/odisha-reporter/media/post_attachments/uploadimage/library/16_9/16_9_0/Godabai_1758191638.jpg)
Godabai
ଦେଶର ସାଧାରଣ ଲୋକ ଗୋଦାବାଈ, ସୂର୍ଯ୍ୟକାନ୍ତ ଓ ନାଗରାଜଙ୍କୁ ଆଦୌ ଚିହ୍ନ ନଥିବେ କିମ୍ବା ଜାଣି ନଥିବା। ଦେଶର ଲୋକମାନେ ଏମାନେ ହେଉଛନ୍ତି ଜଣେ ଜଣେ ଅଜଣା ବ୍ୟକ୍ତିବିଶେଷ। କିନ୍ତୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭୋଟ ଠକେଇ ଅଭିଯୋଗର ଏମାନେ ହେଉଛନ୍ତି ପ୍ରମୁଖ ପ୍ରମାଣ। ଭୋଟରଙ୍କ ନାଁ ତାଲିକାରୁ ହଟାଇବା ପାଇଁ ଚାଲିଥିବା ସାଂଘାତିକ ଖେଳ ସମ୍ପର୍କରେ ଆଜି ରାହୁଲ ଗାନ୍ଧି ଅଭିଯୋଗ କରିବା ବେଳେ ଏହି ୩ଟି ନାଁର ଉଦାହରଣ ଦେଇଛନ୍ତି।
ଆଗକୁ ହାଇଡ୍ରୋଜେନ ବୋମା ଆସୁଥିବା କଥା କହି କର୍ଣ୍ଣାଟକାର ଆଲଣ୍ଡ ନିର୍ବାଚନ ମଣ୍ଡଳରେ ଭୋଟର ତାଲିକାରୁ ଅନେକଙ୍କ ନାଁ ହଟାଯାଇଥିବା ରାହୁଲ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ ନିଜର ତଥ୍ୟକୁ ‘୧୦୦% ପ୍ରମାଣ’ ବୋଲି ଦାବି କରି କହିଛନ୍ତି ଯେ ସଫ୍ଟୱେୟାର ଦ୍ୱାରା ଭୋଟର ତାଲିକାରୁ ଲୋକଙ୍କ ନାଁକୁ ହଟାଇ ଦିଆଯାଇଥିଲା। ଏହାର ଉଦାହରଣ ଭାବେ ସେ ଆଲଣ୍ଡ ନିର୍ବାଚନ ମଣ୍ଡଳୀର ତଥ୍ୟକୁ ଉପସ୍ଥାପନ କରିଛନ୍ତି। ଏଠାରେ ୬,୦୧୮ ଜଣଙ୍କ ନାଁ ଭୋଟର ତାଲିକାରୁ ହଟାଇବା ପାଇଁ ହୋଇଥିବା ଉଦ୍ୟମର ପ୍ରମାଣ ମିଳିଥିବା ସେ କହିଛନ୍ତି।
ଭୋଟ ଡିଲିଟ ପାଇଁ ଉଦ୍ୟମ ହୋଇଥିଲେ ହେଁ ଜଣେ ବୁଥ ସ୍ତରୀୟ ମହିଳା ଅଧିକାରୀ ଏହାକୁ ରୋକିବାରେ ସକ୍ଷମ ହୋଇଥିଲେ ବୋଲି ରାହୁଲ ସମସ୍ତଙ୍କୁ ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧି ୩ଟି ଉଦାହରଣ ସହ ନିଜର ଅଭିଯୋଗ ସଂକ୍ରାନ୍ତ ପ୍ରମାଣ ମଧ୍ୟ ଉପସ୍ଥାପନ କରିଛନ୍ତି।
ଉଦାହରଣ ୧: ଗୋଦାବାଈ
ରାହୁଲ ଗାନ୍ଧିଙ୍କ ପ୍ରଥମ ଉଦହାରଣ ହେଉଛନ୍ତି ୬୩ ବର୍ଷୀୟ ଗୋଦାବାଈ। ପ୍ରଥମେ ଗୋଦାବାଈଙ୍କ ନାଁରେ ନକଲି ଲଗଇନ ଆଇଡି ଖୋଲା ଯାଇଥିଲା। ଏହି ଆଇଡିରୁ ତାଙ୍କ ପଡ଼ୋଶୀ ଭାବେ ରହୁଥିବା ୧୨ ଜଣଙ୍କ ନାଁ ଭୋଟର ତାଲିକାରୁ ଡିଲିଟ କରିବାକୁ ଆବେଦନ କରରାଯାଇଥିଲା। ହେଲେ ଗୋଦାବାଈଙ୍କୁ ଏ ସମ୍ପର୍କରେ କିଛି ବି ଜଣାନାହିଁ। ଭୋଟର ତାଲିକାରୁ ନାଁ ଡିଲିଟ କରିବା ପାଇଁ ବ୍ୟବହାର ହୋଇଥିବା ଫୋନ ନମ୍ବର ମଧ୍ୟ କର୍ଣ୍ଣାଟକାର ନୁହେଁ। ସେମାନେ କେଉଁଠୁ ଅପରେଟ କରୁଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।
ସେ ଆହୁରି ଦାବି କରିଛନ୍ତି ଯେ କଂଗ୍ରେସ ଅଧିକ ଭୋଟ ପାଇବାକୁ ଥିବା ବୁଥଗୁଡ଼ିକରେ ଭୋଟରଙ୍କ ନାଁ ହଟାଇବାକୁ ଯୋଜନା ହୋଇଥିଲା। ୧୦ଟି ବୁଥରେ ସର୍ବାଧିକ ଭୋଟର ଡିଲିଟ ପ୍ରୟାସ କରାଯାଇଥିଲା ବୋଲି ରାହୁଲ କହିଛନ୍ତି।
ଉଦାହରଣ ୨: ସୂର୍ଯ୍ୟକାନ୍ତ
ରାହୁଲ ଗାନ୍ଧିଙ୍କ ଦ୍ୱିତୀୟ ଉଦାହରଣ ହେଉଛନ୍ତି ସୂର୍ଯ୍ୟକାନ୍ତ। ଏହି ବ୍ୟକ୍ତିଙ୍କ ନାଁରେ ୧୪ ମିନିଟରେ ୧୨ ଜଣଙ୍କ ନାଁ ଭୋଟର ତାଲିକାରୁ ହଟାଇବାକୁ ଆବେଦନ କରିଥିଲେ। ସୂର୍ଯ୍ୟକାନ୍ତ ଯେଉଁ ୧୨ ଜଣଙ୍କ ନାଁ ହଟାଇବାକୁ କହିଥିଲେ, ସେମାନଙ୍କ ମଧ୍ୟରେ ବବିତା ଚୌଧୁରୀ ନାମକ ମହିଳା ବି ରହିଛନ୍ତି। ଉଭୟ ସୂର୍ଯ୍ୟକାନ୍ତ ଓ ବବିତା ଚୌଧୁରୀ ଆଜି ରାହୁଲ ଗାନ୍ଧିଙ୍କ ସାମ୍ବାଦିକ ସମ୍ମିଳନୀ ସମୟରେ ଷ୍ଟେଜ ଉପରକୁ ଆସି, ସେମାନେ କୌଣସି ପ୍ରକାରର ଆବେଦନ କରି ନଥିବା ସ୍ପଷ୍ଟ କରିଛନ୍ତି।
ଉଦାହରଣ ୩: ନାଗରାଜ
ରାହୁଲ ଗାନ୍ଧିଙ୍କ ପକ୍ଷରୁ ନାଗରାଜ ନାମକ ଆଉ ଜଣେ ବ୍ୟକ୍ତିଙ୍କ ନାଁ ଉପସ୍ଥାପନ କରାଯାଇଛି। ନାଗରାଜ ୩୬ ସେକେଣ୍ଡରେ ୨ଟି ନାଁକୁ ଭୋଟର ତାଲିକାରୁ ହଟାଇବାକୁ ଆବେଦନ କରିଥିଲେ। ସେହିପରି ଭୋର ୪.୦୭ରେ ଆବେଦନ କରିବା ମଧ୍ୟ ନୂଆ ସନ୍ଦେହ ସୃଷ୍ଟି କରୁଥିବା ରାହୁଲ କହିଛନ୍ତି।
ରାହୁଲ କହିଛନ୍ତି, “ମାତ୍ର ୩୬ ସେକେଣ୍ଡ ମଧ୍ୟରେ ୨ଟି ଫର୍ମ ପୂରଣ କରାଯିବା ସହ ଦାଖଲ କରାଯାଇଥିଲା। ଆପଣମାନେ ସମସ୍ତେ ଏହି ଫର୍ମକୁ ପୂରଣ କରି ଦାଖଲ କରିବାରେ କେତେ ସମୟ ନେଉଛି, ଦେଖନ୍ତୁ। ଏହାକୁ ଜଣେ ଲୋକ କେବେ ହେଲେ କରିପାରିବେ ନାହିଁ। କେବଳ ସଫ୍ଟୱେୟାର ହିଁ ଏପରି ଦ୍ରୁତଗତିରେ ଫର୍ମ ପୂରଣ କରି ଦାଖଲ କରିପାରିବ। ସେହିପରି ଆବେଦନ ଦାଖଲ କରିବାର ସମୟ ଦେଖନ୍ତୁ। କେହି ଜଣେ ଭୋର ୪.୦୭ରେ ଉଠିବ ଓ ହଠାତ୍ ୨ଟି ଫର୍ମ ଦାଖଲ କରିବ କି?”
ରାହୁଲ ଗାନ୍ଧିଙ୍କ କହିବା କଥା ଯେ ମହାରାଷ୍ଟ୍ର, ହରିୟାଣା ଓ ଉତ୍ତର ପ୍ରଦେଶରେ ମଧ୍ୟ ନିର୍ଦ୍ଦିଷ୍ଟ ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କ ନାଁକୁ ହଟା ଯାଇଛି। ତେବେ ରାହୁଲ ଗାନ୍ଧିଙ୍କ ସବୁ ଅଭିଯୋଗକୁ ନିର୍ବାଚନ କମିଶନ ଖଣ୍ଡନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
