Advertisment

୨୦ ବର୍ଷ ପରେ ‘ବିଜୟ ରାଲି’ରେ ଏକାଠି ହେଲେ ଠାକରେ ବ୍ରଦର୍ସ

ଆଗକୁ ବ୍ରିହାନ ମୁମ୍ବାଇ କର୍ପୋରେସନ ବା ବିଏମସି ନିର୍ବାଚନ ରହିଛି। ଏହାପୂର୍ବରୁ ଠାକରେ ବ୍ରଦର୍ସ ଏକାଠି ହେବା ରାଜନୀତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରୁଛି।

Marathi

Marathi

Advertisment

ଦୀର୍ଘ ୨୦ ବର୍ଷର ରାଜନୀତିକ ବିଚ୍ଛେଦ ପରେ ଦୁଇ ସମ୍ପର୍କୀୟ ଭାଇ ରାଜ ଓ ଉଦ୍ଧବ ଠାକରେଙ୍କୁ ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଛି। ୨୦ ବର୍ଷ ପରେ ଏକାଠି ହୋଇଛନ୍ତି ଠାକରେ ବ୍ରଦର୍ସ। ମୁମ୍ବାଇରେ ଶିବ ସେନା(ଉଦ୍ଧବ ଠାକରେ) ଓ ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ) ପକ୍ଷରୁ ଆୟୋଜିତ ବିଜୟ ରାଲିରେ ଉଭୟ ପରସ୍ପର ସହ ହାତ ମିଳାଇଛନ୍ତି।

Advertisment

ଏହି ବିଜୟ ଉତ୍ସବର ନାଁ ଆୱାଜ ମରାଠିଚା ବା ମରାଠୀଙ୍କ ସ୍ୱର ରଖାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ଦୁଇ ଭାଇ ଏକାଠି ହୋଇଛନ୍ତି ଓ ୨୦୦୫ ପରେ ଏକାଠି କୌଣସି ମଞ୍ଚରେ ପରସ୍ପରକୁ ଆଲିଙ୍ଘନ କରିଛନ୍ତି।

ମହାରାଷ୍ଟ୍ରର ପ୍ରାଥମିକ ସ୍କୁଲରେ ବିଜେପି ନେତୃତ୍ୱାଧୀନ ମହାୟୁତି ସରକାର ହିନ୍ଦୀକୁ ତୃତୀୟ ବାଧ୍ୟତାମୂଳକ ଭାଷ ଭାବେ ଲାଗୁ କରିଥିଲେ। କିନ୍ତୁ ଏହାକୁ ପ୍ରବଳ ବିରୋଧ ହେବାରୁ ସରକାର ନିୟମ ପ୍ରତ୍ୟାହାର କରି ନେଇଛନ୍ତି। ଠାକରେ ବ୍ରଦର୍ସ ହିନ୍ଦୀକୁ ବାଧ୍ୟତାମୂଳକ କରାଯିବାରୁ ମିଳିତ ଭାବେ ବିରୋଧ କରିଥିଲେ। ସେମାନଙ୍କ ଚାପରେ ସରକାର ନିୟମ ବଦଳାଇଥିବା ଅନୁଭବ କରି ଆଜି ଠାକରେ ବ୍ରଦର୍ସ ବିଜୟ ଉତ୍ସବ ପାଳିଛନ୍ତି।

Advertisment

ଷ୍ଟେଜ ଉପରେ ରାଜ ଠାକରେ ଆଜି ବଡ଼ କଥା କହିଛନ୍ତି। ସେ କହିଛନ୍ତି, “ବାଲ ଠାକରେ ଯାହା କରି ପାରି ନଥିଲେ, ଅନ୍ୟ କେହି ଯାହା କରି ପାରି ନଥିଲେ, ସେକଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କରି ପାରିଛନ୍ତି। ଫଡନାଭିସଙ୍କୁ ଯୋଗୁ ଆମେ ଆଜି ଏକାଠି ହୋଇ ପାରିଛୁ। ଆପଣଙ୍କ ପାଖରେ ବିଧାନସଭାରେ କ୍ଷମତା ରହିପାରେ, କିନ୍ତୁ ଆମର ପାୱାର ରାସ୍ତାରେ ରହିଛି।

ଆପଣ ଏହି ୩ ଭାଷା ଫର୍ମୁଲା କେଉଁଠୁ ଆଣିଲେ? ଏହି ଫର୍ମୁଲା କେନ୍ଦ୍ର ସରକାରଙ୍କ ଠାରୁ ଆସିଛି। ହାଇକୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟରେ ଇଂରାଜୀ ଚାଲିଛି। ଅନ୍ୟ କେଉଁ ରାଜ୍ୟରେ ଏପରି ଫର୍ମୁଲା ନାହିଁ। କାହିଁକି କେବଳ ମହାରାଷ୍ଟ୍ରରେ ଏହାକୁ ଲାଗୁ କରାଯାଉଥିଲା? ଯେତେବେଳେ ମହାରାଷ୍ଟ୍ର ଉଠିବ, ଆପଣମାନେ ଦେଖିବେ କ’ଣ ହେବ?”

ଆଗକୁ ବ୍ରିହାନ ମୁମ୍ବାଇ କର୍ପୋରେସନ ବା ବିଏମସି ନିର୍ବାଚନ ରହିଛି। ଏହାପୂର୍ବରୁ ଠାକରେ ବ୍ରଦର୍ସ ଏକାଠି ହେବା ରାଜନୀତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରୁଛି। ରାଜ ଠାକରେ କହିଛନ୍ତି, “ହିନ୍ଦୀ ଗୋଟିଏ ୨୦୦ ବର୍ଷ ପୁରୁଣା ଭାଷା। ଲୋକମାନେ ମରାଠୀ କହିବା ଦରକାର। ଏହାକୁ ନେଇ ବତର୍କ ତୁଚ୍ଛ। ଯଦି କେହି ଡ୍ରାମା କରିବେ, ତା’ହେଲେ ସେମାନଙ୍କୁ ଚାପୁଡ଼ା ବାଜିବ। କିନ୍ତୁ ଲୋକଙ୍କୁ ମାଡ଼ ମାରିବାର ଆବଶ୍ୟକତା ଏବେ ନାହିଁ।”

ବଡ଼ ସଙ୍କେତ ଦେଲେ ଉଦ୍ଧବ ଠାକରେ

ରାଜ ଠାକରେଙ୍କ ଅଗ୍ନିବର୍ଷୀ ଭାଷଣ ପରେ ଉଦ୍ଧବ ଠାକରେ ନିଜର ଚିରାଚରିତ ଶାନ୍ତ ସ୍ୱଭାବ ଢଙ୍ଗରେ ମତ ରଖିଛନ୍ତି। ସେ କହିଛନ୍ତି, “ଅନେକ ବର୍ଷ ପରେ ରାଜ ଓ ମୁଁ ଗୋଟିଏ ମଞ୍ଚରେ ପରସ୍ପରକୁ ଭେଟିଛୁ। ସମସ୍ୟା ହେଉଛି ସେ ମୋତେ ସମ୍ମାନୀୟ ଉଦ୍ଧବ ଠାକରେ କହିଛନ୍ତି। ତେଣୁ ମୁଁ ମଧ୍ୟ ତାଙ୍କୁ କହିବାକୁ ଚାହୁଁଛି ଯେ ସମ୍ମାନୀୟ ରାଜ ଠାକରେ। ମରାଠୀ ପାଇଁ ଦଳ ଭାଗ ହୋଇଥିଲା ବୋଲି ବୋଧେ ସମସ୍ତେ ଭୁଲି ଯାଇଛନ୍ତି। ଏବେ ଗୋଟିଏ କଥା ସ୍ପଷ୍ଟ ହୋଇଛି। ଆମ ଭିତରେ ଥିବା ଦୂରତାକୁ ଆମେ ଦୂର କରିଛୁ। ଆମେ ଏକାଠି ହୋଇଛି ଓ ଆମେ ଏକାଠି ରହିବୁ।”

ଶେଷ ଥର ପାଇଁ ୨୦୦୫ରେ ରାଜ ଠାକରେ ଓ ଉଦ୍ଧବ ଠାକରେଙ୍କୁ ଏକାଠି ମାଲବନ ବିଧାନସଭା ଉପ ନିର୍ବାଚନର ପ୍ରଚାର ବେଳେ ଦେଖିବାକୁ ମିଳିଥିଲା। ସେତେବେଳେ ଶିବ ସେନା ଗୋଟିଏ ହୋଇ ରହିଥିଲା। ବରିଷ୍ଠ ଶିବସେନା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଦଳ ଛାଡ଼ି ଦେଇଥିଲେ। ଆଭ୍ୟନ୍ତରୀଣ କନ୍ଦଳ ଯୋଗୁ ସେ ଦଳ ଛାଡ଼ିବାରୁ ମାଲବନରେ ଉପ ନିର୍ବାଚନ ହୋଇଥିଲା।

ଉପ ନିର୍ବାଚନର ପ୍ରଚାର ପରେ ରାଜ ଠାକରେ ଶିବସେନାରୁ ଅଲଗା ହୋଇ ଯାଇଥିଲେ। ୨୦୦୫ ନଭମ୍ବର ମାସରେ ରାଜ ଠାକରେ ଶିବାଜୀ ପାର୍କରେ ଆୟୋଜନ କରିଥିବା ପ୍ରେସ କନଫରେନ୍ସରେ ବେଶ ଭାବବିହ୍ୱଳ ହୋଇଯାଇଥିଲେ। ନିଜର ଦାଦା ବାଲ ଠାକରେ ପ୍ରତିଷ୍ଠା କରିଥିବା ଦଳରୁ ସେ ଇସ୍ତଫା ଦେଇଥିବା ସମସ୍ତଙ୍କୁ ଜଣାଇଥିଲେ। ରାଜ ଠାକରେ ସିଧା ସଳଖ ଉଦ୍ଧବ ଠାକରେଙ୍କ ନାଁ ନ ନେଇ କହିଥିଲେ, “ମୁଁ କେବଳ ସମ୍ମାନ ଚାହୁଁଥିଲି। ମୋତେ ଅପମାନିତ ଓ ଦୁର୍ବ୍ୟବହାର କାଗଲା।”

୨୦୦୩ ଜାନୁଆରୀ ମାସରେ ବାଲ ଠାକରେ ତାଙ୍କ ପୁଅ ଉଦ୍ଧବ ଠାକରେଙ୍କୁ ଶିବସେନାର କାର୍ଯ୍ୟକାରୀ ସଭାପତି କରାଇଥିଲେ। ରାଜ ଠାକରେ ହିଁ ଏକଥା ଘୋଷଣା କରିଥିଲେ। ଏହାପୂର୍ବରୁ ସମସ୍ତେ ଆଶା କରିଥିଲେ ଯେ ବାଲ ସାହେବ ଠାକରେଙ୍କ ଉତ୍ତରାଧିକାରୀ ରାଜ ଠାକରେ ହେବେ। କିନ୍ତୁ ସେ ଉଦ୍ଧବଙ୍କୁ ବାଛିଥିଲେ।

ଉଦ୍ଧବ ଠାକରେ ଶିବସେନାର ଦାୟିତ୍ୱ ପାଇବା ପରେ ରାଜ ଠାକରେ ଓ ତାଙ୍କ ସମର୍ଥକଙ୍କୁ କୋଣଠେସା କରାଯାଇଥିଲା। ଟିକେଟ ବିତରଣରେ ସ୍ୱଚ୍ଛତା ରହି ନଥିଲା। ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଶେଷରେ ଉଦ୍ଧବ ଓ ରାଜ ଠାକରେ ଅଲଗା ହୋଇ ଯାଇଥିଲେ।

Uddhav Thackeray Raj Thackeray Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe