Advertisment

BJD Succession Storm: ନବୀନ ନିବାସ ଆସୁନାହାନ୍ତି ପାଣ୍ଡିଆନ ଦମ୍ପତି , ଉତ୍ତରାଧିକାରୀ ଲଢ଼େଇରେ କୋଣଠେସା ହେଉଛନ୍ତି କି ନବୀନ?

ବବି ନିଜର କିଛି ଅନୁଗତଙ୍କୁ ନେଇ ବିଭିନ୍ନ ସ୍ଥାନରେ ମେଳି କରି ଚାପ ସୃଷ୍ଟି କରିବା ସହ ଦଳକୁ ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ କରୁଥିବାବେଳେ ନବୀନଙ୍କ ପାଖରେ ଛାଇ ଭଳି ରହୁଥିବା ପାଣ୍ଡିଆନ ଦମ୍ପତି ଏବେ ନବୀନ ନିବାସଠୁ ରହସ୍ୟମୟ ଦୂରତ୍ୱ ଅବଲମ୍ବନ କରିଥିବା ଜଣାପଡ଼ିଛି ।

BJD-00234
Advertisment

ନିଜର ୨୯ତମ ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ରାଜ୍ୟର ସର୍ବାଧିକ ଲୋକପ୍ରିୟ ଆଂଚଳିକ ଦଳ ବିଜେଡିରେ କ୍ଷମତା ଦଖଲକୁ ନେଇ ଆରମ୍ଭ ହୋଇଛି କସରତ୍‌। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ଦଳର ‘ସେକେଣ୍ଡ ଇନ୍ କମାଣ୍ଡ’ କିଏ ହେବ ଓ କାହାକୁ ଆଗରେ ରଖି ଦଳ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବ ତାହା ଏବେ ଦଳୀୟ ମହଲରେ ସବୁଠୁ ବଡ଼ ପ୍ରଶ୍ନବାଚୀ ହୋଇଛି । ଏପଟେ ଦଳ ଭିତରେ କ୍ଷମତା ଦଖଲ ପାଇଁ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ବବି ନିଜର କିଛି ଅନୁଗତଙ୍କୁ ନେଇ ବିଭିନ୍ନ ସ୍ଥାନରେ ମେଳି କରି ଚାପ ସୃଷ୍ଟି କରିବା ସହ ଦଳକୁ ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ କରୁଥିବାବେଳେ ନବୀନଙ୍କ ପାଖରେ ଛାଇ ଭଳି ରହୁଥିବା ପାଣ୍ଡିଆନ ଦମ୍ପତି ଏବେ ନବୀନ ନିବାସଠୁ ରହସ୍ୟମୟ ଦୂରତ୍ୱ ଅବଲମ୍ବନ କରିଥିବା ଜଣାପଡ଼ିଛି । ଆଉ ଏସବୁ ଭିତରେ ବିଜେଡି ସାଂସଦ ଦେବାଶୀଷ ସାମନ୍ତରାୟଙ୍କ ବୟାନ ଓ ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷ ବିଜେଡି ରାଜନୀତିକୁ ସରଗରମ କରିଛି ।

Advertisment

ନବୀନ ନିବାସ ଆସୁନାହାନ୍ତି ପାଣ୍ଡିଆନ ଦମ୍ପତି

ବିଜେଡି ସୂତ୍ର ଅନୁସାରେ, ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା ୧୦ରୁ ୧୨ଦିନ ହେବ ନବୀନ ନିବାସଠୁ ଦୂରେଇ ରହିଛନ୍ତି । ବିଗତ କିଛିବର୍ଷ ଧରି ପାଣ୍ଡିଆନ କିମ୍ବା ତାଙ୍କ ପତ୍ନୀ ନିୟମିତ ନବୀନ ନିବାସ ଆସୁଥିବାବେଳେ ଚଳିତମାସ ପାଣ୍ଡିଆନ ଅତିବେଶୀରେ ୩ରୁ ୪ଥର ଆସିଛନ୍ତି । ତାଙ୍କ ପତ୍ନୀ ସୁଜାତା ମଧ୍ୟ ବିଗତ ୧୨ଦିନ ହେବ ଆଉ ନବୀନ ନିବାସ ଆସୁନାହାନ୍ତି । ଯଦିଓ ପାଣ୍ଡିଆନଙ୍କ ଅନୁପସ୍ଥିତିରେ ସୁଜାତା ବିଗତ କିଛିମାସ ଧରି ନିୟମିତ ଭାବେ ନବୀନ ନିବାସ ଆସୁଥିଲେ । ନବୀନ ମୁମ୍ବାଇ ଓ ସମ୍ ହସ୍ପିଟାଲରେ ଚିକିତ୍ସା ହୋଇ ଫେରିବା ପରଠୁ ପାଣ୍ଡିଆନ ଦମ୍ପତି ନିୟମିତ ନବୀନ ନିବାସ ଯାଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝୁଥିଲେ । ଏବେ କାହିଁକି ସେମାନେ ନବୀନ ନିବାସରୁ ଦୂରେଇ ରହିଛନ୍ତି ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି । 


ସୂଚନା ଅନୁସାରେ, ବିଜେଡିର ଉତ୍ତରାଧିକାରୀ ଭାବେ ସୁଜାତାଙ୍କୁ ଘୋଷଣା ନିମନ୍ତେ ନବୀନ ସହମତି ଦେଉନଥିବାରୁ ପାଣ୍ଡିଆନ ଦମ୍ପତିି ଏବେ ତାଙ୍କଠୁ ଦୂରେଇ ରହି ମାନସିକ ଚାପ ପକାଇବାକୁ ପ୍ରୟାସ କରୁଛନ୍ତି । ପାଣ୍ଡିଆନଙ୍କ ଉପରେ ବିଭିନ୍ନ କାରଣ ପାଇଁ ମାତ୍ରାଧିକ ନିର୍ଭରଶୀଳ ଥିବା ନବୀନଙ୍କ ଉପରେ ଏଭଳି ମାନସିକ ଚାପ ପକାଇ ଆନୁଷ୍ଠାନିକ ଭାବେ ଦଳର ‘ସେକେଣ୍ଡ ଇନ୍ କମାଣ୍ଡ’ ସୁଜାତାଙ୍କ ହାତରେ ଟେକିଦେବାକୁ  ଲକ୍ଷ୍ୟ ରଖିଥିବା କୁହାଯାଉଛି । ସୁଜାତାଙ୍କୁ ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ କିମ୍ବା ଉତ୍ତରାଧିକାରୀ ଭାବେ ଉପସ୍ଥାପିତ କରିବା ପାଇଁ ନବୀନଙ୍କ ଉପରେ ପାଣ୍ଡିଆନ ପରୋକ୍ଷରେ ମାନସିକ ଚାପ ପକାଉଛନ୍ତି । ଏବେ ପାଣ୍ଡିଆନ ଦମ୍ପତିଙ୍କୁ ଖୁସି କରିବା ପାଇଁ ଦଳର ଗୋଟିଏ ଗୋଷ୍ଠୀ ନବୀନ ନିବାସ ଯାଇ ନବୀନଙ୍କ ଉପରେ ଚାପ ପକାଇବାକୁ ସଜବାଜ ହେଉଥିବା ଜଣାପଡ଼ିଛି । ପାଣ୍ଡିଆନଙ୍କ ଏଭଳି ‘ପ୍ରେସର ପଲିଟିକ୍ସ' ଯୋଗୁଁ ନବୀନ ନିବାସର ପରିବେଶ ଏବେ ବେଶ୍ ଗମ୍ଭୀର ରହିଥିବା ସୂଚନା ମିଳିଛି ।

Advertisment

ଝୁମୁକା ଫାର୍ମହାଉସ ମେଳି ଓ ବିଜେଡିକୁ ଅସ୍ଥିର ଯୋଜନା
 
ଅନ୍ୟପକ୍ଷରେ ନବୀନଙ୍କ ଶାସନକାଳରେ ପାଣ୍ଡିଆନଙ୍କ ବଳରେ ନିଜକୁ ବଳିୟାନ କରିଥିବା ତାଙ୍କର ଖାସ୍ ଅନୁଗତ ବବି ଏବେ ଦଳର ସେକେଣ୍ଡ ଇନ୍ କମାଣ୍ଡ ହେବା ପାଇଁ ଗୋଟିଚାଳନା କରିବାରେ ଲାଗିଛନ୍ତି । ପରଦା ପଛରେ ରହି ନିଜର ଖାସ୍ ଅନୁଗତଙ୍କ ମାଧ୍ୟମରେ ବିଭିନ୍ନ ସ୍ଥାନରେ ମେଳି କରିବାରେ ଲାଗିଛନ୍ତି । ଝୁମୁକା ଫାର୍ମହାଉସରେ ୫୦ରୁ ଅଧିକ ପରାଜିତ ନେତା ଓ ବିଧାୟକମାନଙ୍କ ମେଳି ପଛରେ ବବିଙ୍କ ପ୍ରମୁଖ ଭୂମିକା ରହିଥିବା ଚର୍ଚ୍ଚା ହେଉଛି । ଏହି ବନ୍ଧୁମିଳନ ନାଁରେ ବିଜେଡି ନେତାମାନଙ୍କର ଏହି ମେଳି ଆୟୋଜନ ଦାୟିତ୍ୱରେ ପ୍ରଣବ ବଳବନ୍ତରାୟ, ସମ୍ବିତ ରାଉତରାୟ, ଚନ୍ଦ୍ରସାରଥୀ ବେହେରା, ରୁଦ୍ର ମହାରଥୀଙ୍କ ଭଳି ବବିଙ୍କ ଅନୁଗତମାନେ ରହିଥିଲେ । ଶଙ୍ଖଭବନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଦଳୀୟ ନେତାମାନଙ୍କ ଏଭଳି ମେଳି କରିବା ଉପରେ ନବୀନ ନିଜେ କଟକଣା ଜାରି କରିଥିଲେ ମଧ୍ୟ ବବିଙ୍କ ଅନୁଗତମାନେ ଖୋଲା ଚ୍ୟାଲେଞ୍ଜ ଦେଇ ପରୋକ୍ଷରେ ଦଳକୁ ଅସ୍ଥିର ପାଇଁ ଉଦ୍ୟମ କରିଛନ୍ତି ।

 ବବିଙ୍କ ଅନୁଗତମାନେ ଏକାଠି ହୋଇ ଦଳରେ ପରିବର୍ତ୍ତନ ଏବଂ ଉତ୍ତରାଧିକାରୀ ଚୟନ ପାଇଁ ଚାପ ସୃଷ୍ଟି କରୁଥିବା ଜଣାପଡ଼ିଛି । ଆଉ ୩ମାସ ପରେ ରାଜ୍ୟସଭା ନିର୍ବାଚନ ଥିବାରୁ ବବି ମଧ୍ୟ ଯେନତେନ ପ୍ରକାରେ ଦଳୀୟ ନେତୃତ୍ୱ ନଚେତ୍ ରାଜ୍ୟସଭା ସିଟ୍ ପାଇଁ ଏଭଳି ଅସ୍ଥିରତା ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଥିବାବେଳେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ରାଜ୍ୟସଭା ଯିବା ପାଇଁ ନିଜନିଜ ସ୍ତରରେ ଲବି ଜୋରଦାର କରୁଥିବା ସୂଚନା ମିଳିଛି । ଦଳର ପୁରୁଣା ନେତା ଓ ପାଣ୍ଡିଆନ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ଏହି କ୍ଷମତା ଲଢ଼େ଼ଇ ଭିତରେ ପାଣ୍ଡିଆନ ଦମ୍ପତିଙ୍କ ରହସ୍ୟମୟ ଦୂରତ୍ୱ ନବୀନଙ୍କୁ ଏକ ଅସହଜ ସ୍ଥିତିରେ ପକାଇ ଦେଇଥିବା ଚର୍ଚ୍ଚା ହେଉଛି ।

ଶ୍ରୀମୟୀଙ୍କ ବ୍ୟଙ୍ଗ ଓ ଦେବାଶୀଷଙ୍କ ସ୍ପଷ୍ଟୋକ୍ତି: ନବୀନଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ

ଦଳ ଭିତରେ ଚାଲିଥିବା ଏହି ଅଶାନ୍ତିକୁ ଆହୁରି ତୀବ୍ର କରିଛି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆରେ ବ୍ୟଙ୍ଗ କବିତା ଓ ଦେବାଶୀଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ । ଦେବାଶୀଷ ସାମନ୍ତରାୟ କହିଛନ୍ତି ଯେ, ନବୀନ ପଟ୍ଟନାୟକ କାହାରିକୁ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କରିନାହାନ୍ତି କିମ୍ବା ପାଣ୍ଡିଆନ ଓଡ଼ିଶାର ଉତ୍ତରାଧିକାରୀ ନୁହନ୍ତି । ଓଡ଼ିଶାବାସୀ କେବଳ ନବୀନଙ୍କୁ ଭଲ ପାଆନ୍ତି ଏବଂ ଦଳର ନେତୃତ୍ୱ କିଏ ନେବ ତାହା ସମୟ କହିବ ।

ସେହିପରି ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ ତାଙ୍କ କବିତା ସୁଜାତାଙ୍କ ଏଂଟ୍ରିକୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି । ଦଳରେ ଉତ୍ତରାଧିକାରୀ ପାଇଁ ଟଣାଓଟରା ଚାଲିଛି ଓ କିଏ କାହା ଟିମରେ ରହିବ ତାକୁ ନେଇ ଚାଲିଥିବା କନ୍ଦଳ ଓ ବଣଭୋଜି କଥା କହି ଶ୍ରୀମୟୀ ଟାର୍ଗେଟ୍ କରିବାକୁ ପଛାଇନାହାନ୍ତି ।  ତେବେ ଦେବାଶୀଷ ଓ ଶ୍ରୀମୟୀଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ, ନବୀନ ଏବେ କାହାରିକୁ ଉତ୍ତରାଧିକାରୀ କରିବା ପକ୍ଷରେ ନାହାନ୍ତି, କିନ୍ତୁ ବବି ଏବଂ ପାଣ୍ଡିଆନ ଉଭୟ ନିଜ ନିଜ ଜିଦରେ ଅଟଳ ରହି ଦଳକୁ ଅସ୍ଥିର କରୁଛନ୍ତି ବୋଲି ଚର୍ଚ୍ଚା । ଦଳର ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ଦଳରେ ଏବେ ଉତ୍ତରାଧିକାରୀ କଥାକୁ ଏଡ଼ାଇ ଯାଇଛନ୍ତି ।


୨୯ବର୍ଷରେ ପଦାପର୍ଣ: ପ୍ରତିଷ୍ଠା ଦିବସ ଚିଠିରୁ ନବୀନଙ୍କ ଦସ୍ତଖତ ଗାଏବ

ଆସନ୍ତା ୨୬ ତାରିଖରେ ବିଜେଡି ୨୯ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବାବେଳେ ଦଳରେ ଏକ ଅସ୍ୱାଭାବିକ ଘଟଣା ଦେଖିବାକୁ ମିଳିଛି । ପ୍ରତିବର୍ଷ ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ଦଳୀୟ ନେତା-କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ନବୀନ ନିଜେ ଚିଠି ଲେଖିଥାନ୍ତି । ମାତ୍ର ଏଥର ପ୍ରତିଷ୍ଠା ଦିବସ ପାଇଁ ଲେଖାଯାଇଥିବା ଅଫିସିଆଲ୍ ଚିଠିରେ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ନାହିଁ । ଦେବୀ ମିଶ୍ର ଓ ପ୍ରତାପ ଜେନାଙ୍କ ଦସ୍ତଖତରେ ବିଜେଡି ନେତା-କର୍ମୀଙ୍କୁ ଚିଠି ଜାରି ହେବାକୁ ମଧ୍ୟ ଦଳର ଜିଲ୍ଲାସ୍ତରର ନେତାମାନେ ସହଜରେ ନେଇପାରିନଥିବା ଜଣାପଡ଼ିଛି ।

ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) ଓ ଦେବୀ ମିଶ୍ରଙ୍କ ନେତୃତ୍ୱାଧୀନ କୋର କମିଟି ମଧ୍ୟ ଦଳ ଓ ସଂଗଠନକୁ ସୁପରିଚାଳନା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତ ବଦଳରେ କେବଳ ନିଜସ୍ୱ ସ୍ୱାର୍ଥରେ ଲିପ୍ତ ରହିବାକୁ ନେଇ ନବୀନ ନିବାସ ଖୁସି ନଥିବା ସୂଚନା ମିଳିଛି । ଆଉ ଦଳ ଭିତରେ ଚାଲିଥିବା ନେତାମାନଙ୍କ ବିଶୃଙ୍ଖଳିତ ଆଚରଣ ଓ ଅସ୍ଥିରତାକୁ ନେଇ ନବୀନ ଖୁସି ନଥିବା ଚର୍ଚ୍ଚା ହେଉଛି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe