Advertisment

ଜଗଦୀପ ଧନଖଡ଼ଙ୍କ ଇସ୍ତଫା: ଜେପି ନଡ୍ଡାଙ୍କ ‘ଅପମାନ’ ନା ନୀତୀଶ କୁମାରଙ୍କୁ ସୁଯୋଗ?

ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପ ରାଷ୍ଟ୍ରପତି କରି ବିଜେପି ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯୋଜନା କରିଛି। ଏହି କାରଣରୁ ଜଗଦୀପ ଧନଖଡ଼ଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଛି।

author-image
Hemant Lenka
Jagdeep Dhankhar

Jagdeep Dhankhar

“ମୁଁ ଠିକ ସମୟରେ ଅବସର ନେବି। ୨୦୨୭ ଅଗଷ୍ଟ। ସର୍ତ୍ତ-ଈଶ୍ୱରୀୟ ହସ୍ତକ୍ଷେପ।” ମାତ୍ର ୧୨ ଦିନ ତଳେ ଜେଏନୟୁର ଗୋଟିଏ କାର୍ଯକ୍ରମରେ ଏମିତି କିଛି କହିଥିଲେ ଉପ ରାଷ୍ଟ୍ରପତି ଜନଦୀପ ଧନଖଡ଼। କିନ୍ତୁ ସୋମବାର ରାତିରେ ସମସ୍ତଙ୍କୁ ଚକିତ କରି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ୭୪ ବର୍ଷୀୟ ଧନଖଡ଼ ଉପ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି।

Advertisment

ସାମ୍ନାରୁ ଏହା ସାମାନ୍ୟ ଇସ୍ତଫା ଦେଖାଯାଉଥିଲେ ହେଁ ଏହା ପଛରେ ଅନେକ କାରଣ ରହିଥିବା କୁହାଯାଉଛି। ବିଶେଷ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ‘ଅପମାନିତ କରିବା ଭଳି ପଦକ୍ଷେପ’ ଯୋଗୁ ଧନଖଡ଼ ଉପ ରାଷ୍ଟ୍ରପତି ଛାଡ଼ିଥିବା ଗୋଟିଏ ଚର୍ଚ୍ଚା ଜୋର ଧରିଛି। ସେହିପରି ଆଉ ଗୋଟିଏ ଚର୍ଚ୍ଚା ହେଉଛି ଯେ ବିହାର ନିର୍ବାଚନ ପାଇଁ ଧନଖଡ଼ଙ୍କ କାନ୍ଧରେ ବନ୍ଧୁକ ରଖି ଚଳାଇଛି ବିଜେପି।

ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପ ରାଷ୍ଟ୍ରପତି କରି ବିଜେପି ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯୋଜନା କରିଛି। ଏହି କାରଣରୁ ଜଗଦୀପ ଧନଖଡ଼ଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଛି।

Advertisment

ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା

ଇସ୍ତଫାକୁ ନେଇ ଏଯାଏ ଉପ ରାଷ୍ଟ୍ରପତି ଅଫିସ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ବିବୃତି ଏଯାଏ ଜାରି ହୋଇ ନାହିଁ। ଏପରି ସ୍ଥିତି ରାଜନୀତିକ ମହଲରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ସୃଷ୍ଟି କରିଛି। ବିଜେପିର ମନ୍ତ୍ରୀମାନେ ପୂରା ପ୍ରସଙ୍ଗରେ ନୀରବତା ଅବଲମ୍ବନ କରିଥିବା ବେଳେ ଇସ୍ତଫା ଦେବାର ପ୍ରାୟ ୧୫ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ଏକ୍ସରେ ଧନଖଡ଼ଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ତାଙ୍କୁ ପ୍ରେରଣାଦାୟୀ ଓ କିସାନ ପୁତ୍ର ବୋଲି କହିଛନ୍ତି।

ଏହା ସତ ଯେ ଧନଖଡ଼ ହୃଦଘାତ ସମସ୍ୟା ପାଇଁ ଚଳିତ ବର୍ଷ ଚିକିତ୍ସିତ ହେଉଥିଲେ। କିନ୍ତୁ ମୌସୁମୀ ଅଧିବେଶନ ପ୍ରଥମ ଦିନ ବେଶ ଉତ୍ସାହର ସହ କାମ କରିବା ପରେ ହଠାତ୍‌ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯଦି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା, ତା’ହେଲେ ସେ ମୌସୁମୀ ଅଧିବେଶ ଆରମ୍ଭରୁ ଇସ୍ତଫା ଦେଇ ପାରିଥାଆନ୍ତେ ବୋଲି ବିରୋଧୀ କହିଛନ୍ତି।

ସେହପରି ସୋମବାର ୪ଟା ବେଳେ ଉପ ରାଷ୍ଟ୍ରପତିଙ୍କ ସଚିବ ଗୋଟିଏ ବିଜ୍ଞପ୍ତି ପ୍ରକାଶ କରି ଚଳିତ ସପ୍ତାହରେ ଉପ ରାଷ୍ଟ୍ରପତି ଜୟପୁର ଗସ୍ତ କରିବେ ବୋଲି ସମସ୍ତଙ୍କୁ କହିଥିଲେ। ଏହାପରେ ରାତି ସମୟରେ ଧନଖଡ଼ ଉପ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି।

ବିହାର ନିର୍ବାଚନ ଉପରେ ନଜର

ଚର୍ଚ୍ଚା ହେଉଛି ଯେ ଧନଖଡ଼ ସମ୍ଭବତଃ ନୀତୀଶ କୁମାରଙ୍କ ପାଇଁ ପଥ ପରିଷ୍କାର କରିଛନ୍ତି। ବିହାର ନିର୍ବାଚନ ପୂର୍ବର ବିଜେପି ନୀତୀଶ କୁମାରଙ୍କୁ ଉପ ରାଷ୍ଟ୍ରପତି କରିବାକୁ ଚାହୁଁଛି। ବିଜେପି ଏଥର ବିହାରରେ ଅଧିକ ସିଟରେ ଲଢ଼ି ଏହାକୁ ଦଖଲ କରିବା ଲକ୍ଷ୍ୟରେ ଅଛି। ନୀତୀଶ କୁମାରଙ୍କୁ ଉପ ରାଷ୍ଟ୍ରପତି କରି ବିଜେପି ନିଜ ରଣନୀତିକୁ ସଫଳ କରିବା ଉଦ୍ଦେଶ୍ୟରେ ରହିଛି।

ମଙ୍ଗଳବାର ବିଜେପି ବିଧାୟକ ହରିଭୂଷଣ ଠାକୁର ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛନ୍ତି। ସେ କହିଛନ୍ତି, “ନୀତୀଶ କୁମାର ଉପ ରାଷ୍ଟ୍ରପତି ହେବା ବିହାର ପାଇଁ ଗୋଟିଏ ଭଲ ଖବର। ନୀତୀଶ କୁମାର ଉପ ରାଷ୍ଟ୍ରପତି ହେବା ଉଚିତ।” ବିହାର ନିର୍ବାଚନ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ। ଦଳ ଏବେ ଜେଡିୟୁ ସହ ମେଣ୍ଟ କରି ସରକାରରେ ରହିଛି। କିନ୍ତୁ ଠାରେ ବିଜେପି କେବେ ବି ଏକାକୀ ବିଜୟ ହୋଇ ନାହିଁ। ଜେଡିୟୁ ସହ ମେଣ୍ଟ କରି ବିଜେପି ଏଥର ମଧ୍ୟ ନିର୍ବାଚନ ଲଢ଼ିବ। ହେଲେ ରାଜ୍ୟରେ ଅଧିକ ଆସନ ଦଳ ଦଖଲ କରି କ୍ଷମତାର ଡୋରି ନିଜ ପାଖରେ ରଖିବାକୁ ଚାହୁଁଛି। 

ମଙ୍ଗଳବାର ଧନଖଡ଼ ରାଜ୍ୟସଭାକୁ ଆସି ନାହାନ୍ତି। ନିୟମ ଅନୁସାରେ ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଉପାଧ୍ୟକ୍ଷ ଗୃହ ଚଳାଇବେ। ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ୨୦୨୦ରୁ ଜେଡିୟୁର ହରିବଂଶ ନାରାୟଣ କାର୍ଯ୍ୟ କରି ଆସୁଛନ୍ତି। ଏବେ ସେ ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବା ଯାଏ ଅର୍ଥାତ ପୂରା ମୌସୁମୀ ଅଧିବେଶନରେ ରାଜ୍ୟସଭାର ଅଧ୍ୟକ୍ଷତା କରିବେ। ଆଗକୁ ବିହାର ନିର୍ବାଚନ ଥିବା ବେଳେ ଜଣେ ବିହାରୀ ନେତା ଗୃହ ପରିଚାଳନା କରିବେ। ଏହାକୁ ଆଧାର କରି ବିଜେପି ଓ ଜେଡିୟୁ ନିର୍ବାଚନ ବୈତରଣୀ ପାର ହେବାକୁ ଚାହିଁବେ।

ଇସ୍ତଫା ପଛରେ ଜେପି ନଡ୍ଡାଙ୍କ ‘ଅପମାନ’!

ଧନଖଡ଼ଙ୍କ ଇସ୍ତଫାକୁ ନେଇ ରାଜନୀତିକ ହଇଚଇ ସୃଷ୍ଟି ହୋଇଛି। ବାସ୍ତବରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗ୍ରହଣ କରିଥିବା ପଦକ୍ଷେପ ଯୋଗୁ ଧନଖଡ଼ ‘ଅପମାନବୋଧ’ ମନେ କରି ଏପରି ଇସ୍ତଫା ଦେଇଥିବା କୁହାଯାଉଛି। ଉଭୟ ନେତା ଧନଖଡ଼ ଡାକିଥିବା ଗୁରୁତ୍ୱପୂର୍ଣ୍ଣ ବିଜନେସ ପରାମର୍ଶଦାତା କମିଟି ବା ବିଏସି ମିଟିଂରେ ସାମିଲ ହୋଇ ନଥିଲେ। ବିଏସି ବୈଠକରେ ନଡ୍ଡା ଓ ରିଜିଜୁ ସାମିଲ ନ ହେବାରୁ ଏହାକୁ ଗୁରୁତ୍ୱର ସହ ନେଇଥିଲେ ଧନଖଡ଼।

ରାଜ୍ୟସଭାର ବିଜନେସ ପରାମର୍ଶଦାତା କମିଟିର ଗୁରୁତ୍ୱ ରହିଛି। କାରଣ ସରକାରୀ ବିଧେୟକ ଓ ଅନ୍ୟ କାର୍ଯ୍ୟଗୁଡ଼ିକୁ କେତେ ସମୟ ଲେଖାଏ ଦିଆଯିବ, ତା’ର ନିଷ୍ପତ୍ତି ଏଠାରେ ହୋଇଥାଏ। ଏହାର ପ୍ରଥମ ବୈଠକ ସୋମବାର ଦିନ ୧୨.୩୦ରେ ହୋଇଥିଲା। ଏଥିରେ ନଡ୍ଡା ଓ ରିଜିଜୁଙ୍କ ସମେତ ଅଧିକାଂଶ ସଦସ୍ୟ ସାମିଲ ହୋଇଥିଲେ। କିଛି ଆଲୋଚନା ପରେ ଅପରାହ୍ନ ୪.୩୦ରେ ପୁଣି ବୈଠକ ବସିବ ବୋଲି ନିଷ୍ପତ୍ତି ହୋଇଥିଲା।

କିନ୍ତୁ ଉକ୍ତ ବୈଠକରେ ଉଭୟ ମନ୍ତ୍ରୀ ଅନୁପସ୍ଥିତ ରହିଥିଲେ। ଦ୍ୱିତୀୟ ବୈଠକରେ ସରକାରଙ୍କ ପ୍ରତିନିଧିତ୍ୱ କେନ୍ଦ୍ରମନ୍ତ୍ରୀ ଏ ମୁର୍ଗାନ କରିଥିଲେ। ସେ ଧନଖଡ଼ଙ୍କୁ ବୈଠକ ମଙ୍ଗଳବାର କରିବାକୁ ପରାମର୍ଶ ଦେଇଥିଲେ। ବୈଠକ ଦୁଇ ଥର ବୈଠକ ବସିଥିବା ବେଳେ ଏହା ଅଧାରେ ଅଟକିବା କଥାକୁ ଧନଖଡ଼ ସହଜରେ ଗ୍ରହଣ କରି ନଥିଲେ।

ସୋମବାର ରାଜ୍ୟସଭା ଗୃହରେ ଧନଖଡ଼ କହିଥିଲେ ଯେ ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ବହିଷ୍କାର ଦାବିରେ ଗୋଟିଏ ନୋଟିସ ମିଳିଛି। ଏଥିରେ ୬୮ ଜଣ ବିରୋଧୀ ସାଂସଦଙ୍କ ଦସ୍ତକ୍ଷତ ରହିଛି। ରାଜ୍ୟସଭାରେ ଉପ ରାଷ୍ଟ୍ରପତି ବିରୋଧୀଙ୍କ ଦ୍ୱାରା ଆଗତ ନୋଟିସ ଉପରେ ପଦକ୍ଷେପ ନେଇଥିବା ବେଳେ ଲୋକସଭାରେ ସରକାର ନିଜ ପ୍ରାୟୋଜିତ ସମାନ ପ୍ରସ୍ତାବ ଆଣିଥିଲେ।

ଏହା ସରକାରଙ୍କ ପାଇଁ ଗୋଟିଏ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ରାଜ୍ୟସଭାରେ ସରକାର ମଧ୍ୟ ଜଷ୍ଟିସ ବର୍ମାଙ୍କ ବିରୋଧରେ ଅନାସ୍ଥା ଆଣିବାର ଥିଲା। କିନ୍ତୁ ବିରୋଧୀ ଆଗୁଆ ନୋଟିସ ଦେବା ଓ ଏହାକୁ ରାଜ୍ୟସଭା ଅଧ୍ୟକ୍ଷ ଗ୍ରହଣ କରିବା କଥାକୁ ଶାସକ ଦଳ ସହଜରେ ଗ୍ରହଣ କରି ପାରି ନଥିଲା।

ସେହିପରି ରାଜ୍ୟସଭାରେ ଜେପି ନଡ୍ଡା ପ୍ରଦର୍ଶନ କରିଥିବା ଆଭିମୁଖ୍ୟ ମଧ୍ୟ ଧନଖଡ଼ଙ୍କୁ ଆଘାତ ଦେଇଥିଲା। ଅପରେସନ ସିନ୍ଦୂରକୁ ନେଇ ରାଜ୍ୟସଭାରେ ସୋମବାର ବିରୋଧୀ ହୋ-ହାଲ୍ଲା କରିଥିଲେ।

ଏହି ସମୟରେ ଜେପି ନଡ୍ଡା ନିଜ ଆସନରେ ଛିଡ଼ା ହୋଇ ଧନଖଡ଼ଙ୍କୁ କହିଥିଲେ ଯେ “କିଛି ବି ରେକର୍ଡକୁ ଯିବ ନାହିଁ। ମୁଁ ଯାହା କହିବି, ସେସବୁ ହିଁ ରେକର୍ଡକୁ ଯିବ।” ଗୃହର ଅଧ୍ୟକ୍ଷଙ୍କୁ ସର୍ବସମ୍ମୁଖରେ ଏପରି କହିବା ଅପମାନ ଛଡ଼ା ଆଉ କିଛି ନୁହେଁ ବୋଲି କଂଗ୍ରେସ କହିଛି।

Nitish Kumar Jagdeep Dhankhar