/odisha-reporter/media/post_attachments/uploadimage/library/16_9/16_9_0/MP_1692358553.jpg)
MP
ଦୀର୍ଘ ୨୮ ବର୍ଷ ତଳର ଗୋଟିଏ ଡବଲ ମର୍ଡର କେସ୍ରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିହାରର ରାଜନେତା ତଥା ଆରଜେଡିର ପୂର୍ବତନ ସାଂସଦ ପ୍ରଭୁନାଥ ସିଂହ। ୧୯୯୫ ଡବଲ ମର୍ଡର କେସ୍ରେ ପାଟନା ହାଇକୋର୍ଟ ତାଙ୍କୁ ୨୦୦୮ରେ ନିର୍ଦ୍ଦୋଷରେ ଖଲାସ କରିଥିଲେ।
କିନ୍ତୁ ଆଜି ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଦେଇଛନ୍ତି। ଏଥିସହ ଡବଲ ମର୍ଡର କେସ୍ରେ ପ୍ରଭୁନାଥଙ୍କୁ ଦୋଷୀ ଭାବେ ବିବେଚନା କରିଛନ୍ତି। ପରବର୍ତ୍ତୀ ସମୟରେ ତାଙ୍କୁ ଦଣ୍ଡବିଧାନ କରାଯିବ।
ରାଜେନ୍ଦ୍ର ରାୟ ଓ ଡାରୋଗା ରାୟ ନାମକ ଦୁଇ ଜଣ ବ୍ୟକ୍ତି ୧୯୯୫ ମସିହା ଅଗଷ୍ଟ ୨୩ ତାରିଖ ବିହାର ବିଧାନସଭା ନିର୍ବାଚନରେ ପ୍ରଭୁନାଥଙ୍କ କଥା ଅନୁସାରେ ଭୋଟିଂ କରି ନଥିଲେ। ଏଥିପାଇଁ ଉଭୟଙ୍କୁ ଛାପ୍ରାରେ ଗୁଳି କରି ହତ୍ୟା କରାଯାଇଥିଲା।
ଛାପ୍ରା ପୁଲିସ୍ ତଦନ୍ତ କରିଥିଲେ ହେଁ ଦୁଇ ପୀଡ଼ିତଙ୍କ ପରିବାର ଲୋକ ଓ ସାକ୍ଷୀମାନଙ୍କୁ ଭୟଭୀତ କରାଯାଉଥିବା ଅଭିଯୋଗ ହୋଇଥିଲା। ଏହାପରେ ଘଟଣାର ତଦନ୍ତ ଛାପ୍ରାରୁ ପାଟନାକୁ ବଦଳି କରାଯାଇଥିଲା। ପୁଲିସ୍ ତଦନ୍ତ କରି ରିପୋର୍ଟ ମଧ୍ୟ ଦେଇଥିଲା।
କିନ୍ତୁ ୨୦୦୮ ଡିସେମ୍ବରରେ ପ୍ରଭୁନାଥଙ୍କୁ ପ୍ରାଣ ଅଭାବରୁ ପାଟନାର ଗୋଟିଏ ତଳ କୋର୍ଟ ଦୋଷମୁକ୍ତ କରିଥିଲେ। ୨୦୧୨ରେ ପାଟନା ହାଇକୋର୍ଟ ଏହି ରାୟକୁ କାଏମ ରଖିଥିଲେ।
ହେଲେ ଆଜି ସୁପ୍ରିମକୋର୍ଟ ତଳ କୋର୍ଟଙ୍କ ରାୟରେ ରୋକ ଲଗାଇଛନ୍ତି। ଏଥିସହ ପ୍ରଭୁନାଥ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରି ସେପ୍ଟେମ୍ବର ୧ରେ ହାଜର ହେବାକୁ କହିଛନ୍ତି। ସେ ହାଜର ହେବା କ୍ଷଣି ତାଙ୍କୁ ଦଣ୍ଡବିଧାନ କରାଯିବ।
ପୀଡ଼ିତଙ୍କ ଓକିଲ ଅଭୟ କୁମାର କହିଛନ୍ତି, “ଅନ୍ୟ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ପ୍ରଭୁନାଥ ସିଂହଙ୍କୁ ସୁପ୍ରିମକୋର୍ଟ ଦୋଷୀ ଭାବେ ବିବେଚନା କରିଛନ୍ତି। ସେପ୍ଟେମ୍ବର ୧ରେ ପ୍ରଭୁନାଥଙ୍କ ହାଜର କରାଇବା ପାଇଁ ଡିଜିପି ଓ ବିହାର ମୁଖ୍ୟ ଶାସନ ସଚିବଙ୍କୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।”
ପ୍ରଭୁନାଥ ଏବେ ଆଉ ଏକ ହତ୍ୟା ମାମଲାରେ ଆଜୀବନ ଦଣ୍ଡ ପାଇ ଜେଲରେ ରହିଛନ୍ତି। ୧୯୯୫ରେ ଜନତା ଦଳର ଅଶୋକ ସିଂହଙ୍କୁ ହତ୍ୟା କରାଯାଇଥିଲା। ଏଥିପାଇଁ ୨୦୧୭ରେ ପ୍ରଭୁନାଥ ଓ ତାଙ୍କ ଦୁଇ ଭାଇଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା। ସେବେଠାରୁ ସମସ୍ତେ ଜେଲରେ ରହିଛନ୍ତି।
ଅଶୋକ ସିଂହ ୧୯୯୫ ବିହାର ବିଧାନସଭା ନିର୍ବାଚନରେ ପ୍ରଭୁନାଥଙ୍କୁ ହରାଇଥିଲେ। ବିଜୟ ପରେ ତାଙ୍କ ସରକାରୀ ବାସଭବନରେ ଗୋଟିଏ ବିସ୍ଫୋରଣ ହୋଇଥିଲା। ଏଥିରେ ଅଶୋକ ପ୍ରାଣ ହରାଇଥିଲେ।
ନିର୍ବାଚନ ଶେଷ ହେବାର ୯୦ଦିନ ମଧ୍ୟ ଅଶୋକଙ୍କୁ ଶେଷ କରି ଦିଆଯିବ ବୋଲି ମଧ୍ୟ ଏକଦା ପ୍ରଭୁନାଥ ଧମକ ଦେଇଥିଲେ। ସତକୁ ସତ ନିର୍ବାଚନ ରେଜଲ୍ଟ ପରେ ଅଶୋକ ବିସ୍ଫୋରଣରେ ଆଖି ବୁଜିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
