଷ୍ଠା ଦିବସ ପାଳନବେଳେ ଭିଡିଓ ବାର୍ତ୍ତାରେ ନବୀନ ଅନୁରୂପ ଢଙ୍ଗରେ କହିଥିଲେ ଯେ,ବିଜେଡି ୨୫ କି ୫୦ବର୍ଷ ନୁହେଁ ବରଂ ୧୦୦ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବ । ମାତ୍ର ଦଳ କ୍ଷମତାରୁ ଯିବାପରେ ବିଗତ ୧୮ମାସ ଧରି ଦିଶାହୀନ ଢଙ୍ଗରେ ପରିଚାଳିତ ହେଉଥିଲେ ମଧ୍ୟ ଦଳୀୟ କର୍ମୀ-ନେତାଙ୍କ ମନୋବଳ ବୃଦ୍ଧି ପାଇ ନବୀନ କିଛି ନକହିବା ଓ ପୁରୁଣା କଥାକୁ ଦୋହରାଇବା ଏବେ ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ମହିଳା ପରେ ଏବେ ଯୁବ ଓ ଛାତ୍ର ମୁଖିଆଙ୍କ ‘ସୁଜାତା’ ବନ୍ଦନା

ଦଳର ସର୍ବୋଚ୍ଚ ନୀତିନିର୍ଦ୍ଧାରଣ କମିଟି ‘ପିଏସି’ ସମେତ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱାଧୀନ ୧୭ଜଣିଆ ପରାମର୍ଶଦାତା କମିଟି ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତା ବିଶିଷ୍ଟ ସମନ୍ୱୟ କମିଟିକୁ ପଙ୍ଗୁ କରି ସୁଚିନ୍ତିତ ଢଙ୍ଗରେ ଦଳର ମହିଳା, ଯୁବ ଓ ଛାତ୍ର ଶାଖାର ମୁଖ୍ୟମାନଙ୍କୁ ଆଗକୁ ଅଣାଯାଇଛି । ବିଗତ ଦୁଇଦିନ ତଳେ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ସୁଜାତାଙ୍କ ସପକ୍ଷରେ ନବୀନଙ୍କ ପାଖରେ ପ୍ରାୟୋଜିତ ଲବି କରିବା ପ୍ଲାନ୍ ଫେଲ୍ ମାରିବା ପରେ ଆଜି ଦଳର ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାନେତ୍ରୀ ଇପସିତା ସାହୁ ଖୋଲାଖୋଲି ଭାବେ ‘ସୁଜାତା’ ବନ୍ଦନା କରିଛନ୍ତି । ଚିନ୍ମୟ କହିଛନ୍ତି ଯେ, ସୁଜାତା ଜଣେ ଉଚ୍ଚ ଶିକ୍ଷିତ ଓ ଦକ୍ଷତାସଂପନ୍ନ ମହିଳା । ମହିଳା ସଶକ୍ତିକରଣରେ ତାଙ୍କର ବଡ଼ ଭୂମିକା ରହିଛିି । ନବୀନ ବାବୁ ହେଉଛନ୍ତି ଶ୍ରୀରାମ ଓ ଆମେ ହନୁମାନ । ସେ  ଯାହା ନିଷ୍ପତ୍ତିି ନେବେ ଆମେ ଗ୍ରହଣ କରିବୁ ।  

ସେହିପରି ଇପସିତା ଆଉ ପାଦେ ଆଗକୁ ଯାଇ ରାଜ୍ୟର ମୁଖ୍ୟ ସଚିବ ଓ ଦେଶର ରାଷ୍ଟ୍ରପତି ମହିଳା ହୋଇଥିବାବେଳେ ବିଜେଡିର ମଙ୍ଗ ଜଣେ ମହିଳା ଧରିବା କଥା କହି ସୁଜାତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିବାକୁ ପଛାଇନାହାନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂର୍ବରୁ ସ୍ନେହାଙ୍ଗିନୀ ଦଳୀୟ ନେତ୍ରୀମାନଙ୍କୁ ନବୀନବାବୁଙ୍କ ନାଁ ନେଇ ମଙ୍ଗଳବାର ନବୀନ ନିବାସ ଡକାଇଥିଲେ ବୋଲି ବିଜେଡି ସୂତ୍ରରୁ ଜଣାପଡ଼ିଛି । ଏବେ ଦଳର ଯୁବ ଓ ଛାତ୍ର ମୁଖିଆ ଉଭୟ ନବୀନବାବୁଙ୍କ ନାଁ ନେଇ ସୁଜାତାଙ୍କ ଏଂଟ୍ରିକୁ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଦଳର ଛାତ୍ର ଓ ଯୁବ ସଂଗଠନ ସହମତିରେ ଚିନ୍ମୟ ଓ ଇପସିତା ଏହି ‘ସୁଜାତା’ ବନ୍ଦନା କରୁଛନ୍ତି ନା ଉପରେ ପଡ଼ି ସୁଜାତାଙ୍କ ଗୁଡବୁକରେ ରହିବାକୁ ଏଭଳି ବୟାନବାଜି କରୁଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।


‘ସୁଜାତା’ଙ୍କ ବିଜେଡିରେ ଏଂଟ୍ରି ପାଇଁ ଦଳର ତିନି ଛାମୁଆ ସଂଗଠନ କାହା ନିର୍ଦ୍ଦେଶରେ ଏଭଳି ପ୍ରାୟୋଜିତ ଡ୍ରାମା ଓ ‘ସୁଜାତା’ ବନ୍ଦନା ତାକୁ ନେଇ ମଧ୍ୟ ଦଳୀୟ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି । 

ପ୍ରଭାତ ବିଶ୍ୱାଳଙ୍କ ‘ପାଣ୍ଡିଆନ ଦମ୍ପତି ପ୍ରେମ’ ଓ  କୋର୍ ଟିମକୁ ଚେତାବନୀ

କଟକରେ ଦଳର ପ୍ରତିଷ୍ଠା ଦିବସ ମଂଚରେ ପୂବର୍ତନ ବିଧାୟକ ପ୍ରଭାତ ବିଶ୍ୱାଳ ଆଜି ଖୁଲମଖୁଲା ପାଣ୍ଡିଆନ ଦମ୍ପତିଙ୍କ ସପକ୍ଷରେ ଆଗକୁ ଆସିଛନ୍ତି । ସେ କହିଛନ୍ତି ଯେ, ଦଳ ପାଇଁ ପାଣ୍ଡିଆନ ଓ ତାଙ୍କ ପତ୍ନୀ ଆଇଏଏସ୍ ଭଳି ବଡ଼ ଚାକିରି ଛାଡ଼ିଛନ୍ତି । ଦଳର ଯାହା କିଛି ସଫଳତା ତାହା ପାଣ୍ଡିଆନଙ୍କ ବୁଦ୍ଧି ଯୋଗୁଁ ହିଁ ସମ୍ଭବ ହୋଇଛି। ସୁଜାତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ମଧ୍ୟ ସେ ଯୁକ୍ତି ବାଢ଼ିଛନ୍ତି। ଏବେ ଦଳୀୟ ସଂଗଠନ କଥା ବୁଝୁଥିବା ଦେବୀ ମିଶ୍ର,ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା ଓ ଅତନୁ ସବ୍ୟସାଚୀଙ୍କ ନାଁ ନେଇ ‘ଦଳୀୟ ଚାବି’ ଫେରସ୍ତ କରିବାକୁ ସେ କହିବା ସହ ସେମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ସୀମିତ ରହିବାକୁ ଚେତାବନୀ ଦେଇଛନ୍ତି ।

ଯଦି ଏହି ବରିଷ୍ଠ ନେତାମାନେ ଅନ୍ୟ ଅଞ୍ଚଳରେ ମୁଣ୍ଡ ପୁରାଇବା ବନ୍ଦ ନକରନ୍ତି, ତେବେ ପରିଣାମ ଭୟାନକ ହେବ। ଏହି ବିଦ୍ରୋହ କଟକରୁ ଆରମ୍ଭ ହୋଇ ସାରା ଓଡ଼ିଶାରେ ଦେଖିବାକୁ ମିଳିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୁଜାତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ତାଙ୍କର ଯୁକ୍ତି ଦର୍ଶାଉଛି ଯେ ଦଳ ଭିତରେ ଏକ ଗୋଷ୍ଠୀ ଏବେ ବି ପାଣ୍ଡିଆନଙ୍କ ପ୍ରଭାବରୁ ମୁକ୍ତ ହୋଇପାରିନାହାନ୍ତି ।

ଅସନ୍ତୋଷର ନିଆଁ, ବିଜେଡି ପାଇଁ ସତର୍କ ଘଣ୍ଟି

ପାଣ୍ଡିଆନ ଦମ୍ପତିଙ୍କ ସପକ୍ଷରେ ପ୍ରଭାତଙ୍କ ଏଭଳି ବୟାନବାଜି ଓ ଦଳର ବରିଷ୍ଠ ନେତାମାନଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିବା ହିଁ ବିଜେଡିରେ କିଛି ବି ଠିକ ନାହିଁ ବୋଲି ପ୍ରମାଣିତ କରିଛି। ଗତକାଲି ଭୂପିନ୍ଦର ସିଂ ଓ ଆଜି ପ୍ରଭାତଙ୍କ ଏଭଳି ଚେତାବନୀ ପରେ ଦେବୀ ମିଶ୍ର କମିଟି ନିଜର ନିଜତ୍ୱ ହରାଇଛି।

ଯଦି ପାଣ୍ଡିଆନଙ୍କ ସମ୍ପର୍କରେ ବୟାନବାଜି କରି ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ବହିଷ୍କାର କରାଯାଇଛି ତା’ହେଲେ ନବୀନଙ୍କ ନିର୍ଦ୍ଦେଶରେ ଦଳର ପରିଚାଳନା କରୁଥିବା ଦେବୀ ମିଶ୍ର କମିଟିକୁ ଖୋଲା ଚେତାବନୀ ଦେଇଥିବା ପ୍ରଭାତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ ତାହା ସନ୍ଦେହଘରେ । ଦଳର ଛାମୁଆ ସଂଗଠନର ମୁଖିଆମାନଙ୍କ ସୁଜାତା ସପକ୍ଷରେ ବୟାନବାଜି ବି ଦଳରେ ଅସନ୍ତୋଷକୁ ବଢ଼ାଇବାରେ ଲାଗିଛି । 


ଆଜି ପ୍ରତିଷ୍ଠା ଦିବସ ମଂଚରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ନାଁ ନନେଇ ପାଣ୍ଡିଆନ ଦମ୍ପତିଙ୍କୁ ଟାର୍ଗେଟ୍ କରିବା ସହ ଦୁଇମୁଣ୍ଡିଆଙ୍କୁ କଟାକ୍ଷ କରିଛନ୍ତି। ନବୀନଙ୍କ ସହ ରହିବା ଆଉ କାହାରି ଚାପୁଲିସି କରିବା ନାହିଁ ପାଣ୍ଡିଆନ ଦମ୍ପତିଙ୍କ ମାମଲାତିକୁ ଟାର୍ଗେଟ୍ କରିଛନ୍ତି। ତେଣୁ ଏସବୁ ଭିତରେ ନବୀନ ଯଦି ତୁରନ୍ତ ଏହି ‘ଗୋଷ୍ଠୀବାଦ’ ଓ ‘ପାଣ୍ଡିଆନ ପ୍ରଭାବ’ରୁ ଦଳକୁ ମୁକ୍ତ ନକରନ୍ତି, ତେବେ ୨୯ତମ ପ୍ରତିଷ୍ଠା ଦିବସରୁ ଆରମ୍ଭ ହୋଇଥିବା ଏହି ଅସନ୍ତୋଷର ନିଆଁ ଆଗାମୀ ଦିନରେ ବିଜେଡି ‘ତାସ୍ ଘର’ ଭଳି ଭୁଶୁଡ଼ି ପଡ଼ିବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ।