Advertisment

ସପା ନେତାଙ୍କ ବିବାଦୀୟ ବୟାନ: କରସେବକଙ୍କ ଉପରେ ଗୁଳି ଚଳାଇବା ନିଷ୍ପତ୍ତି ଠିକ୍‌ ଥିଲା

ସ୍ୱାମୀ ପ୍ରସାଦ ମୌର୍ଯ୍ୟା ଦେଇଥିବା ଏହି ବୟାନର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Madhupriya Mistry
Swami Prasad Maurya

Swami Prasad Maurya

ପୁଣି ଥରେ ବିବାଦ ଭିତରକୁ ଟାଣି ହେଲେ ସାମଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟା। ସେ ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। କାରସେବକମାନଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ସେ ସଠିକ୍‌ ବୋଲି ଦର୍ଶାଇଛନ୍ତି। ଏହାକୁ ନେଇ ବିବାଦ ଉପୁଜିଛି।

Advertisment

ସେ କାସଗଞ୍ଜରେ ଏକ ସଭାରେ ଯୋଗ ଦେଇ କହିଛନ୍ତି, ଉତ୍ତରପ୍ରଦେଶର ତତ୍କାଳୀନ ସରକାର ସମ୍ବିଧାନ ତଥା ଆଇନର ସୁରକ୍ଷା ପାଇଁ ଅରାଜକତା ସୃଷ୍ଟି କରୁଥିବା କରସେବକମାନଙ୍କ ଉପରକୁ ସେତେବେଳ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳର ତତ୍କାଳୀନ ସରକାର ନିଜର କର୍ତ୍ତବ୍ୟ ଠିକ ଭାବେ ପାଳନ କରିଥିଲେ।

ଯେତେବେଳେ ଅଯୋଧ୍ୟା ରାମ ମନ୍ଦିରରେ ଏହି ଘଟଣା ଘଟିଥିଲା, ସେତେବେଳେ ନ୍ୟାୟପାଳିକା କିମ୍ବା ପ୍ରଶାସନର କୌଣସି ଆଦେଶ ବିନା ଅରାଜକତାବାଦୀ ଉପାଦାନଗୁଡ଼ିକଙ୍କ ଦ୍ୱାରା ବଡ଼ ଧରଣର ଭଙ୍ଗାରୁଜା ହୋଇଥିଲା। ଏହା ଉପରେ ତତ୍କାଳୀନ ସରକାର ସମ୍ବିଧାନ ଏବଂ ଆଇନର ସୁରକ୍ଷା ତଥା ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଗୁଳି ଚଳାଇଥିଲେ।

Advertisment

ସ୍ୱାମୀ ପ୍ରସାଦ ମୌର୍ଯ୍ୟା ଦେଇଥିବା ଏହି ବୟାନର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚାରିଆଡୁ ତାଙ୍କୁ ବିରୋଧ କରାଯାଉଛି। ଲଗାତର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି ଏହି ବରିଷ୍ଠ ସମାଜବାଦୀ ପାର୍ଟି ନେତା। ଏହାପୂର୍ବରୁ ମଧ୍ୟ ରାମଚରିତ ମାସନ ଓ ସନାତନ ଧର୍ମକୁ ନେଇ ସେ ଅନେକ ବିବାଦୀୟ ବୟାନ ଦେଇସାରିଛନ୍ତି। ତାଙ୍କର ଏଭଳି ବୟାନକୁ ନେଇ ହିନ୍ଦୁବାଦୀ ସଙ୍ଗଠନ ଓ ବିଜେପି ତାଙ୍କୁ ଲଗାତର ଟାର୍ଗେଟ କରୁଛି। ଏଥିପାଇଁ ସମାଜବାଦୀ ପାର୍ଟି ମୁଖିଆ ଅଖିଲେଶ ଯାଦବଙ୍କୁ ଦାୟୀ ମଧ୍ୟ କରାଯାଉଛି।

କହିରଖୁ ଯେ, ୩୩ ବର୍ଷ ପୂର୍ବେ ୧୯୯୦ରେ ଅଯୋଧ୍ୟାରେ ହନୁମାନ ଗଢ଼ି ଯାଉଥିବା କରସେବକଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ସେତେବେଳେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସରକାର ଥିଲେ, ମୁଲାୟମ ସିଂହ ଯାଦବ ୟୁପି ମୁଖ୍ୟମନ୍ତ୍ରୀ ଥିଲେ। ସେହିଦିନ, ଅଯୋଧ୍ୟାରେ ପ୍ରଶାସନ କର୍ଫ୍ୟୁ ଲାଗୁ କରିଥିଲା। ଏଥିପାଇଁ ଭକ୍ତମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନ ଥିଲା, ତଥାପି ସାଧୁମାନେ ଅଯୋଧ୍ୟା ଆଡକୁ ଯାଉଥିଲେ।

ବାବ୍ରି ମସଜିଦର ୧.୫ କିଲୋମିଟର ଦୂରତା ମଧ୍ୟରେ ପୁଲିସ ବ୍ୟାରିକେଡ କରିଥିଲା। ଏହି ସମୟରେ କରସେବକମାନଙ୍କର ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ୩୦ ଅକ୍ଟୋବର ୧୯୯୦ରେ ପ୍ରଥମ ଥର ପାଇଁ କରସେବକଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା। ଗୁଳି ଚାଳନାରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ଗୁଳିକାଣ୍ଡର ଦୁଇ ଦିନ ପରେ, ନଭେମ୍ବର ୨ ରେ ହଜାର ହଜାର କରସେବକ ହନୁମାନ ଗଢ଼ିରେ ପହଞ୍ଚିଥିଲେ। ଏହି ଘଟଣାର ଦୁଇ ବର୍ଷ ପରେ ଅର୍ଥାତ ୬ ଡିସେମ୍ବର ୧୯୯୨ରେ ବିବାଦୀୟ ଢାଞ୍ଚା ଭାଙ୍ଗି ଦିଆଯାଇଥିଲା।

Samajwadi Party Swami Prasad Maurya Firing On Karsevak Issue