ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପ୍ରଚାର ସରିଲା: ଶନିବାର ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪.୪୮ଲକ୍ଷ ଭୋଟର

ମତଦାନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

Representational Image

  • Published: Thursday, 23 May 2024
  • , Updated: 23 May 2024, 08:20 PM IST

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭାର ୯୪ଲକ୍ଷ ୪୮ହଜାର ୫୫୩ଜଣ ଭୋଟର ମୋଟ ୪୪୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ହେବ ଓ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ୧୨୧ କମ୍ପାନୀ କେନ୍ଦ୍ରୀୟ ଫୋର୍ସକୁ ମୁତୟନ କରାଯାଇଛି। ରାଜ୍ୟ ପୁଲିସ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ।
ଆଜି ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୫ତାରିଖରେ ଭୁବନେଶ୍ୱର ସମେତ ପୁରୀ, କଟକ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ସମସ୍ତ ୪୨ଟି ବିଧାନସଭା ଆସନରେ ଭୋଟଗ୍ରହଣ ହେବ। ଏହି ୬ଟି ସଂସଦୀୟ କ୍ଷେତ୍ରରେ ୯ଜଣ ମହିଳାଙ୍କ ସମେତ ମୋଟ୍ ୬୪ଜଣ ସାଂସଦ ପ୍ରାର୍ଥୀ ଏବଂ ୪୨ଟି ବିଧାନସଭା ଆସନରେ ୪୪ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୩୮୩ଜଣ ପୁରୁଷ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

ଏହି ସମସ୍ତ ସଂସଦୀୟ କ୍ଷେତ୍ରରେ ମୋଟ ୯୪.୪୮ଲକ୍ଷ ଭୋଟର ଅଛନ୍ତି ଓ ସେମାନଙ୍କ ମଧ୍ୟରେ ୪୮.୨୯ଲକ୍ଷ ପୁରୁଷ ଓ ୪୬.୧୭ଲକ୍ଷ ମହିଳା ଭୋଟର ଏବଂ ୧୨୯୧ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ଏହି ଭୋଟରଙ୍କ ମଧ୍ୟରେ ୨୦ରୁ୨୯ବର୍ଷ ବୟସ ମଧ୍ୟରେ ୧୮.୪୫ଲକ୍ଷ ଭୋଟର ଅଛନ୍ତି। ଏହାବ୍ୟତୀତ  ୧୮-୧୯ବର୍ଷ ବୟସର ୨.୩୭ଲକ୍ଷ ଭୋଟର ପ୍ରଥମଥର ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ।

ଏହି ପର୍ଯ୍ୟାୟରେ ମୋଟ ୧୦,୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ପ୍ରତ୍ୟେକ ମତଦାନ କେନ୍ଦ୍ରରେ ହାରାହାରି ୮୯୬ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିପାରିବେ।

ମତଦାନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ସବୁ ସଂସଦୀୟ କ୍ଷେତ୍ରରେ ୧୨୧ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ। ଷ୍ଟ୍ରଙ୍ଗରୁମ୍ ବ୍ୟତିରେକ ଏମାନଙ୍କୁ ପ୍ରାୟ ୨ହଜାର ପୁଲିଂ ଷ୍ଟେସନରେ ନିୟୋଜିତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଅଧିକ ସଂଖ୍ୟକ ଭୋଟରଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଅପିଲ୍ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ  ଭର୍ତ୍ତୃହରି ମହତାବ, ଅରୂପ ପଟ୍ଟନାୟକ, ସନ୍ତୃପ୍ତ ମିଶ୍ର ପ୍ରମୁଖ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

Related story