Advertisment

ସୁରମା ପାଢ଼ୀ ହେଲେ ନୂଆ ବାଚସ୍ପତି

ସୁରମା ପାଢ଼ୀ ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Surama Padhy

Surama Padhy

ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି। ଆଜି ବିଧିବଦ୍ଧ ଭାବେ ସେ ବାଚସ୍ପତି ଆସନ ଗ୍ରହଣ କରିଛନ୍ତି । ବାଚସ୍ପତି ହେବା ପରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରମା ପାଢ଼ୀ। ‌ଏହାପରେ ସୁରମା ପାଢ଼ୀ ବାଚସ୍ପତି ଭାବେ ଗୃହ ପରିଚାଳନା କରିଛନ୍ତି।

Advertisment

ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ସୁରମା ପାଢ଼ୀ କହିଛନ୍ତି,‘ମୁଁ ଏହି ପଦରେ ବସିବି ବୋଲି କେବେ କଳ୍ପନା କରି ନ ଥିଲି। ମୁଁ ଗୃହର ପଦ ମର୍ଯ୍ୟାଦା, ଗରିମା ରକ୍ଷା କରିବି।ମୁଁ ନିଶ୍ଚିତ ଭାବେ ନିରପେକ୍ଷତା ଅବଲମ୍ବନ କରିବି।  ଗୃହ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି ବୋଲି କହିଛନ୍ତି ନୂଆ ବାଚସ୍ପତି।  

ସୁରମା ପାଢ଼ୀ ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କଂଗ୍ରେସ ଓ ସିପିଏମ୍‌ ବିଧାୟକ ଦଳ ସଦସ୍ୟ ଓ ବିଜେଡି ବିଧାୟକ ଦଳ ନେତାମାନେ ମଧ୍ୟ ନୂଆ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ନୂଆ ବାଚସ୍ପତିଙ୍କୁ  ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

Advertisment

 ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ,  ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ରୂପେ ନିର୍ବାଚିତ ହୋଇଥିବା ଆମ ଦଳର ବରିଷ୍ଠ ନେତ୍ରୀ ତଥା ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ତାଙ୍କର ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା ଏହି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀର ଶୋଭାମଣ୍ତନ କରିବ। 

ଗତକାଲି ବାଚସ୍ପତି ନିର୍ବାଚନ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସୁରମା ପାଢ଼ୀ।। ତାଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନ ଥିଲେ। ଏଥିପାଇଁ ସୁରମା ପାଢ଼ୀ ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।

୨୦୨୪ରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ ସୁରମା ପାଢ଼ୀ। ବିଜୁ ଜନତା ଦଳ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ୧୫,୫୪୪ ଖଣ୍ଡ ଭୋଟରେ ପରାଜିତ କରିଥିଲେ। ଏଥିସହ ସୁରମା ୨୦୦୪ ରୁ ୨୦୦୯ ଯାଏ ବିଧାୟିକା ଥିଲେ। 

Bhubaneswar Bjp Speaker Election