Advertisment

ଅସନ୍ତୋଷ ଝାଡ଼ିଲେ ଲୋକେ, ମନ୍ତ୍ରୀଙ୍କ ସମ୍ମୁଖରେ ମେୟର ହଟହଟା

ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ବର୍ଷା ଦିନରେ ରାସ୍ତା ଓ ପରିମଳର ଦୁରବସ୍ଥା କଥା ଉଠାଇ, ମେୟରଙ୍କୁ ମନଭରି ଶୁଣାଇଲେ ଲୋକେ।

author-image
Biswajit Samal
Mayor Sulochana Das

Mayor Sulochana Das

ନଗର ଉନ୍ନୟନ ମନ୍ତ୍ରୀ ରାଜଧାନୀବାସୀଙ୍କ ସମସ୍ୟା ଓ ଅଧପନ୍ତରିଆ ପ୍ରକଳ୍ପର ସମୀକ୍ଷା କରିବା ବେଳେ, ଲୋକଙ୍କ ରୋଷର ଶିକାର ହେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ। ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ବର୍ଷା ଦିନରେ ରାସ୍ତା ଓ ପରିମଳର ଦୁରବସ୍ଥା କଥା ଉଠାଇ, ମେୟରଙ୍କୁ ମନଭରି ଶୁଣାଇଲେ ଲୋକେ। ବିଏମ୍ସିର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇବାରୁ ପରିସ୍ଥିତି ଏପରି ହେଲା ଯେ, ମନ୍ତ୍ରୀ ଓ ବାକି ଅଧିକାରୀଙ୍କୁ ଛାଡ଼ି ମେୟର ଅଚାନକ ସେଠାରୁ ଉଭାନ ହୋଇଯାଇଥିବା ଚର୍ଚ୍ଚା ହେଉଛି।

Advertisment

ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳର ଦୁଃସ୍ଥିତି ସଂପର୍କରେ ଜଣାଇବା ପାଇଁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ନିମନ୍ତ୍ରଣ କରିଥିଲେ ସ୍ଥାନୀୟ ଲୋକେ। ଲୋକଙ୍କ ନିମନ୍ତ୍ରଣ ରକ୍ଷା କରି ଗ୍ରାଉଣ୍ଡ୍ ଜିରୋରେ ପହଞ୍ଚିଥିଲେ ମନ୍ତ୍ରୀ। ସେ ଏକା ଆସିନଥିଲେ। ତାଙ୍କ ସହିତ ଆସିଥିଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, କମିଶନର, ବରିଷ୍ଠ ଅଧିକାରୀ ଏବଂ ଏକାମ୍ର ବିଧାୟକ ବାବୁ ସିଂ। ରାସ୍ତାରେ ଚାଲିଚାଲି ସ୍ଥିତି ପରଖିଥିଲେ ମନ୍ତ୍ରୀ। କାଦୁଅ ପଚପଚ ରାସ୍ତା ଦେଖିଥିଲେ ମନ୍ତ୍ରୀ। ରାସ୍ତାରେ ଖାଲଖମାରେ ଠାଏଁ ଠାଏଁ ପାଣି ରହିଥିଲା। ଅତି କଦର୍ଯ୍ୟ ସ୍ଥିତି। ପରିମଳ କଥା ତ ନକହିବା ଭଲ। ତେବେ ଐତିହାସିକ ଧୋବା ପୋଖରୀ ବୁଲି ଦେଖିବା ବେଳେ ମନ୍ତ୍ରୀଙ୍କ ସାମ୍ନାରେ ମେୟରଙ୍କୁ ନିଶାନା କରି ମନଭରି ଅସନ୍ତୋଷ ଝାଡ଼ିଥିଲେ ଲୋକେ। ଶୁଝାଇ ଦେଇଥିଲେ ଦୀର୍ଘଦିନର ପୁଞ୍ଜିଭୂତ ରାଗ।

ଲୋକଙ୍କ ଅଭିଯୋଗ ଅନୁସାରେ, ୨୦୧୬ରେ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଧୋବା ପୋଖରୀ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ଏବେବି ଅଧପନ୍ତରିଆ ପଡ଼ିଛି। ୨୨ ଏକର ପୋଖରୀରୁ ଏବେ ମାତ୍ର ୯ ଏକର ଅଛି। ବାକି ଜମି ନେତା ଓ ବିଲଡରଙ୍କ ଜବରଦଖଲରେ ରହିଛି। ଏଥିସହ ଅନ୍ୟାନ୍ୟ ମୌଳିକ ସମସ୍ୟା ସଂପର୍କରେ ବି ଲୋକଙ୍କ ଠାରୁ ଶୁଣିବା ପରେ, ତାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।

Advertisment

ସେପଟେ ଚିନ୍ତାମଣିଶ୍ୱର ଅଞ୍ଚଳରେ ଲୋକଙ୍କ ରୋଷର ଶିକାର ହେବା ପରେ, ମେୟର ଅଚାନକ ମନ୍ତ୍ରୀ ଓ ବାକି ଟିମ୍କୁ ଛାଡ଼ି ଅନ୍ୟତ୍ର ପଳାଇଥିଲେ ଏବଂ ସେଠାରେ ଆଉ ନଜର ଆସିନଥିଲେ ବୋଲି ଶୁଣିବାକୁ ମିଳୁଛି। ପରେ ଅବଶ୍ୟ ଓସ୍କାର ସିଟି, ନିକୋ ପାର୍କ ଓ ନୟାପଲ୍ଲୀ ହଜ୍ ପୋଖରୀ ପ୍ରକଳ୍ପ ସମୀକ୍ଷା ବେଳେ ପୁଣିଥରେ ମନ୍ତ୍ରୀଙ୍କ ସହ ମେୟରଙ୍କୁ ଦେଖିବାକୁ ମିଳିଥିଲା।

Bjp