Advertisment

ମଣିପୁର ଘଟଣା ସାମ୍ପ୍ରଦାୟିକ ହିଂସା ନା ରାଜନୈତିକ ଆକ୍ରୋଶ?

ମଣିପୁର ଘଟଣାକୁ ସାମ୍ପ୍ରଦାୟିକ ହିଂସାର କରୁଣ ପରିଣତି କୁହାଯାଉ ଥିବାବେଳେ ଏ ଲଜ୍ଜିତ ଅଧ୍ୟାୟରେ ଘୃଣ୍ୟ ରାଜନୀତିର ଗନ୍ଧ ଆସୁଛି। ସାମାନ୍ୟ ପଦବୀ ଲୋଭ ନାରୀର ଇଜ୍ଜତକୁ ପଦାରେ ପକାଇ ଦେଇପାରେ, ପୂରା ଦେଶକୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିପାରେ ତାହା ଏହାର ଜ୍ୱଳନ୍ତ ଉଦାହରଣ।

author-image
Debibandita Barick
ଅଦ୍ୟତନ ହୋଇଛି
The politics of keeping Manipur sexual assault video

The politics of keeping Manipur sexual assault video

ମଣିପୁରରେ ଦୁଇ ଯୁବତୀଙ୍କୁ ପାଶବୀୟ ବ୍ୟବହାର ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏପରି ନିର୍ଯାତନା ସହିଥିବା ପୀଡିତାଙ୍କ କଥା ଭାବିଲେ ଲୋମ ଟାଙ୍କୁରି ଯାଉଛି। ଘଟଣାକୁ ଯେତେ ନିନ୍ଦା କଲେ ବି କମ୍ ପଡିଯିବ। ପୂରା ଘଟଣାକୁ ସାମ୍ପ୍ରଦାୟିକ ହିଂସାର କରୁଣ ପରିଣତି କୁହାଯାଉଥିବାବେଳେ ଏ ଲଜ୍ଜିତ ଅଧ୍ୟାୟରେ ଘୃଣ୍ୟ ରାଜନୀତିର ଗନ୍ଧ ଆସୁଛି। ସାମାନ୍ୟ ପଦବୀ ଲୋଭ ନାରୀର ଇଜ୍ଜତକୁ ପଦାରେ ପକାଇ ଦେଇପାରେ, ପୂରା ଦେଶକୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିପାରେ ତାହା ଏହାର ଜ୍ୱଳନ୍ତ ଉଦାହରଣ।

Advertisment

ସୂଚନା ମୁତାବକ, ମଣିପୁରରେ ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ସଂଘର୍ଷ ଆରମ୍ଭ ହେବାର ଗୋଟିଏ ଦିନ ପରେ କାଙ୍ଗପୋକପି ଜିଲ୍ଲାରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା। ଭିଡିଓରେ ପୀଡିତାମାନେ କୁକି-ଜୋ ଜନଜାତିର ହୋଇଥିବାବେଳେ ସେମାନଙ୍କୁ ପାଶବୀୟ ବ୍ୟବହାର କରିଥିବା ନିଷ୍ଠୁର ଗୋଷ୍ଠୀ ମେତେଇ ସମ୍ପ୍ରଦାୟର ବୋଲି ମଣିପୁରରେ ରହୁଥିବା ଆଦିବାସୀ ନେତାଙ୍କ ଫୋରମ୍ ଦାବି କରିଛି।

ମେ' ୪ ତାରିଖରେ ଘଟିଥିବା ଏହି ଘଟଣା ହଠାତ୍ ସଂସଦର ମୌସୁମୀ ଅଧିବେଶନ ଆରମ୍ଭର ଦିନକ ପୂର୍ବରୁ ଅର୍ଥାତ୍ ଜୁଲାଇ ୧୯ ତାରିଖରେ ଭିଡିଓ ଭାଇରାଲକୁ ନେଇ ସନ୍ଦେହ ଉପୁଜିଛି। ବିଜେପି ନେତୃତ୍ୱାଧୀନ ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂହଙ୍କ ସରକାର ଭାଇରାଲ୍ ଭିଡିଓକୁ ଯୋଜନାବଦ୍ଧ ବୋଲି ସନ୍ଦେହ କରୁଛି। କାରଣ ମଣିପୁରରେ ଘଟିଥିବା ଏହି ନିନ୍ଦନୀୟ ଘଟଣା ବିଜେପି ବିଧାୟକ ଥୋକଚୋମ ରାଧେଶ୍ୟାମ ସିଂହଙ୍କ ନିର୍ବାଚନ ମଣ୍ଡଳୀର। ରାଧେଶ୍ୟାମଙ୍କ ହେରୋକ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ବି. ଫିନୋମ ଗ୍ରାମ ନିକଟରେ ଏହି ଘଟଣା ଘଟିଛି।

Advertisment

ଥୋକଚୋମ ରାଧେଶ୍ୟାମ୍ ସିଂହ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂହଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିଲେ। ଡିସେମ୍ବର ୩୧, ୨୦୨୨ରେ ନିଯୁକ୍ତ ହେବା ପରଠାରୁ ତାଙ୍କୁ କୌଣସି ଦାୟିତ୍ୱ ଦିଆନଯିବାରୁ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ରାଧେଶ୍ୟାମ୍ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ। ତେବେ ମେ' ୪ରେ ଘଟିଥିବା ଏହି ଘଟଣା ଏବଂ ପରବର୍ତ୍ତୀ ସମୟରେ ଭିଡିଓ ରିଲିଜ୍ ପାଇଁ ତାଙ୍କୁ କୌଣସି ପ୍ରକାରରେ ଦାୟୀ କରାଯାଉ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ୭୫ ଦିନ ପରେ ଏକ ନିର୍ଦ୍ଦିଷ୍ଟ ସମୟରେ ଭାଇରାଲ୍ ହେବାକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ। 

ଏହା ନୁହେଁ ଯେ କେବଳ ଭିଡିଓ ଯୋଗୁଁ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୪୦ ପରିବାରର ବସ୍ତି ବି.ଫିନୋମ ଗାଁର ୬୫ ବର୍ଷିୟ ମୁଖିଆ ଥାଙ୍ଗବୋଇ ଭାଇଫେଇ ମେ' ୧୮ ତାରିଖରେ ସାଇକୁଲ ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ। ସ୍ଥାନୀୟ ଖବର ପୋର୍ଟାଲ ହିଲ୍ସ ଜର୍ଣ୍ଣାଲ ଘଟଣା ଉପରେ ଏକ ଖବର ମଧ୍ୟ ପ୍ରକାଶ କରିଥିଲା। କିନ୍ତୁ ମଣିପୁର ପୋଲିସକୁ FIR ପଞ୍ଜୀକରଣ କରିବା ପାଇଁ ଏକ ମାସରୁ ଅଧିକ ସମୟ ଲାଗିଲା। ଶେଷରେ ପୋଲିସ ଜୁନ୍ ୨୧ରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

କିନ୍ତୁ ସେତେବେଳେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି? ଭିଜୁଆଲ ସହ ପ୍ରମାଣ ଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ପୋଲିସ ଏତେଦିନ ସମୟ ନେଇଗଲା ସମଗ୍ର ଦେଶବାସୀ ଏହି ପ୍ରଶ୍ନ କରୁଛନ୍ତି। ମାମଲାରେ ପୋଲିସ ଦାୟିତ୍ୱ ସମ୍ପାଦନ କରିଥିଲେ ହୁଏତ ଆଜି ସମଗ୍ର ଦେଶକୁ ଲଜ୍ଜିତ ହେବାକୁ ପଡ଼ିନଥାନ୍ତା। ଘଟଣା ପଛର ପ୍ରକୃତ କାରଣ ଏବଂ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି।

Manipur Incident Manipur Sexual Assault Manipur Communal Violence