ଆସନ୍ତାକାଲିଠୁ ୫ଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି

ଆସନ୍ତାକାଲି ଅପରାହ୍ନ ୫ଟାରେ ଭୁବନେଶ୍ୱରରେ ପହଞ୍ଚିବେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

  • Published: Monday, 02 December 2024
  • , Updated: 02 December 2024, 09:41 PM IST

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠୁ ୫ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ବ୍ୟାପକ ପ୍ରସ୍ତୁତି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଦିନିଆ ଗସ୍ତ ଶେଷକରି ଗତକାଲି ଓଡ଼ିଶା ଛାଡ଼ିଥିବାବେଳେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତାକାଲିଠୁ ୫ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ କଟକଣା ମଧ୍ୟ ଜାରି ହୋଇଛି ।

ସୂଚନା ଅନୁସାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ  ସ୍ୱତନ୍ତ୍ର ବିମାନରେ ଆସନ୍ତାକାଲି ଅପରାହ୍ନ ୫ଟାରେ ଭୁବନେଶ୍ୱରରେ ପହଂଚିବେ । ରାଷ୍ଟ୍ରପତି ଆସନ୍ତାକାଲି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ଆଦିମଓୱାର ଜାର୍ପା ଜାହେର ପରିଦର୍ଶନ କରିବେ ।

ଡିସେମ୍ବର ୪ତାରିଖରେ ପୁରୀ ଯାଇ ସକାଳ ୧୦ଟା ୧୫ରୁ ୧୦ଟା ୪୦ମିନିଟ୍ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ପରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ଅପରାହ୍ନ ୩ଟା ୫୫ମିନିଟରେ ପୁରୀ ବ୍ଲୁ-ଫ୍ଲାଗ ବେଳାଭୂମିରେ ଆୟୋଜିତ ନୌସେନା ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । ଡିସେମ୍ବର ୫ତାରିଖରେ ଓୟୁଏଟିର ୪୦ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିଦିନ ଭୁବନେଶ୍ୱରର ନ୍ୟାୟିକ କୋର୍ଟର ନୂଆ ଅଟ୍ଟାଳିକାକୁ ଉଦଘାଟନ କରିବେ । ଡିସେମ୍ବର ୬ରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ଉପରବେଡ଼ାଠାରେ ଛାତ୍ରଛାତ୍ରୀ ଓ ଗାଁ ଲୋକମାନଙ୍କ ସହ ମତବିନିୟମ କରିବେ । ସେହିଦିନ ରାଇରଙ୍ଗପୁରଠାରେ ସେ ରାଇରଙ୍ଗପୁର ମହିଳା କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପିକମାନଙ୍କ ସହ କଥା ହେବେ ।

୭ତାରିଖରେ ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁରମରା-ଚକୁଳିଆ ଓ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳଲାଇନ୍‌, ରାଇରଙ୍ଗପୁର ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ଦାଣ୍ଡବୋଷ ବିମାନ ବନ୍ଦର ଓ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Related story