Advertisment

ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ୍ ନୁହେଁ କାମଚଳା ବଜେଟ ଆଣିବେ ବିଜେପି ସରକାର

ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବା ପୂର୍ବରୁ ଲେଖାନୁଦାନ ଆଗତ କରାଯିବ।

author-image
Ordigital Desk
ଅଦ୍ୟତନ ହୋଇଛି
CM

CM

ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଆସନ୍ତା ଜୁଲାଇ ମାସରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ(ଲେଖାନୁଦାନ) ବିଧାନସଭାରେ ଉପସ୍ଥାପନ କରିବେ । ପ୍ରଥମଥର ପାଇଁ ସରକାର ଗଢ଼ିଥିବା ବିଜେପି ନିଜର ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ ନିମନ୍ତେ ଚଳିତ ଆର୍ଥିକ ବର୍ଷରେ ପୂର୍ଣ୍ଣାଙ୍ଗ ବଜେଟ ଆଣିବା ପାଇଁ ବିଳମ୍ବ ହେବ ବୋଲି ଜଣାପଡ଼ିଛି।

Advertisment

ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବା ପୂର୍ବରୁ ଲେଖାନୁଦାନ ଆଗତ କରାଯିବ । ପୂର୍ବର ସରକାର ଚଳିତ ଆର୍ଥିକ ବର୍ଷର ଜୁଲାଇ ମାସ ପର୍ଯ୍ୟନ୍ତ ଲେଖାନୁଦାନ(କାମଚଳା ବଜେଟ) ଆଗତ କରିଥିଲେ । ଆମେ ଆଉ ଏକ ଲେଖାନୁଦାନ ଆଗତ କରିବୁ । ତା’ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଗୃହରେ ଆସିବ । ସଂସଦରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପରେ ହିଁ ଓଡ଼ିଶାରେ ବିଜେପି ସରକାର ନିଜର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ । କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ ପାଣ୍ଠି ଆବଂଟନକୁ ଦେଖିବା ପରେ ରାଜ୍ୟ ବଜେଟ୍ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।

ଶ୍ରୀ ସିଂହଦେଓ ଜିଏସଟି କାଉନସିଲ ବୈଠକ ଓ କେନ୍ଦ୍ରୀୟ ପ୍ରାକ୍ ବଜେଟ ଆଲୋଚନା ଉପରେ ରାଜ୍ୟ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବାକୁ ଆଜି ନୂଆଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ସ୍ନାନ ଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ତାଙ୍କ ବଦଳରେ ଶ୍ରୀ ସିଂହଦେଓ ଦିଲ୍ଲୀରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ ।

Advertisment

ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ବିଜେଡି ସରକାର ଫେବୃୟାରୀ ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪ମାସିଆ ଲେଖାନୁଦାନ(କାମଚଳା ବଜେଟ) ଉପସ୍ଥାପିତ କରିଥିଲେ । ଏହି କାମଚଳା ବଜେଟର ଅବଧି ଜୁଲାଇ ୩୧ରେ ଶେଷ ହେଉଥିବାରୁ ତା’ପୂର୍ବରୁ ବିଧାନସଭାରେ ଆଉ ଏକ କାମଚଳା ବଜେଟକୁ ବିଜେପି ସରକାରଙ୍କୁ ଗୃହୀତ କରାଇବାକୁ ପଡ଼ିବ ।

Bjp