Advertisment

ରଥଯାତ୍ରା ଦେଖିବେ ରାଷ୍ଟ୍ରପତି, ସମୁଦ୍ରକୂଳରେ କରିବେ ପ୍ରାତଃଭ୍ରମଣ

୭ତାରିଖରେ ପୁରୀ ଗସ୍ତ କରି ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବେ।

Droupadi Murmu

Droupadi Murmu

Advertisment

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆସନ୍ତା ୬ତାରିଖରେ ଓଡ଼ିଶା ଗସ୍ତରେ ଆସି ପୁରୀ ରଥଯାତ୍ରାରେ ସାମିଲ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ରାଜ୍ୟ ପ୍ରଶାସନିକସ୍ତରରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ୭ତାରିଖରେ ପୁରୀରେ ରଥଯାତ୍ରା ଦେଖିବା ସହ ୮ତାରିଖ ସକାଳେ ପୁରୀ ସମୁଦ୍ର କୂଳରେ ପ୍ରାତଃଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ନବନିଯୁକ୍ତ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚଳିତମାସ ୬ତାରିଖ ସନ୍ଧ୍ୟାରେ ଜୟଦେବ ଭବନଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କର ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ । ୭ତାରିଖରେ ପୁରୀ ଗସ୍ତ କରି ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବେ । ୮ତାରିଖ ସକାଳୁ ପୁରୀ ସମୁଦ୍ର ବେଳାଭୂମିରେ ପ୍ରାତଃଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଭୁବନେଶ୍ୱର ଫେରି ପୂର୍ବାହ୍ନରେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ବିକେ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫଟସ୍ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବେ । ସେହିଦିନ ଅପରାହ୍ନରେ ଭୁବନେଶ୍ୱରର ମେଣ୍ଢାଶାଳ ହରିଡ଼ାମଡ଼ାସ୍ଥିତ ଡିଭାଇନ୍ ରିଟ୍ରିଟ୍ ସେଂଟରଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ୯ତାରିଖ ପୂର୍ବାହ୍ନରେ ଜଟଣୀସ୍ଥିତ ନାଇଜରର ସ୍ନାତକ ସମାରୋହ ଉତ୍ସବରେ ଯୋଗ ଦେଇ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତିଙ୍କ ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ରହଣୀଠୁ ଆରମ୍ଭ କରି ସବୁ କାର୍ଯ୍ୟକ୍ରମରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବୈଠକରେ ଉନ୍ନୟନ କମିଶନର, ଗୃହ ସଚିବ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ, ପୁଲିସ ଡିଜିଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳ ଓ ପୁଲିସ ମୁଖ୍ୟଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି ।

Advertisment
President Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe