Advertisment

ସଙ୍କଟ ଟାଳିଲା କଂଗ୍ରେସ, ହିମାଚଳରେ ସୁଖୁ ହିଁ ରହିବେ ମୁଖ୍ୟମନ୍ତ୍ରୀ

ପର୍ଯ୍ୟବେକ୍ଷକମାନେ ସମସ୍ତ ବିଧାୟକଙ୍କ ସହ କଥା ହୋଇଛନ୍ତି। ସେମାନଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରାଯାଇଛି। ଏବେ ସମସ୍ତେ ଏକାଠି ରହିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି।

Sukhvinder Singh Sukhu

Sukhvinder Singh Sukhu

Advertisment

ହିମାଚଳ ପ୍ରଦେଶରେ ଦେଖାଯାଇଥିବା ରାଜନୀତିକ ହଟଚମଟକୁ ବେଶ ଭଲ ଭାବେ ସମାଧାନ କରିଛି କଂଗ୍ରେସ। ଏଥିସହ ସୁଖବିନ୍ଦର ସିଂହ ସୁଖୁ ହିଁ ପୂର୍ବ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ। ପର୍ଯ୍ୟବେକ୍ଷକମାନେ ସମସ୍ତ ବିଧାୟକଙ୍କ ସହ କଥା ହୋଇଛନ୍ତି। ସେମାନଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରାଯାଇଛି। ଏବେ ସମସ୍ତେ ଏକାଠି ରହିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି।

Advertisment

ତେବେ ବିଜେପି ପାଇଁ ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇଥିବା କଂଗ୍ରେସର ୬ ଜଣ ବିଧାୟକଙ୍କୁ ହିମାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି ଅଯୋଗ୍ୟ ବିବେଚିତ କରିଛନ୍ତି। ଦଳ ବଦଳ ନିରୋଧ ଆଇନ ଅନୁସାରେ ସେମାନଙ୍କ ସଭ୍ୟ ପଦ ରଦ୍ଦ କରାଯାଇଛି। କିନ୍ତୁ ସେମାନେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ବୋଲି କହିଛନ୍ତି।

କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ତଥା ହିମାଚଳ ପ୍ରଦେଶ ପାଇଁ କଂଗ୍ରେସ ନିଯୁକ୍ତ କରିଥିବା ପର୍ଯ୍ୟବେପକ୍ଷ ଡିକେ ଶିବ କୁମାର କହିଛନ୍ତି, ରାଜ୍ୟରେ ସୁଖବିନ୍ଦର ସିଂହ ସୁଖୁ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ। ହିମାଚଳ ପ୍ରଦେଶର ସମସ୍ତ ବିଧାୟକଙ୍କ ସହ କଥାବାର୍ତ୍ତା ହୋଇଛି। ସେମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଓ ମତପାର୍ଥକ୍ୟ ଦୂର ହୋଇଛି ବୋଲି ସେ କହିଛନ୍ତି।

Advertisment

ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବିକ୍ରମାଦିତ୍ୟ ସିଂହ କହିଛନ୍ତି ଯେ ନେତୃବୃନ୍ଦଙ୍କ ସହ ଆଲୋଚନା ହୋଇ ନାହିଁ। ରାଜ୍ୟ ସରକାର କେବେ ସଙ୍କଟରେ ନଥିଲେ କିମ୍ବା ଆଗକୁ ସଙ୍କଟ ବଢ଼ିବାର ନାହିଁ ବୋଲି ସେ କହିଛନ୍ତି।

୬ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପ୍ରସଙ୍ଗରେ ସେ କହିଛନ୍ତି, “ବର୍ତ୍ତମାନ ସମୟରେ ମୋ ପାଇଁ ଏ ବିଷୟରେ କହିବା ଠିକ ହେବନାହିଁ। ମୋର ଭବିଷ୍ୟତର କାର୍ଯ୍ୟପନ୍ଥା କ’ଣ ହେବ, ସେକଥା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସହ କଥା ହୋଇ କହିବି। ଆମ ପର୍ଯ୍ୟବେକ୍ଷକ ଏଠାକୁ ଆସିଛନ୍ତି। ସେମାନେ ସ୍ଥିତିକୁ ଦେଖୁଛନ୍ତି ଓ ବୁଝିଛନ୍ତି। ମୁଁ ପର୍ଯ୍ୟବେକ୍ଷକଙ୍କ ସହ କଥା ହେବି। ଏହାପରେ ପରବର୍ତ୍ତୀ ପଦକ୍ଷେପ ନେବି।”

ହମିଚଳା ହଇଚଇର ସମାଧାନ ପାଇଁ କଂଗ୍ରେସ ଭୂପେଶ ବାଘେଲ, ଭୂପିନ୍ଦର ସିଂହ ହୁଡ୍ଡା ଓ ଡିକେ ଶିବକୁମାରଙ୍କୁ ଶିମଲାକୁ ପଠାଇଥିଲା। ସେମାନେ କିଛି ମାତ୍ରାରେ ସଙ୍କଟକୁ ଟାଳିବାକୁ ସକ୍ଷମ ହୋଇଛନ୍ତି।

ଅନ୍ୟପକ୍ଷରେ ହିମାଚଳ ପ୍ରଦେଶର କଂଗ୍ରେସ ସଭାପତି ପ୍ରତିଭା ସିଂହ କହିଛନ୍ତି, “ଆମ ପାଖରେ କର୍ମୀମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ଆହ୍ୱାନ ଦେବାର ସାହାସ ନାହିଁ। ମୁଁ ପୂର୍ବରୁ କଂଗ୍ରେସର ବିଦ୍ରୋହୀଙ୍କ ସମ୍ପର୍କରେ ହାଇକମାଣ୍ଡଙ୍କୁ ଜଣାଇ ସାରିଥିଲି। କିନ୍ତୁ ସେମାନଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।

ସୁଖୁ ସରକାର ବାରମ୍ବାର ବୀରଭଦ୍ର ସିଂହଙ୍କ ଲିଗାସିକୁ ଅଣଦେଖା କରି ଚାଲିଛନ୍ତି। ଆମ ଚିନ୍ତାକୁ ହାଇକମାଣ୍ଡ ମଧ୍ୟ ଗୁରୁତ୍ୱ ଦେଉ ନାହାନ୍ତି। ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ଏଠାରେ ଭଲ ପ୍ରଦର୍ଶନ କରିପାରିବ ନାହିଁ।”

Congress Himachal Pradesh Sukhvinder Singh Sukhu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe