ବିଜେଡିର ସମୟ ସରିଆସିଲାଣି: ବିରୋଧୀ ଦଳ ନେତା

ଓଡ଼ିଶା ପୁଲିସ ଏବେ ବିଜେଡିର କର୍ମୀ ଭଳି କାର୍ଯ୍ୟ କରୁଛି ତଥା ମାନବିକତା ବି ହରାଇ ବସିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

  • Published: Thursday, 02 March 2023
  • , Updated: 02 March 2023, 10:18 PM IST

ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତରେ ଶିଥିଳତା ପ୍ରତିବାଦରେ ଆନ୍ଦୋଳନ କରି ଗିରଫ ହୋଇ ଜେଲରେ ଥିବା ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତାମାନଙ୍କୁ ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ଅନ୍ୟ ବିଜେପି ବିଧାୟକମାନେ ଜେଲ୍ ପରିସରରେ ଭେଟିଛନ୍ତି । ଓଡ଼ିଶା ପୁଲିସ ଏବେ ବିଜେଡିର କର୍ମୀ ଭଳି କାର୍ଯ୍ୟ କରୁଛି ତଥା ମାନବିକତା ବି ହରାଇ ବସିଛି ବୋଲି ସେ କହିବା ସହ ବିଜେଡିର ଶେଷ ସମୟ ଆସିଗଲାଣି ବୋଲି ସତର୍କ କରାଇ ଦେଇଛନ୍ତି ।

୨୮ତାରିଖରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନବେଳେ ଯୁବମୋର୍ଚ୍ଚା କର୍ମକର୍ତ୍ତା ଓ ପୁଲିସ ମୁହାଁମୁହିଁ ହେବା ଘଟଣାରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ବିଜେପି ଯୁବନେତାମାନଙ୍କୁ ଆଜି ଜେଲ୍ ପରିସରରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଓ ବିଜେପି ବିଧାୟକମାନେ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ, ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତାମାନଙ୍କ ମାନସିକ ସ୍ଥିତି ସୁଦୃଢ଼ ରହିଛି ଓ ସେମାନଙ୍କର ସ୍ୱରକୁ ଚପାଇ ପାରିବେ ନାହିଁ । ଆଗାମୀ ଦିନରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ସେ ଆହ୍ୱାନ ଦେଇଛନ୍ତି । ଶେଷ ସମୟ ଆସିଲେ ଦୀପ ଯେଭଳି ହୁତୁହୁତୁ ହୋଇ ଜଳି ଉଠେ, ଠିକ୍ ସେଭଳି ବିଜେଡିର ଶେଷ ସମୟ ଆସିଗଲାଣି । ପୁଲିସ ନିଜେ ଅଣ୍ଡା, ଢେଲା ପଥର ଆଣି ପ୍ରାୟୋଜିତ ଭାବେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନଙ୍କୁ ମାଡ଼ ମାରି ରକ୍ତାକ୍ତ କରିଛି । ବିଜେଡି ସରକାରର ଇଙ୍ଗିତରେ ବିଜେପିିର ଏତାଲାକୁ ମଧ୍ୟ ପୁଲିସ ପଞ୍ଜିକରଣ କଲାନି । ପୁଲିସ ଏଠି ବିଜେଡରି କର୍ମୀଭଳି କାର୍ଯ୍ୟ କରୁଛି । ଆନ୍ଦୋଳନ ସମୟରେ ପୁଲିସ କର୍ମୀମାନେ ନିଜେ ଗଣ୍ଡଗୋଳ କରି, ହିଂସା ଭିଆଇ ଅରାଜକତା କରି ଦୋଷ ବିଜେପି ଉପରେ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆନ୍ଦୋଳନରେ ସାମିଲ ହୋଇନଥିବା ଯୁବକଙ୍କୁ ମଧ୍ୟ ପୁଲିସ ଗିରଫ କରିବା କ୍ଷୋଭର ବିଷୟ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ସରକାର ବିଭିନ୍ନ ଉପାୟରେ ହଇରାଣ କରି ତାଙ୍କୁ ଚପାଇ ଦେବାକୁ ପ୍ରୟାସ ଜାରି ରଖିଛନ୍ତି । ଚକ୍ରାନ୍ତ କରି ଫସାଇବା ପାଇଁ ଷଡ଼ଯନ୍ତ୍ର ରଚାଯାଉଛି । ବର୍ଷ ବର୍ଷ ପରେ ତାଙ୍କ ବିରୁଦ୍ଧରେ ଥିବା ମାମଲାର ଚାର୍ଜସିଟ୍ ଦିଆଯାଉନି । ସତ୍ୟକୁ ଲୋକଙ୍କ ସାମ୍ନାରେ ଆଣିବାର ସାହସ ରଖୁଛି । ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ଆସ୍ଥା ରହିଛି ଏବଂ ଅଦାଲତରେ ସତ୍ୟର ପର୍ଦ୍ଦାଫାସ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ସହ ବିଜେପି ବିଧାୟକ ମୋହନ ମାଝୀ,  ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନବଚରଣ ମାଝୀ ଓ ସୁରଜ ସୂର୍ଯ୍ୟବଂଶୀ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ରାଜେନ୍ଦ୍ର ପଣ୍ଡା, ପବିତ୍ର ଦାଶ, ଓମପ୍ରକାଶ ମିଶ୍ର ଓ ସିର୍ଦ୍ଧାଥ ପତି ପ୍ରମୁଖ ଝାରପଡ଼ା ଜେଲକୁ ଯାଇଥିଲେ ।

Related story