Advertisment

ଡାକ୍ତରଙ୍କ ବୟାନ ପରେ ବଢ଼ିଲା ସସପେନ୍ସ: କୁଛ୍ ତୋ କାଲା ହୈ...

ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ହସ୍ପିଟାଲରେ ଅପେକ୍ଷାରତ ବିଜେଡି ନେତାମାନଙ୍କୁ ଡାକ୍ତରୀ ଟିମ୍ ଏହି ସୂଚନା ଦେବା ପରେ ନବୀନ ହସ୍ପିଟାଲରେ ଭର୍ତ୍ତିବେଳେ ତାଙ୍କ ଚାରିପାଖରେ ଥିବା ଲୋକଙ୍କୁ ଚିହ୍ନି ପାରୁନଥିଲେ କି ବୋଲି ପ୍ରଶ୍ନ ଉଠିଲାଣି।

author-image
Ordigital Desk
ଅଦ୍ୟତନ ହୋଇଛି
Naveen

Naveen

ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ସମଗ୍ର ରାଜ୍ୟବାସୀ ଚିନ୍ତିତ ଥିବାବେଳେ ଆଜି ଡାକ୍ତରଙ୍କ ବୟାନ ଆହୁରି ସସପେନ୍ସ ବଢ଼ାଇ ଦେଇଛି। ଗତକାଲି ତୁଳନାରେ ଆଜି (ସୋମବାର) ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି ଓ ସେ ତାଙ୍କ ଚାରିପାଖରେ ଥିବା ଲୋକମାନଙ୍କୁ ଚିହ୍ନି ପାରୁଛନ୍ତି ବୋଲି ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରୀ ଟିମ୍ କହିଛନ୍ତି।

Advertisment

ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ହସ୍ପିଟାଲରେ ଅପେକ୍ଷାରତ ବିଜେଡି ନେତାମାନଙ୍କୁ ଡାକ୍ତରୀ ଟିମ୍ ଏହି ସୂଚନା ଦେବା ପରେ ନବୀନ ହସ୍ପିଟାଲରେ ଭର୍ତ୍ତିବେଳେ ତାଙ୍କ ଚାରିପାଖରେ ଥିବା ଲୋକଙ୍କୁ ଚିହ୍ନି ପାରୁନଥିଲେ କି ବୋଲି ପ୍ରଶ୍ନ ଉଠିଲାଣି। ଏହାସହିତ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଏଭଳି କିଛି ଅଛି ଯାହା ଲୁଚାଇବାକୁ ପାଣ୍ଡିଆନ ଦମ୍ପତି ଏପର୍ଯ୍ୟନ୍ତ କୌଣସି ବିଜେଡି ନେତାଙ୍କୁ ନବୀନଙ୍କ ପାଖ ମଡ଼ାଇ ଦେଉନଥିବା ଚର୍ଚ୍ଚା ଜୋର ଧରିଛି।

କୁଛ୍ ତୋ କାଲା ହୈ...

ନିଜ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ହସ୍ପିଟାଲ ପରିସରରେ ଅପେକ୍ଷାରତ ବିଜେଡିର ଆଗଧାଡ଼ିର ନେତାମାନଙ୍କୁ ଆଜି ଦିନ ପ୍ରାୟ ୧ଟାବେଳେ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଦୁଇଜଣ ଡାକ୍ତର ସୂଚନା ଦେଇଥିଲେ। ନବୀନଙ୍କ ଚିକିତ୍ସା ଏହି ଦୁଇ ଡାକ୍ତର କରୁଛନ୍ତି ବୋଲି ବିଜେଡି ନେତାମାନଙ୍କ ଆଗରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପରିଚିତ କରାଇଥିଲେ। ଜଣେ ଡାକ୍ତର ଧର ଓ ଜଣେ ପାଣିଗ୍ରାହୀ ବୋଲି କୁହାଯାଉଛି। ଏହି ଦୁଇ ଡାକ୍ତର କହିଥିଲେ ଯେ, ‘ଗତକାଲିଠୁ ଆଜି ସ୍ୱାସ୍ଥ୍ୟରେ ବହୁତ ସୁଧାର ଆସିଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପାରିପାର୍ଶ୍ୱିକ ସ୍ଥିତିକୁ ଭଲ ଭାବେ ବୁଝିପାରୁଛନ୍ତି। ଆଜି ସମସ୍ତଙ୍କୁ ଚିହ୍ନି ପାରୁଛନ୍ତି।

Advertisment

ତେବେ ତାଙ୍କର ଅଧିକ କିଛି ପରୀକ୍ଷାନିରୀକ୍ଷା କରାଯିବା କଥା ଚିନ୍ତା କରାଯାଉଛି। ଡାକ୍ତରୀ ଟିମ୍ ଅପରାହ୍ନ ୪ଟାବେଳେ ବସିଲେ ଯାହା ସ୍ଥିର ହେବ। ତା’ପରେ ତାଙ୍କର ଡିସଚାର୍ଜ କଥା ନିଷ୍ପତ୍ତି ହେବ’ ବୋଲି ଡାକ୍ତର ସୂଚନା ଦେଇଥିଲେ। ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଡାକ୍ତର ବୟାନ ଦେଉଥିବାବେଳେ ସୁଜାତା ମଝିରେ ହସ୍ତକ୍ଷେପ କରି ସେ କମ୍ ପାଣି ପିଉଥିଲେ ଓ ତାଙ୍କର ‘ସିଭିୟର ଡିହାଇଡ୍ରେସନ୍‌’ ହୋଇଯାଇଥିଲା। ଏବେ ସବୁକିଛି ଠିକ୍ ଅଛି’ ବୋଲି କହିଥିଲେ।

ତେବେ ଡାକ୍ତରଙ୍କ ବୟାନରୁ ଜଣାପଡ଼ୁଛି ଯେ, ନବୀନବାବୁ ଗତକାଲି ଲୋକଙ୍କୁ ଚିହ୍ନିପାରୁନଥିଲେ। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପାଣ୍ଡିଆନ ଦମ୍ପତି ମାତ୍ରାଧିକ ସସପେନ୍ସ ବଜାୟ ରଖିଥିବାରୁ ପ୍ରକୃତରେ ନବୀନ କାହିଁକି ଅସୁସ୍ଥ ହୋଇଛନ୍ତି ସେ ତଥ୍ୟ ପଦାକୁ ଆସିପାରୁନି ବୋଲି ଦଳୀୟ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଯଦି ନବୀନ ନିବାସ ସୂତ୍ରରୁ ବିଶ୍ୱାସ କରାଯାଏ, ତେବେ ଦୀର୍ଘବର୍ଷ ଧରି ନବୀନ ନିବାସରେ ଥିବା ତଥା ନବୀନଙ୍କ ବ୍ୟକ୍ତିଗତ କଥା ବୁଝାସୁଝା କରୁଥିବା ଜଣେ କର୍ମଚାରୀଙ୍କୁ ଆଜି ଚାକିରିରୁ କାଢ଼ି ଦିଆଯାଇଛି।

ଭେଟିବାରେ ବାଧକ ସାଜିଛନ୍ତି କି ପାଣ୍ଡିଆନ ଦମ୍ପତି

ସମ୍ ଅଲଟିମେଟ୍ ମେଡିକେୟାର ହସ୍ପିଟାଲରେ ଚିକିତ୍ସାଧୀନ ନବୀନଙ୍କୁ ଭେଟିବାକୁ ବିଜେଡିର ବରିଷ୍ଠ ନେତାମାନେ ଗତକାଲିଠୁ ଡେରା ପକାଇଛନ୍ତି। ଦଳର ସବୁ ଆଗଧାଡ଼ିର ନେତା, ପୂର୍ବତନ ମନ୍ତ୍ରୀ, ବିଧାୟକ ପ୍ରମୁଖ ସମ୍ ହସ୍ପିଟାଲ ଯାଇ ନିଜ ପ୍ରିୟ ନେତାଙ୍କୁ ଭେଟିବାକୁ ଚାହୁଁଥିଲେ ମଧ୍ୟ ଜଣେ ବି ନେତାଙ୍କୁ ଭେଟିବାର ସୁଯୋଗ ମିଳିପାରିନଥିବା ଜଣାପଡ଼ିଛି। ଯଦିଓ ନବୀନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଲାଣି ବୋଲି ଡାକ୍ତରୀ ଟିମ୍ ଓ ପାଣ୍ଡିଆନ ଦମ୍ପତି ଦାବି କରୁଛନ୍ତି ତଥାପି ବିଜେଡିର କୌଣସି ଜଣେ ବି ନେତାଙ୍କୁ କାହିଁକି ନବୀନଙ୍କ ପାଖକୁ ଯିବାକୁ ସୁଯୋଗ ମିଳୁନି ତାହା ଏବେ ଦଳୀୟ ନେତାମାନଙ୍କୁ କ୍ଷୁବ୍ଧ କରିବା ସହ ସନ୍ଦେହ ବଢ଼ାଇଛି। ପାଣ୍ଡିଆନ ଦମ୍ପତି କ’ଣ ଲୁଚାଇବା ପାଇଁ ଏଭଳି କରୁଛନ୍ତି ଓ କାହାରିକୁ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଭେଟିବାର ସୁଯୋଗ ଦେଉନାହାନ୍ତି ତାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କଠାରୁ ଆରମ୍ଭ କରି ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ବହୁ ବରିଷ୍ଠ ନେତା ହସ୍ପିଟାଲରେ ନିଜର ପ୍ରିୟ ନେତା ନବୀନଙ୍କୁ ଭେଟିବାର ସୁଯୋଗ ଏପର୍ଯ୍ୟନ୍ତ ପାଇନଥିବା ଜଣାପଡ଼ିଛି। ଯଦିଓ ପାଣ୍ଡିଆନ ଓ ତାଙ୍କ ପତ୍ନୀ ଏପରିକି ପାଣ୍ଡିଆନଙ୍କ ୨ ଜଣ ଖାସ୍ କର୍ମଚାରୀ ହସ୍ପିଟାଲରେୂ ନବୀନଙ୍କୁ ଭେଟିବାର ସୁଯୋଗ ପାଉଥିବା ସୂଚନା ମିଳିଛି।

ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପରିଲକ୍ଷିତ ହେଉଥିବାବେଳେ ତାଙ୍କୁ ଭେଟିବା ପାଇଁ ବିଜେଡିର ବରିଷ୍ଠ ନେତାମାନଙ୍କ ଏକ ଛୋଟ ଟିମକୁ ମାତ୍ର ୧-୨ ମିନିଟ୍ ପାଇଁ ଦୂରରୁ ଅନୁମତି ଦେବାରେ କାହିଁକି ପାଣ୍ଡିଆନ ଦମ୍ପତି ବାଧକ ସାଜିଛନ୍ତି ତାହା ଏବେ ଦଳୀୟ ମହଲରେ ଅସନ୍ତୋଷର କାରଣ ପାଲଟିଥିବା ଜଣାପଡ଼ିଛି। ବାଲେଶ୍ୱର ଏଫଏମ୍ ଛାତ୍ରୀ ଓ ବଳଙ୍ଗା ପୀଡ଼ିତା ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କୁ ଭେଟିବା ପାଇଁ ଏହି ବିଜେଡି ହିଁ ଗଣମାଧ୍ୟମରେ ଚିତ୍କାର କରୁଥିଲା ଓ ସରକାରଙ୍କ ବିରୁଦ୍ଧରେ ବର୍ଷୁଥିଲା। ମାତ୍ର ଏବେ ନିଜ ଦଳର ନେତାଙ୍କୁ କାହିଁକି ଭେଟିପାରୁନାହାନ୍ତି ସେନେଇ ମୁହଁରେ ତୁଣ୍ଡି ବାନ୍ଧିଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ନବୀନ ମୁମ୍ବାଇରେ ଚିକିତ୍ସିତ ହୋଇ ଜୁଲାଇ ୧୨ ତାରିଖରେ ଭୁବନେଶ୍ୱର ଫେରିବା ପରଠୁ ତାଙ୍କୁ ଦଳର କୌଣସି ଜଣେ ମଧ୍ୟ ନେତା ବ୍ୟକ୍ତିଗତ ଭାବେ ଭେଟିବାର ସୁଯୋଗ ପାଇନାହାନ୍ତି।

Odisha BjD Naveen Patnaik Vk Pandian