Advertisment

ବୁଥ୍‌ ଭୋଟ୍‌ ତଥ୍ୟ ସାର୍ବଜନୀନ କରିବା ଦାବି ଉପରେ ସୁପ୍ରିମ କୋର୍ଟଙ୍କ ଶୁଣାଣି

ମତଦାନ ସରିବାର ୪୮ ଘଣ୍ଟା ମଧ୍ୟରେ ସମସ୍ତ ତଥ୍ୟ ଏବଂ ଫର୍ମ ୧୭C(ଭୋଟ୍ ରେକର୍ଡ) ସାର୍ବଜନୀନ କରିବାକୁ ଦାବି ଉପରେ ଆଜି ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ।

author-image
Debibandita Barick
ଅଦ୍ୟତନ ହୋଇଛି
Supreme Court

Supreme Court

ମତଦାନ ସରିବାର ୪୮ ଘଣ୍ଟା ମଧ୍ୟରେ ତଥ୍ୟ ସାର୍ବଜନୀନ କରିବାକୁ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକୁ ବିଚାରାଧୀନ ରଖିବା ସହ ବର୍ତ୍ତମାନ ଏହି ମାମଲା ଉପରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ କହିଛନ୍ତି, ବର୍ତ୍ତମାନ ସମୟରେ ଆମେ ମଧ୍ୟବର୍ତ୍ତୀକାଳୀନ ରାୟ ଦେବାକୁ ଇଚ୍ଛୁକ ନାହୁଁ। 

Advertisment

ନିର୍ବାଚନ ପରେ ଉପଯୁକ୍ତ ବେଞ୍ଚ ଏହାର ଶୁଣାଣି କରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଶୁଣାଣି ସମୟରେ ଜଷ୍ଟିସ ଦତ୍ତ କହିଛନ୍ତି, ଆମେ ନିର୍ବାଚନରେ ​​ବାଧା ସୃଷ୍ଟି କରିପାରିବୁ ନାହିଁ। ଆମେ ମଧ୍ୟ ଦାୟିତ୍ୱବାନ ନାଗରିକ ଏବଂ ଆମକୁ ଏକ ସଂଯମ ଉପାୟ ଅବଲମ୍ବନ କରିବା ଉଚିତ୍।

ପ୍ରକାଶ ଥାଉକି, ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଏବଂ ଟିଏମସି ସାଂସଦ ପ୍ରାର୍ଥୀ ମହୁଆ ମୋଇତ୍ର ୨୦୧୯ରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ। ଯେଉଁଥିରେ ଦାବି କରାଯାଇଥିଲା ଯେ, ମତଦାନ ସରିବାର ୪୮ ଘଣ୍ଟା ମଧ୍ୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ତଥ୍ୟ ସାର୍ବଜନୀନ କରାଯାଉ ଏବଂ ଫର୍ମ ୧୭C(ଭୋଟ୍ ରେକର୍ଡ) ସାର୍ବଜନୀନ କରାଯାଉ। 

Advertisment

ଆଜି ଏହି ଆବେଦନ ଉପରେ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ଫର୍ମ ୧୭C ସାର୍ବଜନୀନ କରିବା ଦାବିକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିରୋଧ କରାଯାଇଛି।

ନିର୍ବାଚନ ଆୟୋଗ କହିଛନ୍ତି, ନିୟମ ଅନୁଯାୟୀ ଫର୍ମ ୧୭C କେବଳ ମତଦାନ ଏଜେଣ୍ଟଙ୍କୁ ଦିଆଯିବା ଉଚିତ। ୧୭C ଅନ୍ୟ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ଦେବାକୁ ଅନୁମତି ନାହିଁ। ନିୟମ ଅନୁସାରେ, ଫର୍ମ ୧୭Cକୁ ସର୍ବସାଧାରଣରେ ପ୍ରକାଶ କରିବା ଠିକ୍ ନୁହେଁ।

ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କୁ ଆହୁରି କହିଛନ୍ତି ଯେ, ଫର୍ମ ୧୭C(ଭୋଟ୍ ରେକର୍ଡ) ୱେବସାଇଟରେ ଅପଲୋଡ୍ କଲେ ଅନିୟମିତତା ହୋଇପାରେ। ଏଥିରେ ଟାମ୍ପରିଂ ହେବାର ସମ୍ଭାବନା ଅଛି, ଯାହା ଜନସାଧାରଣଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିପାରେ।

ନିର୍ବାଚନ ଆୟୋଗଙ୍କ ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏତେ ଦିନ ମଧ୍ୟରେ କାହିଁକି ପୃଥକ ଆବେଦନ କରିନାହାନ୍ତି, ବର୍ତ୍ତମାନ କାହିଁକି ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ମାଗୁଛନ୍ତି? ଆପଣଙ୍କୁ ଆମର ଅନେକ ପ୍ରଶ୍ନ ଅଛି। ୨୦୧୯ରୁ ୨୦୨୪ ମଧ୍ୟରେ ଆପଣ କଣ କରୁଥିଲେ? କାହିଁକି ଏକ ପୃଥକ ଆବେଦନ କରିପାରିଲେନି କୋଭିଡ ପାଇଁ ୨ ବର୍ଷକୁ ଛାଡି ଦିଅନ୍ତୁ, ମାର୍ଚ୍ଚ କିମ୍ବା ଏପ୍ରିଲରେ ଆବେଦନ କରିପାରିଥାନ୍ତେ।

ତେବେ ନିର୍ବାଚନ ପରେ ଉପଯୁକ୍ତ ବେଞ୍ଚ ଏ ଉପରେ ଶୁଣାଣି କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।  

Supreme Court Election Commission Form 17C Voting Data Polling Data