Advertisment

‘ମିଛ ପ୍ରଚାର କରୁଛନ୍ତି ସମର୍ଥକ, ଆଖି ମିଶାଇ ପାରିଲେନି ମନ୍ତ୍ରୀ’

ଅପପ୍ରଚାରରେ ଅତିଷ୍ଠ ହୋଇ ପଡ଼ିଥିବା ମୃତା ରୁଚିକାଙ୍କ ମା’ ଗତକାଲି ଏକ ସଭାମଞ୍ଚରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଏହି ଖବରର ସତ୍ୟତା ନେଇ ପ୍ରଶ୍ନ ପଚାରିଥିଲେ। ମାତ୍ର କୌଣସି ଉତ୍ତର ଦେଇ ନ ପାରି ମନ୍ତ୍ରୀ ସଭା ମଞ୍ଚ ଛାଡ଼ି ଚାଲି ଯାଇଥିଲେ।

ଅଦ୍ୟତନ ହୋଇଛି
Minister

Minister

Advertisment

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁକୁ ୧୪ ମାସ ବିତି ଯିବା ସତ୍ତ୍ୱେ ପରିବାରକୁ ମିଳିନି ନ୍ୟାୟ। ନ୍ୟାୟ ଦୂରର କଥା, ଆଶ୍ୱାସନା ପଦେ ମିଳୁ ନ ଥିବା ବେଳେ ମିଳୁଛି ଅପବାଦ । ଏପରିକି ଝିଅ ମୃତ୍ୟୁ ଖବରକୁ ଚାପି ଦେବାକୁ ମା’ ଖାଇଛି ମୋଟା ଅଙ୍କର ଅର୍ଥ ବୋଲି ଗୁଜବ ସୃଷ୍ଟି ହେଉଛି। ଏପରି ଅପପ୍ରଚାରରେ ଅତିଷ୍ଠ ହୋଇ ପଡ଼ିଥିବା ମୃତା ରୁଚିକାଙ୍କ ମା’ ଗତକାଲି ଏକ ସଭାମଞ୍ଚରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଏହି ଖବରର ସତ୍ୟତା ନେଇ ପ୍ରଶ୍ନ ପଚାରିଥିଲେ। ମାତ୍ର କୌଣସି ଉତ୍ତର ଦେଇ ନ ପାରି ମନ୍ତ୍ରୀ ସଭା ମଞ୍ଚ ଛାଡ଼ି ଚାଲି ଯାଇଥିଲେ। ଗତକାଲି ରାତିରେ କଟକ ଜିଲ୍ଲା ଆଠଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ଏପରି ହାଇଡ୍ରାମା।

Advertisment

କଟକ ଆଠଗଡ଼ରେ ଏକ ରାସ୍ତା ସମ୍ପ୍ରସାରଣର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଗତକାଲି ଯାଇଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତେବେ ଏହି ସମୟରେ ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମା’ ମଞ୍ଚ ଉପରକୁ ଯାଇ ମନ୍ତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲେ।

ଏହାକୁ ନେଇ ସଭା ତଳେ ଦୁଇ ପକ୍ଷ ମଧ୍ୟରେ ଠେଲାପେଲା, ଗଣ୍ଡଗୋଳ ହୋଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ମାରପିଟ ବି ହୋଇଥିଲା । ଏହାପରେ ତତ୍‌କ୍ଷଣାତ ମନ୍ତ୍ରୀ ସଭା ମଞ୍ଚ ଛାଡ଼ି ଚାଲି ଯାଇଥିଲେ। ତେବେ ରୁଚିକାଙ୍କ ମା’ ମନ୍ତ୍ରୀଙ୍କୁ କ’ଣ ପ୍ରଶ୍ନ ପଚାରିଲେ ଯେ ମନ୍ତ୍ରୀ ସଭା ଛାଡ଼ି ଚାଲିଗଲେ ତାହା ଜାଣିବାକୁ ସମସ୍ତଙ୍କ ମନରେ ଏକ ପ୍ରକାର ଉତ୍ସୁକତା ଦେଖାଦେଇଛି।

Advertisment

ଏନେଇ ରୁଚିକାଙ୍କ ମା’ଙ୍କ ସହ ଯୋଗାଯୋଗ କରିବାରୁ ସେ ଘଟଣା ଉପରୁ ପରଦା ହଟାଇଛନ୍ତି। ରୁଚିକାଙ୍କ ମା’ଙ୍କ କହିବାନୁଯାୟୀ, ମୋ’ ଝିଅ ମୃତ୍ୟୁକୁ ୧୪ ମାସ ବିତିଗଲାଣି। ହେଲେ ବିଜେଡି ସରକାର ପକ୍ଷରୁ ମୁଁ କୌଣସି ନ୍ୟାୟ ପାଇ ପାରିନି । ହେଲେ ଏବେ ମନ୍ତ୍ରୀଙ୍କ କର୍ମୀ, ସମର୍ଥକ ପ୍ରଚାର କରୁଛନ୍ତି, ଯେ ମୁଁ ୧୬ ଲକ୍ଷ ଟଙ୍କା ନେଇ ଚୁପ୍‌ ବସିଛି। ଆଉ ମୋ’ ଝିଅ ମୃତ୍ୟୁ ଘଟଣାରେ ନ୍ୟାୟ ପାଇଁ ଲଢ଼େଇ କରୁନି। ଏହି ଗୁଜବର ସତ୍ୟତା ଜାଣିବାକୁ ତଥା ମୋତେ କେତେ ଟଙ୍କା ଦେଇଛନ୍ତି ପଚାରିବାକୁ ମନ୍ତ୍ରୀଙ୍କ ସଭା ମଞ୍ଚକୁ ଯାଇଥିଲି।

ସେଠାରେ ମନ୍ତ୍ରୀଙ୍କ ନିକଟରୁ ଏହାର ଜବାବ ଚାହିଁବାରୁ ସେ କିନ୍ତୁ କିଛି ଉତ୍ତର ଦେଇ ପାରିଲେନି। ଏପରିକି ମୋତେ ମାଇକି ଦେବାକୁ ସେ ପ୍ରସ୍ତୁତ ନ ଥିଲେ। ଯଦି ଘଟଣାର ସତ୍ୟତା ଥାନ୍ତା ତେବେ ସେ ସଭା ମଞ୍ଚ ଛାଡ଼ି ଯିବା ପରିବର୍ତ୍ତେ ମୋ ଆଖିରେ ଆଖି ମିଶାଇ ଉତ୍ତର ଦେଇ ପାରିଥାନ୍ତେ । ହେଲେ ସେ ସଭା ଛାଡ଼ି ଚାଲିଯାଇ ପରୋକ୍ଷରେ ସ୍ୱୀକାର କଲେ ଯେ ସେ ହିଁ ଏହି ଗୁଜବ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ରୁଚିକାଙ୍କ ମା’ ।

ରୁଚିକାଙ୍କ ମା’ କହିଛନ୍ତି, ମୁଁ ବିଜେଡିର ଜଣେ ଆକ୍ଟିମ କର୍ମୀ। ମୋ’ ଜୀବନର ୧୦ ବର୍ଷ ଦଳକୁ ଦେଇଛି। ଏହାସତ୍ତ୍ୱେ ମୋ’ ଉପରେ ଦୁଃଖର ପାହାଡ଼ ଲଦି ହେବା ସମୟରେ ସମବେଦନା ଟିକେ ଜଣାଇବାକୁ ଉଚିତ ମଣିଲେନି ମନ୍ତ୍ରୀ। ୧୬ ଲକ୍ଷ ଟଙ୍କା ଦୂରର କଥା, ସେ ମୋତେ ୧୬ ଟଙ୍କାର ଆଶ୍ୱାସନା ବି ସେ ଦେଇ ନାହାନ୍ତି। ହେଲେ ମୁଁ ମୋ’ ସଂଘର୍ଷ ଛାଡ଼ିବିନି । କଖଡି ଅଞ୍ଚଳର ଯେ କୌଣସି ଜାଗାରେ ମନ୍ତ୍ରୀ ସଭା କରିବେ ଉତ୍ତର ପାଇବା ପାଇଁ ସେଠାକୁ ଯାଇ ପ୍ରଶ୍ନ କରିବି ବୋଲି କହିଛନ୍ତି ରୁଚିକାଙ୍କ ମା’ ।

ଗତବର୍ଷ ଜୁଲାଇ ୨ ତାରିଖରେ ବିଜେବି କଲେଜରେ ପଢ଼ୁଥିବା ଯୁକ୍ତ ତିନି ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛନ୍ତି ପରିବାର ଲୋକେ । ଏପରିକି ଅନେକ ଧାରଣା, ଆନ୍ଦୋଳନ, ବିକ୍ଷୋଭ ବି କରିଛନ୍ତି । ତଥାପି ଘଟଣାର ଅସଲ କାରଣ ଜଣା ପଡ଼ିନିା

ଏନେଇ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଁକି ଚୁପ୍ ବୋଲି ବି ଚର୍ଚ୍ଚା ହେଉଛିା ତେବେ ଏ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ଏନେଇ କଖଡି ସରପଞ୍ଚ କଳ୍ପନା ଛତର କହିଛନ୍ତି, ଫଟୋ ଉଠାଇବାକୁ କହି ରୁଚିକାଙ୍କ ମା’ ସଭା ଉପରକୁ ଯାଇଥିଲେ। ଏହା ମନ୍ତ୍ରୀଙ୍କୁ ବଦନାମ କରିବାକୁ ତାଙ୍କର ଏକ ଚାଲ। ସେ ସଭାକୁ ଯାଇ ଫଟୋ ଉଠାଇଲେ। ଏହାବାଦ କୌଣସି ଗଣ୍ଡଗୋଳ, ପାଟିତୁଣ୍ଡ ହୋଇନି।

Ruchika Mohanty Suicide Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe