Advertisment

କେନ୍ଦ୍ରର ତାଗିଦ୍ : ଯୋଗ୍ୟ ଅଫିସର ଥାଇବି ଅସ୍ଥାୟୀ ପୁଲିସ ଡିଜି କାହିଁକି?

ଯୋଗ୍ୟ ପୁଲିସ ଅଫିସର ଥାଇ ମଧ୍ୟ ରାଜ୍ୟ ସରକାର କାହିଁକି ପୂର୍ଣ୍ଣକାଳୀନ ପୁଲିସ ଡିଜି ନିଯୁକ୍ତି ଦେଉନାହାନ୍ତି?

IPS

IPS

Advertisment

ଯୋଗ୍ୟ ପୁଲିସ ଅଫିସର ଥାଇ ମଧ୍ୟ ରାଜ୍ୟ ସରକାର କାହିଁକି ପୂର୍ଣ୍ଣକାଳୀନ ପୁଲିସ ଡିଜି ନିଯୁକ୍ତି ଦେଉନାହାନ୍ତି ସେ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କାହିଁକି ଅସ୍ଥାୟୀ ପୁଲିସ ଡିଜି ନିଯୁକ୍ତି ଦିଆଯାଇଛି ବୋଲି ଓଡ଼ିଶା ସରକାରଙ୍କୁ ଚିଠି ଲେଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରଶ୍ନ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବାରୁ କେନ୍ଦ୍ର ସରକାର ଏନେଇ ଓଡ଼ିଶା ସମେତ ମୋଟ ୭ଟି ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ତାଗିଦ୍ କରିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଗତ ସପ୍ତାହରେ ଓଡ଼ିଶା ସମେତ ମୋଟ ୭ଟି ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଚିଠି ଲେଖି ଯୋଗ୍ୟ ଅଫିସର ଥିବା ସତ୍ତ୍ୱେ କାହିଁକି ସ୍ଥାୟୀ ଡିଜିପି ନିଯୁକ୍ତି ଦିଆଯାଉନି ବୋଲି ଜାଣିବାକୁ ଚାହିଁଛନ୍ତି । ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ଡିଜିପି ନିଯୁକ୍ତିକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ରାୟକୁ ଦୃଷ୍ଟିରେ ରଖି ‘କାର୍ଯ୍ୟକାରୀ ଡିଜିପି’ ନିଯୁକ୍ତିରୁ ଦୂରେଇ ରହିବା ଉଚିତ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟଗୁଡ଼ିକ ନିୟମିତ ଡିଜିପି ନିଯୁକ୍ତି ଅତିକମରେ ୨ବର୍ଷ ପାଇଁ ଦେବା ଜରୁରୀ । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡରେ ଏବେ ସ୍ଥାୟୀ ଡିଜିପି ବଦଳରେ ଦୀର୍ଘଦିନ ଧରି ଅସ୍ଥାୟୀ ଡିଜି ରହିଛନ୍ତି । ଡିଜିଙ୍କ ଅବସରର ଅତିକମରେ ୬ମାସ ପୂର୍ବରୁ ନୂଆ ଡିଜିପି ନିଯୁକ୍ତିକୁ ନେଇ ଲୋକସେବା ଆୟୋଗ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ କରିବାର ପ୍ରାବଧାନ ରହିଛି । ତେବେ ରାଜ୍ୟଗୁଡ଼ିକ ନିର୍ଦ୍ଧାରିତ ଫର୍ମାଟରେ ପ୍ରସ୍ତାବ ଦେଉନଥିବାରୁ ଲୋକସେବା ଆୟୋଗ କିଛି ପଦକ୍ଷେପ ନେଇପାରୁନାହାନ୍ତି କିମ୍ବା ସ୍ଥାୟୀ ପୁଲିସ ମୁଖିଆ ନିଯୁକ୍ତି ସମ୍ଭବପର ହେଉନଥିବା ଦର୍ଶାଯାଇଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାର ୨୦୨୩ ଡିସେମ୍ବର ୩୦ତାରିଖରେ ରାଜ୍ୟର କାର୍ଯ୍ୟକାରୀ ଡିଜି ଭାବେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦେଇଥିଲେ । ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ଶେଷ ହୋଇଥିଲା । ରାଜ୍ୟର ୭ଜଣ ଆଇପିଏସଙ୍କ ବରିଷ୍ଠତାକୁ ପଛରେ ପକାଇ ରାଜ୍ୟ ସରକାର ଶ୍ରୀ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ଡିଜି ପଦରେ ଆସୀନ କରାଇଛନ୍ତି।

Advertisment

ତେବେ ରାଜ୍ୟ ଗୃହ ବିଭାଗ ସୂତ୍ର ଅନୁସାରେ, ପୁଲିସ ଡିଜି ଚୟନ ନିମନ୍ତେ ରାଜ୍ୟ ସରକାର ପ୍ରସ୍ତାବ ପଠାଇଥିବା ସତ୍ତ୍ୱେ କେନ୍ଦ୍ର ଲୋକସେବା ଆୟୋଗଙ୍କ ଦ୍ୱାରା ଡିଜିପି ପଦବୀ ନିମନ୍ତେ ୩ଜଣିଆ ସମ୍ଭାବ୍ୟ ଅଧିକାରୀଙ୍କ ନାଁ ଚୂଡ଼ାନ୍ତ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇପାରିନି । ଅବଶ୍ୟ ଆୟୋଗଙ୍କୁ ଦିଆଯାଇଥିବା ପ୍ରସ୍ତାବ ଅସମ୍ପୂର୍ଣ୍ଣ ଥିବାରୁ ଏପର୍ଯ୍ୟନ୍ତ ବୈଠକ ଡାକିନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ଦେଢ଼ମାସରୁ ଅଧିକ ସମୟ ଧରି ରାଜ୍ୟରେ ସ୍ଥାୟୀ ଡିଜିପି ନାହାନ୍ତି। ଅରୁଣ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର କାର୍ଯ୍ୟକାରୀ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁରୂପ ୨ବର୍ଷ ପାଇଁ ସ୍ଥାୟୀ ଡିଜିପି ନିଯୁକ୍ତି ଦେବାରେ ଓଡ଼ିଶା ସରକାର ବିଫଳ ହୋଇଥିବା ଜଣାପଡ଼ିଛି।

BjD Bjp Ips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe