Advertisment

ଓଡ଼ିଶା ଆସିବେ ଜାତୀୟ ନିର୍ବାଚନ ଆୟୋଗଙ୍କ ଅଫିସର ଟିମ୍, ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ପୁଣି ଖଣ୍ଡନ

ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ସେପ୍ଟେମ୍ବର ୧୩ତାରିଖରେ ଓଡ଼ିଶା ଆସି ଜିଲ୍ଲାପାଳମାନଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ଆଲୋଚନା କରିବେ । ଏହା ଏକ ରୁଟିନ୍ ପ୍ରକ୍ରିୟା।

author-image
Ordigital Desk
Nikunja Dhala

Nikunja Dhala

ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ ବୋଲି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥା ବାରମ୍ବାର ଖବର ପ୍ରସାରଣ ଜାରି ରଖିଥିବାବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ପୁଣିଥରେ ଏଭଳି ସମ୍ଭାବନାକୁ ଖାରଜ କରିଛନ୍ତି । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ଅବଧିରେ ହେବ ତଥା ଜାତୀୟ ନିର୍ବାଚନ ଆୟୋଗ ଏନେଇ ତାରିଖ ଘୋଷଣା କରିବେ ବୋଲି ସେ କହିଛନ୍ତି । ଏହାସହିତ ରାଜ୍ୟରେ ସାଧାରଣ ନିର୍ବାଚନ ପ୍ରସ୍ତୁତି ତଦାରଖ କରିବା ନିମନ୍ତେ ଆସନ୍ତାମାସ ସେପ୍ଟେମ୍ବର ୧୩ତାରିଖରେ ଜାତୀୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଓଡ଼ିଶା ଆସିବେ ବୋଲି ଶ୍ରୀ ଧଳ କହିଛନ୍ତି ।

Advertisment

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଧଳ କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ସେପ୍ଟେମ୍ବର ୧୩ତାରିଖରେ ଓଡ଼ିଶା ଆସି ଜିଲ୍ଲାପାଳମାନଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ଆଲୋଚନା କରିବେ । ଏହା ଏକ ରୁଟିନ୍ ପ୍ରକ୍ରିୟା। ମୁଖ୍ୟ ନିର୍ବାଚନ ଆୟୋଗ କିମ୍ବା ଆୟୋଗଙ୍କ ସଦସ୍ୟ କେହି ଏବେ ଆସିବେ ନାହିଁ କିମ୍ବା ସେମାନେ ଓଡ଼ିଶା ଆସିବା ନେଇ କୌଣସି ସୂଚନା ନାହିଁ । ସାଧାରଣ ନିର୍ବାଚନ ପାଇଁ ବହୁ ପୂର୍ବରୁ ପ୍ରସ୍ତୁତି କରାଯାଏ ।  ରାଜ୍ୟରେ ଆବଶ୍ୟକ ଅନୁସାରେ ଇଭିଏମ୍ ମେସିନ୍ ବହୁ ପୂର୍ବରୁ ପହଂଚିସାରିଛି । ୯ଟି ଜିଲ୍ଲାରେ ଭିଭିପାଟ୍ ପହଂଚିଛି ଓ ବାକି ୨୧ଟି ଜିଲ୍ଲା ପାଇଁ ଖୁବଶୀଘ୍ର ଭିଭିପାଟ୍ ଆସିବ । ଆସନ୍ତା ଅକ୍ଟୋବର ମାସ ପ୍ରଥମ ସପ୍ତାହରୁ ଉଭୟ ଇଭିଏମ୍ ଓ ଭିଭିପାଟ୍ ଯାଂଚ ପ୍ରକ୍ରିୟା ହୋଇ ନଭେମ୍ବର ୧୫ତାରିଖ ସୁଦ୍ଧା ଏହା ଶେଷ ହେବ । ଚୂଡ଼ାନ୍ତ ଚିଠା ଭୋଟର ତାଲିକା ଆସନ୍ତା ଅକ୍ଟୋବର ୧୭ତାରିଖରେ ପ୍ରକାଶ ପାଇବ । ଏହି ସମସ୍ତ ପ୍ରକ୍ରିୟା ସାଧାରଣ ନିର୍ବାଚନ ସହ ଜଡ଼ିତ । ଆଗୁଆ ନିର୍ବାଚନ ନେଇ ଏହାର କୌଣସି ସମ୍ପର୍କ ନଥିବା ଶ୍ରୀ ଧଳ ସ୍ପଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ମଧ୍ୟ ଶ୍ରୀ ଧଳ ଶ୍ରୀ ଧଳ ଗତ ୨-୩ ମାସ ତଳେ ଖାରଜ କରିଥିଲେ ।

ଅନ୍ୟପକ୍ଷରେ ରାଜ୍ୟରେ ଆଗୁଆ ସାଧାରଣ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭୋଟ୍ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଯେକୌଣସି ସମୟରେ ନିର୍ବାଚନ ହେଲେ ତାଙ୍କ ଦଳ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି । ସେହିପରି କଂଗ୍ରେସ ପ୍ରଦେଶ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଯେତେବେଳେ ନିର୍ବାଚନ ହେଲେ ତାଙ୍କ ଦଳ ପ୍ରସ୍ତୁତ । ଲୋକେ ଜାଣିସାରିଲେଣି ଯେ ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ । ସେହିପରି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର, ନିର୍ବାଚନ ସମ୍ମୁଖୀନ ହେବାକୁ ସେମାନେ ପ୍ରସ୍ତୁତ ଅଛନ୍ତି ।

Advertisment

ତେବେ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରାଜ୍ୟରେ ଅଲଗା ଅଲଗା ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ଆପତ୍ତି ଉଠାଇଛନ୍ତି । କାହିଁକି ଦୁଇଥର ଏତେ ଟଙ୍କା ଖର୍ଚ୍ଚ ହେବ । ଏହାଦ୍ୱାରା ଉଭୟ ଅର୍ଥ ଓ ସମୟ ଅପଚୟ ହେବ ।

ଉଲ୍ଲେଖଯୋଗ୍ୟ, ଜାତୀୟ ନିର୍ବାଚନ ଆୟୋଗଙ୍କର ୩ଜଣିଆ ବରିଷ୍ଠ ଅଧିକାରୀ ଚଳିତମାସ ୧୯ତାରିଖରେ ପଶ୍ଚିମବଙ୍ଗ ଗସ୍ତ କରି ସେଠାରେ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବା ସହ ଜିଲ୍ଲାପାଳମାନଙ୍କ ସଙ୍ଗେ ଆଲୋଚନା କରିଛନ୍ତି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ରାଜ୍ୟକୁ ଗସ୍ତ କରି ପ୍ରସ୍ତୁତି ସମୀକ୍ଷା କରୁଛନ୍ତି ।

Election Chief Electoral Officer