୨୦୧୯ ସାଧାରଣ ନିର୍ବାଚନ ପରଠୁ ‘କେନ୍ଦ୍ରୀୟ ଅବହେଳା’ ପ୍ରସଙ୍ଗରୁ ଦୂରେଇ ଯାଇଥିବା ବିଜେଡି ଏବେ ନିଜର ତ୍ରୁଟି ସୁଧାରିଛି । ନିଜର ଦୀର୍ଘ ଦେଢ଼ ଦଶନ୍ଧିର ମୁଖ୍ୟ ପ୍ରସଙ୍ଗ ‘କେନ୍ଦ୍ରୀୟ ଅବହେଳା’କୁ ଦଳ ପୁଣିଥରେ ଏଜେଣ୍ଡା କରି ଲୋକଙ୍କ ପାଖକୁ ଯିବାକୁ ନିଷ୍ପତ୍ତି ନେଇଛି । ତେବେ ଏହି କେନ୍ଦ୍ରୀୟ ଅବହେଳାକୁ ନେଇ ବିଜେଡି ଏବେ ଆକ୍ରମଣାତ୍ମକ ପରିବର୍ତ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଛି । ବିଭିନ୍ନ ଦୁର୍ନୀତିର ସିବିଆଇ ତଦନ୍ତର ଭୟ ଯୋଗୁ ବିଜେଡି ଗତ ସାଢ଼େ ୪ବର୍ଷ ଧରି ‘କେନ୍ଦ୍ରୀୟ ଅବହେଳା’ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭାବେ ଶୀତଳଭଣ୍ଡାରରେ ପକାଇ ରଖିଥିଲା । ଏବେ ସାଧାରଣ ନିର୍ବାଚନ ଥିବାରୁ ଦଳ ‘କେନ୍ଦ୍ରୀୟ ଅବହେଳା’କୁ ପ୍ରସଙ୍ଗ କରିଛି ।
ଏହାସହିତ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନିଜର ଭାବମୂର୍ତ୍ତି(ବିଜେପି ସହ ଗୋପନ ବୁଝାମଣା) ସଜାଡ଼ିବାକୁ ବି ପ୍ରୟାସ ଆରମ୍ଭ କରିଛି । ସମଦୂରତ୍ୱ କଥା କହୁଥିବା ବିଜେଡି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଉପରେ ପଡ଼ି ସମର୍ଥନ ଦେଇ ରାଜ୍ୟରେ ଭୋଟରଙ୍କ ମନରେ ଦ୍ୱନ୍ଦ୍ୱ ବଢ଼ାଇ ଆସିଥିଲା । ଏବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଆଜି ନିଜର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ‘କେନ୍ଦ୍ରୀୟ ଅବହେଳା’କୁ ପ୍ରସଙ୍ଗ କରିବ ବୋଲି ପ୍ରସ୍ତାବ ପାରିତ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ରାଜ୍ୟ ବିଜେପି ‘କେନ୍ଦ୍ରୀୟ ଅବହେଳା’ ଅଭିଯୋଗକୁ ଖାରଜ ଓଡ଼ିଶାକୁ ମୋଦି ସରକାର ଅମଳରେ ଆବଶ୍ୟକତାଠୁ ଅଧିକ ମିଳିଛି ବୋଲି କହିଛି ।
ବିଜେଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶଙ୍ଖ ଭବନରେ ଆୟୋଜିତ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ମୋଟ ୧୧ଟି ରାଜନୀତିକ ପ୍ରସ୍ତାବ ସମେତ ସାମାଜିକ ଓ ସାଂଗଠନିକ ପ୍ରସ୍ତାବକୁ ମିଶାଇ ୩୨ଟି ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସ୍ତାବ ମଧ୍ୟରେ ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ଯେପରି ତା’ର ନ୍ୟାଯ୍ୟ ଦାବି ହାସଲ କରିବ ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି ବୈଠକରେ ପ୍ରସ୍ତାବ ପାରିତ ହୋଇଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନିରବତା, କୋଇଲା ରାୟାଲଟି ବୃଦ୍ଧି, ଗ୍ରୀନ୍ ସେସ୍ ପ୍ରଦାନ, ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ, ଗରିବ କେନ୍ଦୁପତ୍ର ତୋଳାଳୀଙ୍କ ଉପରୁ ଜିଏସଟି ବୋଝ ହ୍ରାସ, ଖାଉଟି ଦର ବୃଦ୍ଧି ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ଦଳ ପକ୍ଷରୁ ପଦକ୍ଷେପ ନିଆଯିବ । ଏସବୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଦଳ ନିଷ୍ପତ୍ତି ନେଇଛି ।
ତେବେ ପ୍ରଶ୍ନ ଉଠୁଛି, କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଦଳ କାହିଁକି ପୁଣିଥରେ ସକ୍ରିୟ କରାଇଲା । ସାଧାରଣ ନିର୍ବାଚନକୁ ଆଉ ମାତ୍ର ୩-୪ମାସ ବାକି ଥିବାବେଳେ ବିଜେପି ପ୍ରତି ବିଜେଡିର ନରମ ଆଭିମୁଖ୍ୟକୁ ନେଇ ରାଜ୍ୟରେ ଭୋଟରମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱାତ୍ମକ ପରିବେଶ ସୃଷ୍ଟି ହୋଇଛି । ଏହାସହିତ ଜାତୀୟସ୍ତରରେ ବି ବିଜେଡିକୁ ବିଜେପିର ବି-ଟିମ୍ ଭାବେ ପ୍ରମୁଖ ବିରୋଧୀ ଦଳ ସମ୍ବୋଧିତ କରୁଥିବାରୁ ଦଳ ନିଜର ଭାବମୂର୍ତ୍ତି ସୁଧାରିବାକୁ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ତେବେ ବିଜେଡି ନିଜର ଚିରାଚରିତ ‘କେନ୍ଦ୍ରୀୟ ଅବହେଳା’ ପ୍ରସଙ୍ଗରୁ ଓହରି ଯିବାପରେ ଗଣମାଧ୍ୟମରେ ଦଳକୁ ବେଶ୍ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ।