Advertisment

ରାଜ୍ୟସଭାକୁ ଯିବେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ

ସଞ୍ଜୟ ସିଂହ ଓ ଏନଡି ଗୁପ୍ତା ଏବେ ବି ରାଜ୍ୟସଭାର ସଦସ୍ୟ ରହିଛନ୍ତି। ସେମାନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଆପ୍‌ ପୁଣିଥରେ ଉଭୟଙ୍କୁ ଉଚ୍ଚ ସଦନକୁ ପଠାଇବାକୁ ନିଷ୍ପତ୍ତି ନେଇଛି।

author-image
Hemant Lenka
Swati

Swati

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ରାଜ୍ୟସଭାକୁ ଯିବେ। ତାଙ୍କୁ ଦିଲ୍ଲୀର କ୍ଷମତାସୀନ ଆପ୍‌ ଏଥିପାଇଁ ମନୋନୀତ କରିଛି। ଜାନୁଆରୀ ୧୯ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀରୁ ମାଲିୱାଲ ଆପ୍‌ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ।

Advertisment

ସ୍ୱାତୀ ମାଲିୱାଲଙ୍କ ବ୍ୟତୀତ ଆପ୍‌ ପକ୍ଷରୁ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇ ଜେଲରେ ଥିବା ସଞ୍ଜୟ ସିଂହ ଓ ଦଳର ବରିଷ୍ଠ ନେତା ଏନଡି ଗୁପ୍ତା ରାଜ୍ୟସଭାକୁ ଯିବେ।

ସଞ୍ଜୟ ସିଂହ ଓ ଏନଡି ଗୁପ୍ତା ଏବେ ବି ରାଜ୍ୟସଭାର ସଦସ୍ୟ ରହିଛନ୍ତି। ସେମାନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଆପ୍‌ ପୁଣିଥରେ ଉଭୟଙ୍କୁ ଉଚ୍ଚ ସଦନକୁ ପଠାଇବାକୁ ନିଷ୍ପତ୍ତି ନେଇଛି।

Advertisment

ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଦଳର ରାଜନୀତିକ ବ୍ୟାପାର କମିଟିର ବୈଠକ ବସିଥିଲା। ଏହି ସମୟରେ ସ୍ୱାତୀ ମାଲିୱାଲଙ୍କ ନାଁ ସାମ୍ନାକୁ ଆସିଥିଲା। କମିଟିର ନିଷ୍ପତ୍ତିକ୍ରମେ ମାଲିୱାଲଙ୍କୁ ରାଜ୍ୟସଭାକୁ ପଠାଇବାକୁ ଆପ୍‌ ନିଷ୍ପତ୍ତି ନେଇଛି।

ବର୍ତ୍ତମାନ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ଭାବେ କାମ କରୁଥିବା ସ୍ୱାତୀ ମାଲିୱାଲ ବହୁତ କମ ବୟସରୁ ହିଁ ସମାଜ ସେବାରେ ନିୟୋଜିତ ହୋଇଥିଲେ। ମହିଳାଙ୍କ ଅଧିକାର ପାଇଁ ସେ ସବୁବେଳେ ସ୍ୱର ଉଠାଇ ଆସିଛନ୍ତି। ଏଥିସହ ଲିଙ୍ଗଗତ ସମାନତା ପାଇଁ ମଧ୍ୟ ସେ ସବୁବେଳେ ମତ ରଖିଛନ୍ତି।

୨୦୧୫ ମସିହାରେ ମାଲିୱାଲ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏସିଡ ଆଟାକ, ଯୌନ ନିର୍ଯାତନା ଓ ଦିଲ୍ଲୀରେ ମହିଳା ସୁରକ୍ଷା ସମ୍ପର୍କରେ ସେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରିଛନ୍ତି।

ଅନ୍ୟପକ୍ଷରେ ଆପ୍‌ ନେତା ସୁଶୀଲ କୁମାର ଗୁପ୍ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଛି। ସେ ଏବେ ହରିଆଣା ବିଧାନସଭା ନିର୍ବାଚନ ଉପରେ ଫୋକସ କରିବାକୁ ଚାହୁଁଛନ୍ତି। ତେଣୁ ତାଙ୍କୁ ଦଳ ପୁଣି ରାଜ୍ୟସଭାକୁ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ତାଙ୍କ ସ୍ଥାନରେ ସ୍ୱାତୀ ଆପ୍‌ରୁ ରାଜ୍ୟସଭାକୁ ଯିବେ।

Delhi AAP Rajya Sabha