Advertisment

ବିଭାଗ ବଣ୍ଟନରେ ବିଳମ୍ବ, ମୋଦି ୩.୦ର ରେକର୍ଡ

ସମ୍ଭବତଃ ସହଯୋଗୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନ୍ତ୍ରଣାଳୟ ଦେବା କସରତ ଚାଲିଛି। ଏଥିପାଇଁ ମନ୍ତ୍ରଣାଳୟ ବଣ୍ଟନ ତାଲିକା ପ୍ରକାଶରେ ବିଳମ୍ବ ହେଉଛି।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ନରେନ୍ଦ୍ର ମୋଦି ଓ ତାଙ୍କ ନୂଆ ଟିମର ୭୧ ଜଣ ସଦସ୍ୟ ଶପଥ ପାଠ କାର୍ଯ୍ୟକ୍ରମକୁ ୨୪ ଘଣ୍ଟା ପୂରିବାକୁ ବସିଛି। ହେଲେ ଏଯାଏ କାହାକୁ କେଉଁ ମନ୍ତ୍ରଣାଳୟ ମିଳିବ, ତା’ ନିଷ୍ପତ୍ତି ହୋଇପାରୁନି। ଏଥର ବିଭାଗ ବଣ୍ଟନରେ ହେଉଥିବା ବିଳମ୍ବ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ପୂର୍ବରୁ କେବେ ହେଲେ ଶପଥ ପାଠ ପରେ ଦେଶବାସୀଙ୍କୁ କାହାକୁ କେଉଁ ମନ୍ତ୍ରଣାଳୟ ମିଳିଲା, ସେସମ୍ପର୍କରେ ଜାଣିବା ପାଇଁ ଏତେ ସମୟ ଅପେକ୍ଷା କରିବାକୁ ପଡ଼ି ନଥିଲା।

Advertisment

ଦୀର୍ଘ ୨୦ ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ବଣ୍ଟନ ପାଇଁ ସର୍ବାଧିକ ୧୮ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ୨୦୧୯ରେ ମୋଦି ଓ ତାଙ୍କ ମନ୍ତ୍ରିମଣ୍ତଳର ସଦସ୍ୟମାନେ ଶପଥ ନେବାର ୧୮ ଘଣ୍ଟା ପରେ କାହାକୁ କେଉଁ ବିଭାଗ ମିଳିଲା, ତା’ର ତାଲିକା ପ୍ରକାଶ ପାଇଥିଲା। ଉକ୍ତ ରେକର୍ଡ ମଧ୍ୟ ୨୦୨୪ରେ ଭାଙ୍ଗି ଯାଇଛି।

୨୦୧୯ରେ ଶପଥ ପାଠ କାର୍ଯ୍ୟକ୍ରମ ମେ’ ୩୦ ତାରିଖ ସନ୍ଧ୍ୟା ୭ଟାରେ ହୋଇଥିଲା। ଏହାପରେ ପିଆଇବି ପକ୍ଷରୁ ବିଭାଗ ବଣ୍ଟନର ତାଲିକା ୨୦୧୯ ମସିହା ମେ’ ୩୧ ତାରିଖ ମଧ୍ୟାହ୍ନ ୧୨.୫୯ରେ ଜାରି କରାଯାଇଥିଲା। ଏହାର ଅର୍ଥ ଶପଥ ପାଠର ୧୭ ଘଣ୍ଟା ୫୯ ମିନିଟ ପରେ ମନ୍ତ୍ରଣାଳୟ ବଣ୍ଟନ ହୋଇଥିଲା।

Advertisment

୨୦୧୪ରେ ନରେନ୍ଦ୍ର ମୋଦି ପ୍ରଥମଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହି ବର୍ଷ ଶପଥ ପାଠର ୧୫ ଘଣ୍ଟା ୩୧ ମିନିଟ ପରେ ବିଭାଗ ବଣ୍ଟନର ତାଲିକା ପ୍ରକାଶ ପାଇଥିଲା। ମୋଦି ୨୦୧୪ ମସିହା ମେ’ ୨୬ ତାରିଖ ସନ୍ଧ୍ୟା ୬ଟାରେ ଶପଥ ନେଇଥିଲେ। ୨୭ ତାରିଖ ସକାଳ ୯.୩୧ରେ କାହାକୁ କେଉଁ ମନ୍ତ୍ରଣାଳୟ ମିଳିଲା, ତା’ର ତାଲିକା ପ୍ରକାଶ ପାଇଥିଲା।

କୌତୁହଳର ବିଷୟ ୨୦୧୪ ଓ ୨୦୧୯ରେ ବିଜେପି ଏକାକୀ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିଥିଲା। ହେଲେ ୨୦୨୪ରେ ବିଜେପି ଏକାକୀ ୨୪୦ଟି ଆସନ ପାଇଛି।

ଏହା ମ୍ୟାଜିକ ନମ୍ବର ୨୭୨ ଠାରୁ ୩୨ କମ। ତେଣୁ ଦଳକୁ ଏନଡିଏରେ ଥିବା ଦଳଗୁଡ଼ିକ ଉପରେ ନିର୍ଭର କରି ସରକାର ଗଠନ କରିବାକୁ ପଡ଼ିଛି। ସମ୍ଭବତଃ ସହଯୋଗୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନ୍ତ୍ରଣାଳୟ ଦେବା କସରତ ଚାଲିଛି। ଏଥିପାଇଁ ମନ୍ତ୍ରଣାଳୟ ବଣ୍ଟନ ତାଲିକା ପ୍ରକାଶରେ ବିଳମ୍ବ ହେଉଛି।

ଅନ୍ୟପକ୍ଷରେ ୨୦୦୪ ଓ ୨୦୦୯ରେ କଂଗ୍ରେସ ମଧ୍ୟ ମେଣ୍ଟ ସରକାର ଗଠନ କରିଥିଲା। ହେଲେ ମନ୍ତ୍ରଣାଳୟ ବଣ୍ଟନ ତାଲିକା ପ୍ରକାଶ କରିବାରେ ବିଳମ୍ବ ହୋଇ ନଥିଲା। ୨୦୦୯ରେ ମନମୋହନ ସିଂହ ଶପଥ ନେବାର ୧୬ ଘଣ୍ଟା ପରେ କାହାକୁ କେଉଁ ବିଭାଗ ମିଳିଥିଲା, ତା’ର ତାଲିକା ପ୍ରକାଶ ପାଇଥିଲା।

୨୦୦୯ ମସିହା ମେ’ ୨୨ ତାରିଖ ସନ୍ଧ୍ୟା ୬.୩୦ରେ ମନମୋହନ ସିଂହଙ୍କ ଶପଥ ପାଠ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହାର ଦିନକ ପରେ ଅର୍ଥାତ ମେ’ ୨୩ ତାରିଖ ସକାଳ ୧୦.୩୦ ପରେ କାହାକୁ କେଉଁ ମନ୍ତ୍ରଣାଳୟ ମିଳିଲା, ତା’ର ତାଲିକା ସାର୍ବଜନୀନ କରାଯାଇଥିଲା।

୨୦୦୪ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଶପଥ ପାଠର ୧୬ ଘଣ୍ଟା ୩୦ ମିନିଟ ପରେ ବିଭାଗ ବଣ୍ଟନ ତାଲିକା ପ୍ରକାଶ କରିଥିଲେ।

Narendra Modi PM Modi Modi 3.0