୧୪ରେ ବିଜେଡି ଡାକିଲା ବୈଠକ: ପଦାଧିକାରୀଙ୍କୁ ଭେଟିବେ ପାଣ୍ଡିଆନ

ସନ୍ତା ୨୬ତାରିଖରେ ଦଳର ୨୬ତମ ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ବିଜେଡି ନିଜର ପଦାଧିକାରୀଙ୍କ ବୈଠକ ଡାକିଛି । ଆସନ୍ତା ୧୪ତାରିଖ ପୂର୍ବାହ୍ନ ୧୦ଟାରେ ଶଙ୍ଖ ଭବନଠାରେ ଦଳୀୟ ପଦାଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହେବ।

ପଦାଧିକାରୀଙ୍କୁ ଭେଟିବେ ପାଣ୍ଡିଆନ

  • Published: Thursday, 07 December 2023
  • , Updated: 07 December 2023, 10:35 PM IST

ଆସନ୍ତା ୨୬ତାରିଖରେ ଦଳର ୨୬ତମ ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ବିଜେଡି ନିଜର ପଦାଧିକାରୀଙ୍କ ବୈଠକ ଡାକିଛି । ଆସନ୍ତା ୧୪ତାରିଖ ପୂର୍ବାହ୍ନ ୧୦ଟାରେ ଶଙ୍ଖ ଭବନଠାରେ ଦଳୀୟ ପଦାଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟସ୍ତରର ଦଳର ସମସ୍ତ ପଦାଧିକାରୀଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ଏହି ବୈଠକରେ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ସାଂଗଠନିକ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ବିଜେଡିରେ ଗତ ୨୭ତାରିଖରେ ଯୋଗ ଦେବା ପରଠୁ ଶ୍ରୀ ପାଣ୍ଡିଆନ ଦଳର ସବୁ ପଦାଧିକାରୀଙ୍କୁ ଏକାଠି ଭେଟିବାର ସୁଯୋଗ ପାଇନାହାନ୍ତି । ସାଧାରଣ ନିର୍ବାଚନକୁ ଆଉ ମାତ୍ର ୪ମାସ ବାକି ଥିବାରୁ ଦୈନିକ ନବୀନ ନିବାସରେ ଦଳର ବିଧାୟକ,ସାଂସଦ, ପଦାଧିକାରୀ ଓ ବିଭିନ୍ନ ବର୍ଗର ଲୋକମାନଙ୍କୁ ନିୟମିତ ସାକ୍ଷାତ କରିବା ସମ୍ଭବପର ହେବନି । ତେଣୁ ଏହାକୁ ଦୃଷ୍ଟିରେ ରଖି ଦଳ ନିଜର ସମସ୍ତ ପଦାଧିକାରୀଙ୍କ ବୈଠକ ଡାକିଛି । ଯେଉଁଠି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଘୋଷିତ ଉତ୍ତରାଧିକାରୀ ଶ୍ରୀ ପାଣ୍ଡିଆନ ଦଳର ସମସ୍ତ ପଦାଧିକାରୀଙ୍କୁ ବ୍ୟକ୍ତିଗତ ଭେଟିବା ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସାଂଗଠନିକ ଗୁରୁମନ୍ତ୍ର ଦେବେ ବୋଲି ଜଣାପଡ଼ିଛି । ବିଜେଡିରେ ସାମିଲ ହେବାପରେ ପାଣ୍ଡିଆନ ପ୍ରଥମଥର ପାଇଁ ସାମୁହିକ ଭାବେ ଦଳୀୟ ପଦାଧିକାରୀଙ୍କୁ ଭେଟିବେ ।

ଏହି ବୈଠକକୁ ଦଳର ସମସ୍ତ ବିଧାୟକ,ସାଂସଦଙ୍କ ସମେତ ସମସ୍ତ ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଦଳର ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତା ଓ ରାଜ୍ୟ ପରିଷଦର ସଦସ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଶଙ୍ଖ ଭବନରେ ହେବାକୁ ଥିବା ଏହି ବୈଠକ ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବୈଠକରେ ସ୍ୱଳ୍ପ ସମୟ ପାଇଁ ଯୋଗ ଦେବେ । ନବୀନଙ୍କ ନେତୃତ୍ୱରେ ପାଣ୍ଡିଆନଙ୍କ ଗୋଟିଚାଳନାରେ ବିଜେଡି ଆଗାମୀ ନିର୍ବାଚନ ବୈତରଣୀ କିଭଳି ପାର ହେବ, ସେ ନେଇ ଦଳୀୟ ନେତାମାନଙ୍କୁ ପାଣ୍ଡିଆନ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ମିଳିଛି ।
ସେହିପରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଆଚରଣକୁ ନେଇ ଦଳରେ ବଢ଼ୁଥିବା ଅସନ୍ତୋଷ ଓ ପ୍ରାୟତଃ ସବୁ ଜିଲ୍ଲାରେ ସମାନ୍ତରାଳ ଦଳୀୟ ସଂଗଠନକୁ ଦୂର କରିବା ପାଇଁ ଶ୍ରୀ ପାଣ୍ଡିଆନ ଦଳୀୟ ପଦାଧିକାରୀଙ୍କୁ ଭେଟୁଥିବା ଜଣାପଡ଼ିଛି । ଏହାସହିତ ବରିଷ୍ଠ ନେତାମାନେ ନିଜକୁ ଅଣଦେଖା ଅନୁଭବ କରୁଥିବାରୁ ଶ୍ରୀ ପାଣ୍ଡିଆନ ଏଣିକି ନିଜେ ସିଧାସଳଖ ଦଳୀୟ ପଦାଧିକାରୀଙ୍କୁ ଭେଟି ଆପତ୍ତି-ଅଭିଯୋଗ ଶୁଣିବେ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ରାଜ୍ୟର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ ପରିଚିତ ଶ୍ରୀ ପାଣ୍ଡିଆନ ଗତ ନଭେମ୍ବର ୨୭ତାରିଖରେ ନିରାଡ଼ମ୍ବର ଶୈଳୀରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେବା ପରଠୁ ନବୀନ ନିବାସରେ ତାଙ୍କୁ ଦଳୀୟ ପଦାଧିକାରୀଙ୍କଠୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ସାକ୍ଷାତ କରି ଶୁଭେଚ୍ଛା ଜଣାଉଛନ୍ତି ।

Related story