ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ରାଜ୍ୟ ସୂଚନା ଆୟୋଗରେ ଖାଲି ପଡ଼ିଥିବା ସୂଚନା ଆୟୁକ୍ତ ପଦବୀ ପୂରଣ ପାଇଁ ପ୍ରକ୍ରିୟାକୁ ରାଜ୍ୟ ସରକାର ତ୍ୱରାନ୍ୱିତ କରିଛନ୍ତି । ଓଡ଼ିଶା ସୂଚନା ଆୟୋଗ ଇତିହାସରେ ପ୍ରଥମଥର ପାଇଁ ଆବେଦନକାରୀଙ୍କ ନାଁକୁ ମଧ୍ୟ ରାଜ୍ୟ ସରକାର ସାର୍ବଜନୀନ କରିଛନ୍ତି । ଏହାସହିତ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୪ଜଣିଆ ଉଚ୍ଚସ୍ତରୀୟ ଯାଂଚ କମିଟି ଗଠନ କରି ଆୟୋଗର ଅଧ୍ୟକ୍ଷ ଓ ୪ଟି ସଦସ୍ୟ ପଦବୀ ପୂରଣ ନିମନ୍ତେ ଯଥାକ୍ରମେ ୩ଜଣ ଓ ୧୨ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ନାଁ ସର୍ଟଲିଷ୍ଟ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ରାଜ୍ୟ ସରକାର କାହିଁକି ଆୟୋଗରେ ଖାଲି ପଡ଼ିଥିବା ଏହି ପଦବୀଗୁଡ଼ିକ ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀଙ୍କ ନାଁକୁ ସାର୍ବଜନୀନ କଲେ ତାହା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗୋଟିଏ ପଦବୀ ପାଇଁ ଆବେଦନ କରିଛନ୍ତି ୪୭ଜଣ
୪ଟି ସୂଚନା ଆୟୁକ୍ତ ପଦବୀ ନିମନ୍ତେ ମୋଟ ୧୮୩ଜଣ(ନିର୍ଦ୍ଧାରିତ ଅବଧି ପରେ ୪ଜଣ ଆବେଦନ କରିଛନ୍ତି) ଏବଂ ମୁଖ୍ୟ ସୂଚନା ଆୟୁକ୍ତ ପଦବୀ ନିମନ୍ତେ ମୋଟ ୪୭ଜଣ(ଶେଷତାରିଖ ପରେ ୪ଜଣଙ୍କ ଆବେଦନ ମିଳିଛି) ପ୍ରାର୍ଥୀ ଆବେଦନ କରିଛନ୍ତି । ଏଥିରେ ପ୍ରାୟ ଅଧଡଜନରୁ ଅଧିକ ପ୍ରାର୍ଥୀ ଉଭୟ ଅଧ୍ୟକ୍ଷ ଓ ସଦସ୍ୟ ପଦବୀ ପାଇଁ ମଧ୍ୟ ଆବେଦନ କରିବାକୁ ପଛାଇ ନାହାନ୍ତି । ମୁଖ୍ୟ ସୂଚନା ଆୟୁକ୍ତ ପଦବୀ ପାଇଁ ୨୦୨୪ ଅକ୍ଟୋବର ୩ରେ ଓ ୪ଟି ସୂଚନା ଆୟୁକ୍ତ ପଦବୀ ନିମନ୍ତେ ନଭେମ୍ବର ୧୯ରେ ବିଜ୍ଞାପନ ପ୍ରକାଶ ପାଇଥିଲା । ତେବେ ପ୍ରାର୍ଥୀ ତାଲିକାରେ ବିଜେଡି ନେତ୍ରୀ ତଥା ରାଜ୍ୟ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ମିନତୀ ବେହେରା, ପୂର୍ବତନ ମୁଖ୍ୟ ସଚିବ ତଥା ପାଣ୍ଡିଆନଙ୍କ ଟିମ୍ ସଦସ୍ୟ ସୁରେଶ ଚନ୍ଦ୍ର ମହାପାତ୍ର, ଭାରତୀୟ ରେଳବାଇ ସେବା ଅଧିକାରୀ ସଞ୍ଜୟ କୁମାର ମିଶ୍ର, ରଞ୍ଜନ ଦାସ ଓ ସରୋଜ କୁମାର ସାମଲ ପ୍ରମୁଖଙ୍କ ସମେତ ବହୁ ସାମ୍ବାଦିକ, ସୂଚନା କର୍ମୀ ଓ ଅବସରପ୍ରାପ୍ତ କର୍ମଚାରୀମାନେ ରହିଥିବା ଜଣାପଡ଼ିଛି ।
ଉଚ୍ଚସ୍ତରୀୟ ଯାଂଚ କମିଟି ଗଠିତ
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ଖାଲି ପଡ଼ିଥିବା ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ପଦବୀ ଓ ସୂଚନା ଆଯୁକ୍ତର ୪ଟି ପଦବୀକୁ ପୂରଣ କରିବା ନିମନ୍ତେ ମିଳିଥିବା ଆବେଦନଗୁଡ଼ିକୁ ସର୍ଟଲିଷ୍ଟ କରିବା ନିମନ୍ତେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ଏହି କମିଟିରେ ଜିଏ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଓ ଆଇନ ସଚିବ ମାନସ ରଞ୍ଜନ ବାରିକ ସଦସ୍ୟ ଥିବାବେଳେ ଲୋକସମ୍ପର୍କ ବିଭାଗର ସଚିବ ସଞ୍ଜୟ କୁମାର ସିଂ ସଦସ୍ୟ ସଚିବ ଅଛନ୍ତି । ଏହି ଉଚ୍ଚସ୍ତରୀୟ ଯାଂଚ କମିଟି ବିଜ୍ଞାପନ ଦିଆଯାଇଥିବା ପଦବୀର ୩ଗୁଣ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବେ । ଅର୍ଥାତ୍ ମୁଖ୍ୟ ସୂଚନା ଆଯୁକ୍ତ ପଦବୀ ପାଇଁ ୩ଜଣ ଏବଂ ସୂଚନା ଆଯୁକ୍ତର ୪ଟି ପଦବୀ ପାଇଁ ୧୨ଜଣଙ୍କ ନାମ ସର୍ଟଲିଷ୍ଟ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ବିଶିଷ୍ଟ କମିଟି (ବିରୋଧୀ ଦଳ ନେତା ଓ ଜଣେ କ୍ୟାବିନେଟ୍ ମନ୍ତ୍ରୀ)ଏହି ନାଁକୁ ଚୂଡ଼ାନ୍ତ କରି ରାଜ୍ୟପାଳଙ୍କୁ ସୁପାରିଶ କରିବାର ପ୍ରାବଧାନ ରହିଛି ।
ବିଜେଡି ମାର୍କା ଅଫିସର ଓ ନେତ୍ରୀ ବି ଦରଖାସ୍ତ ଦେଇଛନ୍ତି
ପୂର୍ବରୁ ସୂଚନା ଆୟୋଗ ପାଇଁ ଆବେଦନକାରୀଙ୍କ ନାଁକୁ ସାର୍ବଜନୀନ କରୁନଥିବା ରାଜ୍ୟ ସରକାର କାହିଁକି ଏଭଳି କଲେ ତାକୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଥିବାବେଳେ ଆବେଦନକାରୀଙ୍କ ମଧ୍ୟରେ କିଛି ବିଜେଡି ମାର୍କା ଅବସରପ୍ରାପ୍ତ ଅଫିସର ରହିଛନ୍ତି । ଏପରିକି ବିଜେଡିର ପୂର୍ବତନ ମହିଳା ସଭାନେତ୍ରୀ ଓ ରାଜ୍ୟ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ମିନତୀ ବେହେରା ମଧ୍ୟ ସୂଚନା ଆୟୋଗ ସଦସ୍ୟ ପଦବୀ ପାଇଁ ଆବେଦନ କରିଛନ୍ତି । ବିଜେଡି ମାର୍କା ଅଫିସରଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଆଇଆରଟିଏସ୍ ସଞ୍ଜୟ କୁମାର ମିଶ୍ର, ରଞ୍ଜନ କୁମାର ଦାସ, ସରୋଜ କୁମାର ସାମଲ ପ୍ରମୁଖ ସାମିଲ ଅଛନ୍ତି । ସୁରେଶ ମହାପାତ୍ର ମୁଖ୍ୟ ସଚିବ ଭାବେ ଅବସର ନେବା ପରେ ତାଙ୍କୁ ତତକାଳୀନ ବିଜେଡି ସରକାର ଓଇଆରସି ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ କରିଥିଲେ । କିନ୍ତୁ ପାୱାର କରିଠଡରରେ ରହିବା ଲୋଭରେ ସେ ମାତ୍ର ୮ମାସ ଓଇଆରସି ଅଧ୍ୟକ୍ଷ ପଦରେ ରହି ସେଥିରୁ ଇସ୍ତଫା ଦେଇଥିଲେ ଓ ତାଙ୍କୁ ବିଜେଡି ସରକାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ଥଇଥାନ କରିଥିଲା । ଏବେ ବିଜେଡି ସରକାର ଯିବାପରେ ଶ୍ରୀ ମହାପାତ୍ର ମୁଖ୍ୟ ସୂଚନା ଆଯୁକ୍ତ ପଦବୀ ପାଇଁ ଆବେଦନ କରିଛନ୍ତି । ସେହିପରି ବିଜେଡି ନେତ୍ରୀ ମିନତୀ ବେହେରା ତାଙ୍କ ଦଳର ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ କାର୍ଯ୍ୟ କରିବା ସହ ବିଜେଡି ସରକାର ଦ୍ୱାରା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଭାବେ ଦୁଇଟି ଟର୍ମରେ ଥଇଥାନ ହୋଇଥିଲା । ତଥାପି କ୍ଷମତାଲୋଭରେ ନିଜ ଦଳକୁ ପଛକୁ କରି ଏବେ ସେ ବିଜେପି ସରକାରରେ ସୂଚନା ଆୟୁକ୍ତ ପଦବୀ ପାଇଁ ଆବେଦନ କରିଛନ୍ତି । ସେହିପରି ବିଜେଡି ସରକାରବେଳେ ଓଡ଼ିଶାକୁ ଡେପୁଟେସନରେ ଆସିଥିବା ଆଇଆରଟିଏସ୍ ଅଫିସର ସଞ୍ଜୟ କୁମାର ମିଶ୍ର ମଧ୍ୟ ମୁଖ୍ୟ ସୂଚନା ଆୟୁକ୍ତ ପଦବୀ ପାଇଁ ଆବେଦନ କରିଛନ୍ତି । ବିଜେଡି ସରକାର ତାଙ୍କୁ ଓପିଟିସିଏଲ ସିଏମଡି ଭଳି ଦୁହାଁଳିଆ ପଦବୀରେ ଥଇଥାନ କରିଥିଲା । ଏମାନଙ୍କ ବ୍ୟତୀତ ବିଜେଡି ଛାଡ଼ି କଂଗ୍ରେସକୁ ଯାଇଥିବା ସିପ୍ରା ମଲ୍ଲିକ ଓ ବିଜେପିରେ ସାମିଲ ସନ୍ଧ୍ୟାବତୀ ପ୍ରଧାନ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିଛନ୍ତି ।
ଅନ୍ୟ ଅଫିସରମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଆଇପିଏସ୍ ସନ୍ତୋଷ କୁମାର ଉପାଧ୍ୟାୟ, ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଲଳିତ ଦାସ,ମନୋରଞ୍ଜନ ପାଣିଗ୍ରାହୀଙ୍କ ସମେତ ବିକାଶ ମହାପାତ୍ର,ଶ୍ରୀକାନ୍ତ ପୃଷ୍ଟି, ସୁଶାନ୍ତ କୁମାର ଦାଶ, ଗୋପବନ୍ଧୁ ଶତପଥୀ,ଗଣେଶ ଚନ୍ଦ୍ର ପାତ୍ର, ଉଦୟ ନାରାୟଣ ଦାସ, ସୀତାଂଶୁ କୁମାର ରାଉତ, ଶଶଧର ନାୟକ, ଅଶ୍ୱିନୀ କୁମାର ମିଶ୍ର ରହିଛନ୍ତି । ସରୋଜ ସାମଲ,ରଞ୍ଜନ ଦାସ ଓ ଶ୍ରୀକାନ୍ତ ପୃଷ୍ଟି ଉଭୟ ମୁଖ୍ୟ ସୂଚନା ଆୟୁକ୍ତ ଓ ସୂଚନା ଆୟୁକ୍ତ ପଦବୀ ପାଇଁ ଆବେଦନ କରିଛନ୍ତି । ସୂଚନା କର୍ମୀ ପ୍ରଦୀପ କୁମାର ପ୍ରଧାନ, ଶ୍ରୀକାନ୍ତ ପକାଳ, ଅଖଣ୍ଡଙ୍କ ସମେତ କିଛି ଅବସରପ୍ରାପ୍ତ ନ୍ୟାୟିକ ଅଫିସର ମଧ୍ୟ ଏହି ପଦବୀଗୁଡ଼ିକ ନିମନ୍ତେ ଆବେଦନ କରିଥିବା ଜଣାପଡ଼ିଛି ।
କାହିଁକି ସାର୍ବଜନୀନ ହେଲା ଆବେଦନକାରୀଙ୍କ ନାଁ
ସୂତ୍ର ଅନୁସାରେ, ମୁଖ୍ୟ ସୂଚନା ଆୟୁକ୍ତ ପଦବୀରେ ଅବସରପ୍ରାପ୍ତ ଆଇଏଏସ୍ ସରୋଜ କୁମାର ସାମଲଙ୍କୁ ଥଇଥାନ କରାଯିବାକୁ ଯୋଜନା ଚାଲିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଖପ୍ପା ହୋଇଥିଲା । ଯେଉଁଥିପାଇଁ ଆବେଦନକାରୀଙ୍କ ନାଁକୁ ସାର୍ବଜନୀନ କରି ସରୋଜଙ୍କୁ ଥଇଥାନ କରିବା ମାର୍ଗକୁ ବନ୍ଦ କରାଯାଇଥିବା ଚର୍ଚ୍ଚା ହେଉଛି । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ପଛର କାରଣ ସମ୍ପର୍କରେ ଝାରସୁଗୁଡ଼ାର ତତକାଳୀନ ଜିଲ୍ଲାପାଳ ଶ୍ରୀ ସାମଲ ଅନେକ କିଛି ଜାଣିଛନ୍ତି ବୋଲି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଥିଲେ ।
ସୂଚନାଯୋଗ୍ୟ, ରାଜ୍ୟ ସୂଚନା ଆୟୋଗରେ ଅନୁମୋଦିତ ପଦବୀ ଭାବେ ଗୋଟିଏ ମୁଖ୍ୟ ଓ ୬ଟି ସଦସ୍ୟ ପଦବୀ ରହିଛି । ଏବେ ଆୟୋଗରେ ମାତ୍ର ଦୁଇଜଣ ସଦସ୍ୟ ସୁଶାନ୍ତ କୁମାର ମହାନ୍ତି ଓ ଜଗନ୍ନାଥ ରଥ କାର୍ଯ୍ୟ କରୁଛନ୍ତି । ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ସରକାର ଖାଲି ପଡ଼ିଥିବା ଅନୁମୋଦିତ ପଦବୀକୁ ପୂରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିଲେ ।