ଜିଲ୍ଲାପାଳଙ୍କୁ ଦିଆଯାଇଛି ଟଙ୍କା, ୫ଦିନ ସୁଦ୍ଧା ଚାଷୀଙ୍କୁ ମିଳିବ କ୍ଷତିପୂରଣ : ରାଜସ୍ୱ ମନ୍ତ୍ରୀ

ଚାଷୀଙ୍କୁ କ୍ଷତିପୂରଣ ଦେବା ପ୍ରକ୍ରିୟା ସରକାର ଆରମ୍ଭ କରିସାରିଛନ୍ତି । ଆସନ୍ତା ୪-୫ ଦିନ ଭିତରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏହି ସହାୟତା ରାଶି ବଂଟନ କାର୍ଯ୍ୟ ଶେଷ ହେବ ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

  • Published: Tuesday, 07 January 2025
  • , Updated: 07 January 2025, 08:31 PM IST

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆସନ୍ତା ୪-୫ଦିନ ମଧ୍ୟରେ କ୍ଷତିପୂରଣ ରାଶି ମିଳିବ । ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟ ଆଧାରରେ ରାଜ୍ୟ ସରକାର ୨୯୨.୫୯କୋଟି ଟଙ୍କା କ୍ଷତିପୂରଣ ରାଶି  ମଞ୍ଜୁର କରିଛନ୍ତି । ଏହି କ୍ଷତିପୂରଣ ଟଙ୍କା ଜାନୁୟାରୀ ୩ତାରିଖରେ ଜିଲ୍ଲାପାଳମାନଙ୍କୁ ଅନଲାଇନରେ ଟ୍ରାନ୍ସଫର କରାଯାଇଛି । ସେମାନେ କ୍ଷତିଗ୍ରସ୍ତ ଚାଷୀଙ୍କ ଡାଟାବେସ୍ ଦେଖି ତହସିଲଦାର ଓ ରାଜସ୍ୱ ଅଧିକାରୀଙ୍କ ସହଯୋଗରେ ରିଲିଫ କୋଡ୍ ଆଧାରରେ ଏହି କ୍ଷତିପୂରଣ ରାଶି ପ୍ରଦାନ କରିବେ । ଆଜି ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ । ଚାଷୀଙ୍କୁ କ୍ଷତିପୂରଣ ଦେବାରେ କାହିଁକି ବିଳମ୍ବ ହେଉଛି ବୋଲି ବିରୋଧୀ ଦଳର ଦାବି ଉପରେ ପ୍ରତିକ୍ରିୟା ରଖି ଶ୍ରୀ ପୂଜାରୀ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ଚାଷୀଙ୍କୁ କ୍ଷତିପୂରଣ ଦେବା ପ୍ରକ୍ରିୟା ସରକାର ଆରମ୍ଭ କରିସାରିଛନ୍ତି । ଆସନ୍ତା ୪-୫ ଦିନ ଭିତରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏହି ସହାୟତା ରାଶି ବଂଟନ କାର୍ଯ୍ୟ ଶେଷ ହେବ । ଅଦିନିଆ ବର୍ଷାରେ ଫସଲ ୧୪ଟି ଜିଲ୍ଲାରେ ବ୍ୟାପକ ଓ ୨ଟି ଜିଲ୍ଲାରେ ଆଂଶିକ କ୍ଷତି ହୋଇଛି । ଜିଲ୍ଲାପାଳମାନେ ଡିସେମ୍ବର ୩୦ତାରିଖରେ ସରକାରଙ୍କୁ ରିପୋର୍ଟ ଦେଇଥିଲେ ଓ ୨୯୨ କୋଟି ଟଙ୍କା ଫସଲ କ୍ଷୟକ୍ଷତି ହୋଇଛି ବୋଲି ଦର୍ଶାଇଥିଲେ। ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ସରକାର ଜାନୁୟାରୀ ୩ତାରିଖରେ ଅନଲାଇନରେ ଏହି ୨୯୨କୋଟି ଟଙ୍କାକୁ ଜିଲ୍ଲାକୁ ପଠାଇ ଦେଇସାରିଛନ୍ତି। ଏହି ଟଙ୍କା ଚାଷୀଙ୍କୁ ବଂଟନ ପ୍ରକ୍ରିୟା ଆରମ୍ଭ ହେଲାଣି । ୫ଦିନ ମଧ୍ୟରେ ରାଜସ୍ୱ ବିଭାଗର ଏହି କ୍ଷତିପୂରଣ ରାଶି ଚାଷୀଙ୍କ ପାଖରେ ପହଂଚିଯିବ । ରିଲିଫ କୋଡ୍ ଆଧାରରେ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୫ହଜାର ଟଙ୍କା ଓ ଅଣଜଳସେଚିତ ଜମି ବାବଦରେ ହେକ୍ଟର ପିଛା ୭୫୦୦ଟଙ୍କା କ୍ଷତିପୂରଣ ଦିଆଯିବ । ଭାଗଚାଷୀଙ୍କ ପାଇଁ କୌଣସି ଆଇନ ନାହିଁ । ଆଗାମୀ ଦିନରେ ଆଇନ ଆସିବ କି ନାହିଁ ସେବାବଦରେ ଅଂଶୀଦାରମାନଙ୍କ ସହ ଆଲୋଚନା କରାଯିବ ଓ ଏ ଦିଗରେ ବିତର୍କର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।

ଅଦିନିଆ ବର୍ଷାରେ ଧାନ, ପନିପରିବା, ଚିନାବାଦାମ ଓ କପା ଆଦି ଫସଲ ନଷ୍ଟ ହୋଇଛି । ୧୬ଟି ଜିଲ୍ଲାର ପ୍ରାୟ ୬ଲକ୍ଷ ୬୬ହଜାର ୭୨୦ଜଣ ଚାଷୀଙ୍କର ୨ଲକ୍ଷ ୨୬ହଜାର ୭୯୧ ହେକ୍ଟର ଜମିରେ ଫସଲ କ୍ଷତି ହୋଇଛି ବୋଲି ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାରେ ସରକାର କାହିଁକି ବିଳମ୍ବ କରୁଛନ୍ତି ବୋଲି କହି ବିଜେଡି କଡ଼ା ସମାଲୋଚନା କରିଥିଲା । ବିଜେଡି ବିଧାୟକ ସାରଦା ନାୟକ କହିଥିଲେ ଯେ, ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ମିଳିଲା ନାହିଁ । ସରକାର ସହାୟତା ଦେବାକୁ ଘୋଷଣା କରିଥିଲେ କିନ୍ତୁ ଏବେ ସେକଥା ପାଳନ କରୁନାହାନ୍ତି । ଏ କେବଳ କଥାକୁହା ସରକାର । ସରକାର ଠିକରେ ଚାଲୁନାହିଁ ବୋଲି ଏଥିରୁ ସ୍ପଷ୍ଟ ।

ତେବେ ବିଜେଡିକୁ ପାଲଟା ଜବାବ ଦେଇ ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ କହିଛନ୍ତି ଯେ,ବିଜେଡି ଶାସନରେ ଚାଷୀ ଅଧିକ ଠକାମିର ଶିକାର ହୋଇଛନ୍ତି । ୧୦୦ଟଙ୍କା ବୋନସ ଦେବେ କହିଥିଲେ, ଦେଲେନି । ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ସରକାର ବ୍ୟସ୍ତ ଅଛନ୍ତି। କିନ୍ତୁ ମୋହନ ସରକାର ଯାହା ଘୋଷଣା କରିଛନ୍ତି ଚାଷୀଙ୍କ ପାଖରେ ତାହା ନିଶ୍ଚୟ ପହଂଚିବ ବୋଲି ସେ କହିଥିଲେ ।

Related story