Advertisment

ନବୀନଙ୍କ ବିରୁଦ୍ଧରେ କଠୋର ହେଲେ ରାଜ୍ୟପାଳ: ୨ଥର ମନାକଲାଣି ଆଇନ ବିଭାଗ, ତଥାପି ଦେଇପାରନ୍ତି ଦୁର୍ନୀତି ମାମଲା ରୁଜୁ ପାଇଁ ଅନୁମତି

ଆଡଭୋକେଟ୍ ସୁଧୀର ଚରଣ ମହାନ୍ତିଙ୍କ ଆବେଦନ ଆଧାରରେ ରାଜ୍ୟପାଳ ମାତ୍ର ୨୦ଦିନ ମଧ୍ୟରେ ଦୁଇ ଦୁଇଥର ଆଇନଗତ ପରାମର୍ଶ ଲୋଡ଼ିବା ପରେ ଏହି ଆଶଙ୍କା ବଢ଼ିବାରେ ଲାଗିଛି ।

Naveen

Naveen

Advertisment

ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଢ଼ିପାରେ ଅଡ଼ୁଆ । ନବୀନଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ମାମଲାରେ କଠୋର ଆଭିମୁଖ୍ୟ ପୋଷଣ କରଛନ୍ତି ରାଜ୍ୟପାଳ ରଘୁବର ଦାସ । ସମ୍ବିଧାନ ପ୍ରଦତ୍ତ ବିବେକାନୁମୋଦିତ କ୍ଷମତାକୁ ଉପଯୋଗ କରି ନବୀନଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ ପାଇଁ ଦେଇପାରନ୍ତି ଅନୁମତି । ଆଡଭୋକେଟ୍ ସୁଧୀର ଚରଣ ମହାନ୍ତିଙ୍କ ଆବେଦନ ଆଧାରରେ ରାଜ୍ୟପାଳ ମାତ୍ର ୨୦ଦିନ ମଧ୍ୟରେ ଦୁଇ ଦୁଇଥର ଆଇନଗତ ପରାମର୍ଶ ଲୋଡ଼ିବା ପରେ ଏହି ଆଶଙ୍କା ବଢ଼ିବାରେ ଲାଗିଛି । ଯଦି ଏଭଳି ହୁଏ ତା’ହେଲେ ନବୀନ ଓ ତାଙ୍କ ଖାସ୍ ସହଯୋଗୀ ଭିକେ ପାଣ୍ଡିଆନଙ୍କ ଅଡ଼ୁଆ ବଢ଼ିବ ଏବଂ ଉଭୟଙ୍କୁ ପୁଲିସ ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଜଣାପଡ଼ିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ଶ୍ରୀ ମହାନ୍ତିଙ୍କ ଆବେଦନକୁ ଆଧାର କରି ରାଜ୍ୟପାଳଙ୍କ ଅଫିସ୍ (ରାଜଭବନ) ପକ୍ଷରୁ ରାଜ୍ୟ ଆଇନ ବିଭାଗର ପରାମର୍ଶ ଲୋଡ଼ାଯାଇଥିଲା । ଗତ ନଭେମ୍ବର ୨୨ତାରିଖରେ ରାଜ୍ୟ ଆଇନ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଣବ କୁମାର ପାତ୍ର ‘ୟୁଓଆଇ’ ନୋଟ୍ ପଠାଇଥିଲେ ଯେଉଁଥିରେ ସେ ଦର୍ଶାଇଥିଲେ ଯେ, ବିଭାଗକୁ ଆସିଥିବା ଫାଇଲ ଯାହାକି ରାଜ୍ୟପାଳଙ୍କ ନିକଟରେ ଅଭିଯୋଗକାରୀ ଶ୍ରୀ ମହାନ୍ତି ଦାଖଲ କରିଛନ୍ତି ସେଥିରେ ତାଙ୍କ ଦ୍ୱାରା କୌଣସି ଦସ୍ତାବିଜ କିମ୍ବା  ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ଦିଆଯାଇନାହିଁ । ଯଦି ଶ୍ରୀ ମହାନ୍ତିଙ୍କ ପାଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ କୌଣସି ପ୍ରାମାଣିକ ତଥ୍ୟ ଓ ଦସ୍ତାବିଜ ଅଛି ତାକୁ ସେ ରାଜ୍ୟପାଳଙ୍କ ନିକଟରେ ଦାଖଲ କରିବାକୁ କୁହାଯାଉ । ତାକୁ ଅନୁଧ୍ୟାନ କରିବା ପରେ ରାଜ୍ୟପାଳ ନିଜ ବିବେକ ଆଧାରରେ ମକଦ୍ଦମା ଦାଏର ପାଇଁ ଅନୁମତି ଦେଇପାରିବେ । ଯଦି ଅଭିଯୋଗକାରୀ କୌଣସି ତଥ୍ୟ ଦେବାରେ ସକ୍ଷମ ନହେବେ ତା’ହେଲେ ଅନୁମତି ଦିଆଯାଇନପାରେ ବୋଲି ଆଇନ ବିଭାଗ ନଭେମ୍ବର ୨୨ତାରିଖରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ୟୁଓଆଇ ନୋଟ୍ ପଠାଇ ଏହା ଜଣାଇ ଦେଇଥିଲା ।

ମାତ୍ର ଆଇନ ବିଭାଗର ଏହି ଉତ୍ତରରେ ସନ୍ତୁଷ୍ଟ ନହୋଇ ରାଜ୍ୟପାଳ ପୁଣିଥରେ ଚଳିତମାସ ୪ତାରିଖରେ ଆଇନ ବିଭାଗର ପରାମର୍ଶ ଲୋଡ଼ିଥିଲେ । ଅଭିଯୋଗକାରୀ ଶ୍ରୀ ମହାନ୍ତିଙ୍କ ଦ୍ୱାରା ସେପ୍ଟେମ୍ବର ୨୫ତାରିଖରେ ଦାଖଲ କରାଯାଇଥିବା ଦସ୍ତାବିଜ ଆଧାରରେ ସ୍ପଷ୍ଟ ମତ ଦେବାକୁ ଆଇନ ବିଭାଗକୁ ରାଜଭବନ କହିଥିଲା । ଆଉ ଚଳିତମାସ ୧୭ତାରିଖରେ ଆଇନ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ପାତ୍ର ପୁଣିଥରେ ‘ୟୁଓଆଇ’ ନୋଟ୍ ଲେଖି ଦର୍ଶାଇଛନ୍ତି ଯେ, ଅଭିଯୋଗକାରୀଙ୍କ ଦ୍ୱାରା ସେପ୍ଟେମ୍ବର ୨୫ତାରିଖରେ କେବଳ ଏକ ପିଟିସନ୍ ଦାଖଲ କରାଯାଇଛି । ଲାଗୁଛି, ରାଜ୍ୟପାଳଙ୍କ ସମ୍ମୁଖରେ ଅଭିଯୋଗକାରୀଙ୍କ ଦ୍ୱାରା ଏହି ପିଟିସନ୍ ବ୍ୟତୀତ ଅନ୍ୟ କୌଣସି ଦସ୍ତାବିଜ ଓ ତଥ୍ୟ ଦାଖଲ କରାଯାଇ ନାହିଁ । ତେଣୁ କୌଣସି ଦସ୍ତାବିଜ ନଥାଇ କେବଳ ପିଟିସନ୍ ଆଧାରରେ ନବୀନ ପଟ୍ଟନାୟକ କୌଣସି ଅପରାଧ କରିଛନ୍ତି ବୋଲି ନିଷ୍ପତ୍ତିରେ ଉପନୀତ ହେବା ସମ୍ଭବପର ନୁହେଁ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ଅନୁମତି ଦିଆଯାଇନପାରେ ବୋଲି ବିଭାଗ ତା’ର ମତ ଦେଉଛି ।

Advertisment

ଅବଶ୍ୟ ଆଇନ ବିଭାଗ ଦେଇଥିବା ୟୁଓଆଇ ନୋଟସିଟରେ ସୁପ୍ରିମକୋର୍ଟ ଦେଇଥିବା ବିଭିନ୍ନ ରାୟକୁ ଉଲ୍ଲେଖ କରିଛି । ଆଉ ରାଜ୍ୟପାଳ ଚାହିଁଲେ ସମ୍ବିଧାନର ଅନୁଚ୍ଛେଦ-୧୬୩ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ପ୍ରିଭେନ୍ସନ୍ ଅଫ କରପସନ୍ ଆକ୍ଟ-୧୯୮୮ର ଧାରା ୬ରେ ମାମଲା ରୁଜୁ ପାଇଁ ଅନୁମତି ଦେଇପାରିବେ । ଏପରିକି ମନ୍ତ୍ରିପରିଷଦର ସୁପାରିଶ ବିପରୀତ ରାଜ୍ୟପାଳ ଏଭଳି ନିଷ୍ପତ୍ତି ନେଇପାରିବେ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଥିବା ଆଇନ ବିଭାଗ କହିଛି ।

ତେଣୁ ଆଡଭୋକେଟ୍ ଶ୍ରୀ ମହାନ୍ତିଙ୍କ ଦ୍ୱାରା ଦାଏର ଆବେଦନକୁ ଆଧାର କରି ରାଜ୍ୟପାଳ ଶ୍ରୀ ଦାସ ଯେଭଳି ଭାବେ କଠୋର ଆଭିମୁଖ୍ୟ ପୋଷଣ କରିବାରେ ଲାଗିଛନ୍ତି, ଆଉ ଦୁଇ ଦୁଇଥର ଆଇନ ବିଭାଗର ପରାମର୍ଶ ଲୋଡ଼ିଛନ୍ତି ତାହା ନବୀନ ଓ ତାଙ୍କ ଖାସ୍ ପାଣ୍ଡିଆନଙ୍କ ପାଇଁ ଅଡ଼ୁଆ ବଢ଼ାଇବାର ଆଶଙ୍କା ଦେଖାଦେଇଛି । ରାଜ୍ୟପାଳ ଯଦି ନିଜ ବିବେକାନୁମୋଦିତ କ୍ଷମତାକୁ ଉପଯୋଗ କରି ନବୀନଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲାରେ ଏଫଆଇଆର ରୁଜୁ ପାଇଁ ଅନୁମତି ଦିଅନ୍ତି ତା’ହେଲେ ପୁଲିସ ତଦନ୍ତ କରିବାକୁ ଏକରକମ ବାଧ୍ୟ ହେବ । ଉଭୟ ନବୀନ ଓ ପାଣ୍ଡିଆନଙ୍କୁ ତଦନ୍ତ ପରିସରଭୁକ୍ତ ହେବାକୁ ପଡ଼ିବ । ଯାହା ନବୀନ ଓ ବିଜେଡି ପାଇଁ ଶକ୍ତଧକ୍କା ହେବ ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ।

ସୂଚନାଯୋଗ୍ୟ, ନବୀନ ଓ ତାଙ୍କ ସହଯୋଗୀ ପାଣ୍ଡିଆନଙ୍କ ବିରୁଦ୍ଧରେ ବ୍ୟାପକ ଦୁର୍ନୀତି ଓ ଅର୍ଥ ତୋଷାରପାତ ଅଭିଯୋଗ ଆଣି ଆଡଭୋକେଟ୍ ଶ୍ରୀ ମହାନ୍ତି ଥାନାରେ ଏଫଆଇଆର ଦେଇଥିଲେ । କିନ୍ତୁ କ୍ୟାପିଟାଲ ଥାନା ଏହି ଏଫଆଇଆରକୁ ପଞ୍ଜିକୃତ ନକରିବାରୁ ଶ୍ରୀ ମହାନ୍ତି ଚଳିତବର୍ଷ ଭୁବନେଶ୍ୱରସ୍ଥିତ ଏସଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ କୋର୍ଟ ଏହି ମାମଲାର ଶୁଣାଣି କରି ସେପ୍ଟେମ୍ବର ୫ତାରିଖରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ପରେ ଥାନାରେ ଏଫଆଇଆର ରୁଜୁ ଓ ତଦନ୍ତ କରିହେବ ବୋଲି ତାଙ୍କ ରାୟରେ କହିଥିଲେ । କୋର୍ଟଙ୍କ ଏହି ରାୟ ପରେ ଶ୍ରୀ ମହାନ୍ତି ସେପ୍ଟେମ୍ବର ୨୫ତାରିଖରେ ରାଜ୍ୟପାଳଙ୍କୁ ଚିଠି ଲେଖି ନବୀନଙ୍କ ବିରୁଦ୍ଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ର ଧାରା-୨୧୮ ଆଧାରରେ ଏଫଆଇଆର ରୁଜୁ ପାଇଁ ଆବଶ୍ୟକ ଅନୁମତି ଦେବାକୁ ଅନୁରୋଧ କରିଥିଲେ ।

Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe