Advertisment

ବୈଭବ କୁମାରଙ୍କ ଜାମିନ ଶୁଣାଣି ବେଳେ କାନ୍ଦିଲେ ସ୍ୱାତୀ ମାଲିୱାଲ, ଦଳ ବିରୁଦ୍ଧରେ ଆଣିଲେ ଅଭିଯୋଗ

ଆପ୍ ତାଙ୍କୁ ବିଜେପି ଏଜେଣ୍ଟ କହୁଥିବା ଅଭିଯୋଗ ଆଣିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Swati Maliwal & Bibhav Kumar's Representative Image

Swati Maliwal & Bibhav Kumar's Representative Image

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ଶଚିବ ବୈଭବ କୁମାରଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଜି କୋର୍ଟରେ କାନ୍ଦିଛନ୍ତି ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ। ବୈଭବ କୁମାରଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ମାଲିୱାଲ କାନ୍ଦିବା ସହ ପୂରୁଣା କଥାକୁ ଦୋହରାଇଛନ୍ତି।

Advertisment

ତାଙ୍କୁ ଦଳ(ଆପ୍) ପକ୍ଷରୁ ବିଜେପି ଏଜେଣ୍ଟ କୁହାଯାଉଥିବା ସହ ୟୁଟ୍ୟୁବର ଧ୍ରୁବ ରାଠୀ ତାଙ୍କ ବିରୁଦ୍ଧରେ ଏକ ପାଖିଆ ଭିଡିଓ ପୋଷ୍ଟ କରିବା ପରେ ତାଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଥିବା କୋର୍ଟଙ୍କୁ କହିଛନ୍ତି ସ୍ୱାତୀ। ଏଥିସହ ସେ ଆହୁରି କହିଛନ୍ତି ଯେ, ଯଦି ବୈଭବ କୁମାରଙ୍କୁ ଜାମିନ ମିଳେ ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଛି।

ଆଜି ଦିଲ୍ଲୀର ହଜାରି କୋର୍ଟରେ ବୈଭବ କୁମାରଙ୍କ ଜାମିନ ଆବେଦନର ଶୁଣାଣି ଚାଲିଥିଲା। ଏହି ସମୟରେ ତାଙ୍କ ଓକିଲ ସ୍ୱାତୀ ମାଲିୱାଲଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି, ଯାହା ସବୁ ଘଟିଛି ତାହା ଉଦ୍ଦେଶ୍ୟମୂଳକ। ଜାଣି ଜାଣି ଏଥିପାଇଁ କେଜ୍ରିୱାଲଙ୍କ ଡ୍ରଇଂ ରୁମ୍ ବଛା ଯାଇଥିଲା, ଯେଉଁଠାରେ ସିସିଟିଭି ଫୁଟେଜ ନାହିଁ। ସ୍ୱାତୀ ମାଲିୱାଲ ଭଲ ଭାବେ ଜାଣିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଡ୍ରଇଂ ରୁମରେ ସିସିଟିଭି ଲାଗିନାହିଁ। ସେଥିପାଇଁ ସେ ଏଠାରେ ଗଣ୍ଡଗୋଳ କରିବା ପରେ ମନଗଢା ଅଭିଯୋଗ କରୁଛନ୍ତି ବୋଲି ବୈଭବ କୁମାରଙ୍କ ଓକିଲ କହିଛନ୍ତି। 

Advertisment

ସେ କୋର୍ଟଙ୍କୁ ଆହୁରି କହିଛନ୍ତି ଯେ, ମେ 13ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ମାଲିୱାଲଙ୍କ ପ୍ରବେଶ ଅନଧିକୃତ ଥିଲା। କେହି ବ୍ୟକ୍ତି କୌଣସି ସ୍ଥାନକୁ ଏପରି ଯାଆନ୍ତି କି? ଏହା ମୁଖ୍ୟମନ୍ତ୍ରୀଙ୍କ ବାସଭବନ। ସାଂସଦ ହେଲେ ବୋଲି ଆପଣଙ୍କ ଯାହା ଇଚ୍ଛା ତାହା କରିବେ, ସେପରି ତ କୌଣସି ଲାଇସେନ୍ସ ନାହିଁ। ସେ ଏପରି ସମସ୍ୟା ସୃଷ୍ଟି କରିବେ ବୋଲି ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘରକୁ ବାରମ୍ବାର ଯାଇଥିବାରୁ, ତାଙ୍କୁ ଏପରି କରିବା ସହଜ ହୋଇଥିଲା।

ମାଲିୱାଲ୍ ପୁଲିସ୍ ଏଫ୍ଆଇଆରରେ "ଅସମ୍ମାନ କରିବା ଉଦ୍ଦେଶ୍ୟରେ ଆକ୍ରମଣ" କରାଯାଇଥିବା ଅଭିଯୋଗକୁ ଦୋହରାଇ ବୈଭବଙ୍କ ଓକିଲ କହିଛନ୍ତି, "ତାଙ୍କୁ ଅସମ୍ମାନ କରିବା ଉଦ୍ଦେଶ୍ୟରେ ଏପରି କରାଯାଇ ନାହିଁ। କୁରୁସଭାରେ ଦ୍ରୌପଦୀଙ୍କ ସହ ଯାହା ଘଟିଥିଲା ତାକୁ ଆମେ କୌରବଙ୍କ ଉଦ୍ଦେଶ୍ୟମୂଳକ ଅସମ୍ମାନ ବୋଲି କହିବା।"

ଏହାପରେ ସ୍ୱାତୀ ମାଲିୱାଲଙ୍କ ଓକିଲ ଯୁକ୍ତିବାଢି କହିଛନ୍ତି, "ଯଦି ବୈଭବଙ୍କ ଓକିଲଙ୍କ କହିବା ଅନୁସାରେ, ମାଲିୱାଲ ଅନଧିକୃତ ଭାବେ ପ୍ରବେଶ କରିଥିଲେ, ତେବେ ତାଙ୍କ ବିରୁଦ୍ଧରେ 2-3ଟା କେସ୍ କାହିଁକି ନକଲେ।" 

ସେପଟେ, ଦିଲ୍ଲୀ ପୁଲିସର ପରାମର୍ଶଦାତା କହିଛନ୍ତି ଯେ "ସ୍ୱାତୀ ମାଲିୱାଲଙ୍କୁ ଯଦି ଡ୍ରଇଂ ରୁମରେ ଅପେକ୍ଷା କରିବାକୁ କୁହାଯାଇଥିଲା, ତେବେ ଏବା ଅନଧିକୃତ ପ୍ରବେଶ ହେଲା କିପରି। ମାଲିୱାଲ ଅନଧିକୃତ ପ୍ରବେଶ କରିନାହାନ୍ତି, ବୈଭବ କୁମାର କରିଛନ୍ତି।"

Swati Maliwal Arvind Kejriwal PS AAP Arvind Kejriwal