Advertisment

ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଝଡ଼

ଗତକାଲି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଜୟନାରାୟଣ ଆଜି କୌଣସି ପ୍ରତିକ୍ରିୟା ରଖି ନଥିଲା ବେଳେ, ତାଙ୍କ ମନ୍ତବ୍ୟ କିନ୍ତୁ ସରକାର ଓ ବିଜେପି ପାଇଁ ଏକପ୍ରକାର ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

author-image
Jitendra Garnayak
Jayanarayan Mishra

Jayanarayan Mishra

ସମ୍ବଲପୁର ‘ସୁଭଦ୍ରା’ ସଭାରେ ବିଜେପି ବିଧାୟକ ଜୟନାୟରଣଙ୍କ ଉତ୍କଳ-କୋଶଳ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତିକ ବୟାନବାଜି। ବିରୋଧୀ ବିଜେଡି ଓ କଂଗ୍ରେସ, ଏହା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲା ବେଳେ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଏହା ଜୟନାରାୟଣଙ୍କ ବ୍ୟକ୍ତିଗତ ମତ। ବିଜେପି ସରକାର ଆଂଚଳିକ ବାଦରେ ବିଶ୍ୱାସ କରେନି। ବରଂ ମୋହନ ସରକାର ପଶ୍ଚିମ ଓଡ଼ିଶାର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ଉତ୍କଳ ସମ୍ମିଳନୀ ମଧ୍ୟ ଜୟନାରାୟଣଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛି। 

Advertisment

"ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ୍"। ସରକାରୀ କାର୍ଯ୍ୟକ୍ରମ ମଂଚରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପସ୍ଥିତିରେ ପଶ୍ଚିମ ଓଡ଼ିଶା ବିଜେପିର ବଡ଼ ଚେହେରା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଏହି ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ରାଜନୀତିକ ଝଡ଼। ବିଜେପି ଓ ଜୟନାରାୟଣଙ୍କୁ ବିରୋଧୀ କରୁଛନ୍ତି ଶାଣିତ ଆକ୍ରମଣ।

ବିଜେଡି କହିଛି ନିଜ ସ୍ୱାର୍ଥ ସାଧନ ପାଇଁ ଏମିତି ବିଭେଦ ସୃଷ୍ଟି କରୁଛନ୍ତି ବିଜେପି ନେତା। ଯିଏ ଏମିତି କହୁଛନ୍ତି, ଓଡ଼ିଶା ଦୁଇଭାଗ ହେଲେ ସେ ମୁଖ୍ୟମନ୍ତ୍ରୀ ହେବାର ଆଶା ବାନ୍ଧିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ଅନୁରୂପ ହମଲା କରି ଓଡ଼ିଶାକୁ ଭାଗ ଭାଗ କରିବା କ’ଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛି।

Advertisment

ବିଧାୟକ ତାରା ବାହିନୀପତି କହିଛନ୍ତି ଆଜି କୋଶଳ କଥା ଉଠୁଛି, କାଲି ଦକ୍ଷିଣାଞ୍ଚଳ, ତା’ପରେ ଉତ୍ତରାଞ୍ଚଳ କଥା ଉଠିବ। ତା’ ହେଲେ ଓଡ଼ିଶାକୁ ଭାଗ ଭାଗ କରିଦେବା କି?

ଏହା ଜୟନାରାୟଣଙ୍କର ବ୍ୟକ୍ତିଗତ ମତ। ବିଜେପି କେବେ ଓଡ଼ିଶାକୁ ଭାଗ କରିବା ଚାହେଁନି କି ଆମ ଭିତରେ ଉତ୍କଳ-କୋଶଳ ଆଂଚଳିକ ଭେଦଭାବ ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୋହନ ସରକାର ପଶ୍ଚିମ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେଇଆସୁଛନ୍ତି।

ନୂଆ ନୁହେଁ ବିବାଦ

ପଶ୍ଚିମ ଓ ପୂର୍ବ ଓଡ଼ିଶା ବିବାଦ କିଛି ନୂଆ ନୁହେଁ। ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବଦା ପଶ୍ଚିମ ଓଡ଼ିଶାକୁ ଅବହେଳାର ଅଭିଯୋଗ ବହୁ ପୁରୁଣା। ସେମିତି କୋଶଳ ରାଜ୍ୟକୁ ନେଇ ଆନ୍ଦୋଳନ ବି ପୁରୁଣା। ସରକାରୀ ଅବହେଳା ବିରୋଧରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ର ଏକଦା ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବି ଆନ୍ଦୋଳନର ନେତୃତ୍ୱ ନେଇଥିଲା ବେଳେ କାଳକ୍ରମେ ଏହା ଶିଥିଳ ପଡ଼ିଯାଇଥିଲା। ତେବେ ଗତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହି ଅବହେଳା ପ୍ରସଙ୍ଗକୁ ପୁଣି ଉଠାଇ ଆବଶ୍ୟକ ହେଲେ ଓଡ଼ିଶା ଦୁଇଫାଳ ହେବ କହି ନିଆଁରେ ଘିଅ ଢାଳିଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଏମିତିକି ବିଧାନସଭାରେ ବି ଏହା କହିଥିଲେ ନରସିଂହ। ଅନ୍ୟପକ୍ଷରେ ସେହି ସମୟରେ ଅଭିନେତା ମନୋଜ ମିଶ୍ରଙ୍କୁ କିଛି ପ୍ରଯୋଜକ ବ୍ୟାନ୍ କରିବା ପ୍ରସଙ୍ଗକୁ ନେଇ ବି ଅସନ୍ତୋଷର ନିଆଁ ଜଳିଥିଲା। ଆଉ ଏବେ ଜୟନାରାୟଣଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ରଖି ସଂପୂର୍ଣ୍ଣ ସମର୍ଥନ ନକଲେ ବି ଜୟନାରାୟଣଙ୍କ କଥାକୁ ବିରୋଧ କରୁନାହାନ୍ତି ବୋଲି କହିଛନ୍ତି ନରସିଂହ। ଅପରପକ୍ଷେ ଉତ୍କଳ ସମ୍ମିଳନୀ ପକ୍ଷରୁ ଏଭଳି ବିଭାଜନକାରୀ ମନ୍ତବ୍ୟର ତୀବ୍ର ନିନ୍ଦା କରାଯାଇଛି।

ଗତକାଲି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଜୟନାରାୟଣ ଆଜି କୌଣସି ପ୍ରତିକ୍ରିୟା ରଖି ନଥିଲା ବେଳେ, ତାଙ୍କ ମନ୍ତବ୍ୟ କିନ୍ତୁ ସରକାର ଓ ବିଜେପି ପାଇଁ ଏକପ୍ରକାର ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କୋଶଳ-ଉତ୍କଳ ବିବାଦକୁ ନୂଆ ସରକାର କିଭଳି ଢଙ୍ଗରେ ନେଉଛନ୍ତି, କଣ ସମାଧାନର ରାସ୍ତା ବାହାର କରୁଛନ୍ତି ତା’ ଉପରେ ନଜର। 

Jayanarayan Mishra