ନବୀନ ପଟ୍ଟନାୟକ ସରକାରରେ ସର୍ବେସର୍ବା ଥିବା ଭିକେ ପାଣ୍ଡିଆନ ଓ ତାଙ୍କ ଆଇଏଏସ୍ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଖୁବଶୀଘ୍ର ଓଡ଼ିଶା ଛାଡ଼ିବେ । ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ସାମିଲ ହୋଇ ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ପାଣ୍ଡିଆନ ନିକଟ ଅତୀତରେ ଓଡ଼ିଶା ଛାଡ଼ିବା ନେଇ ସଙ୍କେତ ଦେଇ ସାରିଥିବାବେଳେ ତାଙ୍କ ପତ୍ନୀ ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତାଙ୍କୁ ଚାକିରିରୁ ସ୍ୱେଚ୍ଛାକୃତ ଅବସର(ଭିଆରଏସ) ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୮ତାରିଖରେ ଅନୁମତି ଦେଇଛନ୍ତି । ସୁଜାତାଙ୍କ ଭିଆରଏସ୍ ନେଇ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିବା ଜଣାପଡ଼ିଛି । ଚାକିରିରୁ ସୁଜାତା ଭିଆରଏସ୍ ନେବା ପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ପାଣ୍ଡିଆନ ଦମ୍ପତି ସପରିବାର ପଣାସଂକ୍ରାନ୍ତି ପରେ ଓଡ଼ିଶା ଛାଡ଼ିବେ ବୋଲି ସୂଚନା ମିଳିଛି ।
ନବୀନଙ୍କ ହସ୍ତକ୍ଷେପ ପରେ ସୁଜାତାଙ୍କୁ ମିଳିଲା ଅନୁମତି!
୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଓଡ଼ିଶା ସରକାର ପ୍ରାୟ ୧୪ଦିନ ପକାଇ ରଖିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସୁଜାତାଙ୍କ ଆବେଦନ ଉପରେ ସରକାର ପଦକ୍ଷେପ ନେଇଥିବା ଜଣାପଡ଼ିଛି । ନବୀନଙ୍କ ଅନୁରୋଧ ଓ ଦିଲ୍ଲୀ ଗସ୍ତ ପରେ ସୁଜାତାଙ୍କ ଆବେଦନ ଉପରେ ରାଜ୍ୟ ସରକାର ପଦକ୍ଷେପ ନେଇଥିବା ସୂଚନା ମିଳିଛି । ସୁଜାତା ମାର୍ଚ୍ଚ ୧୩ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ । ଏହି ଆବେଦନକୁ ରାଜ୍ୟ ସରକାର ମାର୍ଚ୍ଚ ୨୬ତାରିଖ ପର୍ଯ୍ୟନ୍ତ ନିଜ ପାଖରେ ପକାଇ ରଖିଥିଲେ । ମାର୍ଚ୍ଚ ୨୭ତାରିଖରେ ଏହି ଆବେଦନ ସଂକ୍ରାନ୍ତରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଚିଠି ଲେଖି ଅବଗତ କରାଇଥିଲେ । ଆଉ ରାଜ୍ୟ ସରକାରଙ୍କ ଏହି ଚିଠି ଉପରେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ତତ୍କାଳ ନିଷ୍ପତ୍ତି ନେଇଥିଲା । ମାର୍ଚ୍ଚ ୨୮ତାରିଖରେ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ସୁଜାତାଙ୍କ ଭିଆରଏସ୍ ଆବେଦନକୁ ସ୍ୱୀକାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ଏହାସହିତ ଚାକିରିରୁ ଅବସର ନେବାପାଇଁ ଥିବା ୩ମାସର ବାଧ୍ୟତାମୂଳକ ନୋଟିସ୍ ପିରିୟଡ଼କୁ ମଧ୍ୟ ସୁଜାତାଙ୍କ କ୍ଷେତ୍ରରେ କୋହଳ କରାଯାଇଛି ଓ ତାଙ୍କ ଅବସର ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବାକୁ ମଧ୍ୟ ମୁଖ୍ୟ ସଚିବଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁରୋଧ କରିଛି । ଏହି ଚିଠି ପାଇବା ପରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମାର୍ଚ୍ଚ ୨୯ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡ଼ିଛି ।
ସୁଜାତାଙ୍କ ଭିଆରଏସ୍ ଓ ପାଣ୍ଡିଆନଙ୍କ ବିଦେଶରେ ଚାକିରି
ଏକଦା ଓଡ଼ିଶାରେ ସର୍ବାଧିକ କ୍ଷମତା ଉପଭୋଗ କରୁଥିବା ଭିକେ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା ଗତ କିଛିଦିନ ଧରି ସୁଚିନ୍ତିତ ଢଙ୍ଗରେ ଓଡ଼ିଶା ଛାଡ଼ିବାର ଯୋଜନା କରିଛନ୍ତି । ଯେଉଁଥିପାଇଁ ସୁଜାତା ମାର୍ଚ୍ଚ ୧୩ତାରିଖରେ ଭିଆରଏସ୍ ଆବେଦନ କରିବାପରେ ହିଁ ପାଣ୍ଡିଆନ ବିଜେଡିର ନେତାମାନଙ୍କୁ ନବୀନ ନିବାସ ଡାକି ସେ ଓଡ଼ିଶା ଛାଡ଼ୁଥିବାର ସ୍ପଷ୍ଟ ସନ୍ଦେଶ ଦେଇଥିଲେ । ଏପରିକି ବିଜେଡି ପ୍ରତି ତାଙ୍କର ଆଉ ସାମାନ୍ୟତମ ସମ୍ବେଦନ ନାହିଁ
ବୋଲି ମଧ୍ୟ କହିବାକୁ ପଛାଇ ନଥିଲେ । ପାଣ୍ଡିଆନଙ୍କ ଏଭଳି ଆଭିମୁଖ୍ୟ ବିଜେଡିରେ ଏବେବି ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପାଣ୍ଡିଆନ ସପରିବାର ଓଡ଼ିଶା ଛାଡ଼ିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଠୁ ମଧ୍ୟ ଗ୍ରୀନ୍ ସିଗନାଲ ପାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଉଭୟ ଦମ୍ପତି ପୂର୍ବରୁ ପଞ୍ଜିକୃତ ହୋଇଥିବା ଏକ ଥିଙ୍କଟ୍ୟାଙ୍କ୍ ଫାର୍ମ ସହ ଜଡ଼ିତ ହୋଇ ଲଣ୍ଡନରୁ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି । ପାଣ୍ଡିଆନ ଓ ସୁଜାତାଙ୍କ ଏକମାତ୍ର ଝିଅ ନୟନତାରା ଲଣ୍ଡନରେ ଉଚ୍ଚଶିକ୍ଷା କରିବେ ବୋଲି ସୂଚନା ମିଳିଛି ।
ସୁଜାତା ଓ ରାଜନୀତି ଚର୍ଚ୍ଚା
ବିଜେଡିର ୨୪ବର୍ଷର ଶାସନର ଅପ୍ରତ୍ୟାଶିତ ଅନ୍ତ ପାଇଁ ଦଳୀୟ ନେତାଙ୍କଠୁ ଆରମ୍ଭ କରି ସାଧାରଣ ସମର୍ଥକମାନେ ସିଧାସଳଖ ପାଣ୍ଡିଆନଙ୍କୁ ଦାୟୀ କରୁଛନ୍ତି । ପାଣ୍ଡିଆନ ମଧ୍ୟ ନିଜର ତ୍ରୁଟିକୁ ଅନୁଭବ କରି ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ । ଏହି ଘଟଣାର କିଛିମାସ ପରେ ପାଣ୍ଡିଆନ ପରଦା ପଛରେ ରହି ପୁନର୍ବାର ବିଜେଡିରେ ସକ୍ରିୟ ହେବାପରେ ଦଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଦଳର କିଛି ବରିଷ୍ଠ ନେତାମାନେ ସିଧାସଳଖ ପାଣ୍ଡିଆନଙ୍କୁ ବିଭିନ୍ନ ଦଳୀୟ ନେତାମାନଙ୍କ ସମ୍ମୁଖରେ କଡ଼ା ଭର୍ତ୍ସନା କରିବାକୁ ପଛାଇ ନଥିଲେ । ଦଳ ଏବେ ଯେଉଁ ଜଟିଳ ପରିସ୍ଥିତି ଦେଇ ଗତି କରୁଛି କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ବିଜେଡି ପାଇଁ ବୁମେରାଂ ହେବାର ଆଶଙ୍କା ଥିବାରୁ ପାଣ୍ଡିଆନ ନିଜ ଆଡ଼ୁ ଦଳଠୁ ଦୂରେଇ ଯିବା ଘୋଷଣା କରିଛନ୍ତି । ଏଥିପାଇଁ ନେତାମାନଙ୍କୁ ଡାକି ନିଜ ମନ କଥା କହିବା ସହ ବିଜେଡି ପ୍ରତି ତାଙ୍କର ଇମୋସନ୍ ନାହିଁ ବୋଲି କହିଛନ୍ତି । ସୁଜାତା ଭିଆରଏସ୍ ନେବା ପରେ ସେ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ଲାଗି ରହିଛି । ମାତ୍ର ପାଣ୍ଡିଆନଙ୍କ ପତ୍ନୀ ଭାବେ ସୁଜାତାଙ୍କୁ ବିଜେଡିରେ ନେତାମାନେ ଗ୍ରହଣ କରିବାର ସମ୍ଭାବନା କ୍ଷୀଣ । ଦଳ ଏବେ ଯେଉଁ ସ୍ଥିତିରେ ରହିଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଦଳର ବରିଷ୍ଠ ନେତାମାନଙ୍କ ଉପରେ ମଧ୍ୟ ସେଭଳି ନିୟନ୍ତ୍ରଣ ନାହିଁ । ତେଣୁ ଏସବୁ କଥାକୁ ବୁଝିଥିବା ପାଣ୍ଡିଆନ ଓ ତାଙ୍କ ପତ୍ନୀ ଏବେ ଲୋକଦେଖାଣିଆ ବିଜେଡିଠୁ ସମ୍ପର୍କ ଛିନ୍ନ କରିଥିବା ଜଣାପଡ଼ିଛି । ଅବଶ୍ୟ ପାଣ୍ଡିଆନ ଏବେବି ନବୀନଙ୍କୁ ନିୟନ୍ତ୍ରଣ କରୁଥିବାରୁ ପରୋକ୍ଷରେ ବିଜେଡି ତାଙ୍କ ନିୟନ୍ତ୍ରଣରେ ରହିଥିବା ଚର୍ଚ୍ଚା ହେଉଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।