Advertisment

ବିଜେପି ସରକାରଙ୍କ ପ୍ରଥମ ବଜେଟ: ବିଜେଡି ଓ ବିଜୁ ଛାପ ହଟିଲା, ଡଜନେ ନୂଆ ଯୋଜନା

ଆଜି ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଚଳିତବର୍ଷର ବଜେଟ୍ ଆକାରରେ ୧୫.୨% ବୃଦ୍ଧି ହୋଇଛି।

ଅଦ୍ୟତନ ହୋଇଛି
Mohan Charan Majhi

Mohan Charan Majhi

Advertisment

ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଆଜି ନିଜର ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅର୍ଥମନ୍ତ୍ରୀ ଭାବେ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ୨୪ବର୍ଷର ବିଜେଡି ସରକାରର ବିଭିନ୍ନ ଯୋଜନା ପାଇଁ ବ୍ୟୟବରାଦ କରିଥିବା ମୋହନ ସରକାର ସେଗୁଡ଼ିକର ନାଁ ପରିବର୍ତ୍ତନ କରିଛନ୍ତି । ଅଧିକାଂଶ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ବିଜେଡି ଓ ବିଜୁ ଛାପ ହଟାଯାଇଛି । ଏହାସହିତ ପ୍ରାୟ ଡଜନେ ନୂଆ ଯୋଜନାକୁ ମଧ୍ୟ ବିଜେପି ସରକାର କାର୍ଯ୍ୟକାରୀ କରିବା ପାଇଁ ଅର୍ଥବରାଦ କରିଛନ୍ତି । ବିଜେପି ଯେଉଁସବୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ ପାଇଁ ମଧ୍ୟ ଏହି ବଜେଟରେ ବ୍ୟୟବରାଦ ହୋଇଛି । ଏହାସହିତ ବିଜେପି ସରକାର ମୋଟ ବଜେଟର ୧୬.୦୪% ଋଣ ଆଣି ନିଜର ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ କରିବେ ବୋଲି ଜଣାପଡ଼ିଛି ।

Advertisment

ଆଜି ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଚଳିତବର୍ଷର ବଜେଟ୍ ଆକାରରେ ୧୫.୨% ବୃଦ୍ଧି ହୋଇଛି । ମୋହନ ସରକାର ଚଳିତ ଆର୍ଥିକ ବର୍ଷରେ ନିଜସ୍ୱ ଟିକସ ଓ ଅଣଟିକସ ବାବଦରେ ୧.୧୮ଲକ୍ଷ କୋଟି ଟଙ୍କା, କେନ୍ଦ୍ରୀୟ ଟିକସରୁ ରାଜ୍ୟଅଂଶ ଓ କେନ୍ଦ୍ରୀୟ ଅନୁଦାନକୁ ମିଶାଇ ମୋଟ ୯୩ହଜାର କୋଟି ଟଙ୍କା, ଋଣ ଓ ଅଗ୍ରୀମର ପୁନଃଭରଣା ବାବଦରେ ୫୦୫କୋଟି ଟଙ୍କା ପାଇବେ ଅଟକଳ କରିଛନ୍ତି । ଏହାସହିତ ମୋଟ ବଜେଟ ଅଟକଳର ୧୬.୦୪% ଅର୍ଥାତ୍ ୪୩୪୯୫କୋଟି ଟଙ୍କା ଋଣ ଆଣିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ।

ଚଳିତ ବଜେଟରେ ବିଜେଡି ସରକାରର ବହୁଚର୍ଚ୍ଚିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାଁ ପରିବର୍ତ୍ତନ ହୋଇ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ହୋଇଛି । ସେହିପରି ବିଜୁ ସେତୁର ନାଁ ବଦଳାଇ ‘ସେତୁ ବନ୍ଧନ’ ଯୋଜନା, ମୋ ସ୍କୁଲର ନାଁ ବଦଳାଇ ‘ପଂଚସଖା ଶିକ୍ଷା ସେତୁ ଯୋଜନା’, ଲକ୍ଷ୍ମୀ ଯୋଜନାର ନାଁ ‘ଗ୍ରାମାଂଚଳ ପରିବହନ’ ଯୋଜନା, ଆମ ଓଡ଼ିଶା ନବୀନ ଓଡ଼ିଶାର ନାଁ ବଦଳାଇ ‘ବିକଶିତ ଗାଁ ବିକଶିତ ଓଡ଼ିଶା’, କାଳିଆ ଯୋଜନାର ନାଁ ବଦଳାଇ ‘ସିଏମ-କିଷାନ’ ଯୋଜନା, ବିଜୁ ପକ୍କାଘର ଯୋଜନା ପରିବର୍ତ୍ତେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଘୋଷଣା କରିଛନ୍ତି ।

Advertisment

ସେହିପରି ବିଜେପି ସରକାର ନିଜର ପ୍ରତିଶ୍ରୁତି ମୁତାବକ ନୂଆ ଯୋଜନା ‘ସମୃଦ୍ଧ କୃଷକ ଯୋଜନା’ରେ ଧାନର ସର୍ବନିମ୍ନ ମୂଲ୍ୟ ୩୧୦୦ଟଙ୍କା ଦେବା ପାଇଁ ଅତିରିକ୍ତ ୫ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ସେହିପରି ସୁଭଦ୍ରା ଯୋଜନାରେ ୧୦ହଜାର କୋଟି ଟଙ୍କାର ଅର୍ଥ ବରାଦ କରି ମହିଳାମାନଙ୍କୁ ୫୦ହଜାର ଟଙ୍କାର ଭାଉଚର ଦେବା ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି । ସେହିପରି ‘ମାଧେ ସିଂହ ହାତ ଖର୍ଚ୍ଚ’ ନାଁରେ ନୂଆ ଯୋଜନାରେ ୧୫୬କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଅନୁସୂଚିତ ଜନଜାତି ବର୍ଗର ଅଷ୍ଟମ ଓ ଦ୍ୱାଦଶ ଶ୍ରେଣୀ ପାସ୍ କରୁଥିବା ଓ ନବମ ଓ ଏକାଦଶରେ ନାମ ଲେଖାଉଥିବା ପିଲାଙ୍କୁ ବାର୍ଷିକ ୫ହଜାର ଟଙ୍କାର ସହାୟତା ମିଳିବ । ସେହିପରି ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା, ଅକ୍ଷୟ ଶକ୍ତି ବିକାଶ ଯୋଜନା, ଯୁବଶକ୍ତି ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ଯୋଜନା, ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ, ସବୁ ଆଦିମ ଜନଜାତିଙ୍କ ବସ୍ତିକୁ ସବୁଦିନିଆ ରାସ୍ତା ପାଇଁ ପିଏମ ଜନମନ ଯୋଜନା, ଅତିରିକ୍ତ ସୌରଶକ୍ତି ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି । ଏହାସହିତ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଓ ପିଏମ ସୂର୍ଯ୍ୟଘର ଯୋଜନା ଲାଗୁ ହେବ ବୋଲି ଘୋଷଣା କରିଛନ୍ତି। ନିର୍ବାଚନି ପ୍ରତିଶୃତି ମୁତାବକ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ବାଦ୍ଧକ୍ୟ, ଭିନ୍ନକ୍ଷମ ଆଜି ମାସିକ ଭତ୍ତା ପରିମାଣ ୩ହଜାର ୫ଟଙ୍କା ଦେବା ପାଇ ବଜେଟରେ ରଖିଛନ୍ତି।

ସୂଚନାଯୋଗ୍ୟ, ଗତ ବିଜେଡି ସରକାର ଫେବୃୟାରୀ ୮ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ଲେଖାନୁଦାନ ଉପସ୍ଥାପନ କରି ମୋଟ ବଜେଟ୍ ଅଟକଳ ୨.୫୫ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରିଥିଲା । ଯାହାକୁ ବିଜେପି ସରକାର ୨.୬୫କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାସହିତ ବଜେଟ ଅଟକଳର ଏକ ଚତୁର୍ଥାଂଶରୁ ଅଧିକ ଟଙ୍କା ଋଣ ଆକାରରେ ଆଣି ଯୋଜନା ଓ କାର୍ଯ୍ୟକ୍ରମକୁ ଜାରି ରଖିବେ ବୋଲି ସଙ୍କେତ ଦେଇଛନ୍ତି ।

Bjp Odisha Budget
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe