Advertisment

ଏବେ ମନେପଡ଼ିଲେ ଆଦିବାସୀ: ଆସିବ ‘ଲାଭ’ ଯୋଜନା, ନିଜ ନିଷ୍ପତ୍ତିରୁ ଓହରିଲେ କ୍ୟାବିନେଟ୍‌

ଆଜି କ୍ୟାବିନେଟ୍ ବୈଠକ ଡାକି ନିଜେ ୩ମାସ ତଳେ ନେଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି

author-image
Ordigital Desk
undefined

Loka Seva Bhavan

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ କ୍ଷମତାସୀନ ବିଜେଡି ସରକାର ‘ଆଦିବାସୀ ସଶକ୍ତିକରଣ’ କାର୍ଡ ଖେଳିଛନ୍ତି । ଆଜି କ୍ୟାବିନେଟ୍ ବୈଠକ ଡାକି ନିଜେ ୩ମାସ ତଳେ ନେଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି । ଆଉ ଆଦିବାସୀଙ୍କ ନିମନ୍ତେ ‘ଲାଭ’ ନାମରେ ଏକ ନୂଆ ଯୋଜନା ଆଣିବା ନିଷ୍ପତ୍ତି ଉପରେ କ୍ୟାବିନେଟ୍ ମୋହର ବାଜିଛି । ତେବେ ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର ପାଇଁ ରାଜ୍ୟ କ୍ୟାବିନେଟ୍ ଗତ ନଭେମ୍ବର ୧୪ତାରିଖରେ କାହିଁକି ନିଷ୍ପତ୍ତି ନେଇଥିଲେ ଓ କାହା ସ୍ୱାର୍ଥ ରକ୍ଷା ପାଇଁ ଏହି ନିଷ୍ପତ୍ତିକୁ ପ୍ରାୟ ୩ମାସ ଧରି ଝୁଲାଇ ରଖିଥିଲେ ତାକୁ ନେଇ ସରକାରଙ୍କ ଭୂମିକା ସନ୍ଦେହଘେରରେ ରହିଥିବା ଚର୍ଚ୍ଚା ହେଉଛି । ଆଉ ଏବେ ଆଦିବାସୀଙ୍କୁ ଲଘୁ ବନଜାତ ଦ୍ରବ୍ୟ କ୍ରୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଦେବାକୁ ନିଷ୍ପତ୍ତି ନେଇଥିବା ରାଜ୍ୟ ସରକାର କାହିଁକି ଗତ ୨୩ବର୍ଷ ଧରି ଆଦିବାସୀଙ୍କ ପେଟ ଉପରେ ନାତ ମାରି ଚାଲିଥିଲେ ତାହା ଅସ୍ପଷ୍ଟ ।

Advertisment

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ବୈଠକରେ ମୋଟ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ସମସ୍ତ ପ୍ରସ୍ତାବ ଅନୁସୂଚିତ ଜନଜାତି(ଆଦିବାସୀ) ବର୍ଗକୁ ଆକୃଷ୍ଟ କରିବା ନିମନ୍ତେ ଉଦ୍ଦିଷ୍ଟ ଥିବା ଜଣାପଡ଼ିଛି । କ୍ୟାବିନେଟ୍ ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅନୁସୂଚିତ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ରୂପାରୋଶନ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ରାଜ୍ୟର ପ୍ରାୟ ଏକ କୋଟି ଆଦିବାସୀ ବର୍ଗର ଲୋକଙ୍କ ବିକାଶ ଓ ସଶକ୍ତିକରଣ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ‘ଲଘୁ ବନଜାତ ଦ୍ରବ୍ୟ କ୍ରୟ(ଲାଭ)’ ନାମରେ ଏକ ଯୋଜନା କାର୍ଯ୍ୟକାରୀ ହେବ, ଯାହାକି ଶତପ୍ରତିଶତ ରାଜ୍ୟ ସରକାରଙ୍କ ଅର୍ଥରେ ପରିଚାଳିତ ହେବ । ରାଜ୍ୟ ସରକାର ପ୍ରତିବର୍ଷ ଲଘୁ ବନଜାତ ଦ୍ରବ୍ୟ କ୍ରୟ ପାଇଁ  ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ନିର୍ଦ୍ଧାରଣ କରିବେ।

ଏହି ଯୋଜନାରେ ଆଦିବାସୀମାନେ ଜଙ୍ଗଲରୁ ସଂଗୃହୀତ ନିଜର ଲଘୁବନଜାତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଟିଡିସିସିଓଏଲକୁ ବିକ୍ରି କରିପାରିବେ ଅବା ଟିଡିସିସିଓଏଲ୍ ଏହାକୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ କ୍ରୟ କରିବ । ଏବେ ପ୍ରାୟ ଏକହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ୩୦ହଜାରରୁ ଅଧିକ ଆଦିବାସୀ ଏହି ଲଘୁ ବନଜାତ ତ୍ରବ୍ୟ ସଂଗ୍ରହକାରୀ ଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ଧାନ କ୍ରୟ ଭଳି ଆଦିବାସୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପି-ପାସ୍ ସିଷ୍ଟମରେ ସେମାନେ ବିକ୍ରି କରିଥିବା ଲଘୁ ବନଜାତ ଦ୍ରବ୍ୟର ମୂଲ୍ୟ ପ୍ରଦାନ କରାଯିବ । ଏହି ‘ଲାଭ’ ଯୋଜନା ଯୋଗୁ ଆଦିବାସୀମାନେ ଆଉ ଦଲାଲଙ୍କ ଭୂମିକା ରହିବ ନାହିଁ କିମ୍ବା ଅଭାବୀ ବିକ୍ରିର ସମ୍ମୁଖୀନ ହେବେନି ।

Advertisment

ସେହିପରି ରେଗୁଲେସନ ୨-୧୯୫୬ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରି ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର ପାଇଁ ଗତବର୍ଷ ନଭେମ୍ବର ୧୪ତାରିଖରେ ନେଇଥିବା ନିଷ୍ପତ୍ତିରୁ ଆଜି ଓହରି ଯାଇଛନ୍ତି । ଯଦିଓ ସେତେବେଳେ କ୍ୟାବିନେଟର ଏହି ନିଷ୍ପତ୍ତିକୁ ନେଇ ହୋ-ହାଲ୍ଲା ହେବା ଓ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଛଘୁଂଚା ଦେଇଥିଲେ । ଏହି ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଗଲା ବୋଲି ସରକାର ସୂଚନା ଦେଇଥିଲେ । ମାତ୍ର କ୍ୟାବିନେଟଙ୍କ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ପୁଣିଥରେ କ୍ୟାବିନେଟରେ ଉପସ୍ଥାପନ କରିନଥିଲେ । ତେବେ ଗତ ୧୪ତାରିଖର ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ଆଜି ନିଷ୍ପତ୍ତି ନିଆଯାଇଛି । ଯାହାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ତେବେ କ୍ୟାବିନେଟ୍ ନିଷ୍ପତ୍ତିକୁ ପ୍ରତ୍ୟାହାର ବା ବାତିଲ ପାଇଁ ସରକାର କାହିଁକି ୩ମାସ ସମୟ ନେଲେ ତାହା ବୁଝାପଡ଼ିନି ।
ସେହିପରି ଆଦିବାସୀଙ୍କ ଭାଷାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଏକ କମିଶନ ଗଠନ ନିମନ୍ତେ ଅନୁମୋଦନ କରିଛନ୍ତି । ଓଡ଼ିଶାରେ ଏବେ ୨୧ଟି ଆଦିବାସୀ ଭାଷା ରହିଛି ଓ ରାଜ୍ୟ ସରକାର ଏହାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଏହି କମିଶନ ମାଧ୍ୟମରେ ପଦକ୍ଷେପ ନେବେ ବୋଲି କ୍ୟାବିନେଟ୍ ବୈଠକରୁ ଜଣାପଡ଼ିଛି ।
ଅନ୍ୟ ଦୁଇଟି ପୁରୁଣା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ୍ ଆଜି ପୁଣି ମୋହର ବାଜିଛି । ରାଜ୍ୟର ଅନୁସୂଚିତ ଜନଜାତି ବର୍ଗରେ ୧୬୯ଟି ଜାତିକୁ ସାମିଲ୍ ପାଇଁ କ୍ୟାବିନେଟ୍ ସର୍ବସମ୍ମତି ସଂକଳ୍ପ ପାରିତ କରିଛନ୍ତି । ସେହିପରି ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରୀ, କୁଇ ଓ ସଉରା ଭାଷାକୁ ସାମିଲ ନିମନ୍ତେ ରାଜ୍ୟ କ୍ୟାବିନେଟରେ ସର୍ବସମ୍ମତ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଛି । ଏହି ଦୁଇଟି ପ୍ରସ୍ତାବକୁ ପୁଣିଥରେ ଦୋହରାଇ ରାଜ୍ୟ ସରକାର ଦୋହରାଇଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ସାଧାରଣ ନିର୍ବାଚନକୁ ଆଉ ମାତ୍ର ୨ମାସ ବାକି ଥିବାବେଳେ ରାଜ୍ୟ ସରକାର କାହିଁକି ଅଚାନକ ଆଦିବାସୀ ପ୍ରୀତି ଦେଖାଇ ହେଲେ । ଯେଉଁ ସରକାର ନିଜର ପଂଚମ ପାଳିରେ ପ୍ରାୟ ୪ବର୍ଷ ଧରି ‘ଆଦିବାସୀ ଉପଦେଷ୍ଟା କମିଟି’କୁ ପଙ୍ଗୁ କରି ରଖିଥିଲେ, ଏବେ ଭୋଟକୁ ଦେଖି ଆଦିବାସୀ କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି ।

Loka Seva Bhavan