ଆଜିବି ଆଉଜଣେ କେନ୍ଦ୍ରମନ୍ତ୍ରୀ ଝାଡ଼ିଲେ ଅସନ୍ତୋଷ, କହିଲେ ଓଡ଼ିଶା ସରକାରଙ୍କ ସହଯୋଗ ମିଳୁନି

ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଯାରଦୋଷ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶା ସରକାର ମେଗା ଟେକ୍ସଟାଇଲ୍ ପାର୍କ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇଲେ ନାହିଁ ।

ଦର୍ଶନା ଯାରଦୋଷ

  • Published: Wednesday, 29 November 2023
  • , Updated: 29 November 2023, 10:17 PM IST

ଆଜି ପୁଣିଜଣେ କେନ୍ଦ୍ରମନ୍ତ୍ରୀ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଓଡ଼ିଶା ସରକାର ସହଯୋଗ କରୁନାହାନ୍ତି କହି ଦୋଷ ଲଦିଛନ୍ତି । ଓଡ଼ିଶା ସରକାର ବିଧିବଦ୍ଧ ପ୍ରସ୍ତାବ ନପଠାଇବାରୁ ରାଜ୍ୟରେ ମେଗା ଟେକ୍ସଟାଇଲ୍ ପାର୍କ ନିର୍ମାଣ ସମ୍ଭବପର ହୋଇପାରିଲା ନାହିଁ । ଏଭଳି କହି କେନ୍ଦ୍ର ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଯାରଦୋଷ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି । ଗତକାଲି ଅନୁରୂପ ଭାବେ କେନ୍ଦ୍ର ଜାହାଜ ଚଳାଚଳ, ବନ୍ଦର ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ମଧ୍ୟ ରାଜ୍ୟ ସରକାର ସହଯୋଗ କରୁନଥିବା କହି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଓଡ଼ିଶା ଗସ୍ତରେ ଆସୁଥିବା କେନ୍ଦ୍ରମନ୍ତ୍ରୀମାନେ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିବାରେ ଲାଗିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ତିକ୍ତତା ଅଧିକ ବଢ଼ିବାର ଆଶଙ୍କା ରହିଛି ।

ସୂଚନା ଅନୁସାରେ, ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଯାରଦୋଷ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶା ସରକାର ମେଗା ଟେକ୍ସଟାଇଲ୍ ପାର୍କ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇଲେ ନାହିଁ । ଯେଉଁଥିପାଇଁ ଓଡ଼ିଶାକୁ ଏହି ମେଗା ପାର୍କରୁ ବଂଚିତ ହେବାକୁ ପଡ଼ିଛି । କେନ୍ଦ୍ର ସରକାରଙ୍କୁ ୧୨ଟି ରାଜ୍ୟ ପ୍ରସ୍ତାବ ଦେବା ସହ ବିଡିଂ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ସେଥିମଧ୍ୟରୁ ଭିତ୍ତିଭୂମି ଓ ରାଜ୍ୟର ନୀତି ଅନୁସାରେ ୭ଟି ରାଜ୍ୟକୁ ମେଗା ଟେକ୍ସଟାଇଲ୍ ପାର୍କ ନିର୍ମାଣ ନିମନ୍ତେ ଅନୁମତି ଦିଆଯାଇଛି ।

ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ମେଗା ଟେକ୍ସଟାଇଲ୍ ପାର୍କ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ଯୋଜନା କରିଥିଲେ । ହଜାର ଏକର ଜମିରେ ୧୦ହଜାର କୋଟି ଟଙ୍କା ନିବେଶରେ ଏହି ମେଗା ପାର୍କ ସ୍ଥାପନ ହୋଇଥାନ୍ତା । ଯେଉଁଥିରେ ରାଜ୍ୟ ସରକାରଙ୍କର ୫୧ ପ୍ରତିଶତ ଓ କେନ୍ଦ୍ର ସରକାରଙ୍କ ୪୯ ପ୍ରତିଶତ ଭାଗିଦାରୀ ରହିଥାନ୍ତା । ଅର୍ଥାତ୍ ମାଲିକାନା ରାଜ୍ୟ ସରକାରଙ୍କ ନିକଟରେ ହିଁ ରହିଥାନ୍ତା । କିନ୍ତୁ ଓଡ଼ିଶା ସରକାର ଏନେଇ ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରସ୍ତାବ ପଠାଇଲେ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବୟନ ଶିଳ୍ପ ଲାଗି ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ମିଳୁନି । ରାଜ୍ୟ ସରକାର ସହଯୋଗ କଲେ ରାଜ୍ୟରେ ବୟନ ଶିଳ୍ପ ଆହୁରି ଆଗକୁ ଯାଇପାରିବ । କେନ୍ଦ୍ର ସରକାରଙ୍କ ସମର୍ଥ ଯୋଜନା ମାଧ୍ୟମରେ ବୟନଶିଳ୍ପ କାରିଗରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ସେମାନଙ୍କ ଉତ୍ପାଦକୁ ବିକ୍ରି ନିମନ୍ତେ ମାର୍କେଟ୍ ବ୍ୟବସ୍ଥା ବି କରାଯାଇଛି । ଏପରିକି କେନ୍ଦ୍ର ସରକାର ଏହି କ୍ଷେତ୍ରରେ ଅନେକ ବ୍ୟକ୍ତିମାନଙ୍କୁ ପୁରସ୍କାର ବି ପ୍ରଦାନ କରିଛନ୍ତି । ବିଲୁପ୍ତ ପ୍ରାୟ କଳାକୁ ଆଗକୁ ନେବା ହେଉଛି କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ । ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି କଥାକୁ ଗୁରୁତ୍ୱ ଦେଇଥିଲେ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ବିଜେଡି ଦୃଢ଼ ବିରୋଧ କରିଛି । ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ମୁଖପାତ୍ର କେହି ଏକଥା କହିନାହାନ୍ତି । ଏହା ବିଜେପିର ମୁଖପାତ୍ର କହୁଛନ୍ତି । ରାଜନୀତିକ ଉଦ୍ଦେଶ୍ୟ ରଖି ଏଭଳି କହୁଛନ୍ତି । ଯଦି ଆମେ ସହଯୋଗ କରୁନୁ ତା’ହେଲେ କେନ୍ଦ୍ର ସରକାର କିଭଳି ପୁରସ୍କୃତ କରୁଛନ୍ତି । ଓଡ଼ିଶା ସବୁବେଳେ କେନ୍ଦ୍ରକୁ ସହଯୋଗ କରି ଆସିଛି । ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଆବଶ୍ୟକସ୍ଥଳେ ବାରମ୍ବାର ପ୍ରସ୍ତାବ ଦେଇ ଆସୁଛନ୍ତି ବୋଲି ସେ କହିଛନ୍ତି ।

ତେବେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୪ମାସ ବାକି ଥିବାବେଳେ ଓଡ଼ିଶା ଆସୁଥିବା କେନ୍ଦ୍ରମନ୍ତ୍ରୀମାନେ ଜଣକ ପରେ ଜଣେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ବିରୁଦ୍ଧରେ ଅସନ୍ତୋଷ ବ୍ୟକ୍ତ କରୁଥିବାରୁ ରାଜନୀତିକ ମାହୋଲ ସରଗରମ ହେବାରେ ଲାଗିଛି । ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀମାନଙ୍କ ଏଭଳି ଆଭିମୁଖ୍ୟ ରାଜ୍ୟ ବିଜେପି କର୍ମୀମାନଙ୍କ ମନୋବଳ ବୃଦ୍ଧି ଦିଗରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ପାରାଦୀପ ବନ୍ଦରକୁ ରାସ୍ତା ସଂଯୋଗ କରିବାରେ ଓଡ଼ିଶା ସରକାର ବିଫଳ ହୋଇଥିବାରୁ ପାରାଦୀପ ଦେଶର ଏକନମ୍ବର ବନ୍ଦର ହେବାରୁ ବଂଚିତ ରହିଛି ବୋଲି ଅଭିଯୋଗ କରିଥିଲେ ।

Related story