Advertisment

ହାଇଟେକ୍ ହସ୍ପିଟାଲ ବିବାଦ ବଢ଼ିଲା: ବ୍ୟାକଫୁଟରେ ସରକାର,  ବିଜେପି ଓ କଂଗ୍ରେସ ନଛୋଡ଼ବନ୍ଧା

ବିଜେପି ସମଗ୍ର ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି କରିଥିବାବେଳେ କଂଗ୍ରେସ ହସ୍ପିଟାଲର ଲାଇସେନ୍ସ ରଦ୍ଦ ସହ ଶ୍ରୀ ପାଣିଗ୍ରାହୀଙ୍କ ଗିରଫ ଦାବି କରିଛି

ଅଦ୍ୟତନ ହୋଇଛି
Hi-Tech Medical College

Hi-Tech Medical College

Advertisment

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ମାମଲାକୁ ନେଇ  ରାଜ୍ୟ ସରକାର ବ୍ୟାକଫୁଟରେ । ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏବେ ଏହି ମାମଲାରେ କଡ଼ା ଆଭିମୁଖ୍ୟ ପୋଷଣ କରି କାର୍ଯ୍ୟାନୁଷ୍ଠାନ ଦାବି କରୁଥିବାବେଳେ ବିଜେଡି ନେତା ତଥା ହାଇଟେକ୍ ମାଲିକ ତିରୁପତି ପାଣିଗ୍ରାହୀ କିଛି ବେଆଇନ ହୋଇନି କହି ଖସିବାକୁ ଉଦ୍ୟମ କରିଛନ୍ତି । ବିଜେପି ସମଗ୍ର ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି କରିଥିବାବେଳେ କଂଗ୍ରେସ ହସ୍ପିଟାଲର ଲାଇସେନ୍ସ ରଦ୍ଦ ସହ ଶ୍ରୀ ପାଣିଗ୍ରାହୀଙ୍କ ଗିରଫ ଦାବି କରିଛି । କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସର କର୍ମକର୍ତ୍ତାମାନେ ଆଜି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡାମାଡ଼ କରିଥିବା ଜଣାପଡ଼ିଛି।

Advertisment

ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ, ହାଇଟେକ୍ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁ ୪ଜଣ ଟେକ୍ନସିଆନଙ୍କ ମଧ୍ୟରୁ ୩ଜଣଙ୍କ ଗୁରୁତର ହୋଇଥିଲେ । ହସ୍ପିଟାଲର ତ୍ରୁଟି ଯୋଗୁ ପରେ ପ୍ରାଣ ହରାଇଛନ୍ତି । ହସ୍ପିଟାଲରେ ୨୦ପ୍ରତିଶତ ପୋଡ଼ିଥିବା ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ନଥିବାବେଳେ ୯୦ ପ୍ରତିଶତ ପୋଡ଼ି ଯାଇଥିବା ରୋଗୀଙ୍କ ଚିକିତ୍ସା କିଭଳି ହେଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସୁସ୍ଥ ହୋଇ ଭେଣ୍ଟିଲେଟରରୁ ବାହାରିଥିବା ରୋଗୀ କିପରି ମରିଗଲେ । ଏହି ଘଟଣାରେ କେବଳ ଅବହେଳା ହୋଇନି, ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ଦଳ ସନ୍ଦେହ କରୁଛି । ଏହି ବିସ୍ଫୋରଣରେ ନିଜର ସ୍ୱାମୀଙ୍କୁ ହରାଇବା ପାଇଁ ଯେଉଁ ମହିଳା ଆତ୍ମହତ୍ୟା କଲେ ସେଥିପାଇଁ କିଏ ଦାୟୀ ହେବ । ଏନେଇ ବି କାହିଁକି ମାମଲା କରାଯାଉନି । ଏହି ସମସ୍ତ ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ଓ ଶ୍ରମ କମିଶନର କାହିଁକି ଚୁପ୍ ଅଛନ୍ତି । ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା ଲେଖାଁଏ ଦେବା ସହ ବିଚାରବିଭାଗୀୟ ତଦନ୍ତ ନିମନ୍ତେ ସେ ଦାବି କରିଛନ୍ତି।

ସେହିପରି ପିସିସି ଯୁବ ଓ ଛାତ୍ର କଂଗ୍ରେସର କର୍ମୀମାନେ ଆଜି ହାଇଟେକ୍ ହସ୍ପିଟାଲର ଲାଇସେନ୍ସ ତୁରନ୍ତ ରଦ୍ଦ ସହ ମାଲିକଙ୍କୁ ଗିରଫ କରିବା ଦାବିରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନକୁ ଘେରାଉ କରିଥିଲେ । ଏହି ସମୟରେ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି । ହସପିଟାଲ ମାଲିକ ନରହତ୍ୟାକାରୀ ଓ ଜାଣିଶୁଣି ରୋଗୀଙ୍କୁ ହତ୍ୟା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଶବର ସଠିକ୍ ଚିହ୍ନଟ ନକରି ଡାକ୍ତରଖାନା କର୍ତ୍ତୃପକ୍ଷ ନିଜର ଅବହେଳାର ପରିଚୟ ଦେଇଛନ୍ତି ଓ ହସ୍ପିଟାଲର ତ୍ରୁଟି ଯୋଗୁ ଜଣେ ମହିଳା ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ । ତେଣୁ ଏହି ସମସ୍ତ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛି।
ଅନ୍ୟପକ୍ଷରେ ହାଇଟେକ୍ ମାଲିକ ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିସ୍ପୋରଣରେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ କେବଳ ଚିକିତ୍ସା ସେବା ଯୋଗାଇଛି ତା’ପୁଣି ସମ୍ପୂର୍ଣ୍ଣ ମାଗଣାରେ । ରୋଗୀ ପୋଡ଼ି ଯାଇଥିବାରୁ ସେମାନଙ୍କର ଚିହ୍ନଟ ସୂଚନାଦାତା କରିଥିଲେ। ହସ୍ପିଟାଲର ଏଥିରେ କୌଣସି ଭୂମିକା ନାହିଁ କିମ୍ବା ସେମାନଙ୍କ ଚିକିତ୍ସାରେ କୌଣସି ତ୍ରୁଟି ହୋଇନାହିଁ । ଯାହାକିଛି କରାଯାଇଛି ତାହା ଆଇନତଃ ଠିକ୍।
ତେବେ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଓ ଗୁରୁତର ଅବସ୍ଥାରେ ଟେକନସିଆନଙ୍କ ମୃତ୍ୟୁ ଏବଂ ମାନସିକ ଭାରସାମ୍ୟ ହରାଇ ଜଣେ ମହିଳା ମୃତ୍ୟୁ ଆଦି ସହ ଶବ ଚିହ୍ନଟରେ ତ୍ରୁଟି ଭଳି ଅନେକ ସଙ୍ଗୀନ ଅଭିଯୋଗ ଥିଲେ ମଧ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଟେକ୍ସସିଆନଙ୍କ ମୃତ୍ୟୁ ସତ୍ତ୍ୱେ ଶ୍ରମ ବିଭାଗ ନିରବ ରହିଛି । ଏପଟେ ହସ୍ପିଟାଲରେ ବିଭ୍ରାଟ ପରେ ବି ସ୍ୱାସ୍ଥ୍ୟ ବିଭାଗର ଭୂମିକା ସନ୍ଦେହଜନକ ରହିଛି । ହସ୍ପିଟାଲର ମାଲିକ ଶ୍ରୀ ପାଣିଗ୍ରାହୀ ବିଜେଡି ନେତା ଭାବେ ଗଜପତି ଜିଲ୍ଲାରେ ଦଳୀୟ ସଂଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ତାଙ୍କୁ ସୁରକ୍ଷା ଦିଆଯାଉଥିବା ଅଭିଯୋଗ ହେଉଛି।

Advertisment
BjD Bjp Congress Hi-Tech Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe