/odisha-reporter/media/media_files/2025/11/17/tejashwi-2025-11-17-17-44-20.jpg)
ତେଜସ୍ୱୀ ଯାଦବ
ବିହାର ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ଆରଜେଡିର ତେଜସ୍ୱୀ ଯାଦବ। ବିହାର ବିଧାନସଭା ନିର୍ବାଚନରେ ଏନିଡିଏର ସୁନାମୀରେ ତେଜସ୍ୱୀ(Tejashwi Yadav)ଙ୍କ ମହାଗଠବନ୍ଧନ ପୂରା ଧ୍ୱଂସ୍ତ ହୋଇଯାଇଛି। ଏନଡିଏ ୨୦୨ଟି ଆସନ ଜିତିଥିବା ବେଳେ ମହାଗଠବନ୍ଧନ କେବଳ ୩୫ଟି ଆସନ ଜିତିବାକୁ ସକ୍ଷମ ହୋଇଛି।
ଏସବୁ ଭିତରେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଜେଡିୟୁ(JDU)ର ନୀତୀଶ କୁମାର(Nitish Kumar) ଆସନ୍ତା ଗୁରୁବାର ଶପଥ ନେବେ। ଏନଡିଏ ପକ୍ଷରୁ ସରକାର ଗଠନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ନୀତୀଶ କୁମାର ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ତେଜସ୍ୱୀ ଆଜି ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି।
ବିରୋଧୀ ଦଳର ନେତା ଭାବେ ମାନ୍ୟତା ପାଇବାକୁ ହେଲେ ଗୃହର ମୋଟ କ୍ଷମତାରୁ ୧୦% ସିଟ ହାସଲ କରିବା ଜରୁରୀ। ବିହାରରେ ବିଧାନସଭା ଆସନ ସଂଖ୍ୟା ୨୪୩। ଏହାର ଅର୍ଥ ଏଠାରେ ବିରୋଧୀ ଦଳର ମାନ୍ୟତା ପାଇଁ ୨୫ଟି ଆସନ ଜରୁରୀ।
ଆରଜେଡି(RJD) ସମାନ ୨୫ଟି ଆସନ ଜିତିଛି। ତେଣୁ ତେଜସ୍ୱୀ ବିରୋଧୀ ଦଳର ନେତା ହୋଇଛନ୍ତି। ମହାଗଠବନ୍ଧନରେ ଥିବା ଆରଜେଡି ୨୫ଟି ଆସନ ଜିତିଥିବା ବେଳେ କଂଗ୍ରେସ ୬, ସିପିଆଇଏମଏଲ ୨, ସିପିଆଇଏମ ୧ ଓ ଭିଆଇପି ଗୋଟିଏ ଆସନ ପାଇଛି।
ଭୋଟ ଗଣତି ଦିନ ତେଜସ୍ୱୀ ବେଶ ପଛରେ ଥିଲେ। କିନ୍ତୁ ଶେଷରେ ସେ ବିଜେପିର ସୀତୀଶ କୁମାରଙ୍କୁ ୧୪,୫୩୨ ଖଣ୍ଡ ଭୋଟରେ ପାରମ୍ପରିକ ରାଘୋପୁର ଆସନରେ ହରାଇ ଦେଇଥିଲେ। କିନ୍ତୁ ଏପରି ବିଜୟକୁ ନେଇ ବଡ଼ ବୟାନ ଦେଇଛନ୍ତି କଂଗ୍ରେସ ଉଦିତ ରାଜ।
ଭାରତୀୟ ନିର୍ବାଚନ କମିଶନ ଓ ବିଜେପି ବିହାର ରେଜଲ୍ଟରେ ହେରଫେର କରି ତେଜସ୍ୱୀଙ୍କ ବିଜୟକୁ ନିଶ୍ଚିତ କରିଥିବା ସେ କହିଛନ୍ତି। ତାଙ୍କ କହିବା କଥା ଯେ ଦିନ ତମାମ ତେଜସ୍ୱୀ ପଛରେ ଚାଲିଥିଲେ। କିନ୍ତୁ ଶେଷ କିଛି ଘଣ୍ଟାରେ ସବୁ କିଛି ବଦଳାଇ ରେଜଲ୍ଟ ତାଙ୍କ ସପକ୍ଷରେ କରାଯାଇଥିଲା।
ସେ କହିଛନ୍ତି, “ତେଜସ୍ୱୀ ଯାଦବ ନିର୍ବାଚନ ଜିତି ନାହାନ୍ତି। ସେମାନେ(ବିଜେପି ଓ ନିର୍ବାଚନ କମିଶନ) ତାଙ୍କ ବିଜୟକୁ ନିଶ୍ଚିତ କରିଛନ୍ତି। ସେ ସନ୍ଧ୍ୟା ଯାଏ ପଛରେ ରହିଥିଲେ। ନିର୍ବାଚନକୁ ନିରପେକ୍ଷ ଦର୍ଶାଇବା ପାଇଁ ସେମାନେ ତେଜସ୍ୱୀଙ୍କୁ ବିଜୟ କରାଇଛନ୍ତି।
ଏସ୍ଆଇଆର୍ ଓ ଇଭିଏମକୁ ବିଜୟର ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି। ସେମାନେ ଦେଶର ସମ୍ବିଧାନକୁ ଧ୍ୱଂସ କରିଦେବେ। ନିର୍ବାଚନ ରେଜଲ୍ଟ ପୂର୍ବରୁ ସ୍ଥିର ହୋଇ ସାରିଥିଲା। କ’ଣ ସବୁ ହେବ, ସେମାନେ ବେଶ ଭଲ ଭାବେ ଜାଣିଛନ୍ତି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
