/odisha-reporter/media/post_attachments/uploadimage/library/16_9/16_9_0/IMAGE_1721052441.jpg)
Puri Temple
ଭିତର ରତ୍ନଭଣ୍ଡାରର ୩ଟି ତାଲାରୁ ୨ଟିରେ କାହିଁକି ନଥିଲା ଜଉମୁଦ? ଆପେ ଖସିଯାଇଥିଲା ନା କେବେ କିଏ ଖୋଲିବାକୁ ଚେଷ୍ଟା କରିଥିଲା? କାହିଁକି ଡୁପ୍ଲିକେଟ୍ ଚାବିରେ ଖୋଲିଲାନି କୌଣସି ଗୋଟିଏ ବି ତାଲା? ଟ୍ରେଜେରିରୁ ଅଣାଯାଇଥିବା ଚାବି ବାସ୍ତବରେ ଡୁପ୍ଲିକେଟ୍ ଚାବି ନଥିଲା କି ? ନା ଅସଲି ତାଲାକୁ ପୂର୍ବରୁ କେବେ ବଦଳାଇ ଅନ୍ୟ ତାଲା ପକାଯାଇଛି ? ଗତକାଲି ତାଲା ଭାଙ୍ଗି ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲାଯିବା ପରେ, ସାମ୍ନାକୁ ଆସୁଛି ଏଭଳି ଅନେକ ପ୍ରଶ୍ନ।
୨୦୧୮ରେ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବହୁ ବାଦବିବାଦର ସାମ୍ନା କରିଥିଲେ ତତ୍କାଳୀନ ବିଜେଡି ସରକାର। ଏହାପରେ ଅତି ରହସ୍ୟଜନକ ଭାବେ ପ୍ରଘଟ କରାଯାଇଥିଲା ପୁରୀ ଜିଲ୍ଲା ଟ୍ରେଜେରୀ ଅଫିସରୁ ଡୁପ୍ଲିକେଟ୍ ଚାବି ମିଳିବା କଥା। ତେଣୁ ସନ୍ଦେହ ଉପୁଜୁଛି ଯେ, ଏହା ବାସ୍ତବରେ ଡୁପ୍ଲିକେଟ୍ ଚାବି ଥିଲା ତ ? ଯଦି ହଁ, ତେବେ ଗୋଟିଏ ବି ତାଲା ଖୋଲିଲାନି କାହିଁକି? ନା ବିବାଦରୁ ବର୍ତ୍ତିବା ପାଇଁ ପୂର୍ବ ସରକାରରେ ମିଛ କୁହାଯାଇଥିଲା? ଏ ବାବଦରେ ନିଶ୍ଚିତ ତଦନ୍ତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ସେହି ଚାବି କଥା କିଏ କହିଥିଲେ, କାହିଁକି କହିଥିଲେ, ନା କିଏ କୁହାଇଥିଲେ- ତାର ତର୍ଜମା ହେବ। ଗତ ସରକାରରେ କାହିଁକି ମିଥ୍ୟା କୁହାଯାଇଥିଲା, ତାର ବି ତଦନ୍ତ କରାଯିବ। ୨ଟି ତାଲାରେ ଜଉମୁଦ ନଥିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ଟାମ୍ପରିଂ ହୋଇ ନଥିବ ବୋଲି ଆଶା କରାଯାଉଛି। ଗଣତି ମଣତି ପରେ ସ୍ପଷ୍ଟ ଚିତ୍ର ମିଳିପାରିବ।
କଂଗ୍ରେସ ମଧ୍ୟ ଏହି ଘଟଣାର ତଦନ୍ତ ଦାବି କରିଥିବା ବେଳେ, ବିଜେଡି କହିଛି ଯିଏ ଦୋଷୀ ସିଏ ଦଣ୍ଡ ପାଇବା ଉଚିତ। ପୁଣି ତଦନ୍ତ କମିଟି କି କମିଶନ ବସାଇଲେ ସମୟ ଗଡ଼ିବ। ତେଣୁ ତତ୍କାଳୀନ ସରକାର ବସାଇଥିବା କମିଶନ ଯେଉଁ ରିପୋର୍ଟ ଦେଇଥିଲେ, ବିଜେପି ସରକାର ତାକୁ ଆଗାମୀ ବିଧାନସଭା ଅଧିବେଶନରେ ସାର୍ବଜନୀନ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ।
ଗତ ମେ ମାସରେ ଫୁଲବାଣୀ ନିର୍ବାଚନୀ ସଭାରେ ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଥିଲେ, ଚାବି ହଜିବା ଯେତିକି ଗମ୍ଭୀର ପ୍ରସଙ୍ଗ ଡୁପ୍ଲିକେଟ୍ ଚାବି ତିଆରି ହେବା ତାଠୁ ଅଧିକ ଗମ୍ଭୀର ବିଷୟ। କିଏ ଓ କାହିଁକି ଡୁପ୍ଲିକେଟ୍ ଚାବି ବନାଇଥିଲେ, ରାତିରେ ରତ୍ନଭଣ୍ଡାର ଖୋଲି କେହି ଦୁର୍ମୂଲ୍ୟ ଆଭୂଷଣ ଚୋରି କରୁଥିଲେ କି ବୋଲି ଖୋଲାଖୋଲି ପଚାରିଥିଲେ ମୋଦି। ଆଉ ଗତକାଲିର ଘଟଣା ଏହି ସନ୍ଦେହକୁ ଆହୁରି ଘନୀଭୂତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
