ସୋସିଆଲ ମିଡିଆ ୱାର: ମୋଦି ନିମନ୍ତ୍ରଣ ଦେଲେ, ଆଉ ଏପଟେ ବିଜେଡି ବାଂଟିଲାଣି ଶପଥ ସମାରୋହର ନିମନ୍ତ୍ରଣ ପତ୍ର

ପ୍ରଧାନମନ୍ତ୍ରୀ ବିଜେଡି ସରକାରର ଏକ୍ସପାରୀ ତାରିଖ ଜୁନ୍ ୪ ବୋଲି କହିଛନ୍ତି ବା ସହ ସମସ୍ତଙ୍କୁ ଜୁନ୍ ୧୦ତାରିଖ ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଆସିବାକୁ ନିମନ୍ତ୍ରଣ କରିବା ପରେ ରାଜନୀତିକ ସରଗରମ ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

  • Published: Monday, 06 May 2024
  • , Updated: 06 May 2024, 09:47 PM IST

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇନି, କିନ୍ତୁ ରାଜ୍ୟରେ ସରକାର ଗଠନକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାରର ଏକ୍ସପାରୀ ତାରିଖ ଜୁନ୍ ୪ ବୋଲି କହିବା ସହ ସମସ୍ତଙ୍କୁ ଜୁନ୍ ୧୦ତାରିଖ ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଆସିବାକୁ ନିମନ୍ତ୍ରଣ କରିବା ପରେ ରାଜନୀତିକ ସରଗରମ ବୃଦ୍ଧି ପାଇଛି । ସୋସିଆଲ ମିଡିଆରେ ଦୁଇ ଦଳ ପରସ୍ପରକୁ ଇସାରା କରି ବିଭିନ୍ନ ପୋଷ୍ଟ ଶେୟାର କରିବାରେ ଲାଗିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଆଜି ବ୍ରହ୍ମପୁର ସଭାରେ ବିଜେଡି ସରକାରର ଏକ୍ସପାଏରୀ  ତାରିଖ ଜୁନ୍ ୪ ବୋଲି ଘୋଷଣା କରିବା ସହ ଜୁନ୍ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ଓ ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ବୋଲି କହି ସମସ୍ତଙ୍କୁ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରିଥିଲେ। ଏପରିକି ଓଡ଼ିଆ ସଂସ୍କୃତି ଓ ଭାଷାକୁ ବୁଝୁଥିବା ଜଣେ ଓଡ଼ିଆ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବୟାନକୁ ରିଲସ୍ ମାଧ୍ୟମରେ ପ୍ରତିକ୍ରିୟା ଦେଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବିଜେପି ଦିବାସ୍ୱପ୍ନ ଦେଖୁଛି’ ବୋଲି କହିଥିବାବେଳେ ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନ କଳାହାଣ୍ଡିର ଭବାନୀପାଟଣା ଜନସଭାରେ ନବୀନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାଉଣ୍ଟର କରିଛନ୍ତି। ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ଜୁନ୍ ୯ ତାରିଖ ଦିନ ସାଢ଼େ ୧୧ଟାରୁ ୧ଟା ମଧ୍ୟରେ ଶପଥ ନେବେ ବୋଲି ଘୋଷଣା କରିଛନ୍ତି। ତେବେ ନବୀନ ନିରବ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାଉଣ୍ଟର ପାଇଁ ପାଣ୍ଡିଆନ ଆଗକୁ ଆସିବାକୁ ବିଜେପି ସହଜରେ ହଜମ କରିପାରିନି।

ପାଣ୍ଡିଆନଙ୍କ ଏହି ବୟାନ ପରେ ବିଜେଡି ନିଜର ସୋସିଆଲ ମିଡିଆ ମାଧ୍ୟମରେ ଶପଥ ଗ୍ରହଣ ଉତ୍ସବକୁ ସମସ୍ତଙ୍କୁ ନିମନ୍ତ୍ରଣ ପତ୍ର କାର୍ଡ ବାଂଟିବା ଆରମ୍ଭ କରିଦେଇଛି । ଦଳର ସାଂସଦ ସସ୍ମିତ ପାତ୍ର ଆଜି ଏହି ନିମନ୍ତ୍ରଣ ପତ୍ରକୁ ନିଜ ସୋସିଆଲମ ମିଡିଆରେ ଶେୟାର କରିଛନ୍ତି । “ ଦେଶର ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ତଥା ଷଷ୍ଠଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବେ । ଏହି ଐତିହାସିକ କ୍ଷଣରେ ସାମିଲ ହେବା ପାଇଁ ଆପଣଙ୍କୁ ବିନମ୍ର ଅନୁରୋଧ ।” ଏହାସହିତ ଜୁନ୍ ୯ତାରିଖ ଦିନ ସାଢ଼େ ୧୧ଟାରେ ଜନତା ମଇଦାନରେ ଏହି ଶପଥ ଗ୍ରହଣ ସମାରୋହ ହେବ ବୋଲି ଦର୍ଶାଯାଇଛି।

ଏପଟେ ବିଜେପି ନିଜର ସୋସିଆଲ ମିଡିଆରେ “ଓଡ଼ିଶାରେ ହେବ ବିଜେପି ସରକାର’ ନାଁରେ ଏକ ହାସଟ୍ୟାଗ୍ ଆରମ୍ଭ କରି ସେଥିରେ ବିଜୁ ଜନତା ଦଳର ମାନ୍ୟୁଫାକଚରିଂ ତାରିଖ ୧୯୯୭ ଡିସେମ୍ବର ୨୬ ଓ ଏକ୍ସପାଏରୀ ତାରିଖ ୨୦୨୪ ଜୁନ୍ ୪ତାରିଖ ବୋଲି ଉଲ୍ଲେଖ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜିର ଭାଷଣକୁ ନେଇ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଥିଲାବେଳେ ବିଜେଡି ଉପରକୁ ବାହାସ୍ପୋଟ ମାରି ହେଉଥିଲେ ମଧ୍ୟ ମନ ଭିତରେ ଛନକା ପଶିଛି । ପ୍ରଧାନମନ୍ତ୍ରୀ ମୋଦି କେଉଁ ରଣନୀତି ଓ ତଥ୍ୟ ଆଧାରରେ ଏଠାରେ ଜୁନ୍ ୧୦ରେ ବିଜେପି ସରକାର ଗଢ଼ିବାକୁ ଯାଉଛି ବୋଲି କହିବା ସହ ସମସ୍ତଙ୍କୁ ନିମନ୍ତ୍ରଣ ଜଣାଇଲେ ତାହା ବିଜେଡିର ରଣନୀତିକାରଙ୍କୁ ଚକିତ କରିଛି । ପୁଳାପୁଳା ଦୁର୍ନୀତିର ଗଦା ଉପରେ ବସିଥିବା ବିଜେଡିକୁ ଏବେଠୁ ସିବିଆଇ ଓ ଇଡି ଭୟ ଘାରିଲାଣି । ବିଜେପି କାଳେ ସେହି ଦୁର୍ନୀତିର ପେଡ଼ିକୁ ଖୋଲିବ ସେହି ଆଶଙ୍କା ବିଜେଡି ନେତାମାନଙ୍କୁ ଘାରିଛି । ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡି ଯେଭଳି ସମ୍ପୂର୍ଣ୍ଣ ଭାବେ ନିଜକୁ କେନ୍ଦ୍ରୀୟ ବିଜେପି ପାଖରେ ସମର୍ପି ଦେଇଥିଲା, ସେହି ଫର୍ମୂଲା ଆପଣାଇ ସୁରକ୍ଷିତ ରହିବାକୁ ପ୍ରୟାସ କରିପାରେ ବୋଲି  ରାଜନୀତିକ ମହଲରେ ଚର୍ଚ୍ଚା।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ଆୟୋଗ ଆଜି ସମସ୍ତ ରାଜନୀତିକ ଦଳ ଓ ସେମାନଙ୍କର କର୍ମକର୍ତ୍ତାମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମର ଦାୟିତ୍ୱସମ୍ପନ୍ନ ଓ ନୈତିକତାପୂର୍ଣ୍ଣ ଉପଯୋଗ ପାଇଁ ପରାମର୍ଶ ଦେଇଛନ୍ତି । ସୋସିଆଲ ମିଡିଆରେ ଯେକୌଣସି ତ୍ରୁଟିପୂର୍ଣ୍ଣ ସୂଚନାକୁ ରାଜନୀତିକ ଦଳଗୁଡ଼ିକ  ୩ଘଣ୍ଟା ମଧ୍ୟରେ ହଟାଇବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Related story