Advertisment

ଚଣ୍ଡିଗଡ଼ ମେୟର ନିର୍ବାଚନ: ବାଲଟ୍‌ ପେପର ତନଖି କରିବେ ସୁପ୍ରିମ କୋର୍ଟ, ସେଇ ଆଧାରରେ ଫଳାଫଳ!

ଆଜି ସୁପ୍ରିମକୋର୍ଟ ଶୁଣାଣି କରି ଆସନ୍ତାକାଲି ଦିନ ୧୦.୩୦ ସୁଦ୍ଧା ନାକଚ ହୋଇଥିବା ବାଲଟ ପେପରଗୁଡ଼ିକୁ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
sc

sc

Advertisment

ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି। ଆପ୍‌ର ୮ ଜଣ କାଉନସିଲରଙ୍କ ବାଲଟ ପେପରକୁ ନାକଚ କରାଯିବାରୁ ଏହାକୁ ନେଇ ସର୍ବୋଚ୍ଚ ଅଦାଲତ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ଏ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରି ଆସନ୍ତାକାଲି ଦିନ ୧୦.୩୦ ସୁଦ୍ଧା ନାକଚ ହୋଇଥିବା ବାଲଟ ପେପରଗୁଡ଼ିକୁ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଗୁଡ଼ିକୁ ନାକଚ କରିଥିବା ରିଟର୍ଣ୍ଣିଂ ଅଫିସର ଅନୀଲ ମାସିହଙ୍କୁ ମଧ୍ୟ କୋର୍ଟ କଡ଼ା ସମାଲୋଚନା କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜିର ଶୁଣାଣି ପୂର୍ବରୁ ଚଣ୍ଡିଗଡ଼ ମେୟର ତଥା ବିଜେପି ନେତା ମନୋଜ ସୋନକର ନିଜ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ଆପ୍‌ର ୩ ଜଣ କାଉନସିଲର ଦଳ ବଦଳ କରି ବିଜେପି ସହ ହାତ ମିଳାଇଥିଲେ।

Advertisment

ଏପରି କରି ବିଜେପି ପୁଣି ମେୟର ନିର୍ବାଚନ କରାଇବାକୁ ଲକ୍ଷ୍ୟ ରଖିଛି। ପୁଣି ନିର୍ବାଚନ ହେଲେ ବିଜେପି ବେଶ ସହଜରେ ଓ ବିନା ବିବାଦରେ ମେୟର ପଦ ହାତେଇ ପାରିବ ବୋଲି ଆଶା କରିଛି।

କିନ୍ତୁ ସୁପ୍ରିମକୋର୍ଟ ଆଜି ପୁନଃ ନିର୍ବାଚନ ବିରୋଧରେ ମତ ରଖିଛନ୍ତି। ପୂର୍ବରୁ ହୋଇଥିବା ନିର୍ବାଚନର ଫଳାଫଳକୁ ଆଧାର କରି ସର୍ବୋଚ୍ଚ ଅଦାଲତ ‌ଆସନ୍ତାକାଲି ରାୟ ଶୁଣାଇ ପାରନ୍ତି। ଜାନୁଆରୀ ୩୧ରେ ହୋଇଥିବା ନିର୍ବାଚନରେ ବିଜେପିର ମନୋଜ ସୋନକର ୮ଟି ବାଲଟ ପେପର ନାକଚ ହେବାରୁ ୪ ଖଣ୍ଡ ଭୋଟରେ ବାଜିମାତ କରିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, “ଆମେ ଡେପୁଟି କମିଶନରଙ୍କୁ ଜଣେ ନୂଆ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତି ଦେବାକୁ କହିପାରୁ। ରିଟର୍ଣ୍ଣିଂ ଅଫିସର ଯେମିତି କୌଣସି ରାଜନୀତିକ ଦଳର ହୋଇ ନଥିବେ। ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୂର୍ବଥର ବନ୍ଦ ରହିଥିବା ପ୍ରକ୍ରିୟା ଠାରୁ ଏହାକୁ ଆରମ୍ଭ କରାଯାଉ। ପୂର୍ବ ରିଟର୍ଣ୍ଣିଂ ଅଫିସର ମାରିଥିବା ଛକି ଚିହ୍ନକୁ ବାଦ ଦେଇ ଫଳାଫଳ ଘୋଷଣା କରାଯାଉ। ଏହି ପ୍ରକ୍ରିୟା ଉପରେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ନଜର ରଖନ୍ତୁ।”

ଏହା ଶୁଣି ଚଣ୍ଡିଗଡ଼ ପ୍ରଶାସନ ପାଇଁ ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ, “ମୋତେ କୁହାଯାଇଛି ଯେ କିଛି ବାଲଟ ପେପରକୁ ଚିରି ଦିଆଯାଇଛି ବା ବିକୃତ କରି ଦିଆଯାଇଛି। ହାଇକୋର୍ଟଙ୍କୁ ଏସବୁ ଦେଖିବାକୁ ଛଡ଼ା ଯାଉ।” କିନ୍ତୁ ତାଙ୍କ କଥାରେ ସୁପ୍ରିମକୋର୍ଟ ସନ୍ତୁଷ୍ଟ ହୋଇ ନଥିଲେ।

ସିଜେଆଇ କହିଛନ୍ତି, ଆମେ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ଜଣେ ଅଧିକାରୀଙ୍କୁ ମନୋନୀତ କରିବା ପାଇଁ କହୁଛୁ। ସେ ଆସନ୍ତାକାଲି ସଂରକ୍ଷିତ ହୋଇ ରହିଥିବା ବାଲଟ ପେପର ଧରି ଆସିବେ। ଆମେ ନିଜେ ହିଁ ବାଲଟ ପେପର ନଷ୍ଟ ହୋଇଛି କି ନାହିଁ ଦେଖୁବୁ। ଏହାପରେ ପରବର୍ତ୍ତୀ ନିଷ୍ପତ୍ତି ନେବୁ ସିଜେଆଇ କହିଛନ୍ତି।

ଯଦି ସୁପ୍ରିମକୋର୍ଟ ପୁନଃ ନିର୍ବାଚନ ପାଇଁ ନିର୍ଦ୍ଦେଶ ନ ଦିଅନ୍ତି, ତା’ହେଲେ ଏହା ବିଜେପି ପାଇଁ ଶକ୍ତ ଝଟକା ହେବ। କାରଣ ପୁନଃ ନିର୍ବାଚନ ପାଇଁ ବିଜେପି ସବୁ ପ୍ରକାରର ପ୍ରସ୍ତୁତି କରିଛି। ଏଥିପାଇଁ ତରବରିଆ ଭାବେ ୩ ଜଣ ଆପ୍‌ କାଉନସିଲରଙ୍କୁ ଦଳ ନିଜ ସହ ସାମିଲ କରିଛି।

ଜାନୁଆରୀ ୩୧ରେ ହୋଇଥିବା ମେୟର ନିର୍ବାଚନରେ ବିଜେପି ପାଖରେ ମ୍ୟାଜିକ ନମ୍ବର ନ ଥିଲା। କିନ୍ତୁ ଏବେ ଆପର ପୁନମ ଦେବୀ, ନେହା ଓ ଗୁରଚରଣ କାଲା ଆସିବା ପରେ ବିଜେପିର ପଲ୍ଲା ଭାରି ହୋଇ ଯାଇଛି।

ଚଣ୍ଡିଗଡ଼ ପୌର ପାଳିକାର ମୋଟ ୩୫ କାଉନସିଲରଙ୍କ ମଧ୍ୟରୁ ଏବେ ବିଜେପି ପାଖରେ ୧୭ ଜଣ ରହିଛନ୍ତି। ଅକାଳୀ ଦଳର ଜଣେ ସଦସ୍ୟ ଓ ସ୍ଥାନୀୟ ଲୋକସଭା ସାଂସଦ କିରଣ ଖେର ମଧ୍ୟ ବିଜେପିକୁ ସମର୍ଥନ କରିବେ। ତେଣୁ ବିଜେପି ପାଖରେ ମୋଟ ୧୯ ଖଣ୍ଡ ଭୋଟ ରହିଛି।

୩ ଜଣଙ୍କ ବିଦ୍ରୋହ ପରେ ଆପ ପାଖରେ ୧୦ ଜଣ ଓ କଂଗ୍ରେସ ପାଖରେ ୭ ଜଣ କାଉନସିଲର ରହିଛନ୍ତି। ଯଦି ପୁଣି ନିର୍ବାଚନ ହେବ, ତା’ହେଲେ ମେୟର ନିର୍ବାଚନରେ ବିଜେପି ବାଜି ମାରିନେବ। 

ମେୟର ଇସ୍ତଫା ଦେବା ଓ ୩ ଜଣ ଆପ କାଉସିଲର ହଠାତ୍‌ ବିଜେପି ପାଖକୁ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେପି ଘୋଡ଼ା ବେପାର କରିଥିବା କଥା ବିରୋଧୀ କହୁଛନ୍ତି। ଆଜି ସୁପ୍ରିମକୋର୍ଟ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଯଦି ତରବରିଆ ଭାବେ ବିଜେପି ବିରୋଧୀ ଆପର ୩ ଜଣ କାଉନସିଲରଙ୍କୁ ନ ଆଣିଥାଆନ୍ତା, ତା’ହେଲେ ହୁଏତ ସର୍ବୋଚ୍ଚ ଅଦାଲିତ ପୁଣି ମେୟର ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇ ଥାଆନ୍ତେ।

ଏବେ କିନ୍ତୁ ସୁପ୍ରିମକୋର୍ଟ ଘୋଡ଼ା ବେପାର କଥା କହିବା ପରେ ହିଁ ପୁନଃ ନିର୍ବାଚନ ବିରୋଧରେ ମତ ରଖିଛନ୍ତି। ତେଣୁ ବିଜେପି ସମ୍ଭବତଃ ନିଜ ଜାଲରେ ନିଜେ ଫସି ଯାଇଥିବା କୁହାଯାଉଛି। 

ଆବେଦନକାରୀ କହିଥିଲେ, “ଭୟର କଥା ହେଲା ଯେ ଏସବୁ ଘୋଡ଼ା ବେପାରକୁ ପ୍ରୋତ୍ସାହିତ କରିବ। ଏବେ ଏହା ଘଟିବା ମଧ୍ୟ ଆରମ୍ଭ ହେଲାଣି।” ଏହା ଶୁଣି ସୁପ୍ରିମକୋର୍ଟ ମଧ୍ୟ ଘୋଡ଼ା ବେପାର ଅତ୍ୟନ୍ତ ଚିନ୍ତାର ବିଷୟ। ଏହାକୁ ସିଜେଆଇ ଗୁରୁତର ସହ ମଧ୍ୟ ନେଇଛନ୍ତି।

Bjp Supreme Court Chandigarh Mayor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe