୩ ମାସ ବିତିଲାଣି: ପାଣ୍ଡିଆନଙ୍କ ଇକୋସିଷ୍ଟମରୁ ବାହାରି ପାରୁନାହାନ୍ତି ମୋହନ ସରକାର

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ପୂର୍ବ ବିଜେଡି ସରକାର ସମୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ(ଲାଇନ୍ ଡିପାର୍ଟମେଂଟ)ରେ ଥିବା ଅଫିସରମାନେ ଏବେବି ମୋହନ ସରକାରଙ୍କ କାର୍ଯ୍ୟକାଳରେ ଅନୁରୂପ ଦାୟିତ୍ୱ ତୁଲାଉଛନ୍ତି ।

ଭିକେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • Published: Tuesday, 17 September 2024
  • , Updated: 17 September 2024, 09:22 PM IST

ବିଜେଡିର ୨୪ବର୍ଷର ଶାସନକୁ ଧ୍ୱଂସ କରି ରାଜ୍ୟବାସୀ ବିଜେପି ସପକ୍ଷରେ ଜନାଦେଶ ଦେଲେ । ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ସରକାର ଗଢ଼ିବାର ୩ମାସ ବିତିସାରିଲାଣି । କିନ୍ତୁ ଏବେବି ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଇକୋସିଷ୍ଟମରୁ ପ୍ରଶାସନକୁ ବାହାର କରିବାରେ ମୋହନ ସରକାର ସକ୍ଷମ ହୋଇପାରିନାହାନ୍ତି । ରାଜ୍ୟ ସରକାରଙ୍କ ପ୍ରମୁଖ ବିଭାଗ(ଲାଇନ୍ ଡିପାର୍ଟମେଂଟ)ଗୁଡ଼ିକ ଏବେବି ପାଣ୍ଡିଆନଙ୍କ ଖାସ୍ ସହଯୋଗୀମାନଙ୍କ ପାଖରେ ପୂର୍ବଭଳି ରହିଛି । ସେହି ବିଭାଗୀୟ ମୁଖ୍ୟ(ସଚିବମାନଙ୍କୁ) ବଦଳାଇ ପୂର୍ବ ବିଜେଡି ସରକାରର ଇକୋସିଷ୍ଟମରୁ ବାହାରିବା ପରିବର୍ତ୍ତେ ସେହି ଅଫିସରମାନଙ୍କୁ ମୋହନ ସରକାର ସେହି ଦାୟିତ୍ୱରେ ଗେହ୍ଲାପୁଅ କରି ବସାଇଥିବାକୁ ନେଇ ପାୱାର କରିଡ଼ରରେ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ରାଜ୍ୟ ସରକାରଙ୍କ ଦୁହାଁଳିଆ ବିଭାଗ ଯଥା- ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ, ଜଳସମ୍ପଦ, ଅବକାରୀ, ଖାଦ୍ୟଯୋଗାଣ, ଶିଳ୍ପ, ବାଣିଜ୍ୟ ଓ ପରିବହନ, କୃଷି, ଉଚ୍ଚଶିକ୍ଷା ସମେତ ଓଡ଼ିଶା ଖଣି ନିଗମ ଓ ଓଡ଼ିଶା ଖଣିଜ ଉତ୍ତୋଳନ ନିଗମ ଭଳି ଦାୟିତ୍ୱରେ ଥିବା ଅଫିସରଙ୍କୁ ବଦଳାଇ ନଥିବା ଜଣାପଡ଼ିଛି । ଏପରିକି ଏହି ବିଭାଗଗୁଡ଼ିକ ଦାୟିତ୍ୱରେ ଥିବା ଅଫିସରଙ୍କ ମଧ୍ୟରେ ଅଧିକାଂଶ ୩ବର୍ଷରୁ ଅଧିକ ସମୟ ବିତାଇ ସାରିଲେଣି ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ପୂର୍ବ ବିଜେଡି ସରକାର ସମୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ(ଲାଇନ୍ ଡିପାର୍ଟମେଂଟ)ରେ ଥିବା ଅଫିସରମାନେ ଏବେବି ମୋହନ ସରକାରଙ୍କ କାର୍ଯ୍ୟକାଳରେ ଅନୁରୂପ ଦାୟିତ୍ୱ ତୁଲାଉଛନ୍ତି । ଏପରିକି ଗୋଟିଏ ବିଭାଗରେ ୩ବର୍ଷରୁ ଅଧିକ ସମୟ ଧରି କାହିଁକି ଅଫିସରମାନେ କାର୍ଯ୍ୟ କରୁଛନ୍ତି ବୋଲି ପୂର୍ବରୁ ପ୍ରଶ୍ନ କରିଆସୁଥିବା ବିଜେପି ଏବେ ନିଜର ସରକାର ଆସିବା ପରେ ମଧ୍ୟ ସେମାନଙ୍କୁ ବଦଳାଇବାକୁ ଆଗ୍ରହ ଦେଖାଇନାହିଁ । ଉଦାହରଣ ସ୍ୱରୂପ- ୧୯୯୧ ବ୍ୟାଚ୍ ଆଇଏଏସ୍ ଅନୁ ଗର୍ଗ ଯିଏକି ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ଓ ୨୦୨୦ ଜୁଲାଇ ମାସରୁ ଜଳସମ୍ପଦ ବିଭାଗର ସଚିବ ଦାୟିତ୍ୱରେ ଅଛନ୍ତି ।

୧୯୯୩ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାର ୨୦୨୧ ଜୁଲାଇ ମାସରୁ ସାଧାରଣ ପ୍ରଶାସନ ବିଭାଗର ଦାୟିତ୍ୱରେ ରହିଛନ୍ତି । ଏବେ ତାଙ୍କୁ ତାଙ୍କର ପୁରୁଣା ବିଭାଗ ଇସ୍ପାତ ଓ ଖଣି ସହ ସଂସଦୀୟ ବ୍ୟାପାର ବିଭାଗର ଦାୟିତ୍ୱ ମଧ୍ୟ ମିଳିଛି । ସେ ଓଏମସି, ଓଏମଇସିଏଲ ଓ ଇଡକଲ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । ମୋହନ ସରକାର ତାଙ୍କୁ ୩ଟି ବିଭାଗର ସଚିବ ଦାୟିତ୍ୱ ସହ ୩ଟି ନିଗମର ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ପଦବୀରେ ସେ ପ୍ରାୟ ଦେଢ଼ବର୍ଷ ଧରି ରହିବା ପରେ ୨୦୧୯ ସେପ୍ଟେମ୍ବର ମାସରେ ତାଙ୍କୁ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମିଳିଥିଲା । କିନ୍ତୁ ୨୦୨୧ ଜୁଲାଇରେ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇଥିଲା । ଏବେ ପୁଣିଥରେ ସେ ନିଜର ପୁରୁଣା ବିଭାଗକୁ ଫେରିଛନ୍ତି, ତା’ ସହ ଅନ୍ୟ ୫ଟି ଦାୟିତ୍ୱ ମଧ୍ୟ ତାଙ୍କ ପାଖରେ ।

ସେହିପରି ୧୯୯୫ ବ୍ୟାଚ୍ ଆଇଏଏସ୍ ହେମନ୍ତ କୁମାର ଶର୍ମା ୨୦୧୯ ଅଗଷ୍ଟ ମାସରୁ ଶିଳ୍ପ ବିଭାଗର ସଚିବ ଦାୟିତ୍ୱରେ ଅଛନ୍ତି । ଏବେ ସେ ଶକ୍ତି ଓ ଏମଏସଏମଇ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଏବଂ ଇପିକଲ ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ମୋହନ ସରକାର ତାଙ୍କୁ ନ୍ୟସ୍ତ କରିଛନ୍ତି । ଶ୍ରୀ ଶର୍ମାଙ୍କ ପାଖରେ ବହୁ ଦିନ ଧରି ଶକ୍ତି ବିଭାଗ ରହିଥିଲା । ଆଉ ଶିଳ୍ପ ବିଭାଗ ତାଙ୍କ ପାଖରେ ୫ବର୍ଷରୁ ଅଧିକ ସମୟ ଧରି ରହିଛି ।

ଶ୍ରୀ ଶର୍ମାଙ୍କ ବ୍ୟାଚର ଆଇଏଏସ୍ ସୁଶୀଲ କୁମାର ଲୋହାନୀ ୨୦୧୯ ଅଗଷ୍ଟ ମାସରୁ ୨୦୧୯ ଅଗଷ୍ଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରଠୁ ଅବକାରୀ ବିଭାଗ ତାଙ୍କ ପାଖରେ ରହିଛି । ପୂର୍ବ ବିଜେଡି ସରକାରରେ ସେ ୨୦୧୯ ସେପ୍ଟେମ୍ବରରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ପଦବୀରେ ରହିଥିଲେ ମଧ୍ୟ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ । ୨୦୨୨ ଅଗଷ୍ଟ ୨୭ତାରିଖରେ ତାଙ୍କୁ ପଂଚାୟତିରାଜ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଥିଲା । ଅବଶ୍ୟ ନିର୍ବାଚନ ଆୟୋଗଙ୍କ ତାଗିଦ୍ ପରେ ତତକାଳୀନ ବିଜେଡି ସରକାର ତାଙ୍କୁ ୨୦୨୩ ମାର୍ଚ୍ଚ ମାସରେ ସିଇଓ ପଦବୀରୁ ଫେରାଇ ଆଣିଥିଲା । ଆଉ ସେବେଠୁ ସେ ପଂଚାୟତିରାଜ ବିଭାଗର ସଚିବ ଅଛନ୍ତି ଆଉ ପ୍ରାୟ ୫ବର୍ଷରୁ ଅଧିକ ଦିନ ଧରି ଅବକାରୀ ବିଭାଗ ଦାୟିତ୍ୱ ମଧ୍ୟ ତୁଲାଇ ଆସୁଛନ୍ତି ।

୧୯୯୬ ବ୍ୟାଚ୍ ଆଇଏଏସ୍ ବୀରବିକ୍ରମ ଯାଦବଙ୍କ ପାରିବାପଣିଆ ଏତେ ଯେ, ସେ ଉଭୟ ବିଜେଡି ଓ ବିଜେପି ସରକାରରେ ଗେହ୍ଲାପୁଅ ହୋଇ ରହିଛନ୍ତି । ୨୦୧୭ ଅକ୍ଟୋବରରୁ ଅର୍ଥାତ୍ ୭ବର୍ଷ ଧରି ସେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ଅଛନ୍ତି । ପୂର୍ତ୍ତ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଦାୟିତ୍ୱ ମଧ୍ୟ ୨୦୨୨ ମାର୍ଚ୍ଚ ମାସରୁ ତୁଲାଉଛନ୍ତି । ରାଜ୍ୟ ଓବିସି ଆୟୋଗରେ ସଦସ୍ୟ ସଚିବ ବି ଅଛନ୍ତି । ବିଜେଡି ସରକାରରେ ଏହିସବୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଶ୍ରୀ ଯାଦବ ଏବେ ମୋହନ ସରକାରରେ ବି ସମାନ ଦାୟିତ୍ୱରେ ରହିଛନ୍ତି ।

ଶ୍ରୀ ଯାଦବଙ୍କ ବ୍ୟାଚର ଆଇଏଏସ୍ ଦମ୍ପତି ଅରବିନ୍ଦ ପାଢ଼ୀ ଓ ଉଷା ପାଢ଼ୀ ମଧ୍ୟ ବିଜେଡି ସରକାରରେ ଯେଉଁ ଦାୟିତ୍ୱରେ ଥିଲେ ତାକୁ ବଜାୟ ରଖିବା ସହ ମୋହନ ସରକାରରେ ଅତିରିକ୍ତ ଦାୟିତ୍ୱ ମଧ୍ୟ ପାଇଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଶ୍ରୀ ପାଢ଼ୀଙ୍କୁ ୨୦୨୨ ଅଗଷ୍ଟ ମାସରେ ତତକାଳୀନ ବିଜେଡି ସରକାର କୃଷି ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରିଥିଲା । ଏହି ଦାୟିତ୍ୱ ଏବେବି ଶ୍ରୀ ପାଢ଼ୀ ତୁଲାଉଛନ୍ତି । ମୋହନ ସରକାର ତାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଯଦିଓ ଏହି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଜଣେ ଫୁଲଟାଇମ୍ ଅଫିସରଙ୍କୁ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟ ତାଗିଦ୍ କରିଛନ୍ତି ।

ଶ୍ରୀ ପାଢ଼ୀଙ୍କ ଆଇଏଏସ୍ ପତ୍ନୀ ଉଷା ପାଢ଼ୀ କେନ୍ଦ୍ରୀୟ ଡେପୁଟେସନରୁ ଫେରି ୨୦୨୨ ଡିସେମ୍ବର ମାସରୁ ବାଣିଜ୍ୟ ଓ ପରିବହନ ବିଭାଗର ଦାୟିତ୍ୱ ତୁଲାଉଛନ୍ତି । ତାଙ୍କୁ ମୋହନ ସରକାର ନିକଟରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଦାୟିତ୍ୱ ମଧ୍ୟ ନ୍ୟସ୍ତ କରିଛନ୍ତି । ଏବେ ଉଷାଙ୍କ ପାଖରେ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି ।

ସେହିପରି ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ସିଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଉଛନ୍ତି । ବିଜେଡି ସରକାରରେ ସେ ଏହି ଦୁଇଟି ବିଭାଗ ତୁଲାଉଥିଲେ । ୨୦୨୨ ଅଗଷ୍ଟରୁ ସେ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଦାୟିତ୍ୱରେ ଅଛନ୍ତି । ଆଉ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱରେ ସେ ଦୀର୍ଘବର୍ଷ ହେଲା ରହିଛନ୍ତି । ମାତ୍ର ବର୍ଷକ ପାଇଁ ୨୦୨୧ ମେ’ରୁ ୨୦୨୨ ଜୁନ୍ ପର୍ଯ୍ୟନ୍ତ ସେ ବିଏମସି କମିଶନର ଓ ବିଡିଏ ଉପାଧ୍ୟକ୍ଷ ଥିବାରୁ ସେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱରୁ ଦୂରେଇ ରହିଥିଲେ । ସାଧାରଣ ନିର୍ବାଚନକୁ ଦେଖି ତାଙ୍କୁ ତତକାଳୀନ ବିଜେଡି ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ଦାୟିତ୍ୱ ଦେଇଥିଲା ।

ସେହିପରି ୨୦୦୭ ବ୍ୟାଚ୍ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ ୨୦୨୩ ଜୁନ୍ ମାସରୁ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱରେ ରହିଛନ୍ତି । କନିଷ୍ଠତା ସତ୍ତ୍ୱେ ବିଜେଡି ସରକାର ତାଙ୍କୁ ଉଚ୍ଚଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଦାୟିତ୍ୱ ନ୍ୟସ୍ତ କରିବାକୁ ପଛାଇନଥିଲେ । ଯଦିଓ ୨୦୦୦ ବ୍ୟାଚର ଆଇଏଏସ୍ ଟି.ଆଓଙ୍କ ଭଳି ଅଫିସରଙ୍କୁ ଚାକିରିର ୨୪ବର୍ଷ ପରେ ସଚିବ ଦାୟିତ୍ୱ ଦେଇଥିଲେ ତତକାଳୀନ ବିଜେଡି ସରକାର । କିନ୍ତୁ ଅରବିନ୍ଦଙ୍କୁ ମାତ୍ର ୧୬ବର୍ଷ ଚାକିରିରେ ବିଭାଗୀୟ ସଚିବ ଦାୟିତ୍ୱ ନ୍ୟସ୍ତ କରିବାକୁ ପଛାଇ ନଥିଲେ ।

ସେହିପରି ୨୦୦୭ ବ୍ୟାଚ୍ ଆଇଏଏସ୍ ବଳବନ୍ତ ସିଂଙ୍କୁ ବିଜେଡି ସରକାର ୨୦୨୧ ଜୁନ୍ ମାସରେ ପୁରୀ ଜିଲ୍ଲାପାଳରୁ ସିଧାସଳଖ ଆଣି ଓଏମସି ଓ ଓଏମଇସିଏଲ୍ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରିଥିଲା । ଯାହାକି ଏବେବି ତାଙ୍କ ପାଖରେ ରହିଛି । ଆଉ ମୋହନ ସରକାର ତାଙ୍କୁ ଏସବୁ ଦାୟିତ୍ୱ ସହ ପର୍ଯ୍ୟଟନ ବିଭାଗର ସଚିବ ଓ ଇଡକଲ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରିଛି ।

ତେବେ ପ୍ରଶ୍ନ ଉଠୁଛି, ବିଜେଡି ସରକାରରେ ସର୍ବେସର୍ବା ପାଣ୍ଡିଆନ ଯେଉଁ ଅଫିସରମାନଙ୍କ ଉପରେ ଭରସା କରି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଲାଇନ୍ ଡିପାର୍ଟମେଂଟଗୁଡ଼ିକରେ ଅବସ୍ଥାପିତ କରିଥିଲେ ସେମାନେ ଏବେବି କିଭଳି ସେହିସବୁ ପଦବୀ ବଜାୟ ରଖିଛନ୍ତି । ବିଜେଡି ସରକାର ଅମଳରେ ବ୍ଲକଠୁ ଆରମ୍ଭ କରି ସବୁ ଲାଇନ୍ ବିଭାଗରେ ଦୁର୍ନୀତିର ପୁଳାପୁଳା ଗନ୍ଧ ବାରୁଥିବା ରାଜ୍ୟ ବିଜେପି ଏସବୁ ଉପରେ ଏବେ ନିରବ ବି ରହିଛି କାହିିଁକି? ତତକାଳୀନ ବିଜେଡି ସରକାର ଅମଳରେ ଏସବୁ ବିଭାଗରେ ହୋଇଥିବା ଦୁର୍ନୀତି ଓ ଅନିୟମିତତାକୁ ସଜାଡ଼ିବା ପାଇଁ ମୋହନ ମାଝୀଙ୍କ ସରକାର ପାଣ୍ଡିଆନଙ୍କ ଇକୋସିଷ୍ଟମରେ ପରିବର୍ତ୍ତନ ନକରି ଏହି ଅଫିସରମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରୁନାହାନ୍ତି ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Related story