Advertisment

୧୦ରେ ଜନତା ମଇଦାନରେ ଶପଥ ସମାରୋହ: ପ୍ରସ୍ତୁତି ଆରମ୍ଭ, ଶପଥ ନେବ ରାଜ୍ୟର ପ୍ରଥମ ବିଜେପି ମନ୍ତ୍ରିମଣ୍ଡଳ

ବିଜେପି ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇନି । ବିଜେପି ସଂସଦୀୟ ଦଳ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ତେବେ ଆସନ୍ତା ୮ତାରିଖରେ ବିଜେପି ବିଧାୟକ ଦଳ ବୈଠକ ବସିବା ନେଇ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଦଳ ସୂତ୍ରରୁ ସୂଚନା ମିଳିଛି।

author-image
Ordigital Desk
 Odisha CM Oath Ceremony

Odisha CM Oath Ceremony

ବିଜେଡିକୁ ଶକ୍ତ ଝଟକା ଦେଇ ବିପୁଳ ବିଜୟ ହାସଲ କରିଥିବା ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ନିଜର ସରକାର ଗଢ଼ିବାକୁ ଯାଉଛି । ଆସନ୍ତା ୧୦ତାରିଖରେ ଜନତା ମଇଦାନରେ ଭବ୍ୟ ଶପଥ ସମାରୋହ ଆୟୋଜନ ହେବ । ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ । ଆଜି ଏନେଇ ସରକାରୀ ଭାବେ ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଯାଇଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୦ତାରିଖରେ ଜନତା ମଇଦାନରେ ରାଜ୍ୟର ପ୍ରଥମ ବିଜେପି ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ନୂଆ ମନ୍ତ୍ରିମଣ୍ଡଳର ଶପଥ ସମାରୋହ ଉତ୍ସବକୁ ସୁବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ପାଇଁ ରାଜ୍ୟ ସରକାର ୫୦ଜଣ ବରିଷ୍ଠ ଅଫିସରଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅତିରିକ୍ତ ସଚିବ, ଯୁଗ୍ମ ସଚିବ ପାହ୍ୟାର ଏହି ୫୦ଜଣ ଅଫିସରଙ୍କ ମଧ୍ୟରେ ୯ଜଣ ଆଇଏଏସ୍‌, ଜଣେ ଓଏଫଏସ୍ ଓ ଅନ୍ୟ ୪୦ଜଣ ବରିଷ୍ଠ ଓଏଏସ୍ ଅଫିସର ରହିଛନ୍ତି । ଏହି ସମସ୍ତ ଅଫିସରମାନଙ୍କୁ ଜୁନ୍ ୮ତାରିଖ ଦିନ ୧୧ଟା ସୁଦ୍ଧା ଇଡକୋ ଟାୱାରର ୬ଷ୍ଠ ମହଲାରେ ଥିବା କନଫରେନ୍ସ ହଲରେ ଇଡକୋ ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍ ଭୂପିନ୍ଦର ସିଂ ପୁନିଆଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ବୈଠକରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ସମାରୋହ ଉତ୍ସବ ସହ ରାଜ୍ୟକୁ ଆସିବାକୁ ଥିବା ଭିଭିଆଇପିଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ତଦାରଖ କରିବା ପାଇଁ ପରାମର୍ଶ ଦିଆଯିବ ବୋଲି ଜଣାପଡ଼ିଛି ।

Advertisment

ଏପଟେ, ବିଜେପି ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇନି । ବିଜେପି ସଂସଦୀୟ ଦଳ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ତେବେ ଆସନ୍ତା ୮ତାରିଖରେ ବିଜେପି ବିଧାୟକ ଦଳ ବୈଠକ ବସିବା ନେଇ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଦଳ ସୂତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଦୀର୍ଘ ୨୪ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡିକୁ ହଟାଇ ବିଜେପି ଚଳିତ ନିର୍ବାଚନରେ ବିପୁଳ ବିଜୟ ସହ ରାଜ୍ୟର ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି । ମୋଟ ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୭୮ଟି  ଆସନରେ ବିଜୟୀ ହୋଇଛି । ଧର୍ମଶାଳାର ନବନିର୍ବାଚିତ ସ୍ୱାଧୀନ ବିଧାୟକ ହିମାଂଶୁ ଭୂଷଣ ସାହୁ ଓ ବଡ଼ମ୍ବାର ନବନିର୍ବାଚିତ ସ୍ୱାଧୀନ ବିଧାୟକ ବିଜୟ କୁମାର ଦଳବେହେରା ଇତିମଧ୍ୟରେ ବିଜେପିକୁ ସମର୍ଥନ ଘୋଷଣା କରିଥିବା ଜଣାପଡ଼ିଛି ।

Odisha Bjp Oath Ceremoney