ଶିକ୍ଷକଙ୍କୁ ନିର୍ବାଚୀନ ମୋହରା ପାଇଁ ଉଦ୍ୟମ କରୁଛି ଶାସକ ବିଜେଡି, ନିର୍ବାଚନ କମିଶନଙ୍କୁ ଫେରାଦ

ମାତ୍ର ବାସ୍ତବରେ ଏମାନେ ବିଜେଡିର ସ୍ଥାନୀୟ କର୍ମୀ ଓ ସ୍କୁଲ ତର୍ଜମା ଆଳରେ ପ୍ରଧାନଶିକ୍ଷକମାନଙ୍କୁ ନିର୍ବାଚନରେ ବିଜେଡି ସପକ୍ଷରେ କାମ କରିବାକୁ ଚାପ ପକାଇବା ପାଇଁ ଏହା ଏକ ହୀନ ଷଡ଼ଯନ୍ତ୍ର

ଶଙ୍ଖଭବନ

  • Published: Friday, 12 April 2024
  • , Updated: 12 April 2024, 09:17 PM IST

ଚଳିତ ନିର୍ବାଚନରେ ଦଳୀୟ ପ୍ରଚାର ପାଇଁ ଶିକ୍ଷକମାନଙ୍କ ଉପରେ ଚାପ ପକାଇବାକୁ ଶାସକ ବିଜେଡି ଉଦ୍ୟମ କରୁଛି। ବିଭିନ୍ନ ବ୍ଲକରେ ଫାଇଭ-ଟି ରୂପାନ୍ତରିତ ସ୍କୁଲର ସମୀକ୍ଷା କରିବା ପାଇଁ ବିଜେଡି କର୍ମୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ସିଧାସଳଖ ଭାବେ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ଓ ଶିକ୍ଷକମାନଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ ବୋଲି କହି ବିଜେପି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି।
ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,  ରାଜ୍ୟ ସରକାର ଲଜ୍ଜାର ସବୁ ସରହଦ ଡେଇଁ ଗଲେଣି । ଯେତେବେଳେ ପ୍ରଶାସକ ନିର୍ଲଜ ହୋଇଯାଏ ତାକୁ ଯେତେ ଛାଟ ମାରିଲେ ବି ସେ ସହଜେ ସୁଧୁରେ ନାହିଁ।

ଓଡ଼ିଆରେ ଗୋଟିଏ କଥା ଅଛି "ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡ଼ା କାଠ’ । ସ୍ୱଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଜାତୀୟ ନିର୍ବାଚନ କମିଶନ ୮ଜଣ ସର୍ବଭାରତୀୟ ଅଫିସରଙ୍କୁ ବଦଳି କରାଇଲେ । ସମସ୍ତ ସରକାରୀ ପୋର୍ଟାଲରୁ ‘ଫାଇଭ-ଟି’ର ଉଲ୍ଲେଖକୁ ରାଜ୍ୟ ସରକାର ବାଧ୍ୟ ହୋଇ ହଟାଇଲେ । ତା’ସତ୍ୱେ ପ୍ରଶାସନର ଚେତା ପଶିଲା ନାହିଁ । ଗତ ଏପ୍ରିଲ ୧୦ତାରିଖ ବୁଧବାର ଦିନ ରାଜ୍ୟ ପ୍ରଶାସନ ଏକ ଚିଠି ଲେଖିଥିଲା । ଏହି ଚିଠିରେ ୯୩ଟି ବ୍ଲକର ଯେତେସବୁ ‘ମୋ ସ୍କୁଲ’ର ୫-ଟି ରୂପାନ୍ତରୀକରଣ ହୋଇଛି ସେ ସ୍କୁଲଗୁଡ଼ିକର ତର୍ଜମା ପାଇଁ ୯୩ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ୯୩ଜଣ ଚିଠି ପାଇବାର ଦିନକ ପରେ ଅର୍ଥାତ୍ ଆଜି ଏହି ତର୍ଜମା କରିବେ। ଏହି ୯୩ଜଣଙ୍କ ମଧ୍ୟରେ ଅଧିକାଂଶ ସ୍ୱେଚ୍ଛାସେବୀ ବା ପରାମର୍ଶଦାତା ବୋଲି ଉଲ୍ଲେଖ ଅଛି।

ମାତ୍ର ବାସ୍ତବରେ ଏମାନେ ବିଜେଡିର ସ୍ଥାନୀୟ କର୍ମୀ ଓ ସ୍କୁଲ ତର୍ଜମା ଆଳରେ ପ୍ରଧାନଶିକ୍ଷକମାନଙ୍କୁ ନିର୍ବାଚନରେ ବିଜେଡି ସପକ୍ଷରେ କାମ କରିବାକୁ ଚାପ ପକାଇବା ପାଇଁ ଏହା ଏକ ହୀନ ଷଡ଼ଯନ୍ତ୍ର । ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ଅନୁରୁପ ଚକ୍ରାନ୍ତ କରିଥିବାର ଘଟଣା ସାରା ରାଜ୍ୟର ଚର୍ଚ୍ଚାର ବିଷୟ ହୋଇଥିଲା । ଦଳୀୟ କର୍ମୀଙ୍କ ଦ୍ୱାରା ପ୍ରଧାନଶିକ୍ଷକଙ୍କ କାର୍ଯ୍ୟର ତର୍ଜମା ସମଗ୍ର ରାଜ୍ୟର ଶିକ୍ଷକସମାଜ ପ୍ରତି ଅପମାନ ବ୍ୟତିତ ଅନ୍ୟ କିଛି ନୁହଁ । ଶିକ୍ଷକକୂଳ ପ୍ରତି ଏଭଳି ଅପମାନ ଓଡ଼ିଆ ଜାତି କେବେ ସହିବ ନାହିଁ । ପ୍ରଧାନଶିକ୍ଷକମାନେ ବିଭିନ୍ନ ବୁଥରେ ପ୍ରିଜାଇଡିଂ ଅଫିସର ହେବେ ଓ ସେମାନଙ୍କର ନିର୍ବାଚନ ଦାୟିତ୍ୱ ଅଛି । ବିଜେଡି ଦଳୀୟ କର୍ମୀଙ୍କ ଦ୍ୱାରା ପ୍ରଧାନଶିକ୍ଷକମାନଙ୍କ କାର୍ଯ୍ୟକଳାପର ତର୍ଜମା କଦାପି ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମୀଚୀନ ନୁହେଁ ବୋଲି ବିଜେପି ଅଭିଯୋଗ କରିଛି।

ସେହିପରି ନିର୍ବାଚନ ଜିତିବା ପାଇଁ ପୁଲିସ ଅଧିକାରୀମାନଙ୍କୁ ବିଜେଡି କିଭଳି ନିଜର କର୍ମୀ ଭଳି ଖଟାଉଛି। ତା’ର ପ୍ରମାଣ ସୁନ୍ଦରଗଡ ଜିଲ୍ଲାରେ ଦେଖିବାକୁ ମିଳିଛି । ସୁନ୍ଦରଗଡ଼ର ପୁଲିସ ଅଧିକାରୀମାନେ ବିଜେଡି ପାଇଁ କାର୍ଯ୍ୟ କରିବା ସହ ଭୋଟ ଦେବାକୁ ପ୍ରଚାର କରୁଛନ୍ତି । ଏଥିରୁ ବିଚ୍ୟୁତ ହେଲେ ତାକୁ ମିଥ୍ୟା କେସରେ ଥାନାରେ ଅଟକ ରଖିବା ସହ ମାଡ଼ ମରାଯାଉଛି, ଯାହା ଗଣତନ୍ତ୍ର ବିରୋଧୀ । ଉଦାହରଣ ସ୍ୱରୂପ, ସୁନ୍ଦରଗଡ଼ ଏସଡିପିଓ ହିଂମାଶୁ ଭୂଷଣ ବେହେରା ଓ ଭସମା ଥାନାର ଭାରପ୍ରାପ୍ତ ଅଧିକାରୀ ରାମପ୍ରସାଦ ନାଗ ଏବେ ଅତ୍ୟଧିକ ଉତ୍ସାହିତ ହୋଇ ନିର୍ବାଚନରେ ବିଜେଡିର କର୍ମୀଙ୍କ ଭଳି କାର୍ଯ୍ୟ କରୁଛନ୍ତି ।

ଏହି ଦୁଇଜଣ ଅଫିସର ଖୋଲାଖୋଲି ଭାବେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଧମକ ଦେଉଛନ୍ତି। ବିଜେପି ସପକ୍ଷରେ କାମ କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଉଛନ୍ତି। ଇତିମଧ୍ୟରେ ବିଜେପିର ୪୦ଜଣ କାର୍ଯ୍ୟକର୍ତ୍ତାଙ୍କ ନାଁରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଇଛି । ଯାହାକି ଜନପ୍ରତିନିଧି ଆଇନ ୧୯୫୧ର ୧୨୯ ଧାରାର ବିରୋଧାଚରଣ କରୁଛି । ବିଜେପିର ପ୍ରତିନିଧି ଦଳ ଏହି ଦୁଇ ଅଫିସରଙ୍କ ବିରୁଦ୍ଧରେ ଆଇପିସିର ୧୭୧(ସି)ରେ ମକଦ୍ଦମା ରୁଜୁ କରିବା ପାଇଁ ଦାବି କରିଛି । ଏହି ଉଭୟ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଟିମ୍ ଆଜି ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି।

ବିଜେପିର ପ୍ରତିନିଧି ଦଳରେ କସ୍ତୁରୀ ମିଶ୍ର, ଦିଲୀପ ମଲ୍ଲିକ, ଶ୍ରୀତମ ଦାସ, ଜୟନ୍ତ ଜେନା ଓ ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ସାମିଲ ଥିଲେ।

Related story