ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ବୁଲିଥିବା ଅର୍ପଣ ରଥକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏହି ଅର୍ପଣ ରଥ ବୁଲି ସଂଗୃହୀତ ଚାଉଳ ଓ ଗୁଆ ବିଭିନ୍ନ ସ୍ଥାନରେ ପଡ଼ି ରହିବାକୁ ନେଇ ବିଜେପି ଓ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରି ରାଜ୍ୟ ସରକାରଙ୍କୁ କଡ଼ାଭାଷାରେ ସମାଲୋଚନା କରିଛନ୍ତି । କଂଗ୍ରେସ ଆଜି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣି ଅର୍ପଣ ରଥ ବୁଲିବା ଓ ପ୍ରଚାରବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତା’ର ହିସାବ ମାଗିଛି । ଏବାବଦରେ ଖର୍ଚ୍ଚ ପ୍ରାୟ ୨୫୦କୋଟି ଟଙ୍କାକୁ ହରିଲୁଟ୍ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହାସହିତ ଓଡ଼ିଆଙ୍କ ଅସ୍ମିତା ପ୍ରତି କୁଠାରଘାତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ କରିଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ।
କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନଗୋ ଓ ମୁଖପାତ୍ର ସୁଦର୍ଶନ ଦାସ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟ ସରକାର ଜାଣିଶୁଣି କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ପାଇଁ ରାଜ୍ୟତମାମ ଅର୍ପଣ ରଥ ବୁଲିଲାବେଳେ ଜଗନ୍ନାଥଙ୍କୁ ପିଲାଙ୍କ ଖେଳନାଠୁ ଆହୁରି ତୁଚ୍ଛ ଭାବରେ ପ୍ରଦର୍ଶିତ କରାଯାଇଛି । କେଉଁଠି ଡାଲା ଅଟୋ ଅବା କେଉଁଠି ଟାଟା ମ୍ୟାଜିକରେ ଶୋଲୋ ବା ଥର୍ମକଲରେ ଜଗନ୍ନାଥଙ୍କୁ ଅତ୍ୟନ୍ତ ବିକଳ ଭାବରେ ଚିତ୍ରିତ କରାଇ ବୁଲାଇବା କୋଟି କୋଟି ଓଡ଼ିଆଙ୍କୁ ବ୍ୟଥିତ କରିଛି । ଜଗନ୍ନାଥଙ୍କ ପ୍ରତି ଲୋକଙ୍କର ଗଭୀର ଭକ୍ତି ଭାବର ସୁଯୋଗ ନେଇ ଶାସକ ଦଳର ନେତା ଓ କର୍ମୀମାନେ ହଜାର ହଜାର କ୍ୱିଂଟାଲ ଚାଉଳ, ପ୍ରଚୁର ପରିମାଣରେ ଗୁଆ ଓ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଛନ୍ତି । ଏପର୍ଯ୍ୟନ୍ତ ସେସବୁ ଚାଉଳ, ଗୁଆ, ଟଙ୍କା ଇତ୍ୟାଦି ଶ୍ରୀମନ୍ଦିରକୁ ଆସିନାହିଁ କିମ୍ବା ତାର ହିସାବ ମଧ୍ୟ ନାହିଁ । ବିଭିନ୍ନ ପଂଚାୟତ ଓ ସହରାଂଚଳର ୱାର୍ଡ ଗୁଡ଼ିକରୁ କେତେ ଟଙ୍କା ଆଦାୟ ହୋଇଛି ତା\'ର ହିସାବ ସରକାର ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ ବୋଲି ଶ୍ରୀ କାନୁନଗୋ ଦାବି କରିଛନ୍ତି ।
ଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ଚାବି ହଜିଲା । ଏତେ ପର୍ଯ୍ୟନ୍ତ ରତ୍ନ ଭଣ୍ଡାରରେ କେତେ ରତ୍ନ ରହିଛି ତା\'ର ହିସାବ ସରକାର ଦେଲେ ନାହିଁ । ଜଗନ୍ନାଥଙ୍କ ଅମୃତ ମଣୋହୀ ଜମିକୁ ରାଜ୍ୟ ସରକାର ଘରୋଇ ଶିଳ୍ପ ସଂସ୍ଥା ବେଦାନ୍ତକୁ ଟେକିଦେଲେ । ସୁପ୍ରିମକୋର୍ଟଙ୍କ ତାଗିତ ଓ ଭତ୍ସର୍ନା ପରେ ମଧ୍ୟ ରାଜ୍ୟ ସରକାର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କଲେ ନାହିଁ କିମ୍ବା ଜଗନ୍ନାଥଙ୍କ ଜମିକୁ ଫେରାଇ ଆଣିଲେ ନାହିଁ । ଏହା ରାଜ୍ୟ ସରକାର ଓ ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ଜଗନ୍ନାଥ ପ୍ରତି ଭକ୍ତିଭାବର ଅସଲ ଚେହେରାକୁ ଉନ୍ମୋଚନ କରୁଛି ବୋଲି ଶ୍ରୀ କାନୁନଗୋ କଟାକ୍ଷ କରିଛନ୍ତି ।
ସେହିପରି ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ଯେ, ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମରେ ବ୍ୟାପକ ଅର୍ଥ ହରିଲୁଟ ହୋଇଛି । ରାଜ୍ୟ ସରକାର ଏହି ଅର୍ପଣ ରଥ ବୁଲାଇବା ଓ ଭୋଜିଭାତ କରିବା ପାଇଁ ପ୍ରତି ପଂଚାୟତକୁୁ ୨ଲକ୍ଷ ଓ ପ୍ରତି ବ୍ଲକକୁ ୫ ଲକ୍ଷ କରି ଅନୁଦାନ ଦେଇଥିଲେ । ସେହି ଦୃଷ୍ଟିରୁ ଦେଖିଲେ ରାଜ୍ୟରେ ଅର୍ପଣ ରଥ ପାଇଁ ୬୭୯୪ ପଂଚାୟତ ଓ ୩୧୪ଟି ବ୍ଲକ ପାଇଁ ୧୫୧.୫୮ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି । ଅନୁରୂପ ଭାବରେ ରାଜ୍ୟର ୪୮ଟି ମ୍ୟୁନିସପାଲଟିର ୯୬୭ ଟି ୱାର୍ଡ ପାଇଁ ୧୯.୩୪ କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା । ଆଉ ୬୭ ଟି ବିଜ୍ଞପିତ ଅଂଚଳର ୱାର୍ଡପ୍ରତି ୧ଲକ୍ଷ ଓ ମହାନଗର ନିଗମର ୱାର୍ଡ ପିଛା ୫ଲକ୍ଷ ଲେଖାଏ ଅନୁଦାନ ଦେଇଛନ୍ତିି।
ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ବିଜ୍ଞାପନ ବାବଦରେ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ କୋଟି କୋଟି ଟଙ୍କା ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇଛି । ଏହି ସବୁ ପ୍ରଚାର କାର୍ଯ୍ୟକ୍ରମରେ ୨୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ବ୍ୟାପକ ଅର୍ଥ ହରିଲୁଟ ହୋଇଛି ଏବଂ ବିଜେଡ଼ି ଦଳର ନେତା ଓ କର୍ମୀମାନେ ହାତକୁ ଚିକ୍ମଣ କରିଛନ୍ତି । ଏହି ଟଙ୍କା କେଉଁଠୁ ଆସିଲା ଓ ତା’ର ବିନିଯୋଗ ପାଇଁ କିଏ ଉତ୍ତରଦାୟୀ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ଏହାସହିତ କଂଗ୍ରେସ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ସମୀକ୍ଷା କରି ଏହି ଅର୍ପଣ ରଥ କାର୍ଯ୍ୟକ୍ରମର ଦୁର୍ନୀତିକୁ ପର୍ଦ୍ଦାଫାସ କରିବ ବୋଲି ଚେତାବନୀ ଦେଇଛନ୍ତି।