ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆଜି ଏକ ଐତିହାସିକ ମୋଡ଼ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି । ବିଜେପି ସରକାରଙ୍କ ଦ୍ୱିତୀୟ ବଜେଟ୍ ଅଧିବେଶନ ବିଭିନ୍ନ ଦୃଷ୍ଟିକୋଣରୁ ଓଡ଼ିଶା ବିଧାନସଭା ଇତିହାସରେ ଏକ ଚର୍ଚ୍ଚିତ ଅଧିବେଶନ ପାଲଟିଛି । ଗୃହ ମୁଲତବୀ ହେବାପର୍ଯ୍ୟନ୍ତ ଅନ୍ୟତମ ବିରୋଧୀ ଦଳ କଂଗ୍ରେସର ସମସ୍ତ ସଦସ୍ୟଙ୍କ ନିଲମ୍ବନ, ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତି ଓ ବାଚସ୍ପତିଙ୍କ କଡ଼ା ଆଭିମୁଖ୍ୟ ଏବଂ ବିଶେଷକରି ରାତିତମାମ ଗୃହକୁ ଚଳାଇ ୨ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରିବାରେ ମୋହନ ମାଝୀ ସରକାରଙ୍କ ରଣନୀତି ସଫଳ ହୋଇଛି । ଫେବୃୟାରୀ ୧୩ରୁ ଆରମ୍ଭ ହୋଇଥିବା ଦୁଇଟି ପର୍ଯ୍ୟାୟ ବିଶିଷ୍ଟ ବଜେଟ୍ ଅଧିବେଶନ ନିର୍ଦ୍ଧାରିତ ୨୮ଦିନ ପରିବର୍ତ୍ତେ ୩ଟି କାର୍ଯ୍ୟଦିବସ ଥାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି । ଚଳିତ ଅଧିବେଶନରେ ଗୃହରେ ହଟ୍ଟଗୋଳ ବିରୋଧୀ କଂଗ୍ରେସକୁ ମହଙ୍ଗା ପଡ଼ିଛି । ଆଉ କଂଗ୍ରେସ ଉପରେ କାର୍ଯ୍ୟାନୁଷ୍ଠାନ ପରେ ପ୍ରମୁଖ ବିରୋଧୀ ଦଳ ବିଜେଡି ମଧ୍ୟ ଅପ୍ରତ୍ୟାଶିତ ନିଜର ରଣନୀତି ବଦଳାଇ ଗୃହ ପରିଚାଳନାରେ ସରକାରଙ୍କୁ ସହଯୋଗ ଦେବାକୁ ଏକରକମ ବାଧ୍ୟ ହୋଇଥିଲା । ଶାସକ ବିଜେପି ନିଜର ଅଧିକାଂଶ ନବାଗତ ବିଧାୟକ ଏପରିକି ନବାଗତ ମନ୍ତ୍ରୀଙ୍କୁ ଧରି ସଫଳତାର ସହ ଗୃହ ପରିଚାଳନା କରିଥିବାବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତି ଓ ଗୃହରେ ବିଜେଡି ବିଧାୟକମାନଙ୍କ ଦିଶାହୀନ ରଣନୀତି ପରୋକ୍ଷରେ ସରକାରୀ ଦଳକୁ ସୁହାଇଥିବା ଚର୍ଚ୍ଚା ହେଉଛି ।
ରାତିତମାମ ଚାଲିଲା ବିଧାନସଭା
ଦୀର୍ଘ ପ୍ରାୟ ୨ଦଶନ୍ଧି ପରେ ବିଧାନସଭାର ଅଧିବେଶନ ରାତିତମାମ ଚାଲିଥିଲା । ଶେଷ ଦିନରେ ମାରାଥନ୍ ବିତର୍କ ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି । ଭୋର ୪ଟା ୨୯ମିନିଟରେ ‘ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍ ଓ ସକାଳ ୬ଟା ୨୫ମିନିଟରେ ‘ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ-୨୦୨୫’ ଗୃହୀତ ହୋଇଛି । ଏପ୍ରିଲ ୨ତାରିଖରେ ଦ୍ୱିତୀୟାର୍ଦ୍ଧରେ ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ପ୍ରାୟ ଗୃହରେ ‘ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଉପରେ ମାରାଥନ୍ ଆଲୋଚନା ଆରମ୍ଭ ହୋଇଥିଲା । ବିଜେଡି ବିଧାୟକ ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଗଣେଶ୍ୱର ବେହେରାଙ୍କ ଭଳି ଅଭିଜ୍ଞ ବିଧାୟକ ତଥା ପୂର୍ବତନ ମନ୍ତ୍ରୀମାନଙ୍କ ଦ୍ୱାରା ବିଲକୁ ବିରୋଧ କରି ବଳିଷ୍ଠ ଯୁକ୍ତି ଉପସ୍ଥାପନ ସତ୍ତ୍ୱେ ନବାଗତ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାକୁ ବେଶ୍ ଦକ୍ଷତାର ସହ ସାମ୍ନା କରି ବିରୋଧୀଙ୍କ ଅଧିକାଂଶ ଅଭିଯୋଗ ଉପରେ ଜବାବ ରଖିଥିଲେ । ଏହି ବିଲ୍ ଆଲୋଚନାରେ ବିଜେଡି ବିଧାୟକ ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସର୍ବାଧିକ ୩ଘଣ୍ଟା ୧୦ମିନିଟ୍ ଓ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦେଢ଼ଘଣ୍ଟାରୁ ଅଧିକ ଓ ଗଣେଶ୍ୱର ବେହେରା ପ୍ରାୟ ଏକ ଘଣ୍ଟା ଧରି ନିଜର ଯୁକ୍ତି ଉପସ୍ଥାପନ କରିଥିବାବେଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ପ୍ରାୟ ଏକ ଘଣ୍ଟା ଧରି ସେମାନଙ୍କ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଥିଲେ । ପ୍ରାୟ ସାଢ଼େ ୧୨ଘଣ୍ଟା ଧରି ବିତର୍କ ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ପାରିତ ହୋଇଥିଲା । ଏହାପରେ ଗୃହରେ ‘ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ-୨୦୨୫ ମଧ୍ୟ ପାରିତ ହୋଇଥିଲା । ଦୁଇଟି ବିଲ୍ ପାରିତ ହେବାପରେ ଗୃହକୁ ବାଚସ୍ପତି ସୁରମା ପାଢ଼ୀ ଏପ୍ରିଲ ୩ତାରିଖ ସକାଳ ୭ଟା ୬ମିନିଟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ । ବିଧାନସଭାର ବଜେଟ୍ ଅଧିବେଶନର ସମାପନବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିଥିଲେ । ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ କଂଗ୍ରେସର ସମସ୍ତ ସଦସ୍ୟ ମଧ୍ୟ ଗୃହକୁ ଫେରିପାରିନଥିଲେ ।
କଂଗ୍ରେସ ଉପରେ ଆକ୍ସନକୁ ଦେଖି ଥମିଗଲା ବିଜେଡି
ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଏପ୍ରିଲ ମାର୍ଚ୍ଚ ୭ତାରିଖରୁ ଆରମ୍ଭ ହୋଇଥିଲା । ଏହି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ଗୃହରେ ‘ନାରୀ ନିର୍ଯାତନା ପ୍ରସଙ୍ଗ’ରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଓ ଗୃହକମିଟି ଗଠନ ଦାବିରେ ହଟ୍ଟଗୋଳ ଜାରି ରଖିଥିଲେ । ବିରୋଧୀ ବିଜେଡି କିନ୍ତୁ ଗୋଟିଏ ପ୍ରସଙ୍ଗରେ ସୀମିତ ନରହି ‘ବିଜୁ ପଟ୍ଟନାୟକଙ୍କୁ ସରକାରଙ୍କ ଅସମ୍ମାନ, ଜୟନାରାୟଣଙ୍କ ଓଡ଼ିଶା ବିଭାଜନ ମନ୍ତବ୍ୟ, ପୋଲାଭରମ ପ୍ରକଳ୍ପ ଆଦିକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଥିଲା । ମାତ୍ର କଂଗ୍ରେସର ବିରୋଧର ଶାଣିତ ସ୍ୱର ଆଗରେ ବିଜେଡିର ବିରୋଧ ଫିକା ପଡ଼ି ଯାଇଥିଲା । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ୭ଦିନ ନିଲମ୍ବନ ଓ ପରେ ଦଳର ବିଧାୟକମାନେ ଗୃହରେ ଅଧିକ ଆକ୍ରଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଭିନ୍ନ ଶୈଳୀରେ ପ୍ରତିବାଦ ଓ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟ ଚାଲିପାରିନଥିଲା । ପ୍ରାୟ ୧୧ଦିନ ଧରି କଂଗ୍ରେସ ବିଧାୟକମାନଙ୍କ ଏଭଳି ଆଚରଣକୁ ଦେଖି ବାଚସ୍ପତି ସୁରମା ପାଢ଼ୀ ଦ୍ୱିତୀୟ ଅଧିବେଶନର ଦ୍ୱାଦଶ ଦିନ କଂଗ୍ରେସର ୧୨ଜଣ ସଦସ୍ୟଙ୍କୁ ୭ଦିନ ପାଇଁ ନିଲମ୍ବିତ କରିଥିଲେ । ତା’ପରଦିନ ଅନ୍ୟ ୨ଜଣଙ୍କୁ ନିଲମ୍ବନ କରିଥିଲେ । କଂଗ୍ରେସର ସମସ୍ତ ସଦସ୍ୟ ନିଲମ୍ବନ ଓ ନାଟକୀୟ ଢଙ୍ଗରେ ସେମାନଙ୍କୁ ବିଧାନସଭା ପରିସରରୁ ବାହାର କରାଯିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ନାରୀ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ କଂଗ୍ରେସର ରଣନୀତି ସଫଳ ହେଉଥିବା ଦେଖି ବିଜେଡି ‘ଅନୁସୂଚିତ ଜାତି-ଜନଜାତି ଓ ପଛୁଆବର୍ଗଙ୍କୁ ଉଚ୍ଚଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ’ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲା । ମାତ୍ର ବାଚସ୍ପତିଙ୍କ କଡ଼ା ଆଭିମୁଖ୍ୟ ଓ ସରକାରୀ ଦଳର ସଫଳ ରଣନୀତିକୁ ଦେଖି ବିଜେଡି ବିଧାୟକମାନେ ଗୃହରେ ହଟ୍ଟଗୋଳ କରିବାକୁ ପଛଘୁଂଚା ଦେଇଥିଲେ । ଆଉ ୨୭ତାରିଖ ପରଠୁ ଗୃହ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବାରୁ ବିଧାନସଭା ସ୍ୱାଭାବିକ ଚାଲିଥିଲା ।
୨୫ ଦିନ ଚାଲିଲା ବିଧାନସଭା ଅଧିବେଶନ
ଫେବୃୟାରୀ ୧୩ରୁ ଆରମ୍ଭ ବିଧାନସଭାର ବଜେଟ୍ ଅଧିବେଶନ ୨୮ଦିନ ଚାଲିବା ପାଇଁ ସ୍ଥିରୀକୃତ ହୋଇଥିଲା । ମାତ୍ର ଗୃହ ୨୫ଦିନ ଚାଲିବା ସମ୍ଭବପର ହୋଇଛି । ଗୃହରେ ସରକାରଙ୍କ ଦ୍ୱାରା ୩ଟି ବିଲ୍(ବ୍ୟୟମଞ୍ଜୁରୀ ବିଲ୍ ସହ) ଉପସ୍ଥାପନ କରାଯାଇ ତାକୁ ପାରିତ କରାଇ ନିଆଯାଇଥିଲା । ୨୨ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିବାବେଳେ ୭ଟି ମୁଲତବୀ ଆଲୋଚନା, ୪ଟି ସିଏଜି ରିପୋର୍ଟ ଉପସ୍ଥାପନ, ୫୬୫୫ଟି ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ସରକାର ଦେଇଥିଲେ ।
ସରକାର ପଳାୟନପନ୍ଥୀ ହେଲେ: କଂଗ୍ରେସ
ବିଧାନସଭାକୁ ଆକସ୍ମିକ ଭାବେ ବନ୍ଦ କରିଦିଆଗଲା ଓ ସରକାର ପଳାୟନପନ୍ଥୀ ସାଜିଲେ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଅଭିଯୋଗ କରିଛନ୍ତି । ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଛି । କଂଗ୍ରେସର ବିଧାୟକମାନେ ଗୃହକମିଟି ଗଠନ ପାଇଁ ଦାବି କଲେ । ସରକାର ଓ ମୁଖ୍ୟମନ୍ତ୍ରୀ ସେଥିପ୍ରତି ଧ୍ୟାନଦେଲେନି । ବିଧାନସଭାରେ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିବାରୁ ଆମର ସମସ୍ତ ୧୪ଜଣ ବିଧାୟକଙ୍କୁ ନିଲମ୍ବନ କଲେ । ସରକାର ଆମକୁ ବିଧାନସଭା ଭିତରେ ପୁରାଇ ଦେଲେନାହିଁ । ବିଧାନସଭା ଭିତରେ ବନ୍ଦ କରି ମାଡ଼ ମାରିଲେ । ଅତୀତରେ କୌଣସି ସରକାର ଏଭଳି କରିନାହାନ୍ତି । ରାତି ଅଧରେ ଟେକି ବାହାରକୁ ଫିଙ୍ଗିଦେଲେ । ଆମେ ଏବେବି ସମାନ ଦାବି ଦୋହରାଉଛୁ । ଗୃହ କମିଟି ଗଠନ କରି ମହିଳାଙ୍କ ନିର୍ଯାତନାର ଯାଂଚ କରାନ୍ତୁ ବୋଲି ସେ ଦାବି କରିଛନ୍ତି ।
ବିଲ୍ ଉପରେ ୧୬ଘଣ୍ଟା ଧରି ହୋଇଥିଲା ଆଲୋଚନା
ରାଜ୍ୟରେ ବିଜେଡି ଓ ବିଜେପି ମେଂଟ ସରକାର ଥିବାବେଳେ ‘ଓଡ଼ିଶା ନଗର ପୁଲିସ ବିଲ-୨୦୦୩’ ଉପରେ ପ୍ରାୟ ୧୬ଘଣ୍ଟା ଧରି ଗୃହରେ ମାରାଥନ୍ ଆଲୋଚନା ହୋଇଥିଲା । ଓଡ଼ିଶା ପୁଲିସ କମିଶନରେଟ ଗଠନ ପାଇଁ ଆସିଥିବା ଏହି ବିଲ୍ ଉପରେ ୨୦୦୩ ନଭେମ୍ବର ୧୦ ଓ ୧୧ତାରିଖରେ ବିଧାନସଭାରେ ମାରାଥନ୍ ଆଲୋଚନା ହୋଇଥିଲା । ରାତିସାରା ପ୍ରାୟ ୧୬ଘଣ୍ଟା ଧରି ଆଲୋଚନା ପରେ ବିଲଟି ଗୃହୀତ ହୋଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।