Advertisment

ନବୀନ ଜିନ୍ଦାବାଦ ଶୁଣି ଚିହିଁକି ଉଠିଲେ ତାରା: କହିଲେ- ମୋତେ ଚ୍ୟାଲେଞ୍ଜ କରନି, ସବୁ ବିଫଳ କରି ଦେବି

ତାରାଙ୍କ ତାଗିଦ ପରେ ଆଉ ମଞ୍ଚ ତଳକୁ ନବୀନ ଜିନ୍ଦାବାଦ ନାରା ଶୁଣିବାକୁ ମିଳି ନଥିଲା।

author-image
Jitendra Garnayak
Tara Bahinipati

Tara Bahinipati

କୋରାପୁଟ ଜିଲ୍ଲାରେ ଆଜି ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୩୮ଟି ଲକ୍ଷ୍ମୀ ବସ୍ ଚାଲିବ। ଏଥିପାଇଁ କୋରାପୁଟ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ଆଜି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସିରେ ରହି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ ଜିଲ୍ଳାରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କରିଥିଲେ।

Advertisment

ଏହି କାର୍ଯ୍ୟକ୍ରମରେ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ସହିତ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ସଭା ମଞ୍ଚରେ ଉପସ୍ଥିତି ଶ୍ରୀ ବାହିନୀପତି ଭାଷଣ ଦେବା ବେଳେ ଅଳ୍ପ ସମୟ ପାଇଁ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା।

ତାରା ବାହିନୀପତି ଭାଷଣ ଦେବା ଆରମ୍ଭ କରିବା ମାତ୍ରେ ସଭାରେ ଉପସ୍ଥିତ ବିଜେଡିର ସମର୍ଥକମାନେ ‘ନବୀନ ପଟ୍ଟନାୟକ ଜିନ୍ଦାବାଦ’ ନାରା ଦେଇଥିଲେ। ଏହା ଦେଖି ସେ ଚିହିଁକି ଉଠିଥିଲେ।

Advertisment

ତାରା ରାଗି ଯାଇ କହିଥିଲେ, ତୁମେ ମାନେ ଜିନ୍ଦାବାଦ କହି ସାର, ତା’ପରେ ମୁଁ କହିବି। ସେ ଏହା କହିବା ସତ୍ତ୍ୱେ ମଞ୍ଚ ତଳୁ ‘ନବୀନ ଜିନ୍ଦାବାଦ’ ନାରା ଶୁଣିବାକୁ ମିଳିଥିଲା।

ଏହା ପରେ ତାରା ସ୍ୱର କଡ଼ା କରି କହିଥିଲେ, ମୋ ସହିତ ଲାଗିଲେ, ସବୁ ବିଫଳ କରି ଦେବି। ଡୁ ନଟ୍ ଚ୍ୟାଲେଞ୍ଜ ମିଁ ।

ତାରାଙ୍କ ଏହି ତାଗିଦ ପରେ ଆଉ ମଞ୍ଚ ତଳକୁ ନବୀନ ଜିନ୍ଦାବାଦ ନାରା ଶୁଣିବାକୁ ମିଳି ନଥିଲା।

କାର୍ଯ୍ୟକ୍ରମ ଶେଷ ହେବା ପରେ ଶ୍ରୀ ବାହିନୀପତି କହିଥିଲେ, ଏହା ଦଳୀୟ କାର୍ଯ୍ୟକ୍ରମ ନଥିଲା। ଏହା ସରକାରୀ କାର୍ଯ୍ୟକ୍ରମ ଥିଲା। ତେଣୁ ବିଧାୟକ ହିସାବରେ ମୁଁ ଯାଇଥିଲି। ଆଉ କେହି ଭାଷଣ ଦେଲା ବେଳେ ସେମାନେ ନବୀନ ଜିନ୍ଦାବାଦ କହି ନଥିଲେ। କେବଳ ମୁଁ କହିଲା ବେଳେ ନବୀନ ପଟ୍ଟନାୟକ ଜିନ୍ଦାବାଦ କହିଲେ। ମୋତେ ଲୋକ ଆଦର କରୁଥିବାରୁ ସେମାନେ ସହ୍ୟ କରିପାରୁ ନାହାନ୍ତି। ମୋ ସହିତ ନ ଲାଗିବାକୁ ତାଗିଦ୍ କରିବା ପରେ ଚୁପ୍ ହୋଇ ବସିଲେ।

ଅନ୍ୟପକ୍ଷରେ ଲକ୍ଷ୍ମୀ ବସ୍ ଜିଲ୍ଲାରେ କେତେ ଦିନ ଚାଲିବ ସେ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ତାରା ବାହିନୀପତି। ସେ କହିଛନ୍ତି, ୟା ପୂର୍ବରୁ ସିଟି ବସ୍ ଚାଲୁଥିଲା। ୧୫ ଦିନ ଚାଲିଲା। ନିର୍ବାଚନ ସରିବା ପରେ ତାହା ବନ୍ଦ ହୋଇଗଲା। ସେ ବସ୍‌ଗୁଡ଼ିକ ଏବେ ଖତ ଖାଉଛି। ତା’ ପୂର୍ବରୁ ମୋ ବସ୍ ଯୋଜନା କରିଥିଲେ। ତାହା ବି ୧୫ ଦିନ ଚାଲିଲା। ତା’ପରେ ବନ୍ଦ ହୋଇଗଲା। ଏବେ ନିର୍ବାଚନ ଆଗରୁ ଲକ୍ଷ୍ମୀ ଯୋଜନା ଆଣିଛନ୍ତି। ଏହାକୁ ଆମେ ବିରୋଧ କରୁନୁ। କାରଣ ଏହା ଦ୍ୱାରା ଆମ ଲୋକେ ସୁବିଧାରେ ଯା’ଆସ କରିପାରିବେ। କିନ୍ତୁ ଏହା ଚାଲିବା ଦରକାର।

କୋରାପୁଟରୁ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ରିପୋର୍ଟ

BjD Congress Tara Prasad Bahinipati