Advertisment

ନିଜର ଇସ୍ତଫା ଓ ଉପନିର୍ବାଚନ ଚର୍ଚ୍ଚାକୁ ଖଣ୍ଡନ କଲେ ବିଧାୟକ ସୁଜାତା ସାହୁ

ସୁଜାତା କହିଛନ୍ତି, ମୋ ଇସ୍ତଫା ଓ ଉପନିର୍ବାଚନ ନେଇ ଯାଜପୁରରେ କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ହେଲେ ଏହା ସତ ନୁହେଁ। ଯାହା ସବୁ ଗଣମାଧ୍ୟମରେ ଆଲୋଚନା ହେଉଛି, ତାହା କ’ଣ ସତ କି?

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ପ୍ରଣବ ପ୍ରକାଶ ଦାସଙ୍କ ବୟାନ ପରେ ଯାଜପୁର ସଦର ବିଧାୟକ ସୁଜାତା ସାହୁଙ୍କ ଇସ୍ତଫା ଓ ଉପନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସୁଜାତା ସାହୁ। ଆଉ ସବୁ ଦୋଷ ଗଣମାଧ୍ୟମକୁ ଠେଲିଛନ୍ତି। କହିଛନ୍ତି, ଯାହା ଆଲୋଚନା ଓ ଚର୍ଚ୍ଚା ହେଉଛି ସବୁ ଗଣମାଧ୍ୟମରେ। ହେଲେ ଇସ୍ତଫା ଓ ଉପନିର୍ବାଚନ ନେଇ ମୁଁ କିଛି କହିନି କି ମୋ’ ନେତା କହିନାହାନ୍ତି ବୋଲି ସୁଜାତା କହିଛନ୍ତି।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ବିଧାୟକ ସୁଜାତା ସାହୁ କହିଛନ୍ତି, ମୋର ଇସ୍ତଫା ଦେବାର ନାହିଁ କି ପ୍ରଣବ ପ୍ରକାଶ ଦାସ ଉପନିର୍ବାଚନ ଲଢ଼ିବାର ନାହିଁ। କାରଣ ସେ କ୍ଷମତାଲୋଭୀ ନୁହଁନ୍ତି। ଉପନିର୍ବାଚନ ନେଇ ଯେତେବେଳେ ଗଣମାଧ୍ୟମରେ ଆଲୋଚନା ହେଉଥିଲା, ସେତେବେଳେ ମୁଁ ତାଙ୍କ(ପ୍ରଣବ)ଙ୍କ ପାଖକୁ ଯାଇଥିଲି। ସେତେବେଳେ ସେ କହିଥିଲେ, ମୋର କ’ଣ ବିଧାୟକ ହେବାର ଆବଶ୍ୟକତା ରହିଛି? ମୁଁ କ୍ଷମତାଲୋଭୀ ନୁହେଁ ବୋଲି ପ୍ରଣବ କହିଥିବା ସୁଜାତା ପ୍ରକାଶ କରିଛନ୍ତି।

ସୁଜାତା କହିଛନ୍ତି, ମୋ ଇସ୍ତଫା ଓ ଉପନିର୍ବାଚନ ନେଇ ଯାଜପୁରରେ କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ହେଲେ ଏହା ସତ ନୁହେଁ। ଯାହା ସବୁ ଗଣମାଧ୍ୟମରେ ଆଲୋଚନା ହେଉଛି, ତାହା କ’ଣ ସତ କି? ମୋତେ ଯିଏ ଟିକେଟ ଦେଇଛନ୍ତି, ଯାହାଙ୍କ ପାଇଁ ଆଜି ଏ ଜାଗାରେ ପହଞ୍ଚିଛି, ତାଙ୍କ ପାଖରୁ ଏହି ସମ୍ପର୍କରେ କୌଣସି ତଥ୍ୟ ଆସିନାହିଁ। ମୁଁ ମଧ୍ୟ ସେମିତି କିଛି କହିନାହିଁ। ଏପରିକି ମୋ ନେତା ଉପନିର୍ବାଚନ ନେଇ କିଛି କହିନାହାନ୍ତି। ତେଣୁ ଯାହା ସବୁ ଆଲୋଚନା ହେଉଛି, ତାହା ମିଛ ବୋଲି ସୁଜାତା କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ବିଜେଡି ସବୁବେଳେ ମାଆମାନଙ୍କୁ ସମ୍ମାନ ଦେଇଆସିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମୋତେ ମିଶନ ଶକ୍ତି ମାଆ ହିସାବରେ ଟିକେଟ ଦେଇଥିଲେ। ଲଢ଼ିବା ପାଇଁ ସୁଯୋଗ ଦେଇଥିଲେ। ମୁଁ ଯାଜପୁର ପାଇଁ ଲଢ଼ିଛି। ଏଥିରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କର ସହଯୋଗ ଓ ସମର୍ଥନ ରହିଛି। ଏକଥା ସମସ୍ତେ ଜାଣିଛନ୍ତି। ସିଏ କ୍ଷମତାଲୋଭୀ ନୁହଁନ୍ତି ବୋଲି ସୁଜାତା କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ଯାଜପୁରରେ ଉପନିର୍ବାଚନ ହେବ କାହିଁକି? ଏହାର ଉତ୍ତର ଖୋଜିବାକୁ ଗଲେ ବୁଧବାର ଦଶରଥପୁରରେ ଆୟୋଜିତ ବିଜେଡି ପଦଯାତ୍ରାକୁ ଯିବାକୁ ପଡ଼ିବ। ବିଜେଡିର ପଦଯାତ୍ରାରେ ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିଲେ। କର୍ମୀଙ୍କୁ ଉଦ୍‌ବୋଧନ ଦେଇ ପୁଣି ଥରେ ନିର୍ବାଚନ ଲଢିବା ଲାଗି ରାଜିଥିବା କହିଥିଲେ।

ସେ ଆହୁରି କହିଥିଲେ, ମାଆମାନଙ୍କ ଶକ୍ତି, ଭାଇ ଓ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଯୋଗୁ ଆଜି ମୋ ଯାଜପୁରରେ ବିକାଶ ହୋଇଛି। ହେଲେ ତାଙ୍କର କେବଳ ଗୋଟିଏ ଲକ୍ଷ୍ୟ ଯାଜପୁରର ବିକାଶକୁ ବନ୍ଦ କରିଦେବେ। ଯାଜପୁରରେ ମେଡ଼ିକାଲ୍‌ କଲେଜ ନହେଉ ବୋଲି କିଛି ନେତା କହୁଥିଲେ। ଯାହାର ଫଟୋ ଏବେ ଘୂରି ବୁଲୁଛି। ମୁଁ ସେମାନଙ୍କ ନାଁ କହିବି ନାହିଁ। କାରଣ ବିଜେପି ଚାହୁଁ ନାହିଁ ଯାଜପୁରରେ ବିକାଶ ହେଉ। ବିଚାର ଆପଣମାନଙ୍କର। ମୋର କ୍ଷମତା ପାଇଁ କୌଣସି ଲାଳସା ନାହିଁ। ଏମିତି ଅନେକ କଥା ପ୍ରଣବ ପ୍ରକାଶ ଦାସ କହିଥିଲେ। ତା’ପରଠାରୁ ଆରମ୍ଭ ହୋଇଥିଲା ଉପନିର୍ବାଚନ ନେଇ ଚର୍ଚ୍ଚା।

BjD Jajpur Pranab Prakash Das