ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରଠୁ ବିଜେଡିକୁ ଯେମିତି ଶନିଦଶା ଘାରିଛି । ଦଳ ନିଜକୁ ନା କ୍ରିୟାଶୀଳ କରିପାରୁଛି, ନା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଆସ୍ଥାଭାଜନ ହୋଇପାରୁଛି, ନା କୌଣସି ସଭାସମିତି କରି ଆଖିଦୃଶିଆ ଲୋକଙ୍କୁ ଏକଜୁଟ କରାଇ ପାରୁଛି । ଦଳର ଭବିଷ୍ୟତକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଓ ତୀବ୍ର ଗୋଷ୍ଠୀକନ୍ଦଳ ମଧ୍ୟରେ ନିଜର ପତିଆରା ଦେଖାଇବାକୁ ଯାଇ ବିଫଳ ହୋଇଛନ୍ତି ବିଜେଡିର ହେଭିୱେଟ୍ ନେତା ପ୍ରଣବପ୍ରକାଶ ଦାସ ଓରଫ ବବି ।
ଦଳର ନିର୍ବାଚିତ ବିଧାୟିକା ସୁଜାତା ସାହୁଙ୍କୁ ଗୁରୁତ୍ୱହୀନ କରି ଓ ତାଙ୍କର ଭବିଷ୍ୟତକୁ ବିପଦରେ ପକାଇ ବବି ରାଜ୍ୟସ୍ତରୀୟ ନେତାମାନଙ୍କୁ ନେଇ ଯାଜପୁରରେ ମାତ୍ର ୩ମାସ ବ୍ୟବଧାନରେ ଯେଉଁ ଦୁଇଟି କାର୍ଯ୍ୟକ୍ରମ କରିଛନ୍ତି ତାହା ସାଧାରଣରେ ଗ୍ରହଣୀୟ ହୋଇପାରିନଥିବା ଜଣାପଡ଼ିଛି । ଏପରିକି ଏଭଳି କାର୍ଯ୍ୟକ୍ରମମାନ କରି ସୁଜାତାଙ୍କ ଭଳି ଜଣେ ମହିଳା ବିଧାୟିକାଙ୍କ କ୍ଷମତାକୁ ବବି ହଡ଼ପ କରିବା ସହ ନିଜେ କିଭଳି ବିଧାନସଭାକୁ ଫେରିବେ ସେଥିପାଇଁ ନାନାଦି କସରତ ଜାରି ରଖିଥିବା ଚର୍ଚ୍ଚା ହେଉଛି । ଏପଟେ ଦଳ ନିଜର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାକୁ ମଧ୍ୟ ବେଶ୍ ସନ୍ତର୍ପଣରେ ଆଗେଇ ନେଉଥିବା ଜଣାପଡ଼ିଛି ।
ଯାଜପୁରରେ ମହିଳା ସମାବେଶକୁ ଗଲେନି ନେତା ଓ କର୍ମୀ
କ୍ଷମତା ରାଜନୀତିରେ ଅପ୍ରତ୍ୟାଶିତ ଝଟକାକୁ ବର୍ଷକ ପରେ ବି ହଜମ କରିପାରୁନଥିବା ବିଜେଡି ସର୍ବେସର୍ବାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଓରଫ ବବି ଏବେ ଯେନତେନ ପ୍ରକାରେ ଯାଜପୁରରେ ନିଜର ଗୁରୁତ୍ୱ ଜାହିର କରିବାରେ ଲାଗିଛନ୍ତି । ଯଦିଓ ସେଠାରେ ଦଳର ଜଣେ ମହିଳା ବିଧାୟିକା ଅଛନ୍ତି । ତଥାପି ବବିଙ୍କ ନିୟମିତ ହାକିମାତି ଆଗରେ ନିର୍ବାଚିତ ମହିଳା ବିଧାୟିକା ସୁଜାତା ସାହୁ ଅସହାୟ ଓ ଫିକା ପଡ଼ିବାରେ ଲାଗିଛନ୍ତି । ମାର୍ଚ୍ଚ ମାସରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଶୁକ୍ରବାର ‘ମହିଳା ଜନଜାଗରଣ ସମାବେଶ’ କରି ବବି ନିଜର ଗୁରୁତ୍ୱ ବଢ଼ାଇବାକୁ ଚାହିଁଥିଲେ ମଧ୍ୟ ଦଳର ନେତା-କର୍ମୀମାନଙ୍କ ଅନୁପସ୍ଥିତି ଯୋଗୁ ବିଶେଷ ସଫଳ ହୋଇପାରିନାହାନ୍ତି ।
ଶୁକ୍ରବାର ବିଜେଡିର ମହିଳା ଜନଜାଗରଣ ସମାବେଶକୁ ଯାଜପୁରରେ ଆୟୋଜନ କରାଯିବ ବୋଲି ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ପ୍ରାୟ ୫ହଜାର ମହିଳା ଏଥିରେ ଯୋଗ ଦେବା ନେଇ ସୂଚନା ଦେଲେ । ମାତ୍ର ଅତିଥିମାନଙ୍କ ଭାଷଣ ବେଳକୁ ଚେୟାର ଫାଙ୍କା ପଡ଼ିଲା । ୨-୩ହଜାର ମହିଳାଙ୍କୁ ଧରି ସମାବେଶ କରାଇବାରେ ସକ୍ଷମ ହେଲେ । ଅବଶ୍ୟ ବବି ନିଜର ପତିଆରା ଦେଖାଇବାକୁ ସଞ୍ଜୟ ଦାସବର୍ମାଙ୍କ ଭଳି କିଛି ତୋଷାମଦକାରୀ ନେତାଙ୍କୁ ଗୋଟିଏ ଦିନ ଆଗରୁ ଯାଜପୁରକୁ ନେଇ ନିଜର ହୋଟେଲରେ ରଖାଇଥିଲେ ।
ତଥାପି ଦଳର ଏହି ସମାବେଶରେ ରାଜ୍ୟସ୍ତରୀୟ ୪-୫ଜଣ ନେତାଙ୍କୁ ବାଦ୍ ଦେଲେ ଅନ୍ୟ ଆଗଧାଡ଼ିର ନେତା-କର୍ମୀମାନଙ୍କ ଅନୁପସ୍ଥିତି ହିଁ ବବିଙ୍କ ମାମଲାତିର ନଗ୍ନ ଚେହେରାକୁ ପଦାରେ ପକାଇ ଦେଇଛି । କେବଳ ସେତିକି ନୁହେଁ କେବଳ ବିଜେଡି ପ୍ରାୟୋଜିତ ମିଡିଆ ସଂସ୍ଥାକୁ ବାଦ୍ ଦେଲେ ଅନ୍ୟ କୌଣସି ସମ୍ବାଦପତ୍ର କି ଇଲେକ୍ଟ୍ରୋନିକ୍ସ ମିଡିଆ ଏହି ଖବରକୁ ମଧ୍ୟ ଅଗ୍ରାଧିକାର ଦେଇନାହାନ୍ତି । ଦଳର ପାଣ୍ଠି ରଖିଥିବା ବବି ଏହି କାର୍ଯ୍ୟକ୍ରମ ପାଇଁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିଥିଲେ ମଧ୍ୟ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସକ୍ଷମ ହୋଇପାରିନଥିବା ଜଣାପଡ଼ିଛି ।
ରାଜନୀତିରେ ବିରଳ ବିରୋଧୀ ଦଳ ନେତା
ଦୀର୍ଘ ୨୪ବର୍ଷ ଧରି କ୍ଷମତାରେ ଥିବା ବିଜେଡିକୁ ନିଜର ପରିଚାଳନାଗତ ତ୍ରୁଟି ପାଇଁ ରାଜ୍ୟବାସୀ ଏବେ ବିରୋଧୀ ଦଳରେ ବସାଇଛନ୍ତି । ବିଗତ ଏକବର୍ଷ ଧରି ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଚରଣ ଓ କାର୍ଯ୍ୟଶୈଳୀ ଯାହା ସେଥିରେ ଯେ ବିଜେଡି ବାସ୍ତବରେ ରାଜ୍ୟରେ ପ୍ରମୁଖ ‘ବିରୋଧୀ ଦଳ’ ଭୂମିକା ତୁଲାଇବାକୁ ଚାହୁଁଛି ତାକୁ ନେଇ ଆଶଙ୍କା ଲାଗି ରହିଛି । ଦଳ ବିଗତ ଏକବର୍ଷ ମଧ୍ୟରେ ରାଜଭବନ ଘେରାଉ, ବିଧାନସଭା ଘେରାଉ ଓ ମହାତ୍ମା ଗାନ୍ଧି ମାର୍ଗରେ ବିକ୍ଷୋଭ ଭଳି ଯେଉଁ କାର୍ଯ୍ୟକ୍ରମ କରିଛି ସେଥିରେ ନବୀନ ଅନୁପସ୍ଥିତ ରହି ପରୋକ୍ଷରେ ସାଂଗଠନିକ କାର୍ଯ୍ୟ ନିମନ୍ତେ ତାଙ୍କର ଅନାଗ୍ରହକୁ ପ୍ରମାଣିତ କରାଇଛନ୍ତି ।
ବିଜେଡି ସୂତ୍ର ଅନୁସାରେ, ଦଳୀୟ ନେତାମାନେ ଯେତେ ସଫେଇ ଦେଲେ ମଧ୍ୟ ବିଜେଡିର ପ୍ରକୃତ ନିୟନ୍ତ୍ରଣ ଏବେବି ସମ୍ପୃକ୍ତ ଅଣଓଡ଼ିଆ ବ୍ୟକ୍ତିଙ୍କ ହାତରେ ରହିଛି । ଦଳର ରାଜନୀତିକ ବ୍ୟାପାର କମିଟି ହେଉ ଅବା ଅନ୍ୟାନ୍ୟ ନିଷ୍ପତ୍ତିରୁ ଏହା ଜଳଜଳ ଦୃଶ୍ୟମାନ ହେଉଛି । ବିଜେଡିର ଏହି ଅଘୋଷିତ ସର୍ବେସର୍ବାଙ୍କ ଉପରେ ନବୀନଙ୍କ ମାତ୍ରାଧିକ ନିର୍ଭରଶୀଳତା ହିଁ ତାଙ୍କୁ ‘ବିରଳ ବିରୋଧୀ ଦଳ ନେତା’ ଭାବେ ସାଧାରଣରେ ସମାଲୋଚନାର ପାତ୍ର କରାଇବାରେ ଲାଗିଛି । ଦଳୀୟ ନେତା ଓ କର୍ମୀଙ୍କ ମନୋବଳ-ଉତ୍ସାହ ବୃଦ୍ଧି ନିମନ୍ତେ ବିରୋଧୀ ଦଳ ନେତାଙ୍କ ଭୂମିକା କ’ଣ ଓ କିଭଳି ତାହା ବିଗତ ବର୍ଷକ ମଧ୍ୟରେ ଯେକେହି ସହଜରେ ଅନୁଭବ କରିପାରୁଥିବେ ବୋଲି ସାଧାରଣରେ ଚର୍ଚ୍ଚା ।
ଉତ୍ତରାଧିକାରୀଙ୍କୁ ଆଗକୁ ଆଣିବା ଚକ୍କରରେ ବିଜେଡି
ନବୀନଙ୍କ ସାଂଗଠନିକ କାର୍ଯ୍ୟକୁ ନେଇ ଏଭଳି ମତିଗତି ଓ ଅନାଗ୍ରହକୁ ଦେଖି ବିଜେଡିର ଉତ୍ତରାଧିକାରୀ(ନେତୃତ୍ୱ) ହସ୍ତାନ୍ତର ନିମନ୍ତେ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ନବୀନ ସକ୍ରିୟ ଥିବା ଅବସ୍ଥାରେ ହିଁ ଏହି ପ୍ରକ୍ରିୟାକୁ ସଫଳ ରୂପ ଦେବା ନିମନ୍ତେ ବିଜେଡିର ଅଘୋଷିତ ସର୍ବେସର୍ବା ପରଦା ପଛରେ ରହି ଏବେଠୁ ଗୋଟିଚାଳନା କରିବାରେ ଲାଗିଛନ୍ତି । ବବିଙ୍କ ଦ୍ୱାରା ଯାଜପୁରରେ ମହିଳା ଜନଜାଗରଣ ସମାବେଶର ଆରମ୍ଭ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ।
ଦଶହରା ପୂର୍ବରୁ ଦଳ ଏକ ବିଶାଳ ମହିଳା ସମାବେଶ ମାଧ୍ୟମରେ ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀଙ୍କୁ ଆଗକୁ ଆଣିବାକୁ ରଣନୀତି କରିଥିବା ଏବଂ ଆସନ୍ତାବର୍ଷ ଫେବୃୟାରୀ ସୁଦ୍ଧା ଏହି ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଶେଷ ହୋଇଥିବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଏପଟେ ବବି ମଧ୍ୟ ଏହି ମଉକାରେ ଯାଜପୁର ଆସନରୁ ସୁଜାତାଙ୍କୁ ହଟାଇ ନିଜେ ଉପନିର୍ବାଚନ ଲଢ଼ି ବିଧାନସଭାକୁ ଆସିବାକୁ କସରତ ଆରମ୍ଭ କରୁଥିବା ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।