Advertisment

୫ ଛୋଟ ଦଳକୁ ନେଇ ମେଣ୍ଟ କଲେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ

ସେ ନିଜ ଭାଇ ତେଜସ୍ୱୀ ଯାଦବ ଓ ବାପା ଲାଲୁ ପ୍ରସାଦଙ୍କ ଦଳ ଆରଜେଡି ବିରୋଧରେ ମଧ୍ୟ ପ୍ରାର୍ଥୀ ଦେବେ।

Tej pratap

Tej pratap

Advertisment

ବିହାରର ପୂର୍ବତନ ମନ୍ତ୍ରୀ ତଥା ଆରଜେଡି ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଆଜି ବଡ଼ ଘୋଷଣା କରିଛନ୍ତି। ଆରଜେଡିରୁ ବିଦା ହୋଇଥିବା ତେଜ ପ୍ରତାପ ଆସନ୍ତା ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ଆଜି ବିଧିବଦ୍ଧ ଭାବେ ଅଣ୍ଟା ଭିଡ଼ିଛନ୍ତି। ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ସେ ୫ଟି ଛୋଟ ଛୋଟ ଦଳକୁ ନେଇ ନୂଆ ମେଣ୍ଟ ଗଠନ କରିଛନ୍ତି। ଏହି ୫ ଦଳ ମିଳିତ ଭାବେ ବିହାରରେ ବିଧାନସଭା ନିର୍ବାଚନ ଲଢ଼ିବେ।

Advertisment

ଚଳିତ ବର୍ଷ ମେ’ ମାସରେ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତଥା ବିଧାୟକ ତେଜ ପ୍ରତାପ ଯାଦବଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଥିଲେ। ତା’ସହିତ ତାଙ୍କୁ ପରିବାରଠାରୁ ଦୂରେଇ ଦେଇଥିଲେ। ଏହାର ଦିନକ ପୂର୍ବରୁ ତେଜ ପ୍ରତାପ ଯାଦବ ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ସେ ଜଣେ ମହିଳାଙ୍କ ସହ ଥିଲେ। ଉକ୍ତ ମହିଳାଙ୍କୁ ସେ ତାଙ୍କର ପ୍ରେମିକା ଭାବେ ଦର୍ଶାଇବା ସହିତ ତାଙ୍କ ସହିତ ବହୁ ବର୍ଷ ହେଲା ରିଲେସନଶିପ୍‌ରେ ଅଛନ୍ତି ବୋଲି ଲେଖିଥିଲେ।

ଅବଶ୍ୟ ପରେ ତେଜ ପ୍ରତାପ ଉକ୍ତ ପୋଷ୍ଟକୁ ଡିଲିଟ୍ କରି ଦେଇଥିଲେ। ତେବେ ସେତେବେଳକୁ ଏହା ଭାଇରାଲ ହୋଇ ସାରିଥିଲା। ତେଣୁ ଲାଲୁ ପ୍ରସାଦ ନୈତିକତା ଦୃଷ୍ଟିରୁ ତଥା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ପାଇଁ ତେଜ ପ୍ରତାପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

Advertisment

ଆରଜେଡି ଓ ନିଜ ପରିବାରରୁ ବିଧା ହୋଇଥିବା ତେଜ ପ୍ରତାପ ଏବେ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି କି ସେ ନିଜ ଭାଇ ତେଜସ୍ୱୀ ଯାଦବ ଓ ବାପା ଲାଲୁ ପ୍ରସାଦଙ୍କ ଦଳ ଆରଜେଡି ବିରୋଧରେ ମଧ୍ୟ ପ୍ରାର୍ଥୀ ଦେବେ। ତେଜ ପ୍ରତାପ ମେଣ୍ଟ କରିଥିବା ୫ ଦଳ ହେଉଛନ୍ତି- ବିକାଶ ବଞ୍ଚିତ ଇନସାନ ପାର୍ଟି(ଭିଭିଆଇପି), ଭୋଜପୁରିଆ ଜନ ମୋର୍ଚ୍ଚା(ବିଜେଏମ), ପ୍ରଗତିଶୀଳ ଜନତା ପାର୍ଟି(ପିଜେପି), ୱାଜିବ ଅଧିକାର ପାର୍ଟି(ଡବ୍ଲ୍ୟୁଏପି) ଓ ସଂଯୁକ୍ତ କିଶାନ ବିକାଶ ପାର୍ଟି(ଏସକେଭିପି)।

ମେଣ୍ଟ ସମ୍ପର୍କରେ ତେଜ ପ୍ରତାପ ଘୋଷଣା କରିବା ବେଳେ ୫ ଦଳର ଜାତୀୟ ସଭାପତିମାନେ ଉପସ୍ଥିତ ରହିଥିଲେ। ସେ କହିଛନ୍ତି, ”ସାମାଜିକ ନ୍ୟାୟ, ଅଧିକାର ଓ ରାଜ୍ୟର ସାମୂହିକ ବିକାଶ ପାଇଁ ଏଭଳି ମେଣ୍ଟ ହୋଇଛି। ମୋର ମଜାକ ଉଡ଼ାଇବାକୁ ଲୋକମାନେ ମୁକ୍ତ। କିନ୍ତୁ ମୁଁ ମୋ ରାସ୍ତାରେ ରହିବି। ବିହାରର ବିକାଶ ପାଇଁ ଆମର ଏହି ମେଣ୍ଟ। ଯଦି ଲୋକମାନେ ଆମକୁ ସମର୍ଥନ କରିବେ, ତା’ହେଲେ ଆମେ ରାଜ୍ୟର ବିକାଶ ପାଇଁ କାମ କରିବୁ। ଆମେ ରାମ ମନୋହର ଲୋହିଆ, କର୍ପୁରୀ ଠାକୁର ଓ ଜୟ ପ୍ରକାଶ ନାରାୟଣଙ୍କ ସ୍ୱପ୍ନକୁ ପୂରଣ କରିବୁ।”

ତେଜ ପ୍ରତାପ ଆଜି ଘୋଷଣା କରିଛନ୍ତି ଯେ ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ସେ ସ୍ୱାଧୀନ ଭାବେ ମହୁଆ ଆସନରୁ ଲଢ଼ିବେ। ୨୦୨୦ ଯାଏ ସେ ଏହି ଆସନକୁ ପ୍ରତିନିଧିତ୍ୱ କରୁଥିଲେ। ଏହାପରେ ଆରଜେଡି ତାଙ୍କୁ ଆସନପୁର ଆସନରୁ ପ୍ରାର୍ଥୀ କରିଥିଲା। ସେଠାରେ ମଧ୍ୟ ସେ ଜିତିଥିଲେ।

Lalu Prasad Yadav RJD Tej Pratap Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe