Advertisment

ପତ୍ନୀଙ୍କୁ ଜିଲ୍ଲା କଂଗ୍ରେସ ସଭାନେତ୍ରୀ କରିବାକୁ ଦଳବଳ ଧରି ଶରତଙ୍କୁ ଆଣ୍ଟ ଦେଖାଇଲେ ତାରା

ପତ୍ନୀଙ୍କ ପାଇଁ ଆଜି କଂଗ୍ରେସ ଭବନରେ ଜିଲ୍ଲାର ନିର୍ବାଚିତ ପ୍ରତିନିଧିଙ୍କୁ ଆଣି ପିସିସି ସଭାପତିଙ୍କ ଆଗରେ ଆଣ୍ଟ ଦେଖାଇଛନ୍ତି ତାରା।

author-image
Niranjan Mishra
ଅଦ୍ୟତନ ହୋଇଛି
Tara showed his political Power

Tara showed his political Power

ଯେତେ ସଜାଡ଼ିଲେ, ସେତେ ଅସଜଡ଼ା କଂଗ୍ରେସ ଘର। ଗୋଷ୍ଠୀ କନ୍ଦଳ ଥମିବାର ନାଁ ଧରୁନି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ନେତୃତ୍ୱ ଖଡଗହସ୍ତ। ଦଳ ବିରୋଧୀ ମନ୍ତବ୍ୟ ପାଇଁ ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ ମୋକିମ୍‌ଙ୍କୁ ଏଆଇସିସି କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ସେପଟେ ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା ସଭାନେତ୍ରୀ ଭାବେ ପୁଣି ଥରେ ଘୋଷଣା ଲାଗି ଦାବି ଜୋର ଧରିଲାଣି। ପତ୍ନୀଙ୍କ ପାଇଁ ଆଜି କଂଗ୍ରେସ ଭବନରେ ଜିଲ୍ଲାର ନିର୍ବାଚିତ ପ୍ରତିନିଧିଙ୍କୁ ଆଣି ପିସିସି ସଭାପତିଙ୍କ ଆଗରେ ଆଣ୍ଟ ଦେଖାଇଛନ୍ତି ତାରା।

Advertisment

୧୫ ଦିନ ଭିତରେ ଉତ୍ତର ରଖିବାକୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ବିଧାୟକ ମହମ୍ମଦ ମୋକିମଙ୍କୁ ନିର୍ଦ୍ଦେଶ ଦେଇଛି ଏଆଇସିସି। କାରଣ ଚଳିତ ମାସ ୮ ତାରିଖରେ ଭୁବନେଶ୍ୱର ଜୟଦେବ ଭବନରେ ମହମ୍ମଦ ମୋକିମ୍ ଆୟୋଜନ କରିଥିଲେ ଏକ ଆଲୋଚନାଚକ୍ର। ଯାହାର ଶୀର୍ଷକ ଥିଲା, ଜାନକୀ-ବସନ୍ତ ଯୋଡି, ଓଡିଶା ରାଜନୀତିର ସୁବର୍ଣ୍ଣ ଯୁଗ। ଏଥିରେ ଯୋଗ ଦେଇ ଚିରଞ୍ଜୀବ ବିଶ୍ୱାଳ ଦଳକୁ କଡା ଭାଷାରେ ସମାଲୋଚନା କରିଥିଲେ। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ- ଆମର ୯ ବିଧାୟକ ହେଲେ ମୁଖ୍ୟ ମନ୍ତ୍ରୀ ଆଶାୟୀ ୨୦। ପିସିସି ସଭାପତି କାହାକୁ ପଚାରନ୍ତି ନାହିଁ। ସବୁବେଳେ ଚୁପ୍ ଚାପ୍ ରହୁଥିବା ଚିରଞ୍ଜୀବ ହଠାତ କାହିଁକି ନେତୃତ୍ୱ ବିରୋଧରେ ବିସ୍ଫୋରଣ କଲେ ତାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ, ଏହାରି ଭିତରେ କାରଣ ଦର୍ଶାଅ ନୋଟିସ୍ କଂଗ୍ରେସ କଳିକୁ ଆହୁରି ତେଜିୟାନ କରିଛି।

ଅନ୍ୟପଟେ ଏହି ନୋଟିସ୍ ଉଭୟ ଚିରଞ୍ଜୀବ ଓ ମୋକିମ୍ ପାଇନଥିବା କହିଛନ୍ତି। ପ୍ରଶ୍ନ ଉଠୁଛି, ସୋ କଜ୍ ଦେଇ ଦଳ ପରୋକ୍ଷରେ କାର୍ଯ୍ୟାନୁଷ୍ଠାନର ଧମକ ଦେଲାକି ? ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ବାର୍ତ୍ତା ଦେବାକୁ ଚାହୁଁଛି କି ଦଳ? ନୋଟିସ୍ ମିଳିବା ପରେ ଜବାବ ରଖିବେ ବୋଲି ଉଭୟ ନେତା କହିଛନ୍ତି। ଆଉ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ସମସ୍ତଙ୍କୁ ଏକଜୁଟ୍ କରି ଦଳ ଆଗକୁ ବଢୁଛି। ଯିଏ ବିଶୃଙ୍ଖଳା କରିବ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ସେପଟେ ଜିଲ୍ଲା ସଭାପତି ଚୟନକୁ ନେଇ ବି କଂଗ୍ରେସରେ ବିଦ୍ରୋହର ସ୍ଥିତି। କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଥିବାରୁ ବିଧାୟକ ତାରା ବାହିନୀପତି ଅସନ୍ତୋଷ ପ୍ରକାଶ କରିଥିଲେ। ଆଉ ଆଜି କଂଗ୍ରେସ ଭବନରେ ତାରା ନିଜ ସମର୍ଥକଙ୍କ ସହିତ ଶକ୍ତି ପ୍ରଦର୍ଶନ କରିବା ସହ ନାରାବାଜି ବି ଦେଇଥିଲେ। କୋରାପୁଟ ବ୍ଲକ ଅଧ୍ୟକ୍ଷ, ପୌରପାଳିକା ଅଧ୍ୟକ୍ଷ ପ୍ରମୁଖ କଂଗ୍ରେସ ଭବନ ଆସି ମିନାକ୍ଷୀଙ୍କୁ ପୁଣିଥରେ କୋରାପୁଟ ଜିଲ୍ଲା ସଭାନେତ୍ରୀ କରିବାକୁ ପିସିସି ସଭାପତିଙ୍କୁ ଭେଟି ଦାବି କରିଛନ୍ତି।

ପିସିସି ସଭାପତି ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି। ରାଜନୈତିକ ସମୀକ୍ଷକ କହିଛନ୍ତି ଗୋଷ୍ଠୀ କନ୍ଦଳ ପାଇଁ ଦଳ ରସାତଳଗାମୀ ହେଉଛି।

ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ରହିଛି। ସେପଟେ ପିସିସି ସଭାପତିଙ୍କ ୯ ରୁ ୯୦ ମିଶନ ଡାକରା ଦେଇଛନ୍ତି। ମାତ୍ର ଅସଜଡା ଘରକୁ ସଜାଡି ଦଳ କେମିତି ଆଗକୁ ବଢୁଛି ତାହା ଉପରେ ନଜର।

Pradesh Congress Committee Tara Prasad Bahinipati Odisha Congress Politics